Unknown

 

 

 

 

 

 

 

 

 

 

ଦିବ୍ୟଭୂମି ଭାରତ

ସାତକଡ଼ି ହୋତା, ଗୀତା ହୋତା

 

ସୂଚୀପତ୍ର

 

୧.

ବମ୍ବେ ଓ ହାତୀଗୁମ୍ଫା

୨.

ପ୍ରେମର ଅମରକାବ୍ୟ ତାଜମହଲ

୩.

ପୁଣ୍ୟପୀଠ ହରିଦ୍ୱାର

୪.

ମୋହନରୁ ମହାତ୍ମା

୫.

ଦ୍ୱାରକାଧୀଶ୍ୱରଙ୍କ ପାଦପଦ୍ମରେ

୬.

ଅଭେଦ୍ୟ ଦୁର୍ଗ ଗୋଲକୋଣ୍ଡା

୭.

ମହାନଗରୀ ଦିଲ୍ଲୀ-କୁତବମୀନାର ଓ ଲୌହସ୍ତମ୍ଭ

୮.

ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସାମର୍ଥ୍ୟର କେନ୍ଦ୍ର ଦିଲ୍ଲୀର ଲାଲକିଲ୍ଲା

୯.

ଶ୍ରୀରଙ୍ଗମ୍‌

୧୦.

କଲିକତା କେତେ କଥା

୧୧.

ନବାବ ଓ ସମ୍ଭ୍ରାନ୍ତମାନଙ୍କର ସହର ଲକ୍ଷେନ୍‍ø

୧୨.

ରାଜାମହାରାଜାଙ୍କ ସହର ଜୟପୁର

☆☆☆

 

ବମ୍ବେ ଓ ହାତୀଗୁମ୍ଫା

 

ବମ୍ବେ ଅନେକଥର ଆସିଥିଲେ ବି ସମୟ ହୋଇନଥିଲା ଏଲିଫେଣ୍ଟ କେଭ ବା ହାତୀଗୁମ୍ଫା ବୁଲି ଆସିବା ପାଇଁ । ସେଥିପାଇଁ ଏଲିଫେଣ୍ଟ କେଭ ଦେଖିନବା ପାଇଁ ଆମ ସହିତ ଥାଆନ୍ତି ଓଡ଼ିଶାର ସୁସାହିତ୍ୟିକ ଓ ଗବେଷକ ଗଣେଶ ପ୍ରସାଦ ପରିଜା । ‘ଅମୃତାୟନ’ ସାହିତ୍ୟ ପତ୍ରିକାର ଦେବରାଜ ସାହୁ ମଧ୍ୟ ଆସିଥାନ୍ତି ଆମ ସହିତ ବମ୍ବେ ବୁଲିଯିବା ପାଇଁ ।

 

ବମ୍ବେ ମହାନଗରୀ ଭାରତର ଲକ୍ଷ୍ମୀ-ଭଣ୍ଡାର । ଦେଶର ସବୁଠାରୁ ବେଶୀ ସମ୍ପଦଶାଳୀମାନେ ବସବାସ କରନ୍ତି ଏଠାରେ । ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ଥିଲା କଲିକତାରେ । କିନ୍ତୁ ତା’ପରେ ପ୍ରାଧାନ୍ୟ ପାଇଲା ବମ୍ବେ । ଶିଳ୍ପ ପ୍ରସାର ସହିତ ବ୍ୟବସାୟ, ବାଣିଜ୍ୟ ଯେପରି ଦ୍ରୁତ ଗତିରେ ବଢ଼ିଚାଲିଲା ମହାରାଷ୍ଟ୍ରରେ, ତା’ ସହିତ ତାଳ ଦେଇ ସହର ସମ୍ପ୍ରସାରିତ ହେଲା, ନୂଆ ବସତି ଗଢ଼ିଉଠିଲା । ଏବେ ବମ୍ବେଠାରୁ ପ୍ରାୟ ସତୁରି କିଲୋମିଟର ଦୂର ଥାନେ ଠାରୁ ଆହୁରି ଦଶ କିଲୋମିଟର ବାଟ ଅତିକ୍ରମ କରିବା ପରେ ଭାସି ପରେ ଗଢ଼ି ଉଠୁଥିବା ନୂତନ ବମ୍ବେ ଆଖି ଝଲସାଇ ଦିଏ । ନୂତନ ରାସ୍ତା ତିଆରି ହେଉଛି । ବିଜୁଳି ଶକ୍ତି ସରବରାହ ଲାଇନ ଟଣାଯାଉଛି । ଭାରତ ବାହାରେ ରହିଯାଇଥିବା ଭାରତୀୟମାନଙ୍କ ପାଇଁ (NRI) ଜନବସତି ଗଢ଼ିଉଠୁଛି, ନୂତନ ବିପଣି ଖୋଲିବାରେ ଲାଗିଛି । ଯାନବାହନ ଓ ଯୋଗାଯୋଗର ସୁବିଧା କ୍ଷିପ୍ର ଗତିରେ ବଢ଼ୁଛି ସାମାଜିକ ଗତିଶୀଳତା ସହିତ ତାଳ ଦେଇ ।

 

ଏଲିଫେଣ୍ଟ କେଭ ଗେଟୱେ ଅଫ ଇଣ୍ଡିଆଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ । ସମୁଦ୍ର ପଥରେ ମୋଟର ବୋଟରେ ଯିବାକୁ ହୁଏ । ଗେଟୱେ ଅଫ ଇଣ୍ଡିଆ ବା ଭାରତର ପ୍ରବେଶ ଦ୍ୱାର ନିର୍ମିତ ହୋଇଥିଲା ୧୯୧୧ ରେ । ଇଂଲଣ୍ଡର ରାଜା ପଞ୍ଚମ ଜର୍ଜ ଓ ରାଣୀ ମେରି ଡିସେମ୍ବର ମାସରେ ପ୍ରଥମ ଭାରତ ପରିଦର୍ଶନରେ ଆସିଥିଲେ । ସେମାନଙ୍କ ସେହି ଐତିହାସିକ ଯାତ୍ରାକୁ ସ୍ମରଣୀୟ କରି ରଖିବା ପାଇଁ ନିର୍ମିତ ହୋଇଥିଲା ଗେଟୱେ ଅଫ ଇଣ୍ଡିଆ, ସେତେବେଳର ବଡ଼ଲାଟ ବା ଭାଇସରାୟ ଲର୍ଡ ଆରଲ୍ ରିଡିଙ୍ଗଙ୍କ ସମୟରେ । ଏହି ସ୍ଥାନ ସମୁଦ୍ର କୂଳରେ । ତେଣୁ ଏହାକୁ ଭାରତର ପ୍ରବେଶପଥ କୁହାଯାଏ । ଏହାର ଅନ୍ୟନାମ ଆପୋଲୋ । ଏହା ବମ୍ବେ ନଗରୀର ସବୁଠାରୁ ବେଶି ପ୍ରିୟ ସ୍ଥାନ । ସକାଳ ସନ୍ଧ୍ୟା ଓ ସାରାଦିନ ଭିଡ଼ ଜମେ ଏଠାରେ ଦର୍ଶକମାନଙ୍କର । ଗେଟ ୱେ ଅଫ ଇଣ୍ଡିଆର ବିପରୀତ ଦିଗରେ ଅତି ନିକଟରେ ଟାଟା କମ୍ପାନୀ ପରିଚାଳିତ ବିଶ୍ୱବିଖ୍ୟାତ ତାଜ୍ ହୋଟେଲ ଅବସ୍ଥିତ । ଏହାଛଡ଼ା ଆହୁରି ନିକଟରେ ମରାଠା ବୀର ଛତ୍ରପତି ଶିବାଜୀ ମହାରାଜ ଏବଂ ପ୍ରିୟ ସନ୍ନ୍ୟାସୀ ବିବେକାନନ୍ଦଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରେ । ଏଠାରୁ ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗର ମୋଟର ବାଟରେ ଏଲିଫେଣ୍ଟ କେଭକୁ ଯାଆନ୍ତି ଦର୍ଶକମାନେ ।

 

ସୁସଜ୍ଜିତ ମୋଟର ବୋଟ ସବୁ ସମୁଦ୍ର କୂଳରେ ଲଙ୍ଗର ପକାଇ ଅପେକ୍ଷା କରନ୍ତି ଯାତ୍ରୀମାନଙ୍କର । ଦର୍ଶକମାନଙ୍କ ପାଇଁ ଯେମିତି ଅପେକ୍ଷା କରନ୍ତି ସୁସଜ୍ଜିତ ନୌକାସବୁ । ଆମେ ପ୍ରାତଃଭୋଜନ ଶେଷକରି ଫ୍ଲାସ୍କରେ କଫି ଓ ଥଳିରେ ଅଲୁଚିପ୍‍ସ ଓ ବିସ୍କୁଟ ନେଇ ଆସିଥିଲୁ ଆଠଟା ସମୟରେ ଛାଡ଼ୁଥିବା ବୋଟ ଧରିବା ପାଇଁ । ସକାଳ ଯାତ୍ରୀମାନଙ୍କ ଭିଡ଼ । ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ପଥର ପାହାଚ ପାଖରେ ବୋଟ ଲାଗିବା କ୍ଷଣି ଆମେ ଦୁହେଁ, ଗଣେଶ ବାବୁ ଓ ଦେବରାଜ ସହିତ ଉଠିଗଲୁ ବୋଟ ଉପରକୁ । ଆମ ସହିତ ଆହୁରି ତିରିଶ ଚାଳିଶ ଜଣ ସହଯାତ୍ରୀ/ବିଭିନ୍ନ ପ୍ରଦେଶର ଭିନ୍ନ ଭିନ୍ନ ଧର୍ମ ଓ ଭାଷାର ଲୋକ ସେମାନେ । ତଥାପି ଲାଗୁଥାଏ ଆମେ ସମସ୍ତେ ଯେପରି ଗୋଟିଏ ପରିବାରର । ଏତେ ବିବିଧତା ସତ୍ତ୍ୱେ ଆମ ସମସ୍ତଙ୍କର ଆଦର୍ଶ ଓ ଆଚରଣ, ଅଭ୍ୟାସ ଓ ଚଳଣିରେ ଏତେ ସଂହତି ସମାନତା ଯେ ଏଥିରୁ ଗଢ଼ିଉଠିଛି ପାର୍ଥକ୍ୟ ମଧ୍ୟରେ ଐକ୍ୟ ଓ ସଂହତିର ସ୍ଵର ।

 

ତୁରୀ ବଜାଇ ବୋଟ ଛାଡ଼ିଲା । ପ୍ରାୟ ଘଣ୍ଟାଏ ପନ୍ଦର ମିନିଟ ଲାଗେ ଏଲିଫେଣ୍ଟ କେଭ ପହଞ୍ଚିବା ପାଇଁ ।

 

ମୋଟର ବାଟରେ ଯାତ୍ରା କଲାବେଳେ ସମୁଦ୍ର ଉପରେ ଚିକ୍ ଚିକ୍ କରୁଥାଏ ସକାଳର ସୂର୍ଯ୍ୟ କିରଣ । ବନ୍ଦରରେ ଲଙ୍ଗର ପକେଇଥିବା କେତୋଟି ବଡ଼ ବଡ଼ ଜାହାଜର ସିଲହଟ ଛବି ଭାସି ଉଠୁଥାଏ ଆଖିଆଗରେ । ଦୁଇ ତିନୋଟି ଜାହାଜ ସମୁଦ୍ର ଭିତରେ ଅପେକ୍ଷା କରିଥାନ୍ତି ବନ୍ଦରକୁ ଆସିବା ପାଇଁ । ବମ୍ବେର ସମୁଦ୍ର, ପୁରୀ ଓ କୋଣାର୍କର ସମୁଦ୍ରପରି ଉତ୍ତାଳ ନୁହେଁ, ଅପେକ୍ଷାକୃତ ଶାନ୍ତ, ଚାନ୍ଦିପୁରର ସମୁଦ୍ର ପରି । ବମ୍ବେ ସମ୍ବନ୍ଧରେ ପଥପ୍ରଦର୍ଶକ (ଗାଇଡ) ଯାହା କହୁଥିଲେ ଆଉ ଦଳେ ସହଯାତ୍ରୀଙ୍କୁ ତାହା କାନରେ ପଡ଼ିଲା ଆସି । ବାମ ପାଖରେ ବମ୍ବେ ବନ୍ଦରର ଦୃଶ୍ୟ ଓ ବାଟରେ ଦୃଷ୍ଟିରେ ପଡ଼େ ପେଟ୍ରୋଲ ପାଇପଲାଇନର ବିସାରା ।

 

ବମ୍ବେକୁ ସପ୍ତଦ୍ୱୀପା କୁହାଯାଇପାରେ । ବମ୍ବେର ଅୟମାରମ୍ଭ ସାତଟି ଦ୍ୱୀପକୁ ନେଇ କୋଲାବା, ଫୋର୍ଟ, ବାଇକୁଲ୍ଲା, ପରେଲ, ଓ୍ୱରହି, ମତୁଙ୍ଗା ଏବଂ ମହିମ । ବର୍ତ୍ତମାନ ବୃହତ୍ତର ବମ୍ବେ ପ୍ରସାରିତ ହୋଇଛି ମୁଲୁନ୍ଦ ଏବଂ ଦହିସର ପର୍ଯ୍ୟନ୍ତ । ସାତଟି ଦ୍ୱୀପ ସ୍ଥାନରେ ଗଢ଼ିଉଠିଛି ଗୋଟିଏ ପେନିନ୍‌ସୁଲା ବା ଉପଦ୍ୱୀପ । ପରସ୍ପର ସହିତ ସଂଯୁକ୍ତ । ବମ୍ବେର ଆଦିନାମ ମୁମ୍ବାଇ । ଏହାର ଆଦିମ ଅଧିବାସୀ କୋଲିବା କେଉଟ । ଖ୍ରୀଷ୍ଟପୂର୍ବ ୨୭୩ ରୁ ୨୩୨ ମଧ୍ୟରେ ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ଥିଲା ବମ୍ବେ । ପୁଣି ୮୧୦ ରୁ ୧୨୬୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଥିଲା ସଲହର ରାଜାମାନଙ୍କ ଶାସନାଧୀନରେ ଏବଂ ୧୫୩୪ ଖ୍ରୀଷ୍ଟାବ୍ଦରେ ବାହାଦୁରଗଡ଼ର ସୁଲତାନ ପର୍ତ୍ତୁଗାଲର ରାଜା ତୃତୀୟ ଡି.ଯୋଆନଙ୍କୁ ଏହା ହସ୍ତାନ୍ତର କରିଥିଲେ । କିନ୍ତୁ ୧୫୪୯ ଖ୍ରୀଷ୍ଟାବ୍ଦରେ ବର୍ଷକୁ ମାତ୍ର ପଞ୍ଚାଅଶୀ ପାଉଣ୍ଡ ଶୁଳ୍‍କରେ ଚିରସ୍ଥାୟୀ ପଟ୍ଟା କରି ବମ୍ବେକୁ ହସ୍ତାନ୍ତର କରାଯାଇଥିଲା ଜଣେ ପ୍ରସିଆ ଦ ଓରଟ (Pracia da Orta)ଙ୍କୁ । ଇଂରେଜ ଓ ଓଲନ୍ଦାଜ ନୌବାହିନୀ ବମ୍ବେ ବନ୍ଦରକୁ ଅଚାନକ ଆକ୍ରମଣ ଦ୍ୱାରା ଅକାର କରି ନେଇଥିଲେ ୧୬୨୫ ଖ୍ରୀଷ୍ଟାବ୍ଦରେ । କିନ୍ତୁ ସେମାନେ ସେଠାରେ ରହି ନ ଯାଇ ଧନରତ୍ନ ଲୁଣ୍ଠନ କରି ପଳାଇ ଯାଉଥିଲେ-। ଜୁନ ମାସ ତା ୨୩ ରିଖ ୧୬୬୧ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ଦ୍ୱିତୀୟ ଚାର୍ଲସ ପର୍ତ୍ତୁଗାଲର ରାଜକୁମାରୀ କାଥାରିନଙ୍କୁ ବିବାହ କରି ଏହି ଉପଦ୍ୱୀପକୁ ଯୌତୁକ ଭାବେ ପାଇଥିଲେ-। ୧୮୬୮ ଖ୍ରୀଷ୍ଟାବ୍ଦରେ ଏକ ରାଜକୀୟ ଆଦେଶ ଦ୍ଵାରା ବମ୍ବେର ଶାସନ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା । ଏହାର ପ୍ରଥମ ଲାଟ ଥିଲେ ସାର ଜର୍ଜ ଓ଼କ୍ସେନଡେନ-। ୧୮୫୭ ଖ୍ରୀଷ୍ଟାବ୍ଦର ସିପାହୀ ବିଦ୍ରୋହ ପରେ ବମ୍ବେର ଶାସନକଳକୁ ସୁରକ୍ଷିତ ଓ ସୁଦୃଢ଼ କରିବାପାଇଁ ଇଂରେଜ ସରକାର ବହୁ ବ୍ୟବସ୍ଥା କରିଥିଲେ ଓ ପୁରୁଣା କୋଠାବାଡ଼ି ଭାଙ୍ଗି ଦୁର୍ଗ ତିଆରି କରିଥିଲେ ୧୮୬୨ ଖ୍ରୀଷ୍ଟାବ୍ଦରେ । ୧୮୬୧ ଜନଗଣନାରେ ବମ୍ବେର ଲୋକସଂଖ୍ୟା ଥିଲା ମାତ୍ର ଦଶହଜାର-। ଏବେ ଏହା କୋଟିଏ ।

 

ସମୁଦ୍ରରେ ଯିବାବେଳେ ପାଣି ଛିଟିକା ପଡ଼ି ଶାନ୍ତଶୀତଳ ଲାଗୁଥାଏ ଦେହ ଓ ମନ । ପ୍ରାୟ ଘଣ୍ଟାଏ ପନ୍ଦର ମିନିଟ୍‌ପରେ ପହଞ୍ଚିଲୁ ହାତୀଗୁମ୍ଫା ବା ଏଲିଫେଣ୍ଟ କେଭରେ । ବୋଟରୁ ଅବତରଣ କଲୁ ରାଜଘାଟରେ । ଏହା ଦ୍ୱୀପର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ । ଦ୍ୱୀପଟିରେ ଦୁଇଟି ପାହାଡ଼ ଅଛି । ମଝିରେ ଏକ ଅପ୍ରଶସ୍ତ ପଥ । ଏହାର ଆୟତନ ପ୍ରାୟ ପାଞ୍ଚ କିଲୋମିଟର । ନୂଆବୋହୂର ଅନିନ୍ଦ୍ୟ ମୁହଁ ଦେଖିବା ପାଇଁ ଶାଶୁଘର ଲୋକମାନେ ଉତ୍କଣ୍ଠାରେ ଅପେକ୍ଷା କଲାପରି ଆମେ ଉତ୍କଣ୍ଠାରେ ଚାହିଁଥାଉ ସେହି ପାହାଡ଼ ଆଡ଼କୁ । ପାହାଡ଼ କାଟି ମନ୍ଦିର ନିର୍ମାଣ କରିଛନ୍ତି ଯେ ତିନିଦିଗରୁ ସୂର୍ଯ୍ୟାଲୋକେ ଉଦ୍‌ଭାସିତ ମୂର୍ତ୍ତିମାନେ ଚଳମାନ ପରି ଦିଶନ୍ତି । ମନ୍ଦିର ଭିତର ସ୍ତମ୍ଭ ଉପରେ ନିର୍ଭୟ କରି ରହିଥିବା ଏକ ହଲ୍‌ । କ୍ରସ୍‌ବିମ୍‌ର ବ୍ୟବହାର ମନରେ ସିଲିଂ ଦିଆଯାଇଥିବାର ଭ୍ରମ ସୃଷ୍ଟି କରେ । ନଅଟି ପ୍ୟାନେଲର ନିର୍ମାଣ କୌଶଳ ଅତି ସୁନ୍ଦର । ପ୍ରତ୍ୟେକ ପ୍ୟାନେଲ ବା ତକ୍ତା ଆଗରେ ଛିଡ଼ାହୋଇ ଛାଇ ଓ ଆଲୁଅର ଦୃଶ୍ୟ ମନରେ । ଏହା ଏକ ପ୍ରାଚୀନ ଶୈବକ୍ଷେତ୍ର । ଶିବ ଶକ୍ତିର ଉତ୍ସ । ଏଇ ବିଶ୍ୱାସ ଚଳିଆସୁଛି ପ୍ରାଚୀନ କାଳରୁ ।

 

ହାତୀଗୁମ୍ଫାରେ ସେଇ ସମୟର ବ୍ରାହ୍ମଣ୍ୟ କଳାକୌଶଳର ନିଦର୍ଶନ ବିଦ୍ୟମାନ । ମୁଖ୍ୟ ଗୁମ୍ଫାରେ ନଅଟି ମୂର୍ତ୍ତି । (୧) ନଟରାଜ ଶିବ (୨) ଅନ୍ଧକ ରାକ୍ଷସକୁ ବିନାଶ କରିବା ଦୃଶ୍ୟ, ଦ୍ୱିତୀୟଟିରେ (୩) ଶିବପାର୍ବତୀଙ୍କ ବିବାହ ଦୃଶ୍ୟ (୪) ଗଙ୍ଗାବତରଣ (୫) ଶିବ ମହେଶମୂର୍ତ୍ତି (୬) ଶିବ ଅର୍ଦ୍ଧନାରୀଶ୍ୱର (୭) କୈଳାସ ପର୍ବତରେ ପାର୍ବତୀ (୮) ଶିବ କୈଳାସ ପର୍ବତ ଉଠାଇଥିବା ଦୃଶ୍ୟ ଏବଂ (୯) ଶିବ ସଦାଶିବ । କିନ୍ତୁ ଆକ୍ରମଣକାରୀଙ୍କ ଦୌରାତ୍ମ୍ୟରୁ କେତେକ ମୂର୍ତ୍ତି ନଷ୍ଟଭ୍ରଷ୍ଟ ହୋଇଯାଇଛି ।

 

ଆମେ ହଲ୍‌ ଭିତରକୁ ପ୍ରବେଶ କଲୁ । କେତେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି ହାତୀଗୁମ୍ଫା ଦେଖିଯିବା ପାଇଁ । ଫଟୋ ଉଠାଉଥାନ୍ତି ଏବଂ ନୋଟ୍‌କରି ନେଉଥାନ୍ତି କିଛି ଜ୍ଞାତବ୍ୟ ତଥ୍ୟ । ଗଣେଶ ବାବୁ ଗବେଷକ । ଏଠାରେ ଦିନେ ବୌଦ୍ଧ ବିହାର ଥିଲା ବୋଲି ତାଙ୍କର ଧାରଣା-। ବିଭିନ୍ନ ମୁଦ୍ରାରେ ଥିବା ଶିବଙ୍କୁ ଦେଖୁଥାନ୍ତି ସେ ଗବେଷକର ଦୃଷ୍ଟିରେ ।

 

ଶିଳ୍ପକଳାର ନୈପୁଣ୍ୟ ମୁଗ୍ଧ କରେ ଦର୍ଶକକୁ । କିନ୍ତୁ କେଉଁଠାରେ ଖୋଦିତ ହୋଇନାହିଁ ଶିଳ୍ପୀମାନଙ୍କର ନାମ ବା ଠିକଣା । ଇତିହାସର ସେଇ ଅଜ୍ଞାତ ମହାନ ଶିଳ୍ପୀମାନଙ୍କୁ ନତମସ୍ତକ ହୋଇ ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଲୁ ଆମେ । ଶିବ ପାର୍ବତୀଙ୍କ ବିବାହ ଦୃଶ୍ୟ ଶିଳାଦେହରେ ସୃଷ୍ଟି କରିଛି ଶାଶ୍ୱତ ମଧୁର କବିତାର ମିଳନଛନ୍ଦ । ଅନ୍ଧକାସୁରବଧ, ରାବଣକୁ ଅବଲୀଳାକ୍ରମେ ପରାଭୂତ କରିବା ଦୃଶ୍ୟ ଯୋଗେଶ୍ୱରଙ୍କ ଅସୀମ ଶକ୍ତିକୁ ପ୍ରକଟିତ କରେ ଆଖି ଆଗରେ । କିନ୍ତୁ କାଳ କ୍ଷୟକରି ଚାଲିଛି ସ୍ଥାପତ୍ୟର ଏଇ ମହିମା ଓ ନିପୁଣତାକୁ ଯେମିତି ଦୁର୍ଦ୍ଦାନ୍ତ ପର୍ତ୍ତୁଗୀଜ ଆକ୍ରମଣକାରୀମାନଙ୍କ କ୍ଷୟକ୍ଷତିର ଚିହ୍ନ ରହିଛି ମୂର୍ତ୍ତିମାନଙ୍କ ଦେହରେ ।

 

ଗୁମ୍ଫାର ପଶ୍ଚିମ ପାଖରେ ଲିଙ୍ଗ ବିରାଜମାନ । ସୃଜନୀଶକ୍ତିର ସ୍ୱାଭାବିକ ପ୍ରକାଶ ଘଟିଛି ବିଗ୍ରହରେ । ଶିବ ସେଥିପାଇଁ ଯୁଗେ ଯୁଗେ ସୃଷ୍ଟିଶକ୍ତିର ପ୍ରତୀକ ଭାବେ ପୂଜିତ । ତା’ପରେ ଦୃଷ୍ଟିରେ ପଡ଼େ ଦ୍ୱାରପାଳମାନଙ୍କ ମୂର୍ତ୍ତି । ପୂର୍ବ ଓ ପଶ୍ଚିମରେ ଦୁଇଟି ଛୋଟ ଛୋଟ ପବିତ୍ର ତୀର୍ଥସ୍ଥାନ । ଏଠାରେ ଥିବା ଶିଳ୍ପନୈପୁଣ୍ୟ କାଳର କ୍ଷୟ କ୍ଷତି ଦ୍ୱାରା ନିଷ୍ପ୍ରଭ । ଉତ୍ତରବାଟେ ସମୁଦ୍ର । ଏହି ବାଟ ଦେଇ ପ୍ରବେଶ ପଥ ।

 

ଏଲିଫେଣ୍ଟ କେଭର ଇତିବୃତ୍ତି ବେଶି ସ୍ପଷ୍ଟ ନୁହେଁ । ଏଇ ଦ୍ୱୀପର ପୂର୍ବଦିଗରେ ଥିବା ପର୍ବତର ସବୁଜ ଦୃଶ୍ୟ ଯୁଗ ଯୁଗ ଧରି ଆକର୍ଷଣ କରିଆସିଛି ଦର୍ଶକକୁ । ଏଠାରେ ବୌଦ୍ଧମାନେ ସ୍ତୂପ ନିର୍ମାଣ କରିଥିଲେ ତୃତୀୟ ଶତାବ୍ଦୀ ବା ତା’ ପୂର୍ବରୁ । ପୂର୍ବେ ପୁରୀ ଏବଂ ତା’ପରେ ସାମ୍ରାଜ୍ୟର ରାଜଧାନୀ ଏବଂ ମହାଶକ୍ତିର ପ୍ରତୀକ ଶିବଙ୍କୁ ସମର୍ପିତ ହୋଇଥିଲା ଏହାର କୀର୍ତ୍ତି । ବହୁ ଶତାବ୍ଦୀ ପରେ ପର୍ତ୍ତୁଗୀଜମାନେ ଯେତେବେଳେ ଏହି ଦ୍ୱୀପ ଅଧିକାର କଲେ ସେତେବେଳେ ହାତୀର ଏକ ନିଶ୍ଚଳ ପଥର ମୂର୍ତ୍ତି ଦେଖି ଏହି ଦ୍ୱୀପର ନାମକରଣ କଲେ ଏଲିଫେଣ୍ଟ । ପଥର ନିର୍ମିତ ଅଶ୍ୱ ମଧ୍ୟ ଥିଲା, କିନ୍ତୁ ତା’ର ଆଉ କୌଣସି ଚିହ୍ନବର୍ଣ୍ଣ ନାହିଁ । ଏହି ପର୍ବତ ଉପରେ ପର୍ତ୍ତୁଗୀଜମାନେ ଏକ ଦୁର୍ଗ ନିର୍ମାଣ କରିଥିଲେ ଏବଂ ସେତେବେଳେ କେତେକ ମୂର୍ତ୍ତି ଏବଂ ଶିଳ୍ପ ଭାସ୍କର୍ଯ୍ୟ ଭାଙ୍ଗି ଦେଇଥିଲେ । ପର୍ତ୍ତୁଗାଲରେ ଐତିହାସିକ ଆଣ୍ଟୋନିଓ ବୋକାରୋ ହାତୀଗୁମ୍ଫାର ବିଶଦ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି । ହାତୀଗୁମ୍ଫାର ନିର୍ମାଣ ସମ୍ବନ୍ଧରେ ବହୁ ଅଜବ କାହାଣୀ ଶୁଣାଯାଏ । ୟୁରୋପର କେତେକ ଲେଖକଙ୍କ ମତରେ ସମୁଦ୍ରପଥରେ ଯିବାବେଳେ ଏଠାରେ ଅଟକିଯାଇ ଚୀନା ଦେଶର ବ୍ୟବସାୟୀମାନେ ଏହା ନିର୍ମାଣ କରିଥିଲେ । ଆଉ କେତେକଙ୍କ ମତରେ ଏହା ନିର୍ମାଣ କରିଥିଲେ ଆଲେକଜାଣ୍ଡାର ହାମିଲଟନ । ଶିଳାନିର୍ମିତ ହୋଇ ହାତୀର ଅବଶିଷ୍ଟାଂଶ ଯାଦୁଘରର ଶୋଭାବର୍ଦ୍ଧନ କରୁଛି ।

 

ହିନ୍ଦୁମାନଙ୍କ ତ୍ରିମୂର୍ତ୍ତି ବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ମୂର୍ତ୍ତି ଦର୍ଶନୀୟ । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଏବଂ ମହେଶ୍ୱର ସଂହାରକର୍ତ୍ତା । ବ୍ରହ୍ମା ସୃଷ୍ଟିକର୍ତ୍ତା । ବ୍ରହ୍ମା ସୃଷ୍ଟିକର୍ତ୍ତା ହୋଇ ମଧ୍ୟ ପୂଜା ପାଉ ନଥିବାବେଳେ ହିନ୍ଦୁମାନେ ବିଷ୍ଣୁ ଓ ଶିବଙ୍କର ପୂଜାର୍ଚ୍ଚନା କରନ୍ତି । ଏଠାରେ ତ୍ରିମୂର୍ତ୍ତିଙ୍କ ଏକତ୍ର ସମାବେଶ ନିପୁଣ ଶିଳ୍ପ କଳାର ପରିଚୟ ଦିଏ । ଯେଉଁ ଆଦିସ୍ତମ୍ଭ କଥା କୁହାଯାଏ ସେ ସମ୍ପର୍କରେ ପ୍ରଚଳିତ ବିଶ୍ୱାସ ଅନୁସାରେ ଯେତେବେଳେ ଦେବତାମାନେ ସୃଷ୍ଟି ରହସ୍ୟ ଜାଣି ନପାରି ବିସ୍ମୟବିମୂଢ଼ ହୋଇ ରହିଥିଲେ ସେତେବେଳେ ଏହି ଆଶ୍ଚର୍ଯ୍ୟସ୍ତମ୍ଭ ଉଦ୍‌ଘାଟନ କରି ଏହା ଯେ ଶିବଙ୍କ ସୃଷ୍ଟିଲୀଳାର ପ୍ରତୀକ ତାହା ବୁଝିପାରି ଲିଙ୍ଗୋଦ୍ଭବ ଭାବେ ପୂଜା କଲେ ।

 

ଶିବ ସାଧନା ଓ ତପସ୍ୟା ବଳରେ ଅକ୍ଷୟ ଶକ୍ତି ଅର୍ଜନ କରିଥିଲେ । ଭସ୍ମାଚ୍ଛାଦିତ ଶରୀର, ଜଟାଜୁଟ ଓ ସର୍ପମଣ୍ଡିତ ଶରୀର ପ୍ରକୃତରେ ଭୟଙ୍କର । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ହିମାଳୟ କନ୍ୟା ପାର୍ବତୀ ଶିବଙ୍କ ପ୍ରେମରେ ପଡ଼ି ତାଙ୍କୁ ପତି ରୂପେ ପାଇବା ଲାଗି ତପସ୍ୟା କଲେ-। ଶିବଙ୍କ ସହିତ ପାର୍ବତୀଙ୍କ ବିବାହ ସମ୍ପନ୍ନ ହେଲା ମହାଆଡ଼ମ୍ବରରେ । ବ୍ରହ୍ମା ସ୍ୱୟଂ ପୁରୋହିତ ଭାବେ ଏହି ବିବାହ କାର୍ଯ୍ୟ କରିଥିବା ପୁରାଣର ବିଷୟ । ଶିବ କଲ୍ୟାଣ ସୁନ୍ଦର । ଏହି ଠାଣିରେ ଶିବ ପାର୍ବତୀଙ୍କ ଯୁଗଳମୂର୍ତ୍ତି ଦର୍ଶକର ଚିତ୍ତବିନୋଦନ କରେ ।

 

କଲ୍ୟାଣ ସୁନ୍ଦର ଶିବ ମଧ୍ୟ ଭୈରବ । ହାତରେ ତ୍ରିଶୂଳ ଓ ଡମ୍ବରୁ । ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ବୋଲି ସେ ଚନ୍ଦ୍ରମୌଳି । ଶିବ ପ୍ରଜ୍ଞା ଓ ଧର୍ମର ପ୍ରତୀକ । ସେ ଅଜ୍ଞତା ଓ ଆସୁରିକ ଶକ୍ତିର ବିନାଶକାରୀ । ଅଜ୍ଞତାର ପ୍ରତୀକ ଅନ୍ଧକ ଦୈତ୍ୟର ନିଧନ ହୁଏ ତାଙ୍କ ହାତରେ । ଅନ୍ଧକାସୁର ବଧ ମୂର୍ତ୍ତି ଏହାର ନିଦର୍ଶନ ।

 

ଶିବଙ୍କ ଦୟାର ଅନ୍ତ ନାହିଁ । ଭକ୍ତର ତପସ୍ୟା ଓ ନିଷ୍ଠା ତାଙ୍କୁ ସହଜରେ ମୁଗ୍ଧ କରେ । ତେଣୁ ସ୍ୱର୍ଗରୁ ଗଙ୍ଗାକୁ ଓହ୍ଲାଇ ଆଣିବା ପାଇଁ ଯେତେବେଳେ କଠୋର ତପସ୍ୟା କଲେ ଭଗୀରଥ, ପ୍ରସନ୍ନ ହୋଇ ଶିବ ସମ୍ମତି ହେଲେ ଗଙ୍ଗାକୁ ଧାରଣ କରିବା ପାଇଁ । ଭୂମି ଉପରେ ସିଧା ଲମ୍ପ ଦେଲେ ପୃଥିବୀ ବିଦୀର୍ଣ୍ଣ ହୋଇଯାଇଥାନ୍ତା, ତେଣୁ ଶିବ ଭୂମି ଉପରେ ସିଧା ମସ୍ତକ ଦେଖାଇଦେଲେ ଗଙ୍ଗାଙ୍କ ଅବତରଣ ପାଇଁ । କିନ୍ତୁ ସେଇ ଜଟାଜୁଟ ମସ୍ତକ କ’ଣ ସାମାନ୍ୟ ! ସେଇ ଜଟା ଭିତରେ ବନ୍ଦୀ ହୋଇ ତା’ ପରେ ଗଙ୍ଗା ପ୍ରବାହିତ ହେଲେ ପୃଥିବୀ ଉପରେ । ତେଣୁ ତାଙ୍କ ନାମ ଗଙ୍ଗାଧର ।

 

ସେଇ ଗଙ୍ଗାଧରଙ୍କୁ ଦେଖିବାବେଳେ ମନେ ପଡ଼ୁଥିଲେ ଭଗୀରଥ, ତାଙ୍କରି ତପସ୍ୟାର ଫଳ ଭାଗୀରଥି ଆଉ ପୁଣ୍ୟତୋୟା ଭାଗୀରଥିର ପବିତ୍ର ଜଳପାନ କରି ଉଦ୍ଧାର ପାଇଥିବା ଷାଠିଏ ହଜାର ସଗର ପୁତ୍ର । ଅଲୌକିକ କାହାଣୀ ଭିତରେ ଲୁଚି ରହିଛି ଜନସେବାର ଅକ୍ଷୟ ମହିମା । ଆଉ ଗୋଟିଏ ସ୍ଥାନରେ ଶିବ ପାର୍ବତୀ ମନବିନୋଦନ ପାଇଁ ପଶା ଖେଳୁଥିବାର ଦୃଶ୍ୟ । ଆମେ ଅପଲକ ନୟନରେ ଚାହିଁ ରହିଲୁ କିଛି କ୍ଷଣ । ଏହାପାଖରେ ଆଉ ଏକ ଯୁଗଳ ମୂର୍ତ୍ତି । ରାବଣ ଯେତେବେଳେ ନିଜର ଶକ୍ତି ପ୍ରଦର୍ଶନ କରିବା ସକାଶେ କୈଳାଶ ପର୍ବତକୁ ଉଠାଇନେଲା ହାତରେ, ପାର୍ବତୀ ଆଶଙ୍କାରେ ଶିବଙ୍କୁ ଧରି ପକାଇଲେ । ଶିବ କିନ୍ତୁ ନିଶଙ୍କ ଚିତ୍ତରେ ପାର୍ବତୀଙ୍କୁ କୋଳାଗ୍ରତ କରି ଗୋଟିଏ ଆଙ୍ଗୁଠିରେ ଠିଆ ହୋଇ ରହିଲେ । ରାବଣ କ୍ଷମା ପ୍ରାର୍ଥନା କଲା । ସଦାଶିବ ପୁଣି ଅନୁଗ୍ରହ କରି କ୍ଷମାଦେଲେ ଭକ୍ତକୁ ।

 

ଆମେ ଆଉ ଏକ ମୂର୍ତ୍ତି ଦେଖିଲୁ ମୁଗ୍ଧ ନୟନରେ । ଶିବ ଓ ଶକ୍ତି ଅଭିନ୍ନ । କାମନା ଓ ପ୍ରାପ୍ତିର ଅପୂର୍ବ ମିଳନ । ପାର୍ବତୀ ତାଙ୍କ ବାମ ପାଖରେ ଥାଆନ୍ତି ବୋଲି ସେ ଅର୍ଦ୍ଧନାରୀଶ୍ୱର । ପୁଣି ସେଇ ଅର୍ଦ୍ଧନାରୀଶ୍ୱରଙ୍କ ଗୋଟିଏ ହାତରେ ଦର୍ପଣ ପୁରୁଷର ବିମ୍ବ ଦେଖିବା ପାଇଁ । ଆଉ ପାଖରେ ଶିବଙ୍କ ପରମଭକ୍ତ ଓ ବାହନ ନନ୍ଦୀ ।

 

ସେ ପୁଣି ମହାକାଳ । ସେ ମୃତ୍ୟୁ ଏବଂ ମହାକାଳ । ସବୁ ତାଙ୍କରିଠାରେ ଲୀନ ହୁଅନ୍ତି । ସେଇ ବିଶ୍ୱର ପ୍ରଭୁ । ସେ ପଞ୍ଚମହାଭୂତର ସର୍ବମୟ କର୍ତ୍ତା । ସେ ଆନନ୍ଦରେ ନୃତ୍ୟ କରନ୍ତି ଆଉ କ୍ରୋଧରେ ବି । ଆନନ୍ଦରୁ ତ ସୃଷ୍ଟି ଏବଂ କ୍ରୋଧରୁ ଧ୍ୱଂସ । ତେଣୁ ସେ ନୃତ୍ୟ ଭଙ୍ଗୀରେ । ସେ ନଟରାଜ । ଶିବଙ୍କ ତାଣ୍ଡବ ଜାଗତିକ ଶକ୍ତିର ପ୍ରତୀକ । ପୁଣି ଡମ୍ବରୁର ନାଦ ଏବଂ ଅଗ୍ନିର ଦହନ ଶକ୍ତି ତାଙ୍କୁ କରେ ଆହୁରି ମହିମାମୟ । ସେ ପରମଯୋଗୀ ବୋଲି ତାଙ୍କର ଅନ୍ୟନାମ ଯୋଗେଶ୍ୱର । ଆଉ ଏକ ମୂର୍ତ୍ତିରେ ସେଇ ଯୋଗମଗ୍ନ ଯୋଗେଶ୍ୱରଙ୍କ ଧ୍ୟାନ ମୂର୍ତ୍ତି । ସେ ପବିତ୍ର । ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ । ଅସୁର ଶକ୍ତି ତାଙ୍କ ପାଦତଳେ ଧ୍ୱଂସ ହୁଏ ସବୁକାଳରେ । ସେହି ନଟରାଜଙ୍କୁ ମନେ ମନେ ପ୍ରାର୍ଥନା କରି ହାତ ଯୋଡ଼ିଲୁ ଭକ୍ତିରେ ।

 

ତା’ପରେ ଆଖି ଲାଖି ରହିଲା ଆଉ ଗୋଟିଏ ସ୍ଥାନରେ । ସ୍ୱୟମ୍ଭୁ ସଦାଶିବ ମହାଦେବ ମହେଶ୍ୱରଙ୍କ ମହେଶମୂର୍ତ୍ତି ଆକର୍ଷଣ କରେ ଦର୍ଶକଙ୍କୁ । ହାତୀଗୁମ୍ଫା ଏଥିପାଇଁ ଜଗତ ବିଖ୍ୟାତ । ସେଇ ପରମେଶ୍ୱରଙ୍କୁ ପାଇବା ପାଇଁ ଯୁଗ ଯୁଗ ତପସ୍ୟା କରି ବି ମଣିଷ ପାଇନାହିଁ । ଅଥଚ ସେ ମଣିଷର ଏତେ ନିକଟରେ, ତାହାରି ହୃଦୟ କନ୍ଦରର ଅଧିପତି ।

 

ପ୍ରଣାମ । ସହସ୍ର ପ୍ରଣାମ ହେ ମହେଶ୍ୱର ।

 

ଗୁମ୍ଫା ବୁଲିସାରିବା ବେଳକୁ ମନେ ପଡ଼ିଲା ଯେ କ୍ଷୁଧାଗ୍ନି ଜଳୁଛି ଜଠର ଭିତରେ । କଫି ଓ ଆଳୁଚିପ୍‌ସ କେତେବେଳୁ ଶେଷ ହୋଇଯାଇଥିଲା । ବିଶ୍ୱେଶ୍ୱର ମହାଦେବଙ୍କୁ ଦର୍ଶନ କରିବାର ଏପରି ଏକ ଅମୃତବେଳା ମିଳିଯିବ ବୋଲି କିଏ ଜାଣିଥିଲା । କେତେଥର ବମ୍ବେ ଆସିଛି, କିନ୍ତୁ ସମୟ ହୋଇନି ଏଲିଫେଣ୍ଟ ବୁଲି ଆସିବା ପାଇଁ । ଭାରତୀୟ ଐତିହ୍ୟ ଓ ସମ୍ପତ୍ତି ସମ୍ବନ୍ଧରେ ଭାବୁଥିଲାବେଳେ ଦେଖିଲୁ ଦଳେ ବିଦେଶୀ ପର୍ଯ୍ୟଟକଙ୍କୁ । ସେମାନେ ଆଗ୍ରହ ମନେରଖିବା ଭଳି । ତା’ପରେ ଧୀରେ ଧୀରେ ପାହାଚ ଅତିକ୍ରମ କଲାବେଳେ ମନେ ପଡ଼ୁଥିଲେ । ସେଇ ଅଜ୍ଞାତ ଶିଳ୍ପୀ ଓ ସ୍ଥପତିମାନେ ଯେଉଁମାନଙ୍କର ଶ୍ରମ ଓ ସାଧନାର ମହିମାମୟ କୀର୍ତ୍ତି ଘୋଷଣା କରୁଛି ସେମାନଙ୍କର ଅମରତ୍ୱ ଓ କଳାର ଉତ୍କର୍ଷ ।

 

ଆପୋଲୋ ବନ୍ଦର ଉତ୍ତର ପୂର୍ବରେ ମାତ୍ର ସାତ ମାଇଲ ଦୂରରେ ଅବସ୍ଥିତ ଏଇ ଦ୍ୱୀପର ସୌନ୍ଦର୍ଯ୍ୟ ଦର୍ଶକର ଆହୁରି ଏକ ଆକର୍ଷଣ । ପର୍ବତର ପଥର କାଟି ଯେଉଁ ଅକ୍ଷୟ କୀର୍ତ୍ତି ସୃଷ୍ଟି କରାଯାଇଛି ତାହା ଘୋଷଣା କରେ କଳା ଓ ସ୍ଥାପତ୍ୟ ଶିଳ୍ପର ମହିମା । ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧର ଏଇ ଦ୍ୱୀପରେ ଆମ୍ବ, କରମଙ୍ଗା, ତେନ୍ତୁଳି ଓ ନଡ଼ିଆଗଛ ଦେଖିବାକୁ ମିଳେ । ଲୋକସଂଖ୍ୟା ପ୍ରାୟ ଛଅଶହ ସେଥିରୁ ଅଧିକାଂଶ ଆଗ୍ରୀସ ଜାତିର ଆଦିବାସୀ । କୃଷି, ମେଷପାଳନ ଓ କୁକୁଡ଼ା ଚାଷ ସେମାନଙ୍କର ଜୀବିକାର୍ଜନର ପ୍ରଧାନ ଉପାୟ । ସେମାନେ ଏଇ ଦ୍ୱୀପକୁ କହନ୍ତି ଘୋର ପୁରୀ । ଏହାର ଅର୍ଥ ଦୁର୍ଗସହର । ଏହାର ପରବର୍ତ୍ତୀ ନାମ ଶ୍ରୀପୁରୀ ଅଥବା ଲକ୍ଷ୍ମୀପୁରୀ ।

 

ରେସ୍ତୋଁରାରେ ପହଞ୍ଚି ଜଳଖିଆ ଦବାପାଇଁ କହିଲୁ । ବିଦେଶୀ ପର୍ଯ୍ୟଟକମାନେ ପେଟ ଖରାପ ହେବ ବୋଲି କୌଣସି ଖାଦ୍ୟ ବା ପାଣି ନପିଇ ଚା’ ବା କଫି ପିଇଲେ । ଆମେ ଅଡର ଦେଇ ମଧ୍ୟ ସବୁ ଜିନିଷ ପାଇଲୁ ନାହିଁ । ମଝିରେ ଆସି ପରସୁଥିବା ପିଲାଟି କହିଗଲା ଯେ ଜଳଖିଆ ଶେଷ ହୋଇଯାଇଛି । ଯାତ୍ରୀ ଅନେକ । ମଧ୍ୟାହ୍ନ ଗଡ଼ିଯିବ ବମ୍ବେ ସହରକୁ ଫେରିବା ବେଳକୁ, ତେଣୁ ସମସ୍ତେ ପେଟପୂରାଇ ଖାଇବା ପାଇଁ ବୁଲୁଥାନ୍ତି ରେସ୍ତୋଁରାରୁ ରେସ୍ତୋଁରା ।

 

ଫେରି ବେଳେ ଚଞ୍ଚଳ କଲା ଆମକୁ । ଉପରକୁ ଉଠିବା ପରେ ତୂରୀ ବଜାଇ ଚାଲିଲା ମୋଟରଟା । ଫେରିବାବେଳେ ଡାହାଣ ପାଖେ ଦେଖାଯାଉଥାଏ ପେଟ୍ରୋଲ ଭଣ୍ଡାର ଓ ପାଇପ ଲାଇନ । ପୁଣି ଆଣବିକ ଶକ୍ତି କେନ୍ଦ୍ର ଭାସି ଉଠୁଥାଏ ଆଖି ଆଗରେ । ବମ୍ବେ ବନ୍ଦରର ପ୍ରାଧାନ୍ୟ ଜଣାପଡ଼େ ସମୁଦ୍ରକୁ ଚାହିଁଲେ । କବିଙ୍କ ଭାଷାରେ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ । ଆକାଶରେ ଭାସି ବୁଲୁଥିଲେ କେତୋଟି ଧଳା ମେଘ, ଆଉ ସୁନୀଳ ସମୁଦ୍ରରେ ଭାସୁଥିଲେ କେତୋଟି ଛୋଟ ବଡ଼ ଜାହାଜ ।

 

ବମ୍ବେ ସହରରେ ଭାରତର ଭାଗ୍ୟଲିପିର ଇତିହାସ ଲେଖା ହୋଇଥିଲା କୁହାଯାଇପାରେ । ଏହିଠାରେ ଜନ୍ମ ନେଇଥିଲା ଭାରତୀୟ ଜାତୀୟ କଂଗ୍ରେସ । ପୁଣି ଏଇ ବମ୍ବେ ବନ୍ଦରରେ ନୌସେନାର ସୈନିକମାନେ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ କରିଥିଲେ ପ୍ରତିବାଦ । ପାକିସ୍ଥାନର ସୃଷ୍ଟିକର୍ତ୍ତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଜନ୍ମ ଓ ବାସସ୍ଥାନ ଏଇ ସହରରେ । ପୁଣି ଏଇ ସହରରୁ ଗାନ୍ଧିଜୀ ଆରମ୍ଭ କରିଥିଲେ ଭାରତଛାଡ଼ ଆନ୍ଦୋଳନ । ଭାରତର ରାଜଧାନୀ ଦିଲ୍ଲୀ, କିନ୍ତୁ ବମ୍ବେ ଭାରତର ବାଣିଜ୍ୟ ବ୍ୟବସାୟର ରାଜଧାନୀ । ଧନ କୁବରେମାନଙ୍କ ବାସସ୍ଥାନ । ଶ୍ରମିକ ଆନ୍ଦୋଳନର ବର୍ଣ୍ଣାଢ଼୍ୟ ସହର । ଅଧିକାର ଓ କର୍ତ୍ତବ୍ୟବୋଧ ମଧ୍ୟରେ ସଂଘର୍ଷ ହୁଏ ଏଠାରେ ସଦାବେଳେ ।

 

ଗେଟୱେ ଅଫ ଇଣ୍ଡିଆକୁ ଫେରିଆସିଲୁ । ଗାଡ଼ି ଅପେକ୍ଷା କରିଥିଲା । ହୋଟେଲ ତାଜ ନିକଟସ୍ଥ ରେସ୍ତୋଁରାରୁ ଥଣ୍ଡା ପାନୀୟ ପିଇ ଦେହ ମନ ଶୀତଳ କରି ଫେରି ଆସିଲୁ ଭିକ୍‌ଟୋରିଆ ଟରମିନାସ- ଯେଉଁଠାରୁ ୧୮୫୧ ମସିହା ଏପ୍ରିଲ ପହିଲା ତାରିଖ ଦିନ ଭାରତର ପ୍ରଥମ ରେଳଗାଡ଼ି ଯାତ୍ରା କରିଥିଲା ଥାନେ ପର୍ଯ୍ୟନ୍ତ ।

☆☆☆

 

Unknown

ପ୍ରେମର ଅମରକାବ୍ୟ ତାଜମହଲ

 

ତାଜମହଲର ଛବି ଦେଖି ଶାହାଜାହାନ ଓ ମମତାଜଙ୍କର ଅମର ପ୍ରେମ କାହାଣୀ ବହିରୁ ପଢ଼ି ମନ ହେଉଥିଲା ଆଗ୍ରା ବୁଲିଆସିବା ପାଇଁ । କିନ୍ତୁ ମନ କଲେ କାମ ହୁଏ ନାହିଁ, ସେଥିପାଇଁ ଶୁଭ ମୁହୂର୍ତ୍ତ ଲୋଡ଼ାହୁଏ । ସେଇ ଶୁଭଲଗ୍ନ ଆସିଲା କେତେବର୍ଷ ପରେ ଆମେ ଝିଅପୁଅଙ୍କୁ ଧରି ବାହାରିଲୁ ଉତ୍ତର ଭାରତ ଭ୍ରମଣରେ । ଦିଲ୍ଲୀରେ ତିନିଦିନ ରହିବା ପରେ ଦ୍ରୁତଗାମୀ ତାଜ ଏକ୍ସପ୍ରେସରେ ସକାଳ ଛଅଟାରେ ଯାତ୍ରା ଆରମ୍ଭ କଲୁ । ଆମ ସହିତ ଥିଲେ ବଡ଼ ଝିଅ ସୌମ୍ୟା, ସାନଝିଅ ସୁଚେତା, ବଡ଼ ପୁଅ ସଞ୍ଜୀବ ଓ ମଝିଆ ପୁଅ ରାଜୀବ ଓ ସାନ ପୁଅ ଚିନ୍ମୟାଂଶୁ । ଆଗ୍ରାରେ ଗାଡ଼ି ପହଁଚିଲା ଦଶଟା ପନ୍ଦର ମିନିଟରେ । ଗୋଟେ ଘୋଡ଼ାଗାଡ଼ିରେ ବସିଲୁ । ପ୍ରାୟ ଦେଢ଼ଘଣ୍ଟା ପରେ ମୋଗଲ ସମ୍ରାଟ ଶାହାଜାନଙ୍କର ସେଇ ଅମରକୀର୍ତ୍ତି ଆଖି ଆଗରେ ଉଦ୍ଭାସିତ ହେଲା । ସୂର୍ଯ୍ୟକିରଣରେ ସ୍ନାନ କରିଥିବା ସଦ୍ୟସଜ୍ଜିତା ତରୁଣୀ ପରି ଆମ ସମସ୍ତଙ୍କୁ ସ୍ୱାଗତ କଲା ତାଜମହଲ ।

 

ସେତେବେଳକୁ ଦର୍ଶକମାନଙ୍କର ପ୍ରଶଂସନୀୟ ଦୃଷ୍ଟି ଆଉଁଷି ଦେଉଥାଏ ଶ୍ୱେତମାର୍ବଲରେ ନିର୍ମିତ ବିଶ୍ୱର ବିସ୍ମୟ ତାଜମହଲକୁ । ଆଉ ଆମ ଆଗରେ ଗୋଟିଏ କବିତା ପରି ପାଖୁଡ଼ା ମେଲାଇ ଛିଡ଼ା ହୋଇଥାଏ ତାଜମହଲ ।

 

ଦେଶବିଦେଶର କେତେ ଦର୍ଶକ । ବଙ୍ଗାଳୀ, ମରାଠୀ, ତାମିଲ, ଓଡ଼ିଆ, କନ୍ନଡ଼ୀ, କେରଳୀ, ପଞ୍ଜାବୀଙ୍କ ମେଳରେ ବିଦେଶାଗତ ପର୍ଯ୍ୟଟକ ସହଜରେ ବାରି ହୋଇ ପଡୁଥାନ୍ତି । ତନ୍ମୟ ହୋଇ ତାଜମହଲୁ ଚାହିଁ ରହିଥିବା ପ୍ରେମିକର କାନ୍ଧ ଉପରେ ହାତ ରଖି କହିଲା ବିଦେଶୀ ଯୁବକ-ପାଖକୁ ଯିବନି ? ଆହୁରି ପାଖକୁ... । ତରୁଣୀ ମୁହଁ ଉପରେ ହସର ସରୁ ରେଖାଟିଏ ଖେଳାଇ କହିଲା– ‘A Thing of Beauty is Joy for ever’ ଏବଂ ସଙ୍ଗେ ସଙ୍ଗେ ଆମର ମନେ ପଡ଼ିଗଲା ରାଧାନାଥଙ୍କ କବିତାର ସେଇ ଅପାଶୋରା ପଂକ୍ତି–

 

“ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।”

 

ଦିଲ୍ଲୀରୁ ଆଗ୍ରାର ଦୂରତ୍ୱ ୨୦୪ କିଲୋମିଟର ବା ୧୨୭ ମାଇଲ । ଟ୍ରେନ୍‌ରେ ଲାଗେ ଚାରିଘଣ୍ଟା ପନ୍ଦର ମିନିଟ୍‌ ସମୟ ।

 

ଦିଲ୍ଲୀର ଲାଲ କିଲ୍ଲା ମଧ୍ୟ ଶାହାଜାହନ ନିର୍ମାଣ କରାଇଥିଲେ । ମନେ ପଡ଼ୁଥିଲା ସେଇ ସୌନ୍ଦର୍ଯ୍ୟପ୍ରିୟ ପ୍ରେମିକ ସମ୍ରାଟଙ୍କ କଥା । ମନ ଫୁଲ ପରି ନିର୍ମଳ, ହୃଦୟ ହିମାଳୟ ପରି ସ୍ୱଚ୍ଛ ନହେଲେ ଏପରି କୀର୍ତ୍ତି ନିର୍ମାଣ କରିବାର ସ୍ୱପ୍ନ ଦେଖି ହୁଏ ନାହିଁ କି କଳ୍ପନାରେ ଆସେ ନାହିଁ ।

 

ବିଦେଶିନୀ ପ୍ରଥମ ଫାଟକ ପାର ହେବାବେଳେ କହିବାର କାନରେ ପଡ଼ିଲା–“Exequisite, excitingly beautiful… so wonderful….” ଯାହା ସୁନ୍ଦର ତାହା ଭାଷାରେ ପ୍ରକାଶ କରିହୁଏ ନାହିଁ । ସରଳ, ସ୍ୱଚ୍ଛ, ସୁନ୍ଦର...ଠିକ୍‌ ପର୍ବତ ଉପରୁ ଖସି ପଡ଼ୁଥିବା ନିର୍ମଳ ଜଳଧାରା ପରି । ଗାଇଡ (ମାଗଦର୍ଶକ) ଶ୍ୟାମସୁଦ୍ଦିନ ଖାଁ ଆରମ୍ଭ କଲେ ମୋଗଲ ସାମ୍ରାଜ୍ୟର ଇତିବୃତ୍ତି । ତାଜମହଲ ସମ୍ବନ୍ଧରେ ଜାଣିବା ପୂର୍ବରୁ ମୋଗଲ ସାମ୍ରାଜ୍ୟ, ସେଇ ସମୟରେ ଜୀବନଶୈଳୀ ସମ୍ପର୍କରେ ଜାଣିବା ଦରକାର । ୧୫୨୬ ମସିହାରେ ମହମ୍ମଦ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କଲେ ଭାରତବର୍ଷରେ । ଭାରତକୁ ଆସିବା ପୂର୍ବରୁ ବାବର ଆଫଗାନିସ୍ଥାନର ଏକ କ୍ଷୁଦ୍ର ରାଜ୍ୟର ଶାସକ ଥିଲେ । ସେ ମହାପରାକ୍ରମୀ ମଙ୍ଗୋଲ ସମ୍ରାଟ ଚେଙ୍ଗିଜ ଖାଁଙ୍କର ବଂଶଧର । ସେହିପରି ବୀର ତୈମୁରଲଙ୍ଗଙ୍କର ମଧ୍ୟ ସେ ସମ୍ପର୍କୀୟ । ବାବର ୧୪୮୩ ଖ୍ରୀଷ୍ଟାବ୍ଦରେ ଆଫଗାନିସ୍ଥାନର ଫରଗନା ଉପତ୍ୟକାରେ ଜନ୍ମଗ୍ରହଣ କରିଥିଲେ । ବାରବର୍ଷରେ ପିତାଙ୍କୁ ହରାଇ ସେ ସୈନ୍ୟବାହିନୀରେ ଯୋଗ ଦେଇ ଅସ୍ତ୍ରଚାଳନା ଶିକ୍ଷା କରିଥିଲେ-। ଦିଲ୍ଲୀର ଧନଦୌଲତ ସମ୍ବନ୍ଧରେ ବହୁ ଗୁଜବ ବାହାରେ ପ୍ରଚାରିତ ହେଉଥିଲା ଏବଂ ଦିଲ୍ଲୀର ସୁଲତାନ ଯେ ଜଣେ ଅକ୍ଷମ ଓ ଅପାରଗ ଶାସକ ଏହା ମଧ୍ୟ ବିଦେଶୀ ଶତ୍ରୁମାନେ ଜାଣି ସାରିଥିଲେ । ଭାରତର ଦ୍ୱାରଦେଶ ସାନବଡ଼ ବହୁ ଶାସକଙ୍କ ଅଧୀନରେ ଥିଲା ଏବଂ ସେମାନଙ୍କ ମଧ୍ୟରେ ଏକତା ନଥିଲା । ଗୃହ ବିବାଦରେ ମତ୍ତ ଏଇ ଶାସକମାନଙ୍କର ଦୁର୍ବଳତା ଜାଣିପାରି ବାବର ନିଜର ସେନାବାହିନୀ ସାହାଯ୍ୟରେ ବାରମ୍ବାର ଆକ୍ରମଣ କରି ଶେଷରେ ପାନିପଥଠାରେ ଭାରତୀୟମାନଙ୍କୁ ପରାସ୍ତ କରି ନିଜକୁ ହିନ୍ଦୁସ୍ଥାନର ସମ୍ରାଟ ଘୋଷଣା କରିଥିଲେ । ସେତେବେଳେ ତାଙ୍କ ଅଧୀନରେ ମାତ୍ର ବାର ହଜାର ସୈନ୍ୟ ଥିଲେ, କିନ୍ତୁ ଲକ୍ଷାଧିକ ଭାରତୀୟ ସୈନ୍ୟଙ୍କୁ ପରାସ୍ତ କରିବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା ।

 

ଯମୁନା ନଦୀ କୂଳରେ ଛାଉଣୀ ସ୍ଥାପନ କରି ବିଜିତ ଅଞ୍ଚଳକୁ ଶାସନ କରିବାକୁ ଲାଗିଲେ ବାବର । କିନ୍ତୁ ଉତ୍ତର ଭାରତର ପ୍ରଚଣ୍ଡ ଓ ଦାରୁଣ ଗ୍ରୀଷ୍ମ ସହ୍ୟ କରି ନପାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ନିଜର କବି ପ୍ରତିଭାର ପରିଚୟ ପ୍ରଦାନ କରି ଯେଉଁ କବିତା ଲେଖି ଯାଇଥିଲେ, ତା’ର ମର୍ମ ହେଲା ଆଲ୍ଲାଙ୍କ ଦୟା ପାଇଁ ତାଙ୍କୁ ଶହେ ଥର ଧନ୍ୟବାଦ ଦିଅ ବାବର । ସେ ତୁମକୁ ଦେଇଛନ୍ତି ସିନ୍ଧୁ, ହିନ୍ଦୁ ଏବଂ ଅସଂଖ୍ୟ ରାଜ୍ୟ । ଯଦି ତୁମେ ସେଠାର ଉତ୍ତାପ ସହ୍ୟ କରିନପାର, ଶାନ୍ତ ଶୀତଳ ପରିବେଶ ଚାହଁ, ତେବେ ତୁମ ମାତୃଭୂମି ଗଜନୀର ଶୀତ ଓ ବରଫ ମନେ ପକାଅ ।

 

ଶେଷରେ ସେ ମୃତ୍ୟୁବରଣ କଲେ ଏବଂ ତାଙ୍କ ଶେଷ ଇଚ୍ଛାନୁସାରେ ତାଙ୍କ ମରଶରୀରକୁ କାବୁଲ ପଠାଇ ଦିଆଯାଇଥିଲା । ବାବରଙ୍କ ପୁତ୍ର ହୁମାୟୁନ ପନ୍ଦରବର୍ଷ ପରେ ୧୫୫୫ ମସିହା ଜୁଲାଇ ତେଇଶ ତାରିଖ ଦିନ ପୁର୍ନବାର ଭାରତ ଆକ୍ରମଣ କରି ମୋଗଲ ସାମ୍ରାଜ୍ୟର ଭିତ୍ତିକୁ ସୁଦୃଢ଼ କରିଥିଲେ । କିନ୍ତୁ ସେ ମଧ୍ୟ ସାମ୍ରାଜ୍ୟ ଭୋଗ କରି ନପାରି ୧୫୬୫ ସିଡ଼ିରେ ଓହ୍ଲାଇବାବେଳେ ପାଦ ଖସିଯିବାରୁ ମୃତ୍ୟୁବରଣ କରିଥିଲେ । ତାଙ୍କର ବେଗମମାନେ ୧୫୬୫ରେ ତାଙ୍କୁ ସ୍ମୃତିକୁ ଅକ୍ଷୟ କରି ରଖିବା ପାଇଁ ହୁମାୟୁନଙ୍କ ଯେଉଁ କବର ନିର୍ମାଣ କରିଥିଲେ ସେଇ ଢାଞ୍ଚାରେ ପରେ ଶାହାଜାହାନ ନିର୍ମାଣ କରିଥିଲେ ତାଜମହଲ ।

 

ଆମ ମଧ୍ୟରୁ ଗୀତା ପିଲାମାନଙ୍କୁ ପଚାରିଲେ କାହିଁକି ଭାରତ ହାରିଗଲା କହିପାରିବ ?

 

ବଡ଼ଝିଅ ସୌମ୍ୟା ଉତ୍ତର ଦେଲା– ଆମ ଦେଶର ରାଜାମାନଙ୍କ ମଧ୍ୟରେ ଏକତା ନଥିଲା...

 

ତା’ ପିଠିରେ ହାତ ବୁଲାଇ ଶ୍ୟାମସୁଦ୍ଦିନ କହିଲା- ସାବାସ୍‌ ! ଏଇ ଏକତା ଅଭାବରୁ ଭାରତ ବାରମ୍ବାର ଶତ୍ରୁ ହାତରେ ପରାଜୟ ସ୍ୱୀକାର କରିଛି... । ହୁମାୟୁନ ଦ୍ୱିତୀୟ ମୋଗଲ ସମ୍ରାଟ, ତୃତୀୟ ମୋଗଲ ସମ୍ରାଟ ହେଲେ ଆକବର ଦି ଗ୍ରେଟ...ମହାନ ଆକ୍‌ବର ।

 

ସେଇ ବିଦେଶୀ ଯୁବକକୁ ଲକ୍ଷ୍ୟକରି ତା’ର ପ୍ରେମିକା କହିଲା- ଚାର୍ଲସ ! ତୁମେ କହୁଥିଲ ନା ଆକ୍‌ବର ଥିଲେ ମାନବବାଦୀ, ସବୁ ଧର୍ମ ପ୍ରତି ସମାନ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ... । ଚାର୍ଲସ କହିଲା-ହଁ ନାନ୍‌ସୀ... ସେଥିପାଇଁ ତ ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା କରିବା ଲାଗି ଆକବର ଗୋଟିଏ ନୂଆ ଧର୍ମ...ଦିନ ଇଲ୍ଲାହି...ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିଥିଲେ । ସେ ଥିଲେ ପ୍ରଜାବତ୍ସଳ, ଗୁଣୀ ଓ ସାହସୀ । ମୋଗଲ ସାମ୍ରାଜ୍ୟ ତାଙ୍କ ସମୟରେ ଆହୁରି ବିସ୍ତାରଲାଭ କରିଥିଲା । ତାଙ୍କରି ଦରବାରରେ ନିଯୁକ୍ତ ହେଲେ ନବରତ୍ନ...ତାନସେନ ଥିଲେ ସେଇ ନବରତ୍ନଙ୍କ ମଧ୍ୟରେ ଅନ୍ୟତମ... । ସେ ଧର୍ମନିଷ୍ଠ ଥିଲେ ସତ କିନ୍ତୁ ଧର୍ମାନ୍ଧ ନଥିଲେ । ହିନ୍ଦୁମାନଙ୍କ ପ୍ରତି ଉଦାରଭାବ ପ୍ରଦର୍ଶନ କରୁଥିଲେ ।

 

ଶାମସୁଦ୍ଦିନ କହିଲା- ମହାନ୍‌ ଆକ୍‍ବରଙ୍କ ପରେ ମସନଦରେ ବସିଲେ, ଜାହାଙ୍ଗୀର । ସେ ବିଳାସବ୍ୟସନରେ ମତ୍ତ ଥିଲେ ମଧ୍ୟ କଳାପ୍ରିୟ ଥିଲେ । ସେଥିପାଇଁ ତାଙ୍କ ବେଗମ ନୂରଜାହାନ ପ୍ରକୃତ ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

 

ସୌମ୍ୟା କହିଲା- ଜାହାଙ୍ଗୀରଙ୍କ ପୁଅ ଶାହାଜାହାନ ନା ମା’ ?

 

ଆମ ତୁଣ୍ଡରୁ ସଙ୍ଗେ ସଙ୍ଗେ ବାହାରିଗଲା- ସବୁ ମନେ ରଖିଛି...

 

ହଁ, ଜାହାଙ୍ଗୀରଙ୍କ ପୁତ୍ର ଶାହାଜାହନ ଥିଲେ ପଞ୍ଚମ ମୋଗଲ ସମ୍ରାଟ । କିନ୍ତୁ ତାଙ୍କର ବିମାତା ନୂରଜାହାନଙ୍କଠାରୁ ସିଂହାସନ ଛଡ଼ାଇ ନବାପାଇଁ ତାଙ୍କୁ ଲାଗିଥିଲା ପନ୍ଦରବର୍ଷ । ଶାହାଜାହନ ନିର୍ମାଣ କରାଉଥିଲେ ବିଶ୍ୱବିଖ୍ୟାତ ମୟୂର ସିହାଂସନ । ଫରାସୀ ପର୍ଯ୍ୟଟକ ମୟୂର ସିଂହାସନର ପ୍ରଶଂସା କରି ଲେଖିଥିଲେ ଯେ ଏପରି ମହାର୍ଘ ସିଂହାସନ ପୃଥିବୀରେ ବିରଳ । ୧୭୩୯ ମସିହା ପର୍ଯ୍ୟନ୍ତ ଏହି ମୟୂର ସିଂହାସନ ମୋଗଲ ଶାସକମାନଙ୍କ ଅଧୀନରେ ଥିଲା, କିନ୍ତୁ ୧୭୩୯ ମସିହାରେ ପାରସ୍ୟର ନାଦିରଶାହ ଭାରତ ଆକ୍ରମଣ କରି ମୟୂର ସିଂହାସନ ଛଡ଼ାଇ ନେଇଥିଲେ । ମୋଗଲ ଶାସକମାନଙ୍କ ସମୟରେ ସଙ୍ଗୀତ, ନୃତ୍ୟ, ସାହିତ୍ୟ, କଳା, ସ୍ଥାପତ୍ୟର ପ୍ରଭୂତି ଉନ୍ନତି ହୋଇଥିଲା ହିନ୍ଦୁସ୍ଥାନରେ । କଥକ ନୃତ୍ୟପରି ଉର୍ଦ୍ଦୁଭାଷା ମୋଗଲ ସାମ୍ରାଜ୍ୟର ଆଉ ଏକ ଅବଦାନ ।

 

ଇତିହାସ ଶୁଣିବାକୁ ଭଲ ଲାଗୁଥିଲା ପିଲାମାନଙ୍କୁ । ଇତିହାସରୁ ରୋମାଞ୍ଚକର କାହାଣୀ ଆହୁରି ଜୀବନ୍ତ ହୋଇ ଉଠିଲା ସମ୍ମୁଖରେ ବିଶ୍ୱବିଖ୍ୟାତ ତାଜମହଲକୁ ଦେଖିବାକ୍ଷଣି ।

 

ତାଜମହଲର ମୂଳ ନାମ କିନ୍ତୁ ରଉନକ୍‌-ଏ-ମମତାଜ ମହଲ ଅର୍ଥାତ୍‌ ମମତାଜଙ୍କ କବର । ତାଜ ଅର୍ଥ ମୁକୁଟ । ମହଲ ଅର୍ଥ ପ୍ରାସାଦ ।

 

ବିଖ୍ୟାତ ଶିଳ୍ପୀ ଭିନ୍‌ସିଙ୍କର ଚିତ୍ର ‘ମୋନାଲିସା’ର ବର୍ଣ୍ଣନା କରିବା ଯେପରି ଅସମ୍ଭବ ସେହିପରି ଅସମ୍ଭବ ତାଜମହଲର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା । ଏହା ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ।

 

ସେତେବେଳକୁ ସିମେଣ୍ଟ ରାସ୍ତା ଉପରେ ଚାଲୁଥିଲୁ ଆମେ । ସିମେଣ୍ଟ ରାସ୍ତାର ମଝିରେ ପାଣି ସ୍ରୋତ, ଏହାର ଦୁଇପାଖରେ ସବୁଜ ଘାସ ଗାଲିଚା ଏବଂ ସୁନ୍ଦର ସୁସଜ୍ଜିତ ବନସ୍ପତି । ମଝିରେ ମଝିରେ ପାଣିର ଫୁଆରା ।

 

ସେତେବେଳକୁ ମଧ୍ୟାହ୍ନ ପାଖାପାଖି । ଫଗୁଣ ମାସର ନରମ ସୂର୍ଯ୍ୟକିରଣ ତାଜମହଲ ଉପରେ ଚିକ୍‌ଚିକ୍‌ କରୁଥାଏ ଏବଂ ମନେ ପକାଇ ଦେଉଥାଏ ଶାହାଜାହାନଙ୍କର ପତ୍ନୀ ପ୍ରେମର ଅମର କାହାଣୀ ।

 

ଶାହାଜାହାନଙ୍କର ଚାରିଜଣ ବେଗମ ଥିଲେ ମଧ୍ୟ ତାଙ୍କ ପ୍ରିୟତମା ମହିଷୀ ଥିଲେ ମମତାଜ । ସେ ଥିଲେ ପ୍ରଧାନମନ୍ତ୍ରୀ ଇତ୍‌ମୁଦ୍‌ଦୌଲ୍ଲାଙ୍କ ନାତୁଣୀ । ଅତୁଳ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ ମମତାଜ । ସେଥିପାଇଁ ଦିନେ ରାଜକୁମାର ଖୁରମ୍‌(ପରେ ଶାହାଜାହନ) ମୀନାବଜାରରେ ବୁଲୁଥିଲାବେଳେ ଗୋଟିଏ ଦୋକାନରେ ମମତାଜଙ୍କ ସହିତ ଭେଟ ହେଲା ତାଙ୍କର ଏବଂ ସେହିଠାରେ ହିଁ ସେ ମମତାଜଙ୍କଠାରୁ ହୀରାଖଣ୍ଡ ପରି ଦିଶୁଥିବା ଚିନିଦାନର ଗୋଟିଏ ମିଠେଇ ୨୨୫୦୦୦ ଟଙ୍କାରେ କ୍ରୟ କରି ନିଜକୁ ସବୁଦିନ ପାଇଁ ବିକ୍ରି କରି ଦେଇଥିଲେ ତାଙ୍କୁ ।

 

୧୬୧୨ ମସିହା ଏପ୍ରିଲ ତିରିଶ ତାରିଖ ଦିନ ସେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା-। ମମତାଜଙ୍କ ପୂର୍ବନାମ ଥିଲା ଅରର୍ଜୁମନ୍ଦ୍‌ । ସେତେବେଳକୁ ତାଙ୍କୁ ମାତ୍ର ଉଣେଇସ ବର୍ଷ ଓ ଶାହାଜାହାନଙ୍କୁ ଏକୋଇଶ । କିନ୍ତୁ ୧୬୨୮ ମସିହାରେ ଶାହାଜାହାନ ସିଂହାସନର କର୍ତ୍ତୃତ୍ୱ ଛଡ଼ାଇଆଣି ପାରିଥିଲେ ବିମାତା ନୂରଜାହାନଙ୍କ ହାତରୁ ।

 

ସତର ତାରିଖ ଜୁନ୍‌, ୧୬୩୧ ମସିହା । ସମ୍ରାଟ ଦମ୍ପତି ମଧ୍ୟପ୍ରଦେଶର ବରହନପୁରଠାରେ ଥିବାବେଳେ ମମତାଜ ଜନ୍ମ ଦେଇଥିଲେ ଗୋଟିଏ କନ୍ୟା । ସେ ଥିଲେ ତାଙ୍କର ଚତୁର୍ଦ୍ଦଶ ସନ୍ତାନ । ସେତେବେଳକୁ ତାଙ୍କୁ ମାତ୍ର ଚଉତିରିଶ ବର୍ଷ । ସେ କନ୍ୟାକୁ ଜନ୍ମଦେବା ପରେ ମମତାଜ ଅସୁସ୍ଥ ହୋଇ ପଡ଼ିଲେ ଏବଂ ଶେଷନିଶ୍ୱାସ ତ୍ୟାଗ କଲେ । ଶାହାଜାହାନ ବେଗମଙ୍କୁ ଏତେ ବେଶି ଭଲ ପାଉଥିଲେ ଯେ ଅନ୍ନ ଜଳ ପରିତ୍ୟାଗ କରି ଅତିବାହିତ କଲେ କିଛି ଦିନ । କୁହାଯାଏ ଯେ ମମତାଜଙ୍କ ବିରହରେ ରାତିକ ମଧ୍ୟରେ ତାଙ୍କର କୃଷ୍ଣକେଶ ପାଚିବାକୁ ଆରମ୍ଭ କରିଥିଲା । ତାଙ୍କରି ସ୍ମୃତିକୁ ଅକ୍ଷୟ କରି ରଖିବା ପାଇଁ ଶାହାଜାହାନ ଯେଉଁ ପରିକଳ୍ପନା କରିଥିଲେ ତାହାରି ରୂପାନ୍ତର ହେଲା ତାଜମହଲରେ ।

 

କିନ୍ତୁ ତାଜମହଲର ନକ୍ସା ଓ ପରିକଳ୍ପନା କିଏ କରିଥିଲା ତାହା ଏବେ ବି ଅନିଶ୍ଚିତ । ଏ ସମ୍ବନ୍ଧରେ ଉସ୍ତାଦ ଅହମ୍ମଦ ଲାହୋରି, ଉସ୍ତାଦ ଇଶା ଶିରାଜୀ, ଯେରୋମିନୋ ଭେରୋନିଓଙ୍କ ନାମ ଶୁଣାଯାଏ । ବୋଧହୁଏ ଏ ସମସ୍ତଙ୍କର ସମ୍ମିଳିତ ପରିକଳ୍ପନାର ଫଳ ତାଜମହଲ । ଏହାପରେ ୧୬୩୧ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ରାଜସ୍ଥାନର ମକରାନାରୁ ଏଇ ଶ୍ୱେତ ମାର୍ବଲ ଆଣି ତାହାଦ୍ୱାରା ନିର୍ମାଣ କରାଗଲା ଏଇ ସ୍ମୃତି ମନ୍ଦିର ବା କବର । ପଥର ବୋହିବା ଲାଗି ୩୫୦ କିଲୋମିଟର ପଥ ଅତିକ୍ରମ କରିବାକୁ ପଡ଼ୁଥିଲା ଏବଂ ଓଟମାନଙ୍କୁ ସେହି କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । କେବଳ ମାର୍ବଲ ନୁହେଁ, ଏଥିରେ ବ୍ୟବହାର କରାଯାଇଥିବା ୪୩ ପ୍ରକାର ଦୁର୍ଲଭ ପଥର ଦୂରଦୂରାନ୍ତରୁ ଅଣାଯାଉଥିଲା । ସେଥିମଧ୍ୟରୁ କେତେକ ତିବ୍‌ଦ୍ଧତ , ଆଉ କେତେକ ୟେମେନ, ଚୀନ ଏବଂ ଆରବ ଦେଶରୁ ଆମଦାନୀ କରାଯାଇଥିଲା । ତାଜମହଲ ନିର୍ମାଣ କରିବା ପାଇଁ କୋଡ଼ିଏ ହଜାର କାରିଗର ଓ ଶ୍ରମିକଙ୍କୁ ବାଇଶ ବର୍ଷ ଲାଗିଥିଲା । ତାଜମହଲର ସ୍ଥାପତ୍ୟ ଓ କାରୀଗରୀ ଅନୁପମ । ତାଜମହଲ ଚତୁଃପାଶ୍ୱର୍ରେ ଥିବା ଉଦ୍ୟାନ ଓ ସେଠାରେ ଥିବା ପାଣି କୁଣ୍ଡକୁ ପାଣି ଯୋଗାଇଦେବା ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହା ଅଭିନବ । ମସଜିଦ ପଛକୁ ଚାହିଁଲେ ସେ କାଳରେ ଯମୁନା ନଦୀରୁ ପାଣି ଉଠାଇବା ପାଇଁ କିପରି ପାରସ୍ୟରୁ ଆଣିଥିବା ଚକ ସବୁ ବ୍ୟବହାର କରାଯାଇଥିଲା ତାହାର ନିଦର୍ଶନ ଦେଖିବାକୁ ମିଳେ । ଶ୍ୱେତମାର୍ବଲ ଉପରେ ଦିନ ବେଳେ ସୂର୍ଯ୍ୟକିରଣର ଉଜ୍ଜଳ ଆଲୋକ ଏବଂ ରାତିରେ ଚନ୍ଦ୍ରକିରଣର କୋମଳ ଆଲୋକ ଯେଉଁ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସୃଷ୍ଟି କରେ ତାହା କେବଳ ଦର୍ଶକର ଅନୁଭବର ସାମଗ୍ରୀ । ତାଜମହଲର ପ୍ରବେଶ ପଥଠାରୁ ମସଜିଦ୍‌ପର୍ଯ୍ୟନ୍ତ ସମ୍ମୁଖରେ ସବୁଜ ବଗିଚା, ଘାସ ଗାଲିଚା, ପୁଷ୍ପ ଉଦ୍ୟାନ ଏବଂ ଜଳଧାରା ସହିତ ରଙ୍ଗୀନ ଜଳଶିଖାର ଦୃଶ୍ୟ ଅତି ମନୋରମ ଓ ଆକର୍ଷଣୀୟ ।

 

ତାଜମହଲକୁ ପହଁଚିବା ବାଟରେ ଲାଲପଥର ଦ୍ୱାରା ନିର୍ମିତ ଓ ଉପରେ ଗମ୍ଭୁଜ ମାର୍ବଲ ଦ୍ୱାରା ନିର୍ମିତ ସ୍ମୃତିସୌଧର ନାମ ସହେଲିଓଁ କା ବୁର୍ଜ । ଏଥିରେ ମମତାଜଙ୍କ ଦୁଇ ପ୍ରିୟତମ ସଖୀଙ୍କ ସମାଧି ଅବସ୍ଥିତ । ଯିବା ବାଟରେ ଡାହାଣକୁ ପଡ଼େ ଫତେହପୁରୀ ମସ୍‌ଜିଦ୍‌ । ଏହା ମଧ୍ୟ ଲାଲପଥର ଦ୍ୱାରା ନିର୍ମିତ ଏକ ସୁନ୍ଦର ସୌଧ । ଏହାପରେ ଏକ ବିରାଟ ଅଗଣା । ଏଇ ଅଗଣାରେ ଆଉ ଦୁଇଟି କବର-ଦକ୍ଷିଣ ପୂର୍ବରେ ଶାହାଜାହାନଙ୍କ ଦ୍ୱିତୀୟା ପତ୍ନୀ ଶିରହିନ୍ଦ୍‌ବେଗମଙ୍କର ଏବଂ ଦକ୍ଷିଣ ପଶ୍ଚିମରେ ମମତାଜଙ୍କ ସଚିବ ସିଟ୍ଟି ଉନ-ନିଶାଙ୍କର ।

 

ତାଜମହଲର ମୁଖ୍ୟ ପ୍ରବେଶ ପଥ ୫୦ ମିଟର ଚଉଡ଼ା ଏବଂ ୩୦ ମିଟର ଉଚ୍ଚ । ଲାଲ ବାଲିପଥର ଦ୍ୱାରା ନିର୍ମିତ ଏହି ସୌଧରେ ମଧ୍ୟେ ମଧ୍ୟେ ବିଭିନ୍ନ ରଙ୍ଗର ପଥର ଏବଂ ଧଳା ମାର୍ବଲ ଖଞ୍ଜା ଯାଇଛି । ଫୁଲ ଗଛର ବିଭିନ୍ନ ଅଙ୍କନ ବ୍ୟତୀତ ଆରବୀ ଭାଷାରେ ଅନେକ ସୁନ୍ଦର ଲେଖା ରହିଛି । ଏହା ଅମାନତ ଖାଁଙ୍କ ଦ୍ୱାରା ଅଙ୍କିତ ହୋଇଥିଲା । ଗୋଟିଏ ପଥରରେ ଲେଖା ଅଛି– ‘ଏପରି କେହି ବ୍ୟକ୍ତି ଏହି ସ୍ୱର୍ଗ ଉଦ୍ୟାନକୁ ଆସନ୍ତୁ ନାହିଁ ଯାହାଙ୍କର ହୃଦୟ ନିର୍ମଳ ନୁହେଁ ।’ ପ୍ରବେଶ ସୌଧର ଦୁଇ ପାଖ ଏକପରି । ଦୁଇ ପାଖରେ ତାଜମହଲ ନିର୍ମାଣ କରିବା ପାଇଁ ଏହା ତାହାରି ପ୍ରତୀକ । କବାଟ କାଠରେ ତିଆରି ସେଥିରେ ଅଷ୍ଟଧାତୁ ଲାଗିଥିଲା କିନ୍ତୁ ସତରଶହ ଶତାବ୍ଦୀରେ ଜାଠମାନଙ୍କ ବିଦ୍ରୋହ ସମୟରେ ତାହା ଲୁଣ୍ଠିତ ହୋଇଯାଇଥିବା କୁହାଯାଏ ।

 

ଏହାପରେ ଅଗ୍ରସର ହୋଇ ପିତ୍ତଳ ପ୍ରଦୀପ (ଲର୍ଡ କର୍ଜନଙ୍କ ଦ୍ୱାରା ପ୍ରଦତ୍ତ) ପାଖରେ ଠିଆ ହେଲେ ତାଜମହଲର ପୂର୍ଣ୍ଣ ଚିତ୍ର ଝଲମଲ କରେ ଆଖି ଆଗରେ । ପଶ୍ଚିମରେ ମକ୍କାକୁ ପଛକରି ଏକ ମସିଜଦ ଏବଂ ସମ୍ମୁଖରେ ହ୍ରଦ । ଭିତରକୁ ପ୍ରବେଶ କରିବା ପୂର୍ବରୁ ଜୋତା ଖୋଲା ଯିବାକୁ ହୁଏ । ପୂର୍ବରେ ଥିବା ସୌଧର ନାମ ‘ଜବାବ’ ଅର୍ଥାତ୍‌ ଉତ୍ତର ଏହା ମଧ୍ୟ ଅତିଥି ଭବନ ଭାବେ ବ୍ୟବହୃତ ହୁଏ । ଏହାଛଡ଼ା ଆକୃତିରେ ସମାନ ଆଉ ଦୁଇଟି ସୌଧ ଅଛି ।

 

ସମ୍ପୂର୍ଣ୍ଣଭାବେ ଶ୍ୱେତମାର୍ବଲ ଦ୍ୱାରା ନିର୍ମିତ ତାଜର ଚମତ୍କାରିତା ଓ ବିସ୍ମୟ ଏହାର ସ୍ଥାପତ୍ୟ ଶିଳ୍ପରେ ନିହିତ । ଏହାର ଚାରି କୋଣରେ ଚାରିଟା ମୀନାର । ଏହାର ଉଚ୍ଚତା ୭୪ ମିଟର-କୁତବ ମୀନାରଠାରୁ ଦୁଇଫୁଟ ଅଧିକ ଉଚ୍ଚ । କେନ୍ଦ୍ରରେ ଥିବା ମୀନାରର ଧାତବ ଚୂଡ଼ାର ଉଚ୍ଚତା ୧୩ ମିଟର । ବାଇଶ ପାହାଚ ଅତିକ୍ରମ କରିବା ପରେ ଆମେ ତାଜର ପ୍ଲାଟଫର୍ମରେ ପହଞ୍ଚୁ । ଏହି ପ୍ଲାଟଫର୍ମ ପାଶ୍ୱର୍ରେ ୯୬ ମିଟରର ଚତୁଷ୍କୋଣ । ଉପରେ ଆଉ କେତୋଟି ପାହଚ ଅତିକ୍ରମ କରି ତାଜମହଲ ଭିତରକୁ ଯିବାକୁ ହୁଏ । କାନ୍ଥର ସର୍ବତ୍ର ସୁନ୍ଦର ଆଳଙ୍କାରିକ ଚିତ୍ର ଦୃଷ୍ଟି ଆକର୍ଷଣ କରେ । ଏଥିରେ ଖଞ୍ଜା ଯାଇଥିବା ମାର୍ବଲ ଏତେ ସ୍ୱଚ୍ଛ ଯେ ଗୋଟିଏ ପାଖରେ ଆଲୁଅ ରଖିଲେ ଅନ୍ୟ ପାଖକୁ ଦେଖାଯାଏ । ମଝିରେ ଥିବା ଡୋମ (ପାଖରେ ଲର୍ଡ କର୍ଜନ ଦେଇଥିବା ପିତ୍ତଳ ଦୀପ) ତାଜମହଲର ଠିକ୍‌ କେନ୍ଦ୍ରସ୍ଥଳରେ ମମତାଜଙ୍କ କବର ଏବଂ ତା’ ପଛରେ ଶାହାଜାହାନଙ୍କ କବର । ଶାହାଜାହାନଙ୍କ ମୃତ୍ୟୁ (୧୬୬୬) ପରେ ଏହି କବର ତିଆରି ହୋଇଥିଲା । ଦୁଇଟି କବର ଉପରେ ପାର୍ଶି ଭାଷାରେ କଳା ଅକ୍ଷରରେ ଯାହା ଲେଖା ଅଛି ସେଥିମଧ୍ୟରୁ ମମତାଜଙ୍କ କବର ଉପରେ ଲେଖାଅଛି- ପ୍ରଖ୍ୟାତ ସ୍ଥପତିଙ୍କ ଦ୍ୱାରା ଅଂଜୁମନ୍ଦ ବାନୋ ବେଗମ ଯିଏ ମମତାଜ ମହଲ ନାମରେ ପରିଚିତ ୧୦୪୦ ହିଜରା ମୃତ୍ୟୁବରଣ କଲେ । ଈଶ୍ୱର ଚିରନ୍ତନ । ସେ ଅସରନ୍ତି । ସେ ହିଁ ଈଶ୍ୱର । ତାଙ୍କର କେହି ଈଶ୍ୱର ନାହାନ୍ତି । ସେ ଜାଣନ୍ତି କ’ଣ ଗୁପ୍ତ ଏବଂ କ’ଣ ପ୍ରକାଶିତ । ତାଙ୍କର କେହି ଈଶ୍ୱର ନାହାନ୍ତି । ସେ ଜାଣନ୍ତି କ’ଣ ଗୁପ୍ତ ଏବଂ କ’ଣ ପ୍ରକାଶିତ । ସେ ଦୟାଳୁ ଏବଂ କରୁଣାମୟ । ଈଶ୍ୱରଙ୍କ ନିକଟରେ-ଯେଉଁମାନେ କହନ୍ତି; ‘ଈଶ୍ୱର ହିଁ ଆମର ପ୍ରଭୁ ।’

 

ମମତାଜ ମହଲଙ୍କ ମୃତ୍ୟୁ ହୋଇଥିଲା ୧୬୩୧ ମସିହା ସତର ଜୁନ୍‌ ତାରିଖରେ ।

 

ସମ୍ରାଟ ଶାହାଜାନଙ୍କ କବର ଉପରେ ଲେଖାଅଛି- ପ୍ରଖ୍ୟାତ ସ୍ଥପତିଙ୍କ ଦ୍ୱାରା ସେଇ ମହାମାନ୍ୟ ମହାମହିମଙ୍କ ବିଶ୍ରାମ ସ୍ଥାନ । ତାଙ୍କର ସ୍ଥାନ ସ୍ୱର୍ଗର ସଂରକ୍ଷକ ଭାବେ ଅଙ୍କିତ । ତାଙ୍କର ସ୍ଥାନ ସ୍ୱର୍ଗରେ ଏବଂ ନକ୍ଷତ୍ର ଖଚିତ ଆକାଶରେ ସେଇ ଆନନ୍ଦ ଲୋକର ଅଧିବାସୀ କିରଣର ଦ୍ୱିତୀୟ ପ୍ରଭୁ–ଶାହାଜାହାନ ମହାପରାକ୍ରମୀ ସମ୍ରାଟ । ତାଙ୍କର କବର ଚିରନ୍ତନ ହେଉ ଏବଂ ସେ ଚିରଦିନ ସ୍ୱର୍ଗରେ ବାସ କରନ୍ତୁ । ଏହି ନଶ୍ୱର ଜଗତରୁ ଚିରନ୍ତନ ଜଗତକୁ ସେ ଯାତ୍ରା କଲେ ହିଜରା ୧୦୭୬ ମସିହା ରାହାବ ମାସର ଅଠେଇଶ ଦିନ । ୧୬୬୬ ମସିହା ଜାନୁଆରି ବାଇଶରୁ ଫେବୃଆରୀ ଏକ ମଧ୍ୟରେ) ସେତେବେଳକୁ ସମ୍ରାଟଙ୍କୁ ୭୪ ବର୍ଷ ।

 

ତାଜମହଲର ପ୍ଲାଟଫର୍ମ ଉପରେ ଛିଡ଼ା ହେଲେ ଆଗରେ ପ୍ରସାରିତ ହୁଏ ଯମୁନାର ଜଳସ୍ରୋତ ଓ ସବୁଜ ଶସ୍ୟକ୍ଷେତ ତା’ ପଛରେ ଆଗ୍ରାଦୁର୍ଗ ।

 

ତାଜମହଲ ପାଖର ଉଦ୍ୟାନ ଥିଲା ଅମ୍ବରର ହିନ୍ଦୁ ରାଜା ପ୍ରଥମ ଜନ୍ମ ସିଂଙ୍କର । ଏଇ ଜମି ତାଙ୍କଠାରୁ କିଣିଥିଲେ ଶାହାଜାହନ । କାରଣ ମୁସଲମାନ ଧର୍ମ ଅନୁସାରେ ଯେଉଁ ଜମି କବର ପାଇଁ ବ୍ୟବହୃତ ହୁଏ ତା’ର ମୂଲ୍ୟ ନଦେଇ ସେଠାରେ କବର କରାଯାଏ ନାହିଁ ।

 

ଶାହାଜାହାନଙ୍କ ପ୍ରଥମ କୋଡ଼ିଏ ବର୍ଷର ଇତିହାସ ବାଦଶାନାମାରେ ଉଲ୍ଲେଖ କରାଯାଇଛି । ସେଥିରେ ଲାହୋରି ଲେଖିଛନ୍ତି–

 

“ସେ (ଶାହାଜାହାନ) ଏହି କବରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କୁଶଳୀ କାରିଗରମାନେ ଏଥିପାଇଁ ନିଯୁକ୍ତ ହୋଇଥିଲେ । ସେମାନେ ନିଆଁ ଭିତରେ ଚୂନ ଓ ପଥର ମିଶାଇ ସୁନ୍ଦର ଭାବେ ଢାଳିଥିଲେ ।”

 

“ସେ (ଶାହାଜାହାନ) ଏହି କବରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କୁଶଳୀ କାରିଗମାନେ ଏଥିପାଇଁ ନିଯୁକ୍ତ ହୋଇଥିଲେ । ସେମାନେ ନିଆଁ ଭିତରେ ଚୂନ ଓ ପଥର ମିଶାଇ ସୁନ୍ଦର ଭାବେ ଢାଳିଥିଲେ ।”

 

ଆଗ୍ରା ଦୁର୍ଗରୁ ତାଜମହଲର ଦୃଶ୍ୟ ଚିତ୍ର ପ୍ରତିମା ପରି ଦେଖାଯାଏ । ସେତେବେଳେ କ’ଣ ଶାହାଜାହାନ ଜାଣିଥିଲେ ଯେ ସେଇ ଦୁର୍ଗର ଗୋଟିଏ କକ୍ଷରେ ତାଙ୍କ ପୁତ୍ର ଆଉରଙ୍ଗଜେବଙ୍କ ଦ୍ୱାରା ବନ୍ଦୀ ହୋଇ ସେ ଜୀବନ ଅତିବାହିତ କରିବେ ? ଭାଗ୍ୟକୁ ସେଇ କୋଠୀରୁ ତାଜମହଲର ଅପୂର୍ବ ଦୃଶ୍ୟ ସମ୍ପୂର୍ଣ୍ଣ ଦେଖାଯାଉଥିଲା ଏବଂ ଶେଷ ସମୟରେ ସାନିଧ୍ୟ ଓ ସାନ୍ତ୍ୱନା ଦବା ପାଇଁ ପାଖରେ ଥିଲେ ପ୍ରିୟ କନ୍ୟା ଜାହାନ ଆରା ବେଗମ । ସେଇଠାରୁ ପ୍ରିୟତମା ପତ୍ନୀ ମମତାଜଙ୍କ ସ୍ମୃତିମନ୍ଦିରକୁ ଚାହିଁ ଚାହିଁ ଦିନ ଅତିବାହିତ କରୁଥିଲେ ଶାହାଜାହନ ଏବଂ ମନେ ମନେ ଲେଖି ହୋଇଯାଉଥିଲା ପ୍ରେମର ଅମରକାବ୍ୟ ତାଜମହଲ ।

 

ପ୍ରେମର ପରାକାଷ୍ଠା ଓ ମୂଲ୍ୟର ଏଇ ଅନ୍ତିମ ପୁରସ୍କାର ।

 

ମଧ୍ୟାହ୍ନ ଅତିକ୍ରାନ୍ତ ହୋଇଥିଲା ତାଜମହଲ ଦେଖିସାରିବା ବେଳକୁ । ପିଲାମାନେ ଭୋକ ଶୋଷ ଭୁଲି ଯାଇଥିଲେ ଏତେ ସମୟ । ଶାମସୁଦ୍ଦିନ କହିଲା- ଏଥର ମୁଁ ବିଦାୟ ନେବି ସାହେବ ।

 

ଆମେ କହିଲୁ– ଆମ ସହିତ ନଖାଇ ଚାଲିଯିବ ? ଆସ ଏକତ୍ର ବସି କିଛି ଖାଇନବା ।

 

ଶାମସୁଦ୍ଦିନ କୃତକୃତ୍ୟ ହେଲା ।

 

ଆମେ ଫେରିବା ବାଟରେ ଦେଖାହେଲା ସେଇ ବିଦେଶୀ ଯୁବକ ଚାର୍ଲସ ଓ ତା’ର ପ୍ରେମିକା ନାନ୍‌ସୀ ସହିତ ।

 

ଗୀତା ପଚାରିଲେ– କେମିତି ଲାଗିଲା ?

 

ୱାଣ୍ଡରଫୁଲ...ବିଉଟିଫୁଲ ୱାଣ୍ଡରଫୁଲ...ଏହାଠାରୁ ଆହୁରି ସୁନ୍ଦର, ଆହୁରି ପ୍ରୀତିପଦ କ’ଣ ବା ଥାଇପାରେ ଜଗତରେ... ।

 

ଚାର୍ଲସ ପ୍ରେମିକାର ହାତ ଧରି କହିଲା– ଏଇ ଭାରତ ମହାନ... ଏଠାରେ ପ୍ରେମ ମଧୁର... ଚିରନ୍ତନ...

 

ନାନ୍‌ସୀ କହିଲା– ଶାହାଜାହାନଙ୍କ ସ୍ମୃତିରେ ମମତାଜ ପରି ମୁଁ ତୁମ ମନର ସାମ୍ରାଜ୍ଞୀ ହୁଏ ଯେପରି...

 

ତାକୁ ନିଶ୍ଚିନ୍ତ କରି କହି ଉଠିଲା ଚାର୍ଲସ...ଓଃ ସିଓର.. ସିଓର...

 

ଆମେ ହସି ଉଠିଲୁ ।

 

ସେତେବେଳକୁ ଗୋଟେ ଗୋଟେ ଆଇସକ୍ରିମ ଧରି ଚାଖୁଥିଲେ ସୌମ୍ୟା, ସୁଚେତା, ସଂଜୀବ, ରାଜୀବ ଓ ଚିନ୍ମୟାଂଶୁ ।

 

ବିଦାୟ ନବା ପାଇଁ ଇଚ୍ଛା ନଥାଏ...କିନ୍ତୁ ତାହା ହିଁ ଏକମାତ୍ର ପଥ...ବିଦାୟ ଜଣାଇଲୁ ମମତାଜଙ୍କୁ...ଅମର ପ୍ରେମିକ ଶାହାଜାହାନଙ୍କୁ...ଆଉ ତାଙ୍କର ଅମର କୀର୍ତ୍ତି ତାଜମହଲକୁ... ।

☆☆☆

 

ପୁଣ୍ୟପୀଠ ହରିଦ୍ୱାର

 

ହରିଦ୍ୱାର ଓ ଋଷିକେଶ ଯିବାପାଇଁ ବହୁଦିନ ରୁ ଇଚ୍ଛା ଥିଲେ ବି ଯିବା ସମ୍ଭବ ହେଉନଥିଲା । ଚାକିରି କଲେ ନିଜ ଇଚ୍ଛାନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତା ନଥାଏ । ସରକାରଙ୍କ ଆଦେଶ ଓ ଇଚ୍ଛା ହିଁ ମଥାପାତି ଗ୍ରହଣ କରିବାକୁ ହୁଏ । ତେଣୁ ଯେତେବେଳେ ପୁଣି ସେଇ ସୁଯୋଗ ଆସିଲା ଆମେ ଉଚ୍ଚକିତ ହେବା ସ୍ୱାଭାବିକ । ଆମ ସାନ ପୁଅ ଚିନୁ (ଚିନ୍ମୟାଂଶୁ)କୁ ମସୌରୀ ନିକଟସ୍ଥ ଝରିପାଣିଠାରେ ଥିବା ବିଖ୍ୟାତ ଓକ୍‌ଗ୍ରୋଭ କନଭେଣ୍ଟ ସ୍କୁଲରେ ଭର୍ତ୍ତିକରିବା ପାଇଁ ସୁଯୋଗ ଆସିଲା । ପିଲାମାନଙ୍କ ସହିତ ଯାତ୍ରା କରିବା ନିଷ୍ପତ୍ତି କଲୁ । ଚିନୁକୁ ଓକ୍‌ଗ୍ରୋଭ ସ୍କୁଲରେ ଭର୍ତ୍ତିକରି ଫେରିବା ବାଟରେ ହରିଦ୍ୱାର ଓ ମସୌରୀଠାରେ ଦୁଇିଦନ ରହିଗଲୁ ଗଙ୍ଗାନଦୀରେ ସ୍ନାନ ଓ ପୁଣ୍ୟସ୍ଥାନ ଦର୍ଶନ କରିବା ପାଇଁ । ହରଦ୍ୱାର ବା ହରିଦ୍ୱାର ହିନ୍ଦୁ ଜଗତର ଏକ ମହାନ୍‌ ପୁଣ୍ୟପୀଠ ଓ ପୁରାଣପ୍ରସିଦ୍ଧ । ସ୍ଥାନ ମାହାତ୍ମ୍ୟ ସମ୍ପର୍କରେ ପଣ୍ଡା ମହାଶୟଙ୍କଠାରୁ ଓ ପୁରାଣ ପାଠରୁ ଯେତିକି ତଥ୍ୟ ସଂଗ୍ରହ କଲୁ ତାହା ଏଠାରେ ବର୍ଣ୍ଣନା କରିବାର ଲୋଭ ସମ୍ବରଣ କରିନପାରି ଏଇ ଭ୍ରମଣ କାହାଣୀରେ ଉଲ୍ଲେଖ କରୁଛୁ ।

 

ହରଦ୍ୱାର ବା ହରିଦ୍ୱାର ହିମାଳୟର ପାଦଦେଶରେ ଅବସ୍ଥିତ । ଏଠାରୁ ସମତଳ ଭୂମି ଉପରେ ଗଙ୍ଗାନଦୀରେ ଯାତ୍ରା । ଏହି ପବିତ୍ର ଦେବଭୂମି ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ-। ନଗାଧିରାଜ ହିମାଳୟ ଶାସ୍ତ୍ରପୁରାଣରେ ଦେବଭୂମି ନାମରେ ପରିଚିତ । ହିମାଳୟକୁ ଦେବତାମାନଙ୍କ ନିବାସ ସ୍ଥାନ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି । ହରିଦ୍ୱାର ବା ହରଦ୍ୱାର ଏହି ଦେବଭୂମିର ଦ୍ୱାରଦେଶ ଏବଂ ଏଠାରେ ପ୍ରତି ବାଆର ବର୍ଷରେ ପୂର୍ଣ୍ଣ କୁମ୍ଭମେଳା ଅନୁଷ୍ଠିତ ହୁଏ-। କେଦାରନାଥ ଶୈବମାନଙ୍କର ପ୍ରଧାନ ପୀଠ ଏବଂ ବୈଦ୍ୟନାଥ ବୈଷ୍ଣବମାନଙ୍କ ପ୍ରଧାନ ଆରଧନାର ପୀଠ ଓ ଚାରିଧାମ ମଧ୍ୟରୁ ଅନ୍ୟତମ । ତେଣୁ ହର ଓ ହରିଙ୍କ ପାଖକୁ ଯିବାର ଏହି ଦ୍ୱାରଦେଶର ନାମ ହରଦ୍ୱାର ବା ହରିଦ୍ୱାର । ଏଥିପାଇଁ ଏହାର ଅନ୍ୟତମ ସ୍ୱର୍ଗଦ୍ୱାର । ହରିଦ୍ୱାର ଓ ଏହାର ସଂଲଗ୍ନରେ ଥିବା ଋଷିକେଶର ନୈସର୍ଗିକ ମନୋରମ ଦୃଶ୍ୟ ଦେଖିବା ପାଇଁ ଗଙ୍ଗାନଦୀରେ ସ୍ନାନ କରି ପିତୃପୁରୁଷଙ୍କର ତର୍ପଣ କରିବା ପାଇଁ ଏବଂ ଏଠାରୁ ଦେବଭୂମି ହିମାଳୟର ଅପୂର୍ବ ଶୋଭା ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଯାତ୍ରୀ ଆସନ୍ତି । ଶିବାଳିକ ପର୍ବତର ମଧ୍ୟଭାଗରେ ହରିଦ୍ୱାର ଅବସ୍ଥିତ । ଭଗୀରଥଙ୍କ ତପସ୍ୟା ବଳରେ ଗଙ୍ଗା ହିମାଳୟରେ ଶିବଙ୍କ ଜଟାରେ ଅବତରଣ କରିବା ପରେ ବନ୍ଦୀ ହେଲେ ସତ କିନ୍ତୁ ପରେ ପୁଣି ଭଗୀରଥଙ୍କ ତପସ୍ୟା ବଳରେ ଗଙ୍ଗା ହିମାଳୟ ଅତିକ୍ରମ କରି ଋଷିକେଶଠାରେ ପର୍ବତଶଯ୍ୟା ପରିତ୍ୟାଗ କରି ହରିଦ୍ୱାରଠାରୁ ସମତଳଭୂମି ଉପରେ ଯାତ୍ରା ଆରମ୍ଭ କଲେ । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି ଯେ–“ହିମାଳୟ ପର୍ବତମାଳାର ଦର୍ଶନ ପାଇବା ସମସ୍ତଙ୍କ ଭାଗ୍ୟରେ ନାହିଁ, କିନ୍ତୁ ଯଦି କେହି ନଗାଧିରାଜ ହିମାଳୟକୁ ଧ୍ୟାନ କଲେ ତେବେ କାଶୀ ଧାମରେ ଆରାଧନା କରିବାଠାରୁ ସେ ଅଧିକ ପୁଣ୍ୟଫଳ ଅର୍ଜନ କରିବ । ଶହେ ଦିବ୍ୟଯୁଗ ପର୍ଯ୍ୟନ୍ତ ମୁଁ ହିମାଳୟର ଗୌରବଗାଥା ବର୍ଣ୍ଣନା କରି ପାରିବି ନାହିଁ-। ଶହେ ଦିବ୍ୟଯୁଗ ପର୍ଯ୍ୟନ୍ତ ମୁଁ ହିମାଳୟର ଗୌରବଗାଥା ବର୍ଣ୍ଣନା କରିପାରିବି ନାହିଁ-। ପ୍ରାତଃକାଳର ସୂର୍ଯ୍ୟକିରଣ ଦ୍ୱାରା ଯେପରି ଶିଶିର ଶୁଖିଯାଏ ସେହିପରି ହିମାଳୟର ଦର୍ଶନ ମାତ୍ରେ ମନୁଷ୍ୟର ସବୁ ପାପ ନଷ୍ଟ ହୋଇଯାଏ ।” ଆର୍ଯ୍ୟମାନେ ହିନ୍ଦୁକୁଶ ବାଟ ଦେଇ ପ୍ରଥମେ ଭାରତରେ ପଦାର୍ପଣ କଲାକ୍ଷଣି ହିମାଳୟର ଅତୁଳନୀୟ ସୌନ୍ଦର୍ଯ୍ୟ ସେମାନଙ୍କୁ ମୁଗ୍ଧ ମୋହିତ କରିଥିଲା-। ସେମାନେ ଦୁର୍ଗମ ଓ ବିରାଟ ହିମାଳୟକୁ ନଦୀମାନଙ୍କର ଜନନୀ, ରୁଦ୍ରଦେବଙ୍କ ନିବାସ ସ୍ଥାନ ଏବଂ ଦେବଭୂମି ବୋଲି ଘୋଷଣା କଲେ ଏବଂ ସେଇ ମହାନ୍‌ପାର୍ବତ୍ୟଶ୍ରେଣୀର ଗୁଣକୀର୍ତ୍ତନ କରିବା ପାଇଁ ଅନେକ କାବ୍ୟ ରଚନା କଲେ । ପର୍ବତମାନଙ୍କର ଅଧିଷ୍ଠାତା ଦେବତା ଶିବଙ୍କ ବର୍ଣ୍ଣନାରେ ସମଗ୍ର କେଦାରଖଣ୍ଡ ସମର୍ପିତ । ଗଡ଼ୱାଲ ଅଞ୍ଚଳ ଏହି କେଦାରଖଣ୍ଡ ନାମରେ ପ୍ରସିଦ୍ଧ-। ପ୍ରାଚୀନକାଳରୁ ଏହି ଅଞ୍ଚଳରେ ଏକ ସମୃଦ୍ଧ ସଭ୍ୟତା ବିସ୍ତାରଲାଭ କରିଥିଲା । ମହାଭାରତରେ ଏହି ଅଞ୍ଚଳର ବିସ୍ତୃତ ବର୍ଣ୍ଣନା ରହିଛି । ଏହାର କେତୋକାଂଶ ସମ୍ରାଟ ଅଶୋକଙ୍କର ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । “ଚିତ୍ରଶାଳା” ବା “ଛତ୍ରଶାଳା” ନାମକ ଏକ ଶିଳାଲେଖରୁ ଏହାର ପ୍ରମାଣ ମିଳେ-। ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନସାଂ ମଧ୍ୟ ଗଡ଼ୱାଲର କେତେକ ଅଂଶ ଭ୍ରମଣ କରିଥିଲେ । ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଏହା ଲିପିବଦ୍ଧ ହୋଇଛି । ଏହାପରେ ମହାନ ଧର୍ମ ଓ ସମାଜ ସଂସ୍କାରକ ଆଦି ଶଙ୍କରାଚାର୍ଯ୍ୟ ହରିଦ୍ୱାର ବାଟ ଦେଇ ଗଡ଼ୱାଲ ଅଞ୍ଚଳ ଅତିକ୍ରମ କରି ହିମାଳୟର କେଦାରନାଥ ଓ ବଦ୍ରିନାଥଠାରେ ଶିବ ଓ ବିଷ୍ଣୁଙ୍କ ମନ୍ଦିର ସ୍ଥାପନ କରିଥିଲେ । ଏହାର ଦୃଶ୍ୟପରି ଏହାର କାହାଣୀ ମଧ୍ୟ ଅପାଶୋରା । ଆମେ ମୁଗ୍ଧ ହୋଇ ଶୁଣିବାକୁ ଲାଗିଲୁ-

 

ହରଦ୍ୱାରର ଅନେକ ନାମ ସ୍କନ୍ଦପୁରାଣ, ପଦ୍ମପୁରାଣ ଓ ଶିବ ପୁରାଣରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ବର୍ଣ୍ଣନା ରହିଛି । ବିଭିନ୍ନ ସମୟରେ ହରିଦ୍ୱାର ବିଭିନ୍ନ ନାମରେ ପରିଚିତ ଥିଲା । କେତେବେଳେ ଏହାର ନାମ ମାୟାପୁରୀ ତ ଆଉ କେତେବେଳେ ପଞ୍ଚପୁରୀ, ହରଦ୍ୱାର ବା ହରିଦ୍ୱାର, ଗଙ୍ଗାଦ୍ୱାର ବା କପିଳ । ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମା ରାଜା ସେତୁଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ବ୍ରହ୍ମକୁଣ୍ଡଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲେ । ଏହା କାଳକ୍ରମେ ବ୍ରହ୍ମପୁରୀ ନାମରେ ପରିଚିତ ହେଲା । ସେହିପରି ବ୍ରହ୍ମାଙ୍କ ପୁତ୍ର ଦକ୍ଷ ପ୍ରଜାପତିଙ୍କ ଉପରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ତାଙ୍କୁ ପ୍ରଜାସୃଷ୍ଟି କରିବା ପାଇଁ ବର ପ୍ରଦାନ କଲେ । ତା’ପରେ ଏହି ହରିଦ୍ୱାରଠାରେ ପବିତ୍ର ଗଙ୍ଗାନଦୀରେ ପାଦ ଧୋଇଥିଲେ । ସେହି ସ୍ଥାନ “ହରିକି ପୟରୀ”ନାମରେ ପ୍ରସିଦ୍ଧ । ଯେଉଁମାନେ ହରିଦ୍ୱାର ଆସନ୍ତି ସେମାନେ ‘ହରିକି ପୟରୀ’ଠାରେ ଗଙ୍ଗାରେ ସ୍ନାନ ତର୍ପଣ କରି ଅକ୍ଷୟ ପୁଣ୍ୟ ଅର୍ଜନ କରନ୍ତି । ଏହିଠାରେ ଗଙ୍ଗା ମାତା ଭଗବାନ ବିଷ୍ଣୁଙ୍କ ପାଦ ଧୋଇ ଦେଇଥିବାରୁ ତାହା ଏବେ ପବିତ୍ର । ତେଣୁ ଏହି ସ୍ଥାନ ନାମ ମଧ୍ୟ ହରିଦ୍ୱାର । କିନ୍ତୁ ବ୍ରହ୍ମାଙ୍କ ପୁତ୍ର ପ୍ରଜାମାନଙ୍କ ପିତା ଦକ୍ଷପ୍ରଜାପତି କନଖଲଠାରୁ ରାଜ୍ୟ ଶାସନ କରୁଥିଲେ ହେଁ ପ୍ରଜାମାନଙ୍କ ମନୋରଞ୍ଜନ ନକରି ସେମାନଙ୍କ ବିତୃଷ୍ଣାର କାରଣ ହୋଇଥିଲେ । ଦକ୍ଷପ୍ରଜାପତି ଯେଉଁ ପ୍ରସିଦ୍ଧ ଯଜ୍ଞର ଆୟୋଜନ କରିଥିଲେ ତାହା ପୁରାଣରେ ଦକ୍ଷଯଜ୍ଞ ନାମରେ ପ୍ରସିଦ୍ଧ । ଏପରି ଏକ ମହାନ୍‌ଯଜ୍ଞର ଆୟୋଜନ କରି ସୁଦ୍ଧା ସେ ତାଙ୍କ ଜାମାତା ମହାଦେବଙ୍କୁ ନିମନ୍ତ୍ରଣ ନକରିବାରୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ସ୍ୱାମୀଙ୍କ ଲାଞ୍ଛନା ସହ୍ୟ କରିନପାରି ଯଜ୍ଞ କୁଣ୍ଡରେ ନିଜକୁ ବିସର୍ଜନ କରିଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ଶିବ ହିମାଳୟରୁ ଆସି ଯଜ୍ଞକୁଣ୍ଡ ଧ୍ୱଂସ କରିଥିଲେ ଏବଂ ସତୀଙ୍କ ଶରୀର କାନ୍ଧରେ ନେଇ ତାଣ୍ଡବ ନୃତ୍ୟ କରିଥିଲେ । ଶିବଙ୍କ ବାହାନମାନେ ଦକ୍ଷପ୍ରଜାପତିଙ୍କ ସାମ୍ରାଜ୍ୟ ନଷ୍ଟଭ୍ରଷ୍ଟ କରି ଦେଇଥିଲେ । ସେହି ତାଣ୍ଡବ ନୃତ୍ୟ ପୃଥିବୀର ଧ୍ୱଂସର କାରଣ ହେବ ଭାବି ଦେବତାମାନେ ବିଚଳିତ ହୋଇ ଶିବଙ୍କୁ ଶାନ୍ତ କରିବା ପାଇଁ ସ୍ତୁତି କଲେ । ସେହି ଅଞ୍ଚଳର ସ୍ୱାମୀ ଭାବରେ ମଧ୍ୟ ସେ ଘୋଷିତ ହେଲେ । ତେଣୁ ସେହି ସ୍ଥାନର ନାମ ହେଲା ଦକ୍ଷେଶ୍ୱର ବା ନୀଳେଶ୍ୱର । ଦକ୍ଷଯଜ୍ଞ ପରେ ଏହି ସ୍ଥାନର ଆଉ ଏକ ନାମ ହେଲା ଶିବପୁରୀ ବା ନୀଳପର୍ବତ । ଶେଷରେ ହରିହର ମହାଦେବଙ୍କ ନାମ ଅନୁସାରେ ଏହାର ନାମ ହେଲା ହରିଦ୍ୱାର । ପତିଙ୍କ ଅସମ୍ମାନ ସହ୍ୟ କରିନପାରି ମା’ ସତୀ ଏଠାରେ ଶରୀର ବିସର୍ଜନ କରିଥିଲେ, ତେଣୁ ଏହି ସ୍ଥାନ ମାୟାପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ।

 

ହରିଦ୍ୱାର ବା ହରଦ୍ୱାରର ଏହି ପ୍ରସିଦ୍ଧି ପାଇଁ ମୁନି, ଋଷି, ତପସ୍ୱୀ, ସାଧକମାନଙ୍କୁ ଏହା ଯୁଗ ଯୁଗ ଧରି ଆକର୍ଷଣ କରିଛି । ଏହିଠାରେ ମନସା ଦେବୀ (ଯିଏ ମନର କାମନା ପୂର୍ଣ୍ଣ କରନ୍ତି)ଙ୍କ ନିବାସ ସ୍ଥାନ । ଏହି ପର୍ବତରେ ମହାଦେବୀ ଦୁର୍ଗାଙ୍ଗ ସହିତ ଶ୍ରୀ ଶ୍ରୀ ଚଣ୍ଡୀରେ ବର୍ଣ୍ଣିତ ମହାସୁର ଶୁମ୍ଭ ଓ ନିଶୁମ୍ଭଙ୍କର ପ୍ରବଳ ଯୁଦ୍ଧ ହୋଇଥିଲା ଏବଂ ଶେଷରେ ଦେବୀଙ୍କ ହାତରେ ସେମାନେ ନିହତ ହୋଇଥିଲେ । ମନସାଦେବୀ ପର୍ବତର ପଶ୍ଚିମରେ ଚାମୁଣ୍ଡା ଅଧିଷ୍ଠିତା । ଚଣ୍ଡୀଙ୍କ ମନ୍ଦିର ପର୍ବତର ଅନ୍ୟ ପାଖରେ । ସେଠାରେ ମଧ୍ୟ ଅଞ୍ଜନା ଦେବୀଙ୍କ ମନ୍ଦିର । ପର୍ବତର ପାଦଦେଶରେ ଗୌରୀଶଙ୍କରଙ୍କ ମନ୍ଦିର । ସପ୍ତଋଷି ଏହିଠାରେ ତପସ୍ୟା କରି ଗଙ୍ଗାଙ୍କୁ ତୁଷ୍ଟ କରିଥିଲେ ବୋଲି ମା’ଗଙ୍ଗା ପ୍ରସନ୍ନ ହୋଇ ସେମାନଙ୍କର କୁଟୀର ଉପରେ ପ୍ରବାହିତ ହୋଇ ସେସବୁ ସ୍ଥାନକୁ ପବିତ୍ର ଓ ପ୍ରସିଦ୍ଧ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀରାମଚନ୍ଦ୍ରଙ୍କ ଭାଇ ଭରତ ଏହି ବାଟଦେଇ ଋଷିକେଶକୁ ଯାଇଥିବାର ବର୍ଣ୍ଣନା ପୁରାଣରୁ ମିଳେ । ତେଣୁ ତାଙ୍କ ନାମ ଅନୁସାରେ ଭରତ ମନ୍ଦରି ଏହିଠାରେ ଅବସ୍ଥିତ । ଏହି ପଥ ଦେଇ ପାଣ୍ଡବମାନେ ସ୍ୱର୍ଗଯାତ୍ରା କରିଥିବା ମହାଭାରତରେ ଉଲ୍ଲେଖ ରହିଛି । ହରଦ୍ୱାର ନିକଟରେ ପାଣ୍ଡବମାନଙ୍କ ସ୍ୱର୍ଗଯାତ୍ରାର ଚିହ୍ନସ୍ୱରୂପ ଭୀମଗୋଡ଼ା ଅବସ୍ଥିତ । ମହାଭାରତ ଯୁଦ୍ଧ ପରେ ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ, ମହାତ୍ମା ବିଦୁରଙ୍କ ସହିତ ଏଠାକୁ ଆସି ଗଙ୍ଗା ନଦୀରେ ସ୍ନାନ ଓ ତର୍ପଣ କରି ସଂସାର ବନ୍ଧନରୁ ମୁକ୍ତ ହୋଇଥିବା ମଧ୍ୟ ମହାଭାରତରେ ଉଲ୍ଲେଖ କରାଯାଇଛି ।

 

ଚୀନ ପରିବ୍ରାଜକ ହୁଏନସାଂ ମାୟାପୁରୀକୁ ଚୀନ ଭାଷାରେ Mye-Ya-Lo ଲେଖିଛନ୍ତି । କାଳିଦାସଙ୍କ କାବ୍ୟରେ ହିମାଳୟର ଶୋଭା ବର୍ଣ୍ଣନା ପାଠକକୁ ମନ୍ତ୍ରମୁଗ୍ଧ କରିଦିଏ । କାଳକ୍ରମେ ବିଦେଶୀ ଶତ୍ରୁମାନଙ୍କ ଆକ୍ରମଣରେ ଭାରତ ଧ୍ୱସ୍ତବିଧ୍ୱସ୍ତ ହେଲା । ରାଜା ମାନସିଂ ସମ୍ରାଟ ଆକବରଙ୍କ ସେନାପତି ଥିଲେ ସେ ନିହତ ହେବାପରେ ତାଙ୍କ ଶରୀର ସମ୍ରାଟଙ୍କ ଆଦେଶ ଅନୁସାରେ ହରଦ୍ୱାରଠାରେ ସଂସ୍କାର କରାଯାଇ ଅବଶିଷ୍ଟାଂଶ ଗଙ୍ଗା ନଦୀର ବ୍ରହ୍ମକୁଣ୍ଡଠାରେ ବିସର୍ଜନ ଦିଆଯାଇଥିଲା । ଏଠାରେ ମୋଗଲ କଳା ଓ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଏକ ସ୍ମୃତିସ୍ଥଳ ରହିଛି । ଏହା ଏବେ ମାନସିଂ କୀ ଛତ୍ରୀ ନାମରେ ପରିଚିତ । ମୁସଲମାନମାନଙ୍କ ବାରମ୍ବାର ଆକ୍ରମଣ ଫଳରେ ବହୁ ମନ୍ଦିର ଧ୍ୱଂସ ଓ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ଚତୁର୍ଦ୍ଦଶ ଶତାବ୍ଦୀ ଓ ତା’ପରେ । ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ ଦ୍ୱାରା ଏହିପରି ଧ୍ୱଂସ୍ତବିଧ୍ୱସ୍ତ ହୋଇଥିବା ଭୈରବଙ୍କ ବିଗ୍ରହ, ନବଗ୍ରହ ମୂର୍ତ୍ତି ପୁନଃସ୍ଥାପିତ ହୋଇଥିଲା । ହରଦ୍ୱାର ସାଧୁ ସନ୍ଥଙ୍କ ନିବାସସ୍ଥଳୀ । ଗୁରୁଦେବ ନାନକ ଓ ଶିଖଗୁରୁ ଅମର ଦାସ ମଧ୍ୟ ଏହି ପୀଠ ଦର୍ଶନ କରିଥିଲେ । ହରିଦ୍ୱାରର କୁମ୍ଭମେଳା ବିଶ୍ୱ ପ୍ରସିଦ୍ଧ-। ୧୭୯୬ ଓ ୧୮୦୮ ମସିହାରେ ଏଠାରେ କୁମ୍ଭମେଳା ଦେଖିବା ପାଇଁ ପଶ୍ଚିମର ପର୍ଯ୍ୟଟକ ହାଡୱିକ୍‌ ଓ ବାପିଏରସ୍‌ ଆସିଥିବାର ପ୍ରମାଣ ମିଳେ । ଭାରତର ଭାଇସରାୟ ଲର୍ଡ ଅକ୍‌ଲାଣ୍ଡ ଏବଂ ଲର୍ଡ ଡେଲହାଉସି ହରଦ୍ୱାରର ଶୋଭା ଦର୍ଶନ କରି ଏପରି ପ୍ରୀତ ହୋଇଥିଲେ ଯେ ଏଠାରେ ୧୮୫୪ ଖ୍ରୀଷ୍ଟାବ୍ଦରେ ଗଙ୍ଗାନଦୀ ଉପରେ ଏକ କେନାଲ ନିର୍ମାଣ କରାଇଥିଲେ ଏବଂ ଡେଲହାଉସି ତାହା ଉଦ୍‌ଘାଟନ କରିଥିଲେ । ସ୍ୱାମୀ ଦୟାନନ୍ଦ ଓ ସ୍ୱାମୀ ଶ୍ରଦ୍ଧାନନ୍ଦ ଏଠାରେ ମଠ ସ୍ଥାପନ କରି ହିନ୍ଦୁ ଧର୍ମର ସଂସ୍କାର କରିବା କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଦ୍ୱାରା ଗୁରୁକୁଳ କାଙ୍ଗଡ଼ି ସ୍ଥାପିତ ହୋଇଥିଲା ।

 

ଆମେ ହରିଦ୍ୱାର ଷ୍ଟେସନରେ ଡେରାଡୁନ ଏକ୍ସପ୍ରେସ୍‌ରୁ ଓହ୍ଲାଇ ରିଟାୟାରିଂ ରୁମ୍‌ରେ ଅବସ୍ଥାନ କରିଥିଲୁ । ସେଠାରୁ ହରକୀ ପୟରୀ ଓ ଗଙ୍ଗାତଟ ଅଳ୍ପବାଟ । ଟଙ୍ଗା, ଟାକ୍ସି ଓ ଅଟୋରିକ୍ସା ସହିତ ରିକ୍ସା ମଧ୍ୟ ମିଳେ । ଗଙ୍ଗାକୂଳରେ ବସି ହିମାଳୟର ଶୋଭା ଦର୍ଶନ କରିବା ସୌଭାଗ୍ୟର ବିଷୟ । ଏହି ପୁଣ୍ୟଭୂମି କେତେ ସାଧୁ ଓ ସାଧକଙ୍କ ତପସ୍ୟା ଓ ସାଧନ ଭୂମି । ଶିବାଳିକା ପର୍ବତ ଶ୍ରେଣୀ ମଧ୍ୟରେ ଅବସ୍ଥିତ ଏହି ସ୍ଥାନରେ ବାଉଁଶ ଏବଂ ଭାବର ନାମକ ଲମ୍ବା ଘାସ ପ୍ରଚୁର ପରିମାଣରେ ଉତ୍ପନ୍ନ ହୁଏ । ଏହାଛଡ଼ା ହିମାଳୟର ପାଦଦେଶ ବହୁ ପ୍ରକାର ମୂଲ୍ୟବାନ ଗଛବୃଚ୍ଛରେ ପୂର୍ଣ୍ଣ । ଗଛ କାଟି ପାର୍ବତ୍ୟ ପ୍ରଦେଶରୁ ନଦୀରେ ଭସାଇଦେଲେ ତାହା ହରିଦ୍ୱାର ପର୍ଯ୍ୟନ୍ତ ନିର୍ବିଘ୍ନରେ ଭାସିଆସେ । ଭୀମଗୋଡ଼ାଠାରେ ଗଙ୍ଗା ନଦୀ ଉପରେ ୧୮୫୪ ମସିହାରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ବେଙ୍ଗଲ ଇଞ୍ଜିନିୟର କର୍ଣ୍ଣେଲ କଲୱିନଙ୍କ ବିଚକ୍ଷଣ ବୁଦ୍ଧି ଓ ନିର୍ମାଣ କୌଶଳ ଏଥିରେ ପ୍ରତିଫଳିତ ହୋଇଛି ।

 

ଆମେ ‘ହରି କି ପୟରୀ’ ନିକଟରେ ଗଙ୍ଗା ନଦୀରେ ସ୍ନାନ କଲୁ । କାଳେ ଗଙ୍ଗାର ପ୍ରଖର ସ୍ରୋତରେ କେହି ଭାସିଯିବେ ସେଥିପାଇଁ ନିରାପଦରେ ସ୍ନାନ କରିବା ସକାଶେ ଜଂଜିର ଲଗାଇ ଦିଆଯାଇଛି । ସେଇ ଜଂଜିର ଭିତରେ ନିରାପଦରେ ସ୍ନାନ କରାଯାଇପାରେ । ସେଇ ଶୀତଳ ଜଳରେ ସ୍ନାନ କରି ଆମେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ଫେରିବାବେଳେ ମନେ ପଡ଼ୁଥିଲା କୁମ୍ଭମେଳାର ଆଦ୍ୟ କାହାଣୀ । ସମୁଦ୍ର ମନ୍ଥନ ପରେ ଅମୃତ କୁମ୍ଭ ନେଇ ବ୍ରହ୍ମା ପଳାଇ ଯାଉଥିଲା ବେଳେ ଅସୁରମାନେ ଅମୃତ ନପାଇ ତାଙ୍କଠାରୁ ବଳ ପ୍ରୟୋଗ ଦ୍ୱାରା ଅମୃତ ଛଡ଼ାଇ ନବାପାଇଁ ଯାଇଥିଲେ । ସେତିକିବେଳେ ଟଣାଓଟରା ତିଥିଗଣନା ଅନୁସାରେ କୁମ୍ଭମେଳା ହୁଏ । (୧୯୫୬ ମସିହା କୁମ୍ଭମେଳାରେ ଶିକ୍ଷାନବୀଶ ରେଳବାଇ ଅଫିସର ଭାବେ ସାତକଡ଼ି ବାବୁଙ୍କୁ ଅବସ୍ଥାପିତ କରାଯାଇଥିଲା ହରଦ୍ୱାରଠାରେ) ଏହାଛଡ଼ା ହରଦ୍ୱାର ଶିବଙ୍କ ପୀଠସ୍ଥଳୀ ହୋଇଥିବାରୁ ପୂଜାର୍ଚ୍ଚନା କରିବା ପାଇଁ ଦୂରଦୂରାନ୍ତରୁ ତୀର୍ଥଯାତ୍ରୀମାନେ ଆସନ୍ତି, ଶ୍ରାବଣ ମାସରେ ଶିବଙ୍କ ମଥା ଉପରେ ପାଣି ଢାଳି ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ । ଡଙ୍ଗାରେ ବସି ଫେରୁଥିଲାବେଳେ ଆହୁରି ମନେ ପଡ଼ୁଥିଲା ଗଙ୍ଗାକୁ ମର୍ତ୍ତ୍ୟକୁ ଆଣିବା ପାଇଁ ଭଗୀରଥଙ୍କ ତପସ୍ୟା ସମ୍ବନ୍ଧରେ । ସଗରବଂଶର ଷାଠିଏ ହଜାର ପୁତ୍ର କପିଳ ମୁନିଙ୍କ ଅଭିଶାପରୁ ପାଉଁଶରେ ପରିଣତ ହୋଇଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱର୍ଗରୁ ଗଙ୍ଗାକୁ ଅବତରଣ କରାଇ ସାଗର ପର୍ଯ୍ୟନ୍ତ ବାଟ କଢ଼ାଇ ନେଇ ଆସିଥିଲେ ଭଗୀରଥ । ପ୍ରତୀକାତ୍ମକ ଭାବେ ଲୋକଶିକ୍ଷାର କେତେ ବିରାଟ ଓ ମହାନ ନିଦର୍ଶନ । ଷାଠିଏ ହଜାର ବଂଶଧରଙ୍କୁ ଉଦ୍ଧାର କରିବା ପାଇଁ କି ବିପୁଳ ସଂଗ୍ରାମ ଓ ସାଧନା ! ଏହିପରି ବହୁ ଆଦର୍ଶ ଓ ଜୀବନଦର୍ଶନ ଭାରତୀୟ ସାହିତ୍ୟର ବିଶେଷତ୍ୱ । ଆହୁରି ବି ମନେ ପଡ଼ିଲା ପଣ୍ଡା ମହାଶୟ କହିଥିବା ରାଜା ଭର୍ତ୍ତୃହରିଙ୍କ ତପସ୍ୟା ଓ ସ୍ୱର୍ଗାରୋହଣ କାହାଣୀ । ଏହି ଗଙ୍ଗା କୂଳରେ ରାଜା ଭର୍ତ୍ତୃହରିଙ୍କ ତପସ୍ୟା ଓ ସ୍ୱର୍ଗାରୋହଣ କାହାଣୀ । ଏହି ଗଙ୍ଗା କୂଳରେ ରାଜା ଭର୍ତ୍ତୃହରିଙ୍କ ସାନ ଭାଇ ରାଜା ବିକ୍ରମାଦିତ୍ୟ ଏହି ‘ହରି କୀ ପାଉରୀ’ ଘାଟ ନିର୍ମାଣ କରିଥିଲେ-। ବ୍ରହ୍ମକୁଣ୍ଡରେ ଅମୃତ ଭାଣ୍ଡରୁ ଟିକେ ପଡ଼ିଥିଲା ବୋଲି ଏହି ସ୍ଥାନ ଏଡ଼େ ପବିତ୍ର । ପଛକୁ ଚାହିଁଲେ ଦିଶୁଥିଲା ଗଙ୍ଗା ମଝିରେ ଥିବା ଛୋଟ ଦୀପଟିଏ ଓ ସପ୍ତସରୋବର । ଏହି ଛୋଟ ଦୀପର ନାମ Flying Fox ବା ଉଡ଼ନ୍ତା ଶିଆଳ । ପଣ୍ଡା ମହାଶୟ ଆହୁରି ମଧ୍ୟ ଆମକୁ କୁଶାବର୍ତ୍ତ ଘାଟର ପୌରାଣିକତା ସମ୍ବନ୍ଧରେ ସୂଚନା ଦେଇ କହିଲେ ଦତ୍ତାତ୍ରେୟ ନାମରେ ଜଣେ ମହାନ୍‌ଋଷି ଥିଲେ-। ସେ ସଂସାର ତ୍ୟାଗ କରି ଏଠାରେ ଗୋଟିଏ ପାଦରେ ଠିଆ ହୋଇ ହଜାରେ ବର୍ଷ ଘୋର ତପସ୍ୟାରେ ମଗ୍ନ ଥିଲେ । ସେ ସଂଗ୍ରହ କରିଥିବା କୁଶ ଗଙ୍ଗା ସ୍ରୋତରେ ଭାସିଯିବାରୁ କ୍ରୋଧରେ ଅଭିଶାପ ଦେବାକୁ ଉଦ୍ୟତ ହେବାରୁ ପ୍ରବହମାନା ଗଙ୍ଗା ରହିଗଲେ । ଗଙ୍ଗା ସ୍ରୋତ ବନ୍ଦ ହୋଇଯିବାରୁ ମହା ଅନିଷ୍ଟ ଆଶଙ୍କା କରି ଦେବତାମାନେ ଦତ୍ତାତ୍ରେୟଙ୍କ କ୍ରୋଧ ଶାନ୍ତ କରିବା ପାଇଁ ସ୍ତବସ୍ତୁତି କରନ୍ତେ ସେ ଶାନ୍ତ ହେଲେ । ଦେବତାମାନେ ତାଙ୍କୁ ବର ପ୍ରଦାନ କରି କହିଲେ ଯେ ସେମାନେ ତାଙ୍କ କୁଟୀରରେ ରହିବେ । ଦେବତାମାନେ ସେଠାରେ ବାସ କରିବାକୁ ସେଇ ସ୍ଥାନର ନାମ ହେଲା-କୁଶାବର୍ତ୍ତ (ନଦୀ ସ୍ରୋତର ଯେଉଁ ଭଉଁରୀରେ କୁଶ ଭାସିଯାଇଥିଲା)-। ଏହି କୁଶାବର୍ତ୍ତରେ ସ୍ନାନ ଓ ପିତରମାନଙ୍କ ତର୍ପଣ ସମାପନ କଲେ ଅଶେଷ ପୁଣ୍ୟ ଅର୍ଜନ କରାଯାଏ ବୋଲି ପାରମ୍ପରିକ ବିଶ୍ୱାସ ପ୍ରଚଳିତ ଅଛି ।

 

ଏଠାରେ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ମଧ୍ୟ କରାଯାଏ । ଏହାଛଡ଼ା ନେତାଜୀ ସୁଭାଷଙ୍କ ନାମରେ ତିଆରି ସୁଭାଷଘାଟ, ଗଉଘାଟ, ରାମଘା, ବିଷ୍ଣୁଘାଟ ପ୍ରଭୃତି ଘାଟରେ ମଧ୍ୟ ସ୍ନାନ କରାଯାଏ । ବ୍ରହ୍ମକୁଣ୍ଡଠାରେ ପିତୃପୁରୁଷଙ୍କୁ ତର୍ପଣ କରାଯାଏ । ଏଠାରେ ଅସ୍ଥି ବିସର୍ଜନ ମଧ୍ୟ କରାଯାଏ । ଏହାପରେ ଶ୍ରୀଗଙ୍ଗାଙ୍କ ମନ୍ଦିର ଦର୍ଶନ କରି ତାପରେ ଦକ୍ଷେଶ୍ୱର ମନ୍ଦିର, ହନୁମାନ ମନ୍ଦିର, ମନସାଦେବୀ ମନ୍ଦିର, ବିଷ୍ଣୁ ପାଦୁକା, ମାନସିଂହ ଛତ୍ରୀ ପ୍ରଭୃତି ଦର୍ଶନୀୟ ସ୍ଥାନକୁ ଯିବା ସହଜ । ସ୍ୱୟଂ ଭଗବାନ ବିଷ୍ଣୁ ଏଠାରେ ପଦାର୍ପଣ କରୁଥିବାରୁ ବିଷ୍ଣୁପାଦୁକା ବିଖ୍ୟାତ । ଏହାବାଦ ଶ୍ରବଣନାଥ ମନ୍ଦିର, ଭୋଳାଗିରି ମନ୍ଦିର ଗୋରଖନାଥ ମନ୍ଦିର, ଗୀତା ଭବନ, ଭୈରୋଁକି ଆଖଡ଼ା, ମାୟାଦେବୀ ମନ୍ଦିର ବିଲକେଶ୍ୱର ମହାଦେବ, ଗୁରୁଦ୍ୱାରା, ଚଣ୍ଡୀଦେବୀ, ଅନ୍ତନୀ ଦେବୀ ଓ କାଙ୍ଗରା ମନ୍ଦିର ଦର୍ଶନୀୟ ସ୍ଥାନ । ଏସବୁ ସ୍ଥାନ ଦେଖୁ ଦେଖୁ ଦି ପ୍ରହର ଅତିକ୍ରାନ୍ତ ହୋଇଗଲା ।

 

କନଖଲ ସମ୍ପର୍କରେ ଆମର ଜାଣିବା ଇଚ୍ଛା ଜାଣି ପଣ୍ଡା ମହାଶୟ କହିଲେ ଯେ ଏହା ହରଦ୍ୱାରଠାରୁ ମାତ୍ର ଦୁଇ ମାଇଲ ଦୂର ଏବଂ ଗଙ୍ଗା କୂଳରେ ଅବସ୍ଥିତ । ଏହି ନାମ ପ୍ରାୟ ସଂସ୍କୃତ ଶବ୍ଦ ‘କୋ ଖଳା’ରୁ ସଂଭୂତ । ଏହାର ଅର୍ଥ “କିଏ ସେହି ପାପୀ ଯିଏ ଏଠାରୁ ସ୍ୱର୍ଗକୁ ଯାଇ ପାରିବ ନାହିଁ ?”

 

ହରିଦ୍ୱାର ଦର୍ଶନ ପରେ ମନ ଚଞ୍ଚଳ ହେଲା ପୁଣ୍ୟପୀଠ ଋଷିକେଶ ଯିବାପାଇଁ । ଋଷିକେଶଠାରେ ହିମାଳୟ କୋଳରୁ ଭୂମି ଉପରକୁ ଲମ୍ଫ ଦେଇଛନ୍ତି ଗଙ୍ଗାମାତା । ଏହା ସାଧୁ ସନ୍ନ୍ୟାସୀ ମାନଙ୍କର ବାସସ୍ଥାନ । ବହୁ ମଠ, ଅନୁଷ୍ଠାନ, ମନ୍ଦିର ଏବଂ ସାଧନା କେନ୍ଦ୍ର ପାଇଁ ଋଷିକେଶ ପ୍ରସିଦ୍ଧ । ଋଷିକେଶରୁ ହିମାଳୟ ଅଭିରାମ ଦୃଶ୍ୟ ଆହୁରି ମନୋରମ ଓ ଗଙ୍ଗାତଟରେ ପାଞ୍ଚମିନିଟ ଛିଡ଼ା ହୋଇ ନଗାଧିରାଜ ହିମାଳୟ ଆଡ଼କୁ ମୁହଁ କରି ଧ୍ୟାନ ମଗ୍ନ ହେଲେ ମନ ପ୍ରଶାନ୍ତି ଓ ଉଦାର ହୁଏ । ଆପେ ଆପେ ଆହୁରି ପଛେଇ ଯାଏ ପଛରେ ଛାଡ଼ି ଆସିଥିବା ଘର ସଂସାର । ଏଠାରେ ପ୍ରବଳ ଶୀତରେ ମଧ୍ୟ ନଗ୍ନ ଦେହରେ ଭସ୍ମାଚ୍ଛାଦିତ ସାଧୁମାନଙ୍କ ଖୋଲା ସ୍ଥାନରେ ପଦ୍ମାସନରେ ବସିଥିବା ଏକ ସାଧାରଣ ଦୃଶ୍ୟ, ସତ୍ୟନାରାୟଣ ମନ୍ଦିର, ଭରତ ମନ୍ଦିର, ତ୍ରିବେଣୀ ଘାଟ, ଲଛମନ ଝୁଲା, ସ୍ୱାମୀ ଶିବାନନ୍ଦ ଝୁଲା, ସ୍ୱର୍ଗ ଆଶ୍ରମ, ଗୀତାଭବନ, କାଳୀକମଳୀୱାଲା ଧର୍ମଶାଳା, ଆତ୍ମ ଜ୍ଞାନ ଭାବେ ପ୍ରଭୃତି ଦର୍ଶନ କଲୁ । କିନ୍ତୁ ଋଷି ଶିବାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାନନ୍ଦ ଆଶ୍ରମ ଓ ନିଖିଳ ଭାରତ ଦିବ୍ୟଜୀବନ ସଂଘ । ଏ ଦିବ୍ୟଜୀବନ ସଂଘର ସଞ୍ଚାଳକ ଓ ସଭାପତି ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ଆଶୀର୍ବାଦ ଓ ସ୍ନେହ ମନେ ପଡ଼ିଲା । ସେତେବେଳେ ସେ ଋଷିକେଶରେ ନଥିବାରୁ ତାଙ୍କର ଦର୍ଶନ ପାଇଲୁ ନାହିଁ ସତ କିନ୍ତୁ ସାଧନା ଓ ସଂସ୍କାରର ଏହି ପୁଣ୍ୟଭୂମିରେ ପଦାର୍ପଣ କରି ପୁଲକିତ । ଋଷିକେଶଠାରୁ ବାର କିଲୋମିଟର ଦୂରେ ନୀଳକଣ୍ଠ ମହାଦେବଙ୍କ ମନ୍ଦିର । ଏହା ପାହାଡ଼ ଉପରେ ଅବସ୍ଥିତ । ଏହି ପାହାଡ଼ର ଉଚ୍ଚତା ୧୬୭୫ ମିଟର ବା ୫୦୨୫ ଫୁଟ । ପର୍ବତାରୋହଣ କହିବା ପାଇଁ ବହୁ ପର୍ଯ୍ୟଟକ ଆସନ୍ତି ଏଠାକୁ । ପୌରାଣିକ କଥାନୁସାରେ ଅମୃତ ପାଇବା ଆଶାରେ ଦେବତା ଓ ଅସୁରମାନେ ସାଗର ମନ୍ଥନ କଲେ । ସାଗର ମନ୍ଥନ ପରେ ସେଥିରୁ ଗରଳ ବା ବିଷ ବାହାରିଥିଲା ଏବଂ ଏଇ ସେହି ବିଷ ଭଗବାନ ଶଙ୍କର ପାନ କଲେ ଏବଂ ସେହି କାରଣରୁ ତାଙ୍କ କଣ୍ଠ ନୀଳବର୍ଣ୍ଣ ହେଲା ଏବଂ ସେ ନୀଳକଣ୍ଠ ନାମରେ ପରିଚିତ ହେଲେ । ତାଙ୍କରି ମନ୍ଦିର ଏହି ପର୍ବତ ଉପରେ ଅବସ୍ଥିତ । ଜଣେ ଭକ୍ତ ପଚାରିଲେ– କେଉଁଠୁ ଆସିଛନ୍ତି ଭାଇ ସାହେବ ? ଆମେ କହିଲୁ-ଜଗନ୍ନାଥ ପୁରୀ ଧାମରୁ । ସେ ଅତିଶୟ ଆନନ୍ଦିତ ହୋଇ କହିଲେ କଳିଯୁଗରେ ଭଗବାନ ବିଷ୍ଣୁ ସେଠାରେ ପ୍ରତ୍ୟକ୍ଷ ବିରାଜମାନ କରନ୍ତି । ସତ୍ୟଯୁଗରେ ବିରାଜୁଥିଲେ ବଦ୍ରିନାଥରେ । ଆପଣମାନେ ଭାଗ୍ୟବାନ ! ଶ୍ରୀକ୍ଷେତ୍ରର ମହାତ୍ମା ସମ୍ପର୍କରେ ଅଳ୍ପ କିଛି ଆଲୋଚନା କରିବା ପରେ ସନ୍ଧ୍ୟା ହେବାରୁ ଆମେ ଫେରିଗଲୁ ଭାରତୀୟ ଭେଷଜ କର୍ପୋରେସନର ଅତିଥିଭବନକୁ । ସେଠାରେ ରାତ୍ରିଯାପନ କଲୁ ସିନା, କିନ୍ତୁ ଡକ୍ଟର ଏସ. ଏସ. ଶ୍ରୀବାସ୍ତବ ଓ ତାଙ୍କ ଯୋଗ୍ୟା ପତ୍ନୀ ଶ୍ରୀମତୀ ମିନାକ୍ଷୀ ‌ଶ୍ରୀବାସ୍ତବଙ୍କ ନିମନ୍ତ୍ରଣ ରକ୍ଷା କରି ରାତ୍ରିଭୋଜନ କଲୁ ସେମାନଙ୍କ ଘରେ । ଡକ୍ଟର ଶ୍ରୀବାସ୍ତବ ଉତ୍ତର ପ୍ରଦେଶରେ କିନ୍ତୁ ମିନାକ୍ଷୀ ଦେବୀଙ୍କ ଘର କେରଳରେ । ଦୁହେଁ ନିସନ୍ତାନ, କିନ୍ତୁ ସେମାନେ କାମ କରୁଥିବା ଅନୁଷ୍ଠାନର ଜଣେ କର୍ମଚାରୀର ପୁତ୍ର କନ୍ୟାକୁ ନିଜର ପୁତ୍ରକନ୍ୟା ପରି ପ୍ରତିପାଳନ କରି ଆନନ୍ଦରେ ବାସ କରୁଥିବା ଦେଖି ଶ୍ରଦ୍ଧାରେ ମଥା ନଇଁ ଆସିଲା । ସେମାନଙ୍କଠାରୁ ବିଦାୟ ନେବା ବେଳେ ସେଠାରେ ଆହୁରି ଦେଖାହେଲା । ସିଂହଭୂମିର ବୁଦ୍ଧିଦୀପ୍ତ ମିଶ୍ରଦମ୍ପତିଙ୍କ ସହିତ । ମିଶ୍ରବାବୁ ଇଣ୍ଡିଆନ ଫାରମାସ୍ୟୁଟିକାଲ ଲିମିଟେଡ଼ କାର୍ଯ୍ୟ କରନ୍ତି । ତାଙ୍କ ଆମନ୍ତ୍ରଣ ରକ୍ଷାକରି ମଧ୍ୟାହ୍ନ ଭୋଜନ କରିବାକୁ ଯାଇ ସେଠାରେ ସାକ୍ଷାତ ହେଲା ଭାରତୀୟ ଶିଳ୍ପ ଶକ୍ତି ବାହିନୀରେ କାର୍ଯ୍ୟ କରୁଥିବା ସବ୍ଇନିସପେକ୍ଟର ମହାପାତ୍ରଙ୍କ ସହିତ । ଘର ଠାରୁ ବହୁ ଦୂରରେ ପୁଣି ଜମି ଉଠିଲା ଏକ ପାରିବାରିକ ସାନିଧ୍ୟଭରା ସଙ୍ଗସୁଖ ।

 

ତା'ପରଦିନ ମନସାଦେବୀ ଦର୍ଶନ କରିବା ପାଇଁ ପ୍ରସ୍ତାବ କଲେ ଡକ୍ଟର ଶ୍ରୀବାସ୍ତବ । ମନସାଦେବୀଙ୍କ ମନ୍ଦିର ପାହାଡ଼ ଉପରେ । ପାହାଡ଼ କାଟି ପାହାଚ କରାଯାଇଛି ଉପରକୁ ଉଠିବା ପାଇଁ । Ropeway ବା ଝୁଲା ଦ୍ଵାରା ମଧ୍ୟ ପାହାଡ଼ ଉପରକୁ ଯାଇ ମନସାଦେବୀଙ୍କୁ ଦର୍ଶନ କରିବା ଲାଗି ସୁବିଧା କରାଯାଇଛି । କିନ୍ତୁ ଆମେ ସେଠାରେ ଥିବା ଦିନ ରୋପ କାର୍ଯ୍ୟ କରୁ ନଥିବାରୁ ଝୁଲାରେ ଝୁଲି ଝୁଲି ଯିବାର ସୁଯୋଗ ମିଳିଲା ନାହିଁ ।

 

ମନସାଦେବୀ ବହୁ ଆକର୍ଷଣର କେନ୍ଦ୍ର । ଯୁଗ ଯୁଗ ଧରି ପ୍ରଚଳିତ ବିଶ୍ୱାସ ଅଗଣିତ ଭକ୍ତଙ୍କୁ ଆକର୍ଷଣ କରେ ଏହି ପୀଠକୁ । କଥିତ ଅଛି ଯେ ମନସା ଦେବୀଙ୍କ ନିକଟରେ ମନର ଅଭିଳାଷ ଜଣାଇ ଭକ୍ତି ସହକାରେ ପୂଜାର୍ଚ୍ଚନା କଲେ ତାହା ପୂର୍ଣ୍ଣ ହୁଏ । ମନର କାମନା ପୂର୍ଣ୍ଣ କରୁଥିବାରୁ ସମଗ୍ର ହିନ୍ଦୁ ଜଗତରେ ସେ ମନସାଦେବୀ ନାମରେ ପ୍ରସିଦ୍ଧ ଓ ପୂଜିତା ।

 

ମନସା ଦେବୀ

 

ଦେବୀ ଭାଗବତରେ ମନସା ଦେବୀଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି–

 

‘‘ଜରତ୍‍କାରୁ ଜଗଗୌରୀ ମନସା ସିଦ୍ଧି ଯୋଗିନୀ,

ବୈଷ୍ଣବୀ ନାଗଭମିନୀ ଶୈବୀ ନାଗେଶ୍ଵରୀ ତଥା

ଜରତ୍‍କାରୁ ପ୍ରିୟା ଆସ୍ତିକ ମାତା ବିଷ ହରେତି ଚ,

ମହାଜ୍ଞାନ ୟୁତାଚୈବ ସା ଦେବୀ ବିଶ୍ୱପୂଜିତା ।।’’

 

ଜରତ୍‍କାରୁ ମୁନିଙ୍କ କ୍ଷୀଣ ଶରୀର ଦେଖି ଶ୍ରୀକୃଷ୍ଣ ତାଙ୍କ ନାମ ଜରତ୍‍କାରୁ ରଖିଥିଲେ । ଜଗଦ୍‍ଗୌରୀ ସ୍ଵର୍ଗ, ନାଗ, ବ୍ରହ୍ମ ଓ ପୃଥିବୀଲୋକରେ ସର୍ବତ୍ର ପୂଜିତା ଅତି ସୁନ୍ଦରୀ ଅଟନ୍ତି । ଭଗବତୀ ମନସା କଶ୍ୟପ ଋଷିଙ୍କର ମାନସ କନ୍ୟା । ଯିଏ ତାଙ୍କୁ ଧ୍ୟାନ କରେ ସେ ଅଭୀଷ୍ଟ ଫଳ ଲାଭ କରେ । ସେ ସିଦ୍ଧଯୋଗିନୀ । ତିନିଯୁଗ ଧରି କଠନି ତପ କରି ଶିବଙ୍କଠାରୁ ସିଦ୍ଧ ଯୋଗ ପାଇଥିଲେ । ଏହି ମହାବିଦ୍ୟା ମୃତସଂଜୀବନୀ ସଦୃଶ ପରବିଦ୍ୟା ପୁଣି ଅତ୍ୟନ୍ତ ବିଷ୍ଣୁ ଭକ୍ତ ହୋଇଥିବାରୁ ପରମ ବୈଷ୍ଣବୀ ଅଟନ୍ତି । ସେ ମଧ୍ୟ ନାଗମାନଙ୍କର ଦେବତା ବାସୁକୀଙ୍କ ଭଉଣୀ ହୋଇଥିବାରୁ ନାଗଭାମିନୀ ନାମରେ ଖ୍ୟାତ । ଶିବଙ୍କର ଶିଷ୍ୟ । ତେଣୁ ଶୈବୀ । ଜନ୍ମେଜୟ ମହାରାଜାଙ୍କ ନାଗଯଜ୍ଞରେ ସେ ନାଗମାନଙ୍କର ପ୍ରାଣରକ୍ଷା କରିଥିଲେ, ତେଣୁ ନାଗେଶ୍ଵରୀ ଭାବେ ପୂଜିତା । ମହାତ୍ମା ଜରତ୍‍କାରୁ ମୁନିଙ୍କ ପ୍ରିୟ ପତ୍ନୀ, ତେଣୁ ଜରତ୍‍କାରୁ ପ୍ରିୟା । ସେ ମହାଜ୍ଞାନୀ, ଚାରିବେଦର ଜ୍ଞାତ ତପସ୍ୱୀ ଆସ୍ତିକ ମୁନିଙ୍କର ଜନନୀ । ତେଣୁ ଆସ୍ତିକମାତା । ସେ ସାପବିଷ ହରଣ କରନ୍ତି ବୋଲି ବିଷହରି । ସେ ପୁଣି ମହାଜ୍ଞାନେଶ୍ଵରୀ । ତେଣୁ ଏହି ବାଆର ନାମରେ ମନସା ଦେବୀଙ୍କ ପୂଜାର୍ଚ୍ଚନା ହୁଏ । ଯେଉଁମାନେ ତାଙ୍କର ପୂଜା କରନ୍ତି ସେମାନଙ୍କର ବା ସେମାନଙ୍କ ବଂଶରେ ସର୍ପଭୟ ରହେ ନାହିଁ ଏବଂ ମୂଳ ମନ୍ତ୍ର ଦଶଲକ୍ଷ ଥର ଜପ କଲେ ସିଦ୍ଧି ମିଳେ ବୋଲି ବିଶ୍ୱାସ ରହିଆସିଛି ।

 

ମନସାମାତାଙ୍କୁ କୋଟି କୋଟି ପ୍ରଣାମ । ତାଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଶହ ଶହ ଭକ୍ତ ଆସନ୍ତି ହରିଦ୍ୱାର । ମନସାଙ୍କ ସମ୍ବନ୍ଧରେ ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ବିଭିନ୍ନ ପ୍ରକାର ବର୍ଣ୍ଣନା ଅଛି । ମହାଭାରତର ଆଦି ପର୍ବର ବର୍ଣ୍ଣନା ଅନୁସାରେ ପରୀକ୍ଷିତ ସର୍ପଦଂଶନ ଦ୍ଵାରା ଇହଲୋକ ତ୍ୟାଗ କଲାପରେ ତାଙ୍କ ପୁତ୍ର ଜନମେଜୟ ରାଜସିଂହାସନରେ ବସିଲେ । ସାପମାନଙ୍କର ବଂଶ ବୃଦ୍ଧି ଘଟିବାରୁ ପୃଥିବୀ ଓ ପ୍ରଜାକୂଳର ଅନିଷ୍ଟ ଆଶଙ୍କା କରି ଓ ପିତୃହତ୍ୟାର ପ୍ରତିଶୋଧ ନବାପାଇଁ ଜନମେଜୟ ସର୍ପଯଜ୍ଞର ଆୟୋଜନ କଲେ । ଏଥି ନିସ୍କୃତିର ଉପାୟ ଉଭାବନ କରିବା ପାଇଁ ଦେବତାମାନେ ବ୍ରହ୍ମାଙ୍କ ନିକଟକୁ ଗଲେ । ବ୍ରହ୍ମା ଏହାର ସମାଧାନର ସୂତ୍ର ବାହାର କରି କହିଲେ ଯେ ଜରତ୍‍କାରୁ ନାମରେ ଜଣେ ଋଷି ଅଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ଜରତ୍‍କାରୁ । ଋଷିପତ୍ନୀ ଜରତ୍‍କାରୁ ସର୍ପରାଜ ବାସୁକୀଙ୍କ ଭଉଣୀ । ତାଙ୍କ ଗର୍ଭରୁ ଆସ୍ତିକ ଜନ୍ମ ହେବେ ଓ ସେ ନାଗଲୋକଙ୍କୁ ମୁକ୍ତ କରିବେ ।

 

ଏହାର କିଛିଦିନ ପରେ ସମୁଦ୍ର ମନ୍ଥନ ହେଲା । ସମୁଦ୍ର ମନ୍ଥନରେ ବାସୁକୀଙ୍କୁ ଦଉଡ଼ି ଭାବେ ବ୍ୟବହାର କରାଯାଇଥିଲା । ଏହି କାରଣରୁ ବାସୁକୀଙ୍କ ଦେହ କୃଶ ହୋଇଯାଇଥିଲା । ସେ ଦିନେ ଯାଉଥିଲା ବେଳେ କେତେକ ପିତୃପୁରୁଷଙ୍କୁ ଏକ ଗର୍ଭ ମୁହଁରେ ଝୁଲୁଥିବାର । ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପାୟ ଚିନ୍ତା କଲେ । ତାଙ୍କ ପ୍ରଶ୍ନ ଶୁଣି ଜଣେ ପିତର କହିଲେ ଯେ ସେମାନେ ବଂଶନାଶ ଦୋଷରେ ଦୋଷୀ । ପୂଣ୍ୟ କ୍ଷୀଣ ହେବାରୁ ପୁଣ୍ୟ ଲୋକରୁ ଖସି ପଡ଼ିଲେ । ସେମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ବଞ୍ଚି ରହିଲେ । ସେ ନିଜ କର୍ମ ଓ ତପସ୍ୟା ଯୋଗୁ ଜରତ୍‍କାରୁ ନାମରେ ବିଦିତା । ସେ ବେଦ ଓ ବେଦାନ୍ତରେ ବିଚକ୍ଷଣ । ସେ ତପସ୍ୟା କରିବା ପାଇଁ ଚାଲିଯିବାରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ କେହି ରହିଲେ ନାହିଁ । ତାଙ୍କୁ କୁହ ଯେ ସେ ଯଦି ବିବାହ କରି ସନ୍ତାନ ଉତ୍ପନ୍ନ କରନ୍ତି ସେହି ସନ୍ତାନମାନେ ଏହି ପିତରମାନଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହେବେ । ତେଣୁ ଆପଣ ଯାହା ଉଚିତ ବିଚାର କରିବେ ତାହା ହିଁ କରନ୍ତୁ । କ୍ଷୀଣକାୟ ବାସୁକୀଙ୍କ ମୁହଁରୁ ପିତରଗଣଙ୍କୁ ଉଦ୍ଧାର କରିବାର ବାଟ ନିର୍ଣ୍ଣୟ କରିବାକୁ ଚାହିଁବାରୁ ସେମାନେ କହିଲେ ଯେ ତୁମେ ତ ଅତିବାହିତ । ଏହା ଶୁଣି ଜରତ୍‌କାରୁ କହିଲେ-ମୁଁ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରି ସ୍ୱର୍ଗଲୋକ ପ୍ରାପ୍ତ କରିବା ପାଇଁ ବ୍ରତ କରିଛି । କିନ୍ତୁ ଆପଣମାନଙ୍କ ଦୁର୍ଦ୍ଦଶା ମୋଚନ କରିବା ଲାଗି ମୁଁ ବ୍ରତଭଙ୍ଗ କରି ବିବାହ କରିବି । କିନ୍ତୁ ମୋର ଗୋଟିଏ ସର୍ତ୍ତ ପୂର୍ଣ୍ଣ ହେବା ଦରକାର । ମୁଁ ଯାହାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଚି ସେଇ କନ୍ୟାଙ୍କ ନାମ ମଧ୍ୟ ଜରତ୍‍କାରୁ ହୋଇଥିବ । ପିତୃଗଣଙ୍କୁ ଏହା କହି ଜରତ୍‍କାରୁ ପୃଥିବୀ ଭ୍ରମଣରେ ବାହାରିଗଲେ । କିନ୍ତୁ ବହୁ ଖୋଜିଲା ପରେ ସୁଦ୍ଧା ଏପରି କନ୍ୟା ମିଳିଲେ ନାହିଁ । ସାପମାନଙ୍କଠାରୁ ସବୁ ବୃତ୍ତାନ୍ତ ଶୁଣିବା ପରେ ବାସୁକୀ ନିଜର ଭଉଣୀ ଜରତ୍‍କାରୁ ଙ୍କୁ ତାଙ୍କ ହସ୍ତରେ ସମର୍ପଣ କରିବା ପାଇଁ ସମ୍ମତ ହେଲେ କିନ୍ତୁ ସର୍ତ୍ତ ରହିଲା ଯେ ଭଉଣୀ ଯେପରି ସ୍ୱାମୀଙ୍କ ମନରକ୍ଷା କରି ଚଳିବେ ଓ ତାଙ୍କୁ କ୍ଷୁର୍ଣ୍ଣ କରିବା ପାଇଁ ସେପରି କିଛି କରିବେ ନାହିଁ । ଏହାପରେ ବିବାହ ସମ୍ପନ୍ନ ହେଲା । ଦିନେ ଜରତ୍‍କାରୁ ଋଷି ପତ୍ନୀଙ୍କ କୋଳରେ ମଥା ରଖି ଶୋଇଥିଲେ । ସେତେବେଳେ ସୂର୍ଯ୍ୟାସ୍ତ ସମୟ ଦେଖି ମଧ୍ୟ ମୁନିପତ୍ନୀ ସ୍ୱାମୀଙ୍କ ନିଦ୍ରାଭଙ୍ଗ କରିବା ଉଚିତ ହେବ କି ନାହିଁ ଚିନ୍ତା କରିବାକୁ ଲାଗିଲେ । ସନ୍ଧ୍ୟାର ଶୋଇବା ଅଧର୍ମ ହେବ ଭାବି ସେ ମଧୁର ସ୍ୱରରେ ସ୍ୱାମୀଙ୍କୁ ଡାକିଲେ । ଋଷି ଜରତ୍‍କାରୁ ଙ୍କ ନିଦ୍ରାଭଙ୍ଗ ହେବାରୁ ସେ ତାଙ୍କୁ ଅଭିଶାପ ଦେଇ କହିଲେ ମୁଁ ଏବେ ଆଉ ତୁମ ସହିତ ନରହି ଯେଉଁଠାରୁ ଆସିଥିଲି ସେଠାକୁ ଚାଲିଯିବି ଏବଂ ଜରତ୍‍କାରୁ ଋଷି ତାହାହିଁ କଲେ । କିନ୍ତୁ ସେତେବେଳେ ଋଷିପତ୍ନୀ ଗର୍ଭବତୀ ଥିଲେ । ତାଙ୍କ ପୁତ୍ର ଯେ ତେଜସ୍ୱୀ ଓ ତପସ୍ୱୀ ହେବେ ଏହି ଆଶ୍ୱାସନା ପ୍ରଦାନ କରି ଜରତ୍‍କାରୁ ପ୍ରସ୍ଥାନ କଲେ ।

 

ଏହାପରେ ଋଷିପତ୍ନୀ ଜରତ୍‌କାରୁ ନିଜ ଭାଇ ବାସୁକୀ ପାଖକୁ ଫେରିଗଲେ । ସେଠାରେ ତାଙ୍କ ଗର୍ଭରୁ ଏକ ଦିବ୍ୟସନ୍ତାନ ଜନ୍ମହେଲା । ସେ ବଡ଼ହେବାରୁ ତାଙ୍କୁ ଚ୍ୟବନ ମୁନି ବେଦଶିକ୍ଷା ଦେଲେ । ସେ ଗର୍ଭରେ ଥିବା ବେଳେ ପିତା ଜରତ୍‍କାରୁ ଋଷି ଅସ୍ତି ଶବ୍ଦ ଉଚ୍ଚାରଣ କରିଥିବାରୁ ତାଙ୍କ ନାମ ହେଲା ଆସ୍ତିକ । ପୁନଶ୍ଚ ଶତରୁଦ୍ର ସଂହିତା ଅନୁସାରେ ଧନ୍ୱନ୍ତରୀ ଦେବତାମାନଙ୍କ ବୈଦ୍ୟ ଥିଲେ । ତାଙ୍କ ଅସୀମ ପାରଲୌକିକ ଶକ୍ତି ଥିଲା । ମନ୍ତ୍ରଶକ୍ତି ବଳରେ ସେ ସବୁ କିଛି କରିପାରୁଥିଲେ । ଭଗବାନ ଶଙ୍କର ତାଙ୍କୁ ଏହି ବର ଦେଇଥିଲେ । ଥରେ ଶଙ୍କରଙ୍କୁ ଦର୍ଶନ କରିବା ନିମନ୍ତେ ଧନ୍ୱନ୍ତରୀ କୈଳାସ ପର୍ବତକୁ ଯାଇଥିଲେ । ବାଟରେ ତାଙ୍କର ତକ୍ଷକ ନାଗ ସହିତ ଭେଟ ହେଲା ।

 

ତକ୍ଷକ ଧନ୍ୱନ୍ତରୀଙ୍କୁ ଦେଖିବା କ୍ଷଣି ଜିଭ ବାହାରକରି ବିଷ ଛାଡ଼ିଲା । ଧନ୍ୱନ୍ତରୀ ମନ୍ତ୍ର ବଳରେ ତକ୍ଷକର ସବୁ ବିଷ ନଷ୍ଟ କରିଦେଲେ ଏବଂ ସବୁ ନାଗ ଅସହାୟ ପରି ପଡ଼ିରହିଲେ । ଯେଉଁ ନାଗମାନେ ଦୂରରେ ଥାଇ ଏହା ଦେଖୁଥିଲେ ସେମାନେ ଯାଇ ବାସୁକୀଙ୍କୁ ଏହା କହିଲେ । ବାସୁକୀ କ୍ରୋଧାନ୍ୱିତ ହୋଇ ଅସଂଖ୍ୟ ସାପଙ୍କୁ ସେଠାକୁ ପଠାଇଲେ କିନ୍ତୁ ସେମାନେ ମଧ୍ୟ ଧନ୍ୱନ୍ତରୀଙ୍କ ମନ୍ତ୍ରଶକ୍ତି ବଳରେ ନିଶ୍ଚେଷ୍ଟ ହୋଇଗଲେ । ନାଗମାନଙ୍କର ପରାଜୟ ଖବର ପାଇଁ ବାସୁକୀ ଚିନ୍ତିତ ହେଲେ ଏବଂ ଶେଷରେ ନିଜ ଭଉଣୀ ନାଗକନ୍ୟା ମନସାଙ୍କୁ ପଠାଇଲେ । ଏହାପରେ ମନସା ଓ ଧନ୍ୱନ୍ତରୀ ଉଭୟଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ଚାଲିଲା ଏବଂ ତାଙ୍କ ବିଷ ଜ୍ୱାଳାରେ ଶହ ଶହ ଶିଷ୍ୟ ଶିଷ୍ୟା ମରିଗଲେ ମଧ୍ୟ ଧନ୍ୱନ୍ତରୀ ମନ୍ତ୍ରଶକ୍ତି ବଳରେ ସେମାନଙ୍କୁ ପୁନର୍ଜୀବିତ କଲେ । ଏହାପରେ ମନସା ଶିବ ପ୍ରଦତ୍ତ ‘ଅମୋଘଶୂଳ’ ପ୍ରହାର କରିବା ପାଇଁ ସ୍ଥିର କଲେ । ଏହି ଅଲଂଘ୍ୟ ଅସ୍ତ୍ର ଆଗରୁ ଧନ୍ୱନ୍ତରୀଙ୍କୁ ରକ୍ଷା କରିବା ପାଇଁ ଆଉ ଉପାୟ ନଦେଖି ସ୍ୱୟଂ ଶିବ ଓ ବ୍ରହ୍ମା ଆସି ମଝିରେ ଛିଡ଼ା ହୋଇଗଲେ ଏବଂ ମନସାଙ୍କୁ ନିରସ୍ତ୍ର କଲେ । ସେମାନଙ୍କୁ ସମ୍ବୋଧନ କରି ବ୍ରହ୍ମା କହିଲେ–ତୁମେ ଦୁହେଁ ସମଶକ୍ତିମାନ । ଉଭୟ ଭକ୍ତ । ତେଣୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଶୋଭାପାଏ ନାହିଁ । ତାପରେ ଧନ୍ୱନ୍ତରୀଙ୍କୁ କହିଲେ ଯେ ମନସା ଦେବୀ ତାଙ୍କର ପୂଜ୍ୟା, ତେଣୁ ସେ କ୍ଷମା ମାଗିବା ଉଚିତ । ଧନ୍ୱନ୍ତରୀ ତାହାହିଁ କଲେ । ତାପରେ ବ୍ରହ୍ମା ଘୋଷଣା କଲେ-ଆଜିଠାରୁ ମନସା ସର୍ପମାନଙ୍କର ଦେବୀ ଏବଂ ଏହି ରୂପରେ ସେ ସାରା ସଂସାରରେ ପୂଜା ପାଇବେ । ବ୍ରହ୍ମାଙ୍କ ବରଲାଭ କରି ସବୁ ନାଗ ଜୀବନ ଫେରିପାଇଲେ ଏବଂ ମନସା ନାଗଲୋକକୁ ସଦଳବଳ ପ୍ରତ୍ୟାବର୍ତ୍ତନ କଲେ ।

 

ଏହାପରେ ଦେବୀ ଭାଗବତରେ ବର୍ଣ୍ଣିତ ଅଛି ଯେ ମନୁଷ୍ୟମାନେ ନାଗମାନଙ୍କ ଦ୍ୱାରା ନିର୍ଯାତିତ ହୋଇ କଶ୍ୟପଙ୍କ ଶରଣ ନେଲେ । କଶ୍ୟପ ବ୍ରହ୍ମାଙ୍କ ସହିତ ଏକତ୍ର ବିଷହରଣ ମନ୍ତ୍ର ବାହାର କଲେ । ମନରେ ସେହି ମନ୍ତ୍ର ସ୍ମରଣ କରିବାରୁ ଅଧିଷ୍ଠାତ୍ରୀ ଦେବୀ ଆବିର୍ଭାବ ହେଲେ । ସେ ମନରେ ପ୍ରକଟ ହେବାରୁ ମନସା ଦେବୀ କୈଳାସ ପର୍ବତକୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ତାଙ୍କର ଭକ୍ତି ଦେଖି ଶିବ ପ୍ରସନ୍ନ ହେଲେ । ଏହାପରେ ଆଶୁତୋଷ ଶିବ ମନସାଙ୍କୁ ଆଠ ଅକ୍ଷର ବିଶିଷ୍ଟ କଳ୍ପତରୁ କୃଷ୍ଣମନ୍ତ୍ର ପ୍ରଦାନ କଲେ । ତ୍ରୈଲୋକ୍ୟ ମଙ୍ଗଳ କବଚ ମଧ୍ୟ ପ୍ରଦାନ କଲେ । ଶଙ୍କରଙ୍କ ଆଶାନୁସାରେ ମନସା ପଷ୍କର କ୍ଷେତ୍ର ଯାଇ ଶ୍ରୀକୃଷ୍ଣଙ୍କୁ ତିନିଯୁଗ ପର୍ଯ୍ୟନ୍ତ ଧ୍ୟାନ କଲେ । ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ ତାଙ୍କୁ ବରଦାନ କରନ୍ତେ ସେ ଜଗତ ବନ୍ଦନୀୟା ହେଲେ ।

 

ଏଣେ ଜରତ୍‌କାରୁ ଋଷିପତ୍ନୀଙ୍କୁ ଛାଡ଼ି ତପସ୍ୟା କରିବା ପାଇଁ ଚାଲିଗଲେ ଏବଂ ଋଷିପତ୍ନୀ ଶୋକାକୁଳ ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ । ତା’ପରେ ଶିବଙ୍କ ନିକଟକୁ ଗଲେ । ଶୋକାକୁଳ ମୁନିପତ୍ନୀଙ୍କୁ ପାର୍ବତୀ ଆଶ୍ୱାସନା ଦେଲେ ଏବଂ ସେଠାରେ ଜରତ୍‍କାରୁ ଋଷିଙ୍କ ପତ୍ନୀ ଏକ ତେଜସ୍ୱୀ ପୁତ୍ର ପ୍ରସବ କଲେ । ତାଙ୍କ ନାମ ଆସ୍ତିକ । ବଡ଼ହେବା ପରେ ଶଙ୍କରଙ୍କ ଆଜ୍ଞାରେ ଆସ୍ତିକ ତପସ୍ୟା କରିବା ପାଇଁ ପୁଷ୍କର ତୀର୍ଥ ଗଲେ । ଶିବଙ୍କ ପ୍ରଦତ୍ତ ମହାମନ୍ତ୍ର ତିନିଲକ୍ଷ ବର୍ଷ ପର୍ଯ୍ୟନ୍ତ ଜପ କରିବାରୁ ଆସ୍ତିକ ଯୋଗୀ ହୋଇ ମାଆଙ୍କ ପାଖକୁ ଲେଉଟିଗଲେ । ତାପରେ ମନସା ପିତା କଶ୍ୟପଙ୍କ ଆଶ୍ରମକୁ ପୁତ୍ର ସହିତ ଗଲେ ଏବଂ ମୁନିକନ୍ୟା ଓ ନାତିକୁ ଦେଖି ଅତି ପ୍ରସନ୍ନ ହେଲେ । କଶ୍ୟପ ମୁନିଙ୍କ ଆଶ୍ରମରେ ମନସା ଓ ପୁତ୍ର ଆସ୍ତିକ ଥିବା ସମୟରେ ପରୀକ୍ଷିତ ମହାରାଜ ଏକ ସପ୍ତାହ ମଧ୍ୟରେ ସର୍ପଦଂଶନ ଦ୍ୱାରା ନିଧନ ହେବେ ବୋଲି ବ୍ରାହ୍ମଣ ଅଭିଶାପ ଦେଲେ । ଏହାପରେ ଶାପଗ୍ରସ୍ତ ପରୀକ୍ଷିତ ଏକ ସୁରକ୍ଷିତ ସ୍ଥାନକୁ ଯାଇ ଆଶ୍ରୟ ନେଲେ । ତକ୍ଷକ ବ୍ରାହ୍ମଣ ବେଶରେ ରାଜାଙ୍କ ନିକଟକୁ ଧନ ପ୍ରାପ୍ତି ଆଶାରେ ଯାଉଥିବାବେଳେ ବାଟରେ ଧନ୍ୱନ୍ତରୀଙ୍କ ସାକ୍ଷାତ ହେଲା । ଧନ୍ୱନ୍ତରୀ କୌଶଳ କରି ତାଙ୍କଠାରୁ ମଣି ମାଗିନେଲେ । ତକ୍ଷକ ବ୍ରାହ୍ମଣ ବେଶରେ ମହାରାଜା ପରୀକ୍ଷିତଙ୍କ ପାଖରେ ପହଞ୍ଚି ତାଙ୍କୁ ଦଂଶନ କଲା ଓ ମହାରାଜା ତତ୍‌କାଳ ନିଧନ ହେଲେ । ଏହାପରେ ପିତାଙ୍କ ସଂସ୍କାର କରିସାରି ସର୍ପଜ୍ୱାଳା ଧ୍ୱଂସ କରିବା ପାଇଁ ପରୀକ୍ଷିତ ପୁତ୍ର ଜନମେଜୟ ସର୍ପ ଯଜ୍ଞର ଆୟୋଜନ କଲେ । ନାଗବଂଶ ଧ୍ୱଂସ ହେଉଥିବା ଦେଖି ତକ୍ଷକ ଇନ୍ଦ୍ରଙ୍କ ଶରଣାପନ୍ନ ହେଲେ । ଇନ୍ଦ୍ରାଦି ଦେବତା ବ୍ରାହ୍ମଣ ତକ୍ଷକଙ୍କ ସହିତ ମନସାଙ୍କ ନିକଟକୁ ଗଲେ-। ସେଠାରୁ ମନସା ମାତାଙ୍କ ଆଜ୍ଞାନୁସାରେ ଆସ୍ତିକ ଯଜ୍ଞସ୍ଥଳକୁ ଯାଇ ତକ୍ଷକଙ୍କୁ ରକ୍ଷା କରିବା ପାଇଁ ଜନ୍ମେଜୟଙ୍କୁ ପ୍ରାର୍ଥନା କଲେ । ଜନ୍ମେଜୟ ଏଥିରେ ସନ୍ତୁଷ୍ଟ ହୋଇ ତକ୍ଷକଙ୍କୁ ଅଭୟ ପ୍ରଦାନ କଲେ-

 

ତା’ପରେ ବ୍ରାହ୍ମଣ, ମୁନିଗଣ ଓ ଦେବଗଣ ସମସ୍ତେ ମିଶି ମନସା ଦେବୀଙ୍କ ପାଖକୁ ଯାଇ ତାଙ୍କ ସ୍ତବସ୍ତୁତି କଲେ । ସେଠାରେ ନାରାୟଣ ସ୍ତୁତି କରିଥିବା ମନ୍ତ୍ର ଶୁଣି ମନସା ସନ୍ତୁଷ୍ଟ ହେଲେ । ଏହାପରେ ଇନ୍ଦ୍ର ମନସା ଦେବୀଙ୍କୁ ରତ୍ନସିଂହାସନରେ ପ୍ରତିଷ୍ଠିତ କଲେ । ପ୍ରଥମେ ଗଣେଶଙ୍କୁ ପୂଜାକରି ତାପରେ ସୂର୍ଯ୍ୟ, ଅଗ୍ନି, ବିଷ୍ଣୁ, ଶିବ, ଶିବା ଏହି ଛଅ ଦେବତାଙ୍କୁ ପୂଜା କରି ମନସା ଦେବୀଙ୍କୁ ପୂଜା କଲେ । ସେହିଦିନୁ “ଓଁ ହ୍ରୀ ଶ୍ରୀ ମନସା ଦୈବ୍ୟାଂ ସ୍ୱାହା” ମୂଳମନ୍ତ୍ରରେ ଦେବୀଙ୍କ ପୂଜା ହୋଇଯାଇଛି । ମନସା ଦେବୀଙ୍କ ମୂଳମନ୍ତ୍ର ପାଞ୍ଚଲକ୍ଷଥର ଜପ କଲେ ସିଦ୍ଧି ଲାଭ ହୁଏ । ଏହି ସିଦ୍ଧ ପୁରୁଷଙ୍କୁ ସର୍ପଭୟ ସ୍ପର୍ଶ କରେ ନାହିଁ, ବରଂ ସେ ସର୍ପଶଯ୍ୟା ଉପରେ ଶୟନ କଲେ ମଧ୍ୟ କୌଣସି କ୍ଷତି ହୁଏନାହିଁ ।

 

ମନସା ଦେବୀଙ୍କ ପୀଠ ସିଦ୍ଧପୀଠ ଓ ଶକ୍ତିପୀଠ ଭାବେ ପ୍ରସିଦ୍ଧ । ଏହାଛଡ଼ା ଭାରତରେ ୧୦୮ ସିଦ୍ଧପୀଠରେ ଦେବୀ ବିଭିନ୍ନ ନାମରେ ପୂଜା ପାଉଥିବା ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

 

ଭାରତୀୟ ସଂସ୍କୃତି ଧର୍ମଧାରା ଓ ଜୀବନଦର୍ଶନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ସବୁ ପୁରାଣର ମୂଳବସ୍ତୁ ସମର୍ପଣ ଓ ଭକ୍ତି । ଧର୍ମ ଭାରତୀୟ ଜୀବନ ଓ ଦର୍ଶନକୁ ଦୁର୍ବଳ ନ କରି କରିଛି ଶକ୍ତିଶାଳୀ ।

 

ସନାତନ ଧର୍ମ ଏବଂ ଏ ଦେଶର ସଂସ୍କୃତି ଓ ଧର୍ମଧାରଣା ଆଗରେ ନତମସ୍ତକ ହୋଇ ଆମେ ଗଲୁ ଡେରାଡୁନ–ହାବଡା ଏକ୍ସପ୍ରେସର ଶୀତତାପ ନିୟନ୍ତ୍ରିତ କୋଠରୀକୁ । ପୁଣି ଫେରିବାକୁ ହେବ କଲିକତା ଓ ସେଠାରୁ ଭୁବନେଶ୍ୱର ।

 

ଟ୍ରେନ ଚାଲିଲା । ହିମାଳୟର ଶୀତଳ ପବିତ୍ର ସ୍ପର୍ଶ ପବନରେ ଭାସିଆସି ଦେହ ଓ ମନରେ ଭରି ଦେଉଥିଲା ଏକ ଅନୁନୁଭୂତ ଅନିର୍ବଚନୀୟ ପ୍ରସନ୍ନତା ।

☆☆☆

 

ମୋହନରୁ ମହାତ୍ମା

 

ପୁରୀ ଓଖା ଏକ୍ସପ୍ରେସ ଗାଡ଼ି ପୂର୍ବତନ ରେଳବାଇ ରାଷ୍ଟ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଦ୍ୱାରା ଉଦ୍‌ଘାଟିତ ହେବା ପରେ ସେଥିରେ ଆମେ କେବଳ ପୁଣ୍ୟଧାମ ଶ୍ରୀକ୍ଷେତ୍ରରୁ ବାହାରି ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ଗତିକରି ଗୁଜୁରାଟର ଶେଷ ସୀମାନ୍ତରେ ଥିବା ଓଖା ବନ୍ଦର ପର୍ଯ୍ୟନ୍ତ ଯାଇନଥିଲୁ । ୨୬ ଶହ ଛପନ ଘଣ୍ଟାର ପଥ, କିନ୍ତୁ ଏଇ ଦୀର୍ଘ କିଲୋମିଟର ପଥ ଅତିକ୍ରମ କଲାବେଳେ ଭାରତର ଏପରି ସବୁ ଅଞ୍ଚଳ ଦୃଷ୍ଟିରେ ପଡ଼େ ଯାହା ଅନେକ କେବେ ଦେଖି ନଥିବେ ବା ଦେଖିବାର ଆବଶ୍ୟକତା ବି ନଥିବ । ଭାରତର ଚାରି ପୁଣ୍ୟଧାମ ମଧ୍ୟରୁ ଓଡ଼ିଶାର ଶ୍ରୀକ୍ଷେତ୍ରର ଏବଂ ଗୁଜୁରାଟର ଦ୍ୱାରକାଧାମ ଅନ୍ୟତମ । ଏହା ବାହାରେ ଉତ୍ତର ପ୍ରଦେଶର ଶୀର୍ଷଦେଶରେ ବରଫାବୃତ ହିମାଳୟରେ ସମୁଦ୍ର ପତ୍ତନଠାରୁ ପ୍ରାୟ ଏଗାର ହଜାର ଫୁଟ ଉଚ୍ଚରେ ବଦ୍ରିନାଥ ଓ ଦକ୍ଷିଣର ଶେଷ ପ୍ରାନ୍ତରେ ତାମିଲନାଡୁରେ ରାମେଶ୍ୱର । ଭାରତର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏଇ ଚାରିପୀଠ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ତରଣର ମୂର୍ତ୍ତ ପ୍ରତୀକ, କିନ୍ତୁ ତାଠାରୁ ଆହୁରି ଉଲ୍ଲେଖଯୋଗ୍ୟ ଭାରତୀୟ ଐତିହ୍ୟ ଓ ସଂହତି ଏମାନଙ୍କର କ୍ରମପ୍ରବହମାନ ଅବଦାନ । ତେଣୁ ଜଟଣୀରୁ ଶୁଭଯାତ୍ରା ଆରମ୍ଭ କଲାବେଳେ ଭାରତର ମାନଚିତ୍ର ଆପେ ଆଖି ଆଗରେ ଭାସି ଉଠିଲା ଏବଂ ମନେ ପଡ଼ିଗଲା ଏସିଆର ପ୍ରାଚୀନ ସଭ୍ୟତା ବିଷୟରେ ଶିକ୍ଷାଦାନ କରୁଥିବା ପ୍ରବୀଣ ତଥା ପ୍ରସିଦ୍ଧ ବିଦ୍ୱାନ ଏ.ଏ. ବାଶମ (A,L Basham)ଙ୍କ ମନ୍ତବ୍ୟ “India’s ancient culture did not perish before the onslaughts of the muslims as did that of Persia xxx Hindu civilization will, we, believe, retain its continuity . The Bhagvad Gita will not cease to inspire men of action and the Upanishads men of thought x x x In fact the whole face of India is altering but the cultural tradition continuous and it will never be lost.” ଅର୍ଥାତ ପର୍ସିଆରେ ଯେପରି ହୋଇଥିଲା ସେହିପରି ମୁସଲମାନ ଆକ୍ରମଣ ଆକ୍ରମଣ ଆଗରେ ଭାରତର ପ୍ରାଚୀନ ସଂସ୍କୃତି ଧ୍ୱଂସ ହୋଇଯାଇନାହିଁ । ଆମର ବିଶ୍ୱାସ ହିନ୍ଦୁ ସଂସ୍କୃତିର ଯାତ୍ରା ଅବ୍ୟାହତ ରହିବ । ଭଗବତ ଗୀତା ମଣିଷର କର୍ମପ୍ରବଣତାକୁ ଏବଂ ଉପନିଷଦ ମଣିଷର ଭାବନାକୁ ଉଦ୍‌ବୁଦ୍ଧ କରିବାରୁ ବିରତ ହେବନାହିଁ । ବାସ୍ତବରେ ସମଗ୍ର ଭାରତର ପରିବର୍ତ୍ତନ ଘଟୁଛି କିନ୍ତୁ ଏହାର ସାଂସ୍କୃତିକ ପରମ୍ପରାର ପ୍ରବାହ ବନ୍ଦ ହୋଇଯାଉନାହିଁ ବା ତାହା କେବେ ମଧ୍ୟ ହଜିଯିବ ନାହିଁ । ତେଣୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାରେ ଯୁଗ ଯୁଗ ଧରି ଉଦ୍‌ବୁଦ୍ଧ ହେଉଥିବା ଭାରତୀୟ ଜୀବନଧାରାରୁ ସମ୍ୟକ ଅନୁଭବ କରିବା ସକାଶେ ଯାତ୍ରା କଲାବେଳେ ଦ୍ୱାରକାଧୀଶ୍ୱର ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ମଥାନତ କରି ତାଙ୍କର ଜଣେ ମହାନ୍‌ଭକ୍ତ ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କ ଆଶ୍ରମ ଦେଖିବାର ଇଚ୍ଛା ପ୍ରବଳ ଥିଲା ।

 

ଗୁଜୁରାଟରେ କିଛିଦିନ

 

ଗୁଜୁରାଟର ଶିଳ୍ପନଗରୀ କାମନଗରରେ ଗାଡ଼ୁ ପହଁଚିଲା ସାତଘଣ୍ଟା ବିଳମ୍ବରେ । ଷ୍ଟେସନରେ ମୋ ସାନ ପୁଅ ଚିନ୍ମୟାଂଶୁ ଅପେକ୍ଷା କରୁଥିଲା । ସେଠାରେ ଗୋଟିଏ କମ୍ପାନୀରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ । ଅଫିସ କାର୍ଯ୍ୟରେ ଚିନ୍ମୟାଂଶୁ ଅହମ୍ମଦାବାଦ ଯାଉଥିଲା । ତା’ ସହିତ ବାହାରିଲୁ । କ୍ରୀଷ୍ଣାରାଓ ମଧ୍ୟ ସାଙ୍ଗରେ ଗଲା । ଜାମନଗରରୁ ଅହମ୍ମଦାବାଦ ପ୍ରାୟ ୩୪୦ କିଲୋମିଟର । ଓଖାରୁ ଅହମ୍ମଦାବାଦ ନିକଟବର୍ତ୍ତୀ ଅଞ୍ଚଳ ସୌରାଷ୍ଟ୍ର ନାମରେ ଖ୍ୟାତ । ଜୁନାଗଡ଼, ୱାକନେର, ଜାମନଗର, ରାଜକୋଟ ଇତ୍ୟାଦି ଦେଶୀୟ ରାଜ୍ୟ ଏଇ ଅଞ୍ଚଳର ଅନ୍ତର୍ଭୁକ୍ତ । ଭାଷାଭିତ୍ତିରେ ମହାରାଷ୍ଟ୍ରଠାରୁ ଅଲଗା ହେବାପରେ ଗୁଜୁରାଟ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେବାରୁ ସୌରାଷ୍ଟ୍ର ଅଞ୍ଚଳ ମଧ୍ୟ ଏହି ରାଜ୍ୟର ଅଂଶ ହୋଇ ରହିଲା । ଅହମ୍ମଦାବାଦରୁ ପଇଁତିରିଶ କିଲୋମିଟର ଦୂରରେ ଗୁଜୁରାଟର ରାଜଧାନୀ ଗାନ୍ଧୀନଗର । ଅହମ୍ମଦାବାଦ କାର୍ପାସ ଶିଳ୍ପ ପାଇଁ ବିଖ୍ୟାତ । କିନ୍ତୁ ଏଇ ଶିଳ୍ପନଗରୀକୁ ଯିବା ବାଟରେ ନୂତନ କୃଷିକ୍ଷେତ୍ର, ଶିଳ୍ପକେନ୍ଦ୍ର ଏବଂ ଜନବସତି ଗଢ଼ି ଉଠୁଥିବାର ନିଦର୍ଶନ ଦେଖି ପରିବର୍ତ୍ତିତ ହେଉଥିବା ଭାରତର ରୂପ ନାଚି ଉଠିଲା ଆଖି ଆଗରେ । ଗୁଜୁରାଟ ଏକ ଶିଳ୍ପପ୍ରଧାନ ରାଜ୍ୟ । ଏଠାରେ ବର୍ଷା କମ୍‌ହୁଏ, ତେଣୁ କୃଷିର ପ୍ରାଧାନ୍ୟ କମ୍‌ । କିନ୍ତୁ ଗତ କେତେବର୍ଷର ଯୋଜନାବଦ୍ଧ ଉଦ୍ୟମ ଫଳରୁ ଗୁଜୁରାଟର ସର୍ବତ୍ର ଅର୍ଥକରି ଫସଲ ଉତ୍ପାଦନ ଆଶାଜନକ ଭାବେ ବଢ଼ିଚାଲିଛି । ଚିନାବାଦାମ, ଲଙ୍କାମରିଚ, ସୋରିଷ, କପା, ଜଡ଼ା, ବାଜରା ଓ ଗହମ ଚାଷର ବିସ୍ତୃତ କ୍ଷେତ ଆଖିଆଗରେ ଭାସି ଉଠେ ରାସ୍ତାର ଦୁଇପାଖରେ । ଉଠାଜଳସେଚନ ଦ୍ୱାରା ଭୂତଳ ଜଳସମ୍ପଦର ପ୍ରଭୂତ ଉପଯୋଗ ସମ୍ଭବ ହୋଇଛି ଏଠାରେ । ବିଜୁଳି ଶକ୍ତିରେ ଗୁଜୁରାଟ ସ୍ୱାବଲମ୍ବୀ ।

 

ଅହମ୍ମଦାବାଦରେ ପହଁଚିଲୁ ରାତି ବାରଟାରେ । ହୋଟେଲ କର୍ଣ୍ଣାବତୀରେ ରାତ୍ରିଯାପନ କରି ସକାଳେ ଗଲୁ ଗାନ୍ଧୀ ଆଶ୍ରମକୁ । ସାବରମତୀ ନଦୀକୂଳରେ ଅହମ୍ମଦାବାଦ ନଗରୀ ଅବସ୍ଥିତ-। ତେଣୁ ଏଇ ସତ୍ୟାଗ୍ରହ ଆଶ୍ରମ ମଧ୍ୟ ସାବରମତୀ ଆଶ୍ରମ ଏବଂ ଗାନ୍ଧୀ ସ୍ମାରକ ସଂଗ୍ରହାଳୟ ନାମରେ ପରିଚିତ । ଗାନ୍ଧୀଜୀ କିପରି ମୋହନରୁ ମହାତ୍ମାରେ ପରିଣତ ହେଲେ, ଏଇ ଆଶ୍ରମ ତା’ର ମୂକସାକ୍ଷୀ । ସେଥିପାଇଁ ଯେକୌଣସି ତୀର୍ଥସ୍ଥାନ ଅପେକ୍ଷା ସାବରମତୀର ଗାନ୍ଧୀ ଆଶ୍ରମର ପବିତ୍ରତା ଓ ଐତିହାସିକା କୌଣସି ଗୁଣରେ କମ୍‌ ନୁହେଁ ।

 

ଆମେ ଆଶ୍ରମ ଫାଟକ ପାଖରେ ଯୋତା ରଖି ଭିତରକୁ ଯିବା ପୂର୍ବରୁ ମଥା ନତ କଲୁ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟସ୍ମୃତି ଉଦ୍ଦେଶ୍ୟରେ । ଭିତରକୁ ପ୍ରବେଶ କରିବା ପୂର୍ବରୁ ଫାଟକ ପାଖରେ ଥିବା ଫଳକରୁ ଜାଣିଲୁ ଯେ ଗାନ୍ଧୀଜୀ ସାବରମତୀ ଆଶ୍ରମ ଛାଡ଼ି ଚାଲିଯିବା ପରେ ଆଉ ଏଠାକୁ ଫେରି ନଥିଲେ । ତାପରେ ତାଙ୍କର ନିଧନ ପରେ ସ୍ଥାନୀୟ ଅଧିବାସୀ ଓ ଦାତାମାନଙ୍କ ଉଦ୍ୟମରେ ଏହି ଆଶ୍ରମ ସାବରମତୀ ଗାନ୍ଧୀ ସ୍ମାରକ ସଂଗ୍ରାହଳୟରେ ରୂପାନ୍ତରିତ ହେଲା । ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୦.୦୫.୧୯୬୩ରେ ଏହି ସଂଗ୍ରହାଳୟ ଉଦ୍‌ଘାଟନ କରି ସ୍ମାରକ ସ୍ୱରୂପ ଗୋଟିଏ ଅଶୋକ ଚାରା ରୋପଣ କରିଥିଲେ । ସେଇ ଗଛ ଏବେ ଶାଖା ପ୍ରଶାଖା ମେଲି ଆଗନ୍ତୁକମାନଙ୍କୁ ସ୍ୱାଗତ କରେ ପ୍ରବେଶ ଦ୍ୱାରଦେଶରେ ।

 

ଦକ୍ଷିଣ ଆଫ୍ରିକାରୁ ଫେରି ସାବରମତୀ ଆଶ୍ରମ ପ୍ରତିଷ୍ଠା କରିବା ପୂର୍ବରୁ ଗାନ୍ଧୀଜୀ ଅହମ୍ମଦାବାଦ ନିକଟସ୍ଥ କୋଚରାବ ଗ୍ରାମରେ ବାରିଷ୍ଟର ଜୀବନଲାଲ ଦେଶାଇଙ୍କ ଘର ଭଡ଼ାନେଇ ସେଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ ୧୯୧୫ ମସିହାରେ । ପ୍ଲେଗ ରୋଗ ସେଇ ଅଞ୍ଚଳରେ ବ୍ୟାପିବାରୁ ଗାନ୍ଧିଜୀ ଆଶ୍ରମକୁ ସାବରମତୀ କୂଳକୁ ଉଠାଇ ଆଣିଲେ । ଏହାର ନାମ ସତ୍ୟାଗ୍ରହ ଆଶ୍ରମ, କେହି କେହି ମଧ୍ୟ ହରିଜନ ଆଶ୍ରମ କହନ୍ତି । ଗାନ୍ଧୀଜୀ ଥିଲେ ସତ୍ୟର ପୂଜାରୀ । ତାଙ୍କ ପାଇଁ ସତ୍ୟ ହିଁ ଭଗବାନ । ସେ ଥରେ କହିଥିଲେ ଯେ “ ମୋର ଅନୁଭବ ମୋତେ ବିଶ୍ୱାସ ଯେ ସତ୍ୟ ବାହାରେ ଆଉ କୌଣସି ଈଶ୍ୱର ନାହାନ୍ତି ।” ପ୍ରତିଦିନ ସତ୍ୟର ମୁହାଁମୁହିଁ ହେବା ଓ ସତ୍ୟକୁ ଜୀବନର ସବୁ ମୁହୂର୍ତ୍ତରେ ପରୀକ୍ଷା କରିବା ଥିଲା ଗାନ୍ଧିଜୀଙ୍କ ସଂକଳ୍ପ ଏବଂ ସେଥିରେ ସେ ସଦାବେଳେ ସଫଳତା ଲାଭ କରିଥିଲେ । ସାବରମତୀ ନଦୀକୂଳରେ ତେନ୍ତୁଳି, ଅଶୋକ ଓ ଅନ୍ୟାନ୍ୟ ବନସ୍ପତି ଗହଣରେ ଆଶ୍ରମର ଦୃଶ୍ୟ ଯେପରି ନିର୍ମଳ ଓ ପବିତ୍ର, ଏହାର ପ୍ରତି ଧୂଳିକଣାରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ସେହିପରି ଜଡ଼ିତ । ୧୯୧୭ରୁ ୧୯୩୦ ପର୍ଯ୍ୟନ୍ତ ସାବରମତୀ ଆଶ୍ରମ ଥିଲା ଗାନ୍ଧୀଜୀଙ୍କ ସାଧନାର ଓ ସତ୍ୟାନୁସନ୍ଧାନର ପୀଠ । ଏଇ ସତ୍ୟ ହିଁ ତାଙ୍କୁ ଦେଖାଇଥିଲା ଅହିଂସା ମାର୍ଗ । ଲବଣ ସତ୍ୟାଗ୍ରହରେ ଯୋଗଦେବା ସକାଶେ ଦାଣ୍ଡୀ ଅଭିଯାନରେ ଏହିଠାରୁ ବାପୁ ଯାତ୍ରା କରିଥିଲେ ମାର୍ଚ୍ଚ ମାସ ୧୨ ତାରିଖ ୧୯୩୦ ମସିହାରେ ।

 

କେତୋଟି ଟାଇଲ ଛପର ପକ୍‌କା କାନ୍ଥ ଘରକୁ ନେଇ ଆଶ୍ରମ । ଗାନ୍ଧୀଜୀ, କସ୍ତୁରବା ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ରହୁଥିବା କୁଟୀର ‘ହୃଦୟକୁଞ୍ଜ’ ନାମରେ ପରିଚିତ । ଏହି ‘ହୃଦୟକୁଞ୍ଜ’ରେ ଗାନ୍ଧିଜୀ ୧୯୧୮ରୁ ୧୯୩୦ ପର୍ଯ୍ୟନ୍ତ ରହି ସ୍ୱାଧୀନତା ସଂଗ୍ରାମ ପରିଚାଳନା କରିଥିଲେ । ସାବରମତୀ ନଦୀକୁ ମୁହଁ କରି ଅବସ୍ଥିତ ହୃଦୟକୁଞ୍ଜରେ ପ୍ରବେଶ କରିବା କ୍ଷଣି ଏକ ପ୍ରସନ୍ନତା ଖେଳିଗଲା ସର୍ବାଙ୍ଗରେ । ମହାମାନବଙ୍କ ପାଦସ୍ପର୍ଶରେ ସବୁଦିନ ପାଇଁ ପବିତ୍ର ହୋଇଯାଇଛି ଏ କୁଟୀର । ସବୁ କୋଠରୀଗୁଡ଼ିକ ପ୍ରଶସ୍ତ ଓ ଖୋଲା । ଏହି କୋଠରୀରେ ପଥର ଚଟାଣ ଉପରେ ସପ ଉପରେ ବସି କାର୍ଯ୍ୟ କରୁଥିଲେ ଗାନ୍ଧିଜୀ । ସେ ବ୍ୟବହାର କରୁଥିବା ଗୋଟିଏ କାଠ ଡେସ୍କ, କାଗଜପତ୍ର ରଖୁଥିବା ଗୋଟିଏ ଛୋଟ ର୍ୟାକ୍‌ ଏବେ ବି ସେଠାରେ ଅଛି । ସ୍ୱାଧୀନତା ସଂଗ୍ରାମର ରଥୀ ମହାରଥୀ ତଥା ସାଧାରଣ ସୈନିକମାନେ ଏବଂ ବିଦେଶୀ ପ୍ରଶଂସକ ବା ପର୍ଯ୍ୟଟକମାନେ ତାଙ୍କ ସହିତ ଏଇ କୋଠରୀରେ ଆଳାପ ଆଲୋଚନା କରୁଥିଲେ । ପର୍ଯ୍ୟାପ୍ତ ଆଲୁଅ ଓ ପବନ ପରି ମୁକ୍ତ ଚିନ୍ତା ଥିଲା ଗାନ୍ଧିଜୀଙ୍କ ସାଧନାର ଆବଶ୍ୟକ ଉପାଦାନ । କସ୍ତୁରବା ଓ ଗାନ୍ଧିଜୀ ରହିବା କୋଠରୀଗୁଡ଼ିକ ଦର୍ଶକମାନଙ୍କ ପାଇଁ ଉନ୍‌ମୁକ୍ତ ରହେ ପ୍ରତିଦିନ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟ ଓ ସମୟର ଅନେକ ଫଟୋଚିତ୍ର ଏଥିରେ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀ ବ୍ୟବହାର କରୁଥିବା ପଥର ବାସନ, କଣ୍ଟା, ଛୁରି, ଦୁଆତ, ପରକଲମ, ଚାମଚ, ଚରଖା, ଗଦି, ତକିଆ, କଟୁରୀ ଓ ଅନ୍ୟାନ୍ୟ ଉପକରଣ ଗଚ୍ଛିତ ଅଛି ଦେଖିବା ପାଇଁ ।

 

ନାମର ମହିମା ଏତେ ବଡ଼ ହେଲେ ସୁଦ୍ଧା ଗାନ୍ଧିଜୀ କିପରି ସରଳ ଓ ସ୍ୱଳ୍ପ ଜୀବନଯାପନ କରୁଥିଲେ, ତାହା ଏଥିରୁ ସହଜରେ ଜାଣିହୁଏ । ୧୯୩୦ଠାରୁ ଏଯାଏ ଏଇ ଆଶ୍ରମ ହରିଜନ ଛାତ୍ରୀମାନଙ୍କର ଶିକ୍ଷାପୀଠ ଭାବେ ବ୍ୟବହୃତ ହୋଇଆସୁଛି । ଏବେ ଏହା ଉଦ୍ୟୋଗ ଭବନ ହସ୍ତଶିଳ୍ପ କେନ୍ଦ୍ର ଭାବେ ମଧ୍ୟ ପରିଚିତ ।

 

ଗାନ୍ଧୀଜୀ ଥିଲେ ପରମ ଈଶ୍ୱରଭକ୍ତ । ତେଣୁ ଆଶ୍ରମର ଅନ୍ତେବାସୀ ତଥା ଆଗନ୍ତୁକମାନେ ପ୍ରତିବର୍ଷ ନଦୀକୂଳରେ ବାଲି ଉପରେ ବସି ତାଙ୍କ ସହିତ ସମବେତ ପ୍ରାର୍ଥନା କରୁଥିଲେ । ଏହା ଉପାସନା ମନ୍ଦିର ବା ଉପାସନାସ୍ଥଳୀ ନାମରେ ପରିଚିତ । ଗଛମୂଳେ ଖୋଲା ସ୍ଥାନରେ ବସି ପ୍ରକୃତି ସହିତ ବିଲୀନ ହେବାପାଇଁ ଏହା ଏକ ଉତ୍ତମ ସ୍ଥାନ ।

 

ହୃଦୟକୁଞ୍ଜ ନିକଟରେ ଛୋଟ ଆଉ ଏକ କୁଟୀର । ଏହା ବିନୋବାଙ୍କ କୁଟୀର ନାମରେ ପରିଚିତ । ୧୯୧୮ରୁ ୧୯୨୧ ପର୍ଯ୍ୟନ୍ତ ବିନୋବା ଏହି କୁଟୀରରେ ଅବସ୍ଥାନ କରିଥିଲେ । ତା’ପରେ ଆସିଲେ ଆଉ ଜଣେ ବିଦେଶିନୀ । ତାଙ୍କ ନାମ ମାଡେଳ ସାଇନ ସ୍ଲେଡ । ପ୍ରଖ୍ୟାତ ଫରାସୀ ବିଦ୍ୱାନ ରୋମାଁ ରୋଲାଁଙ୍କ ପୁସ୍ତକରୁ ଗାନ୍ଧୀଜୀଙ୍କ ଆଦର୍ଶ, ସତ୍ୟ ଓ ଅହିଂସା ପ୍ରତି ଚରମ ନିଷ୍ଠା ଓ ଅନୁରାଗ ସମ୍ବନ୍ଧରେ ପଢ଼ି ଭାରତ ଆସିଥିଲେ ତାଙ୍କୁ ଦର୍ଶନ କରିବା ପାଇଁ । ସେ ସ୍ୱଦେଶକୁ ଫେରି ନଯାଇ ରହିଯାଇଥିଲେ ଗାନ୍ଧିଜୀଙ୍କ ଶିଷ୍ୟା ଭାବରେ । ମିସ୍‌ ସ୍ଲେଡ ଏଇ କୁଟୀରରେ ରହିଥିଲେ ୧୯୨୫ରୁ ୧୯୩୩ ପର୍ଯ୍ୟନ୍ତ । ଗାନ୍ଧିଜୀଙ୍କ ଦ୍ୱାରା ପ୍ରଦତ୍ତ ତାଙ୍କ ଆଦରର ନାମ ଥିଲା ‘ମୀରା’ ।

 

ଆଉ ଟିକେ ଦୂରରେ ଅତିଥି ନିବାସ । ଏହା ‘ନନ୍ଦିନୀ’ ନାମରେ ପରିଚିତ । ଦେଶ ଓ ବିଦେଶର ନେତୃମଣ୍ଡଳୀ ଗାନ୍ଧିଜୀଙ୍କ ଦର୍ଶନ ଓ ତାଙ୍କ ସହିତ ଆଲୋଚନା କରିବାକୁ ଆସିଲେ ଏହି କୁଟୀରରେ ଅବସ୍ଥାନ କରୁଥିଲେ । ସେମାନଙ୍କ ମଧ୍ୟରେ ଥିଲେ ରେଜିଗଲ୍ଡ ରୋନୋଲଡ୍‌ସ, ଦୀନବନ୍ଧୁ ଆଣ୍ଡ୍ରୁଜ, ହେନରୀ ପୋଲାକ, କାଲେନବାକ, ଧର୍ମାନନ୍ଦ କୋଶାମ୍ବି, ଜବାହରଲାଲ ନେହେରୁ, ରାଜେନ୍ଦ୍ର ପ୍ରସାଦ, ବାଦଶା ଖାଁ, ରାଜାଜୀ ଏଂବ ସରୋଜିନ ନାଇଡୁ ।

 

ସମସ୍ତ ଅନ୍ତେବାସୀ ତଥା ଗାନ୍ଧୀଜୀଙ୍କ ପାଇଁ ଗୋଟିଏ ସ୍ଥାନରେ ରୋଷେଇ କରାଯାଇଥିଲା । ସେତେବେଳେ ଆଜିପରି ସେଫ୍‌ଟି ଲାଟ୍ରିନ ନଥିଲା, କିନ୍ତୁ ଆଶ୍ରମରେ ସମସ୍ତଙ୍କ ବ୍ୟବହାର ଉପଯୋଗୀ ସ୍ୱାସ୍ଥ୍ୟସମ୍ମତ ପାଇଖାନା ଥିଲା ଏବଂ ଏହାର ସଫେଇ ଦାୟିତ୍ୱ ଅନ୍ତେବାସୀମାନଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ଗାନ୍ଧୀଜୀ ନିଜେ ମଧ୍ୟ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ ।

 

ଆଶ୍ରମ ପରିସର ମଧ୍ୟରେ ଅବସ୍ଥିତ ‘ଉଦ୍ୟୋଗ ମନ୍ଦିର’ । ସ୍ୱରାଜ କେବଳ କଥା ଦ୍ୱାରା ପ୍ରତିଷ୍ଠିତ ହେବନାହିଁ, ଲୋକମାନଙ୍କୁ ସ୍ୱାବଲମ୍ବନଶୀଳତା ଶିକ୍ଷା ଦେବାପାଇଁ ଗାନ୍ଧିଜୀ ଚରଖା (ଅରଟ) ପ୍ରବର୍ତ୍ତନ କରିଥିଲେ । ଚରଖାରୁ ଯେଉଁ ମୋଟା ସୂତା ତିଆରି କରାଯାଉଥିଲା, ସେଥିରୁ ଖଦଡ଼, ଲୁଗା ପ୍ରସ୍ତୁତ ହେଉଥିଲା ଏବଂ ତାହା ସମସ୍ତେ ପରିଧାନ କରୁଥିଲେ । ଆଶ୍ରମର ଖାଦ୍ୟ, ବସ୍ତ୍ର, ଚଳଣି ପ୍ରାୟ ସବୁଥିରେ ଥିଲା ସମାନତା, ସତ୍ୟ ଅହିଂସା ଓ ସରଳତା । ସମସ୍ତେ ନିରାମିଷ ଭୋଜନ କରୁଥିଲେ । ଦୈହିକ ଶ୍ରମ ସମ୍ମାନିତ ହେଉଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଥିଲେ ସମାନ ଆଦରର ପାତ୍ର । ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରାଯାଇପାରେ । ସାବରମତୀଠାରେ ଆଶ୍ରମ ପ୍ରତିଷ୍ଠା ହେବା ସମୟରେ ଜାତିଭେଦ ପ୍ରଥା ପ୍ରବଳ ଥିଲା ଏବଂ ତଳ ଶ୍ରେଣୀର ଲୋକମାନେ ଅତି ଲାଂଛିତ ଅବସ୍ଥାରେ ଥିଲେ । ଗାନ୍ଧୀଜୀ ଘୋଷଣା କରିସାରିଥିଲେ ଯେ ଜାତିଭେଦ ଓ ଅସ୍ପୃଶ୍ୟତା ଭାରତର କଳଙ୍କ ଏବଂ ଏହା ଦୂର କରିବାକୁ ପଡ଼ିବ । ତେଣୁ ଆଶ୍ରମ ପ୍ରତିଷ୍ଠା କରିବାର ମାତ୍ର କେତେମାସ ମଧ୍ୟରେ ଅମୃତଲାଲ ଠକ୍କର ଆଶ୍ରମରେ ରହିବା ପାଇଁ ଇଚ୍ଛୁକ ଥିବା ଗୋଟିଏ ହରିଜନ ପରିବାର ସମ୍ବନ୍ଧରେ କହିଲେ । ସଙ୍ଗେ ସଙ୍ଗେ ଗାନ୍ଧୀଜୀ ସମ୍ମତ ହେଲେ । ଦୁଦାଭାଇ, ତାଙ୍କ ସ୍ତ୍ରୀ ଦାନୀବେନ ଏବଂ କନ୍ୟା ଲକ୍ଷ୍ମୀ ଆଶ୍ରମର ନିୟମ ଓ ଶୃଙ୍ଖଳା ମାନି ରହିବା ପାଇଁ ଆସିଲେ । ଭୃକୁଞ୍ଚନ ଅବଶ୍ୟ ଯେ ନହେଲା ତାହା ନୁହେଁ । ସେତେବେଳେ ହରିଜନମାନେ ଥିଲେ ଅଛୁଆଁ । ଗୋଟିଏ କୂଅରୁ ସୁବର୍ଣ୍ଣମାନଙ୍କ ସହିତ ପାଣି ନବାର ଅଧିକାର ମଧ୍ୟ ସେମାନଙ୍କର ନଥିଲା; ଏକତ୍ର ଖିଆପିଆ ତ’ ଦୂରର କଥା । ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀରେ ଏହି ପ୍ରସଙ୍ଗ ଉଲ୍ଲେଖ କରି ଲେଖିଛନ୍ତି ଯେ ଆଶ୍ରମର ସମସ୍ତ ଅନ୍ତେବାସୀ ଏବଂ ଏପରିକି କସ୍ତୁରବା ମଧ୍ୟ ଏପରି ସିଦ୍ଧାନ୍ତ ପାଇଁ ସୁଖୀ ନଥିଲେ । କେତେଥର ଦୁଦାଭାଇଙ୍କ ସ୍ତ୍ରୀ ଦାନାବେନଙ୍କ ସହିତ କସ୍ତୁରବାଙ୍କର କଥା କଟାକଟି ମଧ୍ୟ ହୋଇଥିଲା । କିନ୍ତୁ ଗାନ୍ଧିଜୀ ଦାନୀବେନଙ୍କୁ ବୁଝାଇ ଶୁଝାଇ ଆଶ୍ୱାସନା ଦେଇଥିଲେ ଯେ ସତ୍ୟର ପରୀକ୍ଷା ଓ ପ୍ରତିଷ୍ଠା ବିନାମୂଲ୍ୟରେ ହୁଏନାହିଁ ଏବଂ ସେ ଟିକେ ସହିଗଲେ ଧୀରେ ଧୀରେ ସବୁ ଠିକ୍‌ ହୋଇଯିବ । ତାହାହିଁ ହୋଇଥିଲା ଏବଂ ଦୁଦାଭାଇଙ୍କ ପରିବାର ଅଳ୍ପଦିନ ମଧ୍ୟରେ ଆଶ୍ରମର ସମ୍ମାନିତ ସଭ୍ୟ ଭାବେ ଗୃହୀତ ହୋଇଯାଇଥିଲେ । ଦୁଦାଭାଇଙ୍କ ସକାଶେ ନିଜ ହାତରେ ସୂତା କାଟି ଗାନ୍ଧୀଜୀ ତିଆରି କରିଥିବା କୋଟ ଏବେ ମଧ୍ୟ ପ୍ରଦର୍ଶନୀ ଗୃହରେ ଗଚ୍ଛିତ ଅଛି-। ଏଥିପାଇଁ ଗାନ୍ଧୀଜୀ ଥିଲେ ଅସାମାନ୍ୟ, ଅସାଧାରଣ ।

 

କୁଟୀରଶିଳ୍ପର ପ୍ରସାରକୁ ଉତ୍ସାହିତ କରିବା ସକାଶେ ‘ଉଦ୍ୟୋଗ ମନ୍ଦିର’ ପ୍ରତିଷ୍ଠା ହୋଇଥିଲା । ଶ୍ରମ ଓ ସାଧନା ଉପରେ ଜୋର ଦେଉଥିଲେ ଗାନ୍ଧୀଜୀ । ନିଜ କାମ ନିଜେ କରିବା ଥିଲା ସତ୍ୟାଗ୍ରହୀମାନଙ୍କ ପରମ ବ୍ରତ । ଯିଏ ସିଏ ଚାହିଁଲେ ମଧ୍ୟ ଆଶ୍ରମବାସୀ ହୋଇପାରୁ ନଥିଲେ । ସେଥିପାଇଁ ଆଶ୍ରମବାସୀମାନଙ୍କୁ ଏକ ଶପଥ ନେବାକୁ ହେଉଥିଲା । ନିମ୍ନଲିଖିତ ସର୍ତ୍ତଗୁଡ଼ିକ ସେହି ଶପଥର ଅନ୍ତର୍ଭୁକ୍ତ । (୧) ମାତୃଭୂମିର ସେବା (୨) ସତ୍ୟାଚରଣ (୩) ବ୍ରହ୍ମଚର୍ଯ୍ୟ ପାଳନ (୪) ପରିମିତ ଆହାର (୫) ଚୋରି ନ କରିବା (୬) ସମ୍ପତ୍ତି ଠୁଳ ନ କରିବା, ପ୍ରୟୋଜନ ସୀମିତ କରିବା ଏବଂ ଯେତିକି ଆବଶ୍ୟକ ସେତିକି ରଖିବା (୭) ଖଦୀ ଓ ଅନ୍ୟାନ୍ୟ ହସ୍ତନିର୍ମିତ ଦ୍ରବ୍ୟର ବ୍ୟବହାର (୮) ନିର୍ଭୟ ହେବା (୯) ଅସ୍ପୃଶ୍ୟତା ବର୍ଜନ କରିବା ଓ ବର୍ଣ୍ଣାଶ୍ରମ ଧର୍ମରେ ବିଶ୍ୱାସ ତଥା ସାମାଜିକ ସମତା ଅଭ୍ୟାସ କରିବା । ଆଶ୍ରମରେ ଯେଉଁମାନେ ରହୁଥିଲେ, ସେମାନେ ନିଷ୍ଠାର ସହିତ ଏହି ନୀତି ସବୁ ପାଳନ କରୁଥିଲେ । ବିନୋବା ବାଭେ, ମହାଦେବ ଦେଶାଇ, କାକା କାଲେଲକର, ମାମା ଫାଡ଼କେ, ରାଜେନ୍ଦ୍ର ପ୍ରସାଦ, ମୀରା ବେନ ପ୍ରଭୃତି ବିଖ୍ୟାତ ଦେଶଭକ୍ତ ଓ ଅନ୍ତେବାସୀ ଏସବୁ ନିୟମରେ କେବଳ ବିଶ୍ୱାସ କରୁନଥିଲେ ଦୈନନ୍ଦିନ ଜୀବନରେ ପାଳନ ମଧ୍ୟ କରୁଥିଲେ ।

 

ଆଶ୍ରମର ପରିବେଶ ଥିଲା ପବିତ୍ର ଏବଂ ନିର୍ମଳ । ପ୍ରତ୍ୟେକ କାର୍ଯ୍ୟ ଥିଲା ସେବା, ସଦାଚାର ଓ ଦେଶସେବାର ପ୍ରତୀକ । ପ୍ରତିଦିନ ସନ୍ଧ୍ୟାରେ ପ୍ରାର୍ଥନା ସଭା ବସୁଥିଲା ଏବଂ ଗାନ୍ଧୀଜୀ ସ୍ୱୟଂ ଏଥିରେ ଉପସ୍ଥିତ ରହୁଥିଲେ । ‘ବୈଷ୍ଣବ ଜନତୋ ତେନେ କହିଏରେ’ ପ୍ରଭୃତି ଭଜନ ଅନ୍ତେବାସୀମାନେ ଗାନ କରିବା ପରେ ଗାନ୍ଧୀଜୀ ପ୍ରବଚନ ଦେଉଥିଲେ ଦେଶର ବିଭିନ୍ନ ସମସ୍ୟା ଉପରେ । ଆଶ୍ରମର ପ୍ରଦର୍ଶନୀ ଗୃହରେ ରଖାଯାଇଥିବା ଫଳକରେ ଯେଉଁ ପ୍ରାର୍ଥନା ଲେଖା ହୋଇ ରହିଛି, ତାହା ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ।

 

ହେ ଗରିବର ଈଶ୍ୱର,

 

ଏଇ କ୍ଷୁଦ୍ର କୁଟୀରରେ ରହି ତୁମକୁ ଚିନ୍ତା କରିବା ପାଇଁ ଆମକୁ ସାହାଯ୍ୟ କର ଏଇ ଦେଶର ଭୂମି ଗଙ୍ଗା, ବ୍ରହ୍ମପୁତ୍ର ଓ ଯମୁନା ଦ୍ୱାରା ହୁଏ ବିଧୌତ

 

ଆମକୁ ଦିଅ ଗ୍ରହଣ କରିବାର ଶକ୍ତି

 

ଆମ ହୃଦୟକୁ ଉନ୍ମୀଳିତ କର

 

ଆମକୁ ଦିଅ ନମ୍ରତା

 

ଶକ୍ତି ଏବଂ ଇଚ୍ଛା ଦିଅ ଭାରତର ଜନଗଣଙ୍କ ସହିତ

 

ନିଜକୁ ପରିଚିତ କରିବା ପାଇଁ ।

 

ହେ ଈଶ୍ୱର ।

 

ଯିଏ ତୁମ ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରେ ତାକୁ ତୁମେ ସଦାବେଳେ ସାହାଯ୍ୟ କର ।”

 

ଆମେ ଯେପରି ଜନଗଣଙ୍କଠାରୁ ବିଚ୍ଛିନ୍ନ ନହେଉ ସେଇ ପ୍ରାର୍ଥନା ପୂର୍ଣ୍ଣ କର । ସେମାନଙ୍କୁ ସଖା ଏବଂ ସେବକ ପରି ସେବା କରିବା ପାଇଁ ସେମାନଙ୍କ ପାଇଁ ତ୍ୟାଗ ଓ ସଦ୍‌ଗୁଣ ଓ ନମ୍ରତାର ମୂର୍ତ୍ତିମନ୍ତ ପ୍ରତୀକ ହେବାପାଇଁ ଅନୁଗ୍ରହ କର । ଆମେ ଯେପରି ଏଇ ଭୂମିକୁ ଆହୁରି ଭଲଭାବେ ଜାଣୁ ଏବଂ ଭଲ ପାଉ ।”

 

ମୋହନ ଦାସ କରମଚାନ୍ଦ ଗାନ୍ଧୀ

 

ଗାନ୍ଧୀଜୀ ନିଜ ‘ଆତ୍ମଜୀବନୀ’କୁ ଆଉ ଏକ ନାମ ଦେଇଛନ୍ତି । ତାହାହେଉଛି ସତ୍ୟର ପରୀକ୍ଷା । ତାଙ୍କ ଜୀବନକୁ ସତ୍ୟର ପରୀକ୍ଷାଗାର ଭାବେ ସେ ବ୍ୟବହାର କରିଛନ୍ତି ସଦାବେଳେ ଏବଂ ଶେଷରେ ସବୁ ପରୀକ୍ଷାରୁ ଶୁଦ୍ଧ ସୁବର୍ଣ୍ଣ ପରି ସେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସତ୍ୟର ବିକଳ୍ପ ନାହିଁ ଏବଂ ସତ୍ୟରୁ ହିଁ ଅହିଂସାର ଜନ୍ମ । ସତ୍ୟମେବ ଜୟତେ । ସତ୍ୟର ହିଁ ଶେଷରେ ଜୟ ହୁଏ । ଗାନ୍ଧୀଜୀ ନିଜର ପରୀକ୍ଷାଗାରର କଷଟିରେ ପ୍ରତି ସମସ୍ୟା, ପ୍ରତି ପ୍ରଶ୍ନ ପରୀକ୍ଷା କରି ସତ୍ୟର ସିଦ୍ଧାନ୍ତରେ ଉପନୀତ ହେଉଥିଲେ । ଏଇ ସତ୍ୟଦର୍ଶୀ ପୁରୁଷ ସେଥିପାଇଁ କହିଛନ୍ତି ଯେ ସେ ସଂଖ୍ୟାଧିମାନଙ୍କ କଲ୍ୟାଣରେ ବିଶ୍ୱାସ କରନ୍ତି ନାହିଁ, ଯେଉଁଥିରେ ସମସ୍ତଙ୍କର ସର୍ବାଧିକ ମଙ୍ଗଳ ହୁଏ ତାହା ହିଁ ତାଙ୍କର ନୀତି ଓ ଆଦର୍ଶ । ଆଶ୍ରମର ଏକାଂଶରେ ତାଙ୍କର ଅମର ବାଣୀ ଉଲ୍ଲେଖ କରାଯାଇଛି : “ସଂଖ୍ୟାଧିକଙ୍କ ସର୍ବାଧିକ ମଙ୍ଗଳ କରିବା ନୀତିରେ ମୁଁ ବିଶ୍ୱାସ କରେନାହିଁ, ଏହା ଏକ ନଗ୍ନ ସତ୍ୟ । ପ୍ରତିଶତ ଏକାବନ ଜଣଙ୍କ ତଥାକଥିତ ମଙ୍ଗଳ ପାଇଁ ଅଣଚାଷ ଜଣଙ୍କ ସ୍ୱାର୍ଥ ବଳି ଦିଆଯିବା ଉଚିତ ନୁହେଁ । ଏହା ଏକ ନିର୍ଦ୍ଦୟ ନୀତି ଏବଂ ମନୁଷ୍ୟ ସମାଜର କ୍ଷତି କରିଛି । ସର୍ବାଧିକ ଲୋକଙ୍କର ସର୍ବାଧିକ ମଙ୍ଗଳ କରିବା ନୀତି ହିଁ ଏକ ସମ୍ମାନଜନକ ମାନବିକ ନୀତି ।” ମହାତ୍ମା ଗାନ୍ଧୀଙ୍କ ଏହି ନୀତିରୁ ହିଁ ସର୍ବୋଦୟ ନୀତିରୁ ଜନ୍ମ । ବିନୋବା ଏବଂ ଜୟପ୍ରକାଶ ଏହି ନୀତିରେ ବିଶ୍ୱାସ କରୁଥିବା ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟ ।

 

ଆଶ୍ରମର ପରିବେଶ ସତ୍ୟ ଓ ଅହିଂସା ସାଧନାରେ ଅନୁକୂଳ । ଗୋଷ୍ଠୀ ଜୀବନଯାପନ ଓ ସମତା ହିଁ ଆଶ୍ରମ ଜୀବନର ମୂଳ ଉପାଦାନ । ଏଠାରେ ଅଧିକାର ଅପେକ୍ଷା କର୍ତ୍ତବ୍ୟ ସଚେତନତା ଅଧିକ । କର୍ତ୍ତବ୍ୟ ପାଳନରୁ ଯେ ଅଧିକାର ଜନ୍ମ ନିଏ, ଏହା ବୋଧହୁଏ ଗାନ୍ଧୀଜୀଙ୍କ ପୂର୍ବରୁ ଆଉ କେହି ଏପରି ସ୍ପଷ୍ଟ ଭାବରେ କହିନଥିଲେ । ଆଶ୍ରମର ସବୁ ବିଭାଗ ପରିଦର୍ଶନ କଲାବେଳେ ଆମ ମନରେ ଗୋଟିଏ କଥା ବାରମ୍ବାର ପ୍ରତିଧ୍ୱନିତ ହେଉଥାଏ । ଗାନ୍ଧୀଜୀ ଯାହା କହୁଥିଲେ, ତାହା କାର୍ଯ୍ୟରେ ନିଜେ କରି ଦେଖାଉଥିଲେ । ବରଂ କହିବା ଆଗରୁ ସେ ତାହା ପାଳନ କରୁଥିଲେ । କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଠାଏ ଉଲ୍ଲେଖ କରାଯାଇଥିବା ଗାନ୍ଧୀଜୀଙ୍କ ବାଣୀ ଏହିପରି: “ମୁଁ ଏହା କହିବାକୁ ଚାହେଁ ଯେ ଯାହା ନ୍ୟାୟତଃ ଆମର ତାହା ହିଂସା ଦ୍ୱାରା ଆମେ ଲାଭ କରିପାରିବୁ ନାହିଁ । ଅଧିକାର ହାସଲ କରିବାର କେବଳ ଗୋଟିଏ ଉପାୟ ଆମ ଆଗରେ ଅଛି, ଯାହା ମୁଁ କହିସାରିଛି ଏବଂ ଯାହା ସମସ୍ତେ ପସନ୍ଦ କରିଛନ୍ତି । ଜଣକର ଅଧିକାର କ’ଣ ଏବଂ ତାହା କିପରି ହାସଲ କରିବାକୁ ହୁଏ, ଏ ବିଷୟ ମୋତେ ଯଦି ପଚରାଯାଏ, ତେବେ ମୁଁ କହିବି ଯେ ଲୋକମାନଙ୍କର କୌଣସି ଅଧିକାର ନାହିଁ । ଯାହାର କର୍ତ୍ତବ୍ୟ ନାହିଁ, ତା’ର ଅଧିକାର ମଧ୍ୟ ନାହିଁ । ସେଥିପାଇଁ କୌଣସି ଅଧିକାର ନାହିଁ । ମୁଁ କେବଳ କେତେକ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ କେତେକ ଫଳ ପାଇଥାଏ । ଏହି ଫଳ ହିଁ ମୋର ଅଧିକାର ।” ତେଣୁ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ବୁଝାଇବା ଆଗରୁ ତାଙ୍କର କାର୍ଯ୍ୟଧାରା ବୁଝିବାକୁ ହୁଏ । କର୍ତ୍ତବ୍ୟ ପାଳନ କରିବା ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପ୍ରଧାନ ଉପାଦାନ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର କର୍ତ୍ତବ୍ୟ ପାଳନ କରିବା ଲାଗି ବନବାସ ଯାଇଥିଲେ । ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାପାଇଁ କହିଥିଲେ ବା ତାଙ୍କୁ ବନବାସ ପଠାଇଥିଲେ । ସେଇ କର୍ତ୍ତବ୍ୟ ସୁସମ୍ପାଦନ କରି ସେ ଆଦର୍ଶ ପୁତ୍ର ଓ ରାଜା ଭାବେ ଖ୍ୟାତି ଅର୍ଜନ କରିଥିଲେ । ରାଜଧର୍ମରୁ ସମ୍ଭୂତ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବା ସକାଶେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ଲାଗି ପ୍ରବର୍ତ୍ତାଇଥିଲେ ।

 

ଆଶ୍ରମର ବିଭିନ୍ନ ବିଭାଗ ବୁଲି ଦେଖିଲାବେଳେ ସ୍ୱାଧୀନତା ଆନ୍ଦୋଳନର ଏକ ଗରିମାମୟ ଅଧ୍ୟାୟ ଭାସି ଉଠୁଥିଲା ଆଖି ଆଗରେ । ପ୍ରଦର୍ଶନୀ ଗୃହରେ ବିଭିନ୍ନ ଘଟଣାବଳୀର ଚିତ୍ର ରହିଛି । ଗାନ୍ଧୀଜୀଙ୍କ ସଂଗ୍ରାମ ଜୀବନ ଭାରତର ଜନଗଣଙ୍କ ମୂର୍ତ୍ତି ପାଇଁ ସମର୍ପିତ ଥିଲା । କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ସଂସ୍କୃତି, ଚଳଣି ସେ କେବେହେଲେ ଭୁଲି ନଥିଲେ । ଆମ ସଂସ୍କୃତି ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଦେବା ସକାଶେ ସେ ଯାହା କହିଛନ୍ତି, ତାହା ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ, “ଏହା ମୋର ଦୃଢ଼ ମତ ଯେ, କୌଣସି ସଂସ୍କୃତିରେ ଏପରି ବିପୁଳ ଐଶ୍ୱର୍ଯ୍ୟ ନାହିଁ, ଯାହା ଆମ ସଂସ୍କୃତିରେ ରହିଛି । ଆମେ ଏହାର ମୂଲ୍ୟ ଚିହ୍ନିନାହୁଁ । ଯଦି ଆମେ ଆମ ସଂସ୍କୃତିକୁ ଅନୁସରଣ ନ କରୁ, ତେବେ ତାହା ଆମର ଆତ୍ମହତ୍ୟା ସଦୃଶ ହେବ ।”

 

ଏଇ ସାବରମତୀ ଆଶ୍ରମରୁ ଗାନ୍ଧୀଜୀ ଭାରତର ସ୍ୱାଧୀନତା ସଂଗ୍ରାମ ସଙ୍ଗଠିତ ଓ ପରିଚାଳିତ କରୁଥିଲେ । ସେଇ ସମୟରେ ବିହାରର ଚମ୍ପାରଣଠାରେ ହୋଇଥିବା ବିଖ୍ୟାତ କୃଷକ ଆନ୍ଦୋଳନ ଏବଂ ଦାଣ୍ଡିଠାରେ ହୋଇଥିବା ଲବଣ ସତ୍ୟାଗ୍ରହ ଆୟୋଜନ କରାଯାଇଥିଲା । ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ କରିବା ରାଜଦ୍ରୋହ ନୁହେଁ ବୋଲି ଗାନ୍ଧୀଜୀଙ୍କ ମତ । ତେଣୁ ଆଇନ ଅମାନ୍ୟ ଆନ୍ଦୋଳନ କଲାବେଳେ ସେ କହିଥିଲେ ଯେ “ଆଇନ ଅମାନ୍ୟ ଅପରାଧ ବା ଅନୈତିକାର ବିରୋଧୀ ।” ସେଇ କାରଣରୁ ଆଇନ ଅମାନ୍ୟ କେବଳ ସେଇସବୁ ଆଇନ ପ୍ରତି ପ୍ରଯୁଜ୍ୟ, ଯାହା ପଛରେ ନୈତିକ ଅନୁମୋଦନ ରହିଛି । ତେଣୁ ପ୍ରଶାସକ (ସିଭିଲ ରେଜିଷ୍ଟ୍ରାର) ଏପରି କୌଣସି ଅଭିପ୍ରାୟ ଆରୋପ ନକରି ପ୍ରତ୍ୟେକ ଆଇନ ଅମାନ୍ୟ କାର୍ଯ୍ୟର ଗୁଣାତ୍ମକ ସମୀକ୍ଷା କରିବା ଉଚିତ । କାରଣ ଆଇନ ଅମାନ୍ୟ ପ୍ରେମ ଏବଂ ସଦ୍‌ଭାବନା ଉପରେ ହିଁ ପ୍ରତିଷ୍ଠିତ-

 

ଗାନ୍ଧୀଜୀ ବିଶ୍ୱାସ କରୁଥିଲେ ଯେ ଲକ୍ଷ୍ୟ ଯଦି ଉତ୍ତମ ହୁଏ, ତେବେ ମାର୍ଗ ମଧ୍ୟ ଉତ୍ତମ ହେବା ଦରକାର । ମନ୍ଦ ମାର୍ଗ ଦେଇ ଉତ୍ତମ ଲକ୍ଷ୍ୟରେ ପହଞ୍ଚି ହୁଏନାହିଁ ଏବଂ କଳେବଳେ କୌଶଳେ ପହଞ୍ଚିଲେ ମଧ୍ୟ ତା’ର ପରିଣତି ଭଲ ହୁଏ ନାହିଁ । ଭାରତୀୟ ରାଜନୈତିକ ଆନ୍ଦୋଳନରେ ଆଧ୍ୟାତ୍ମିକତା ଓ ନୈତିକତାକୁ ସତ୍ୟର ଉପାଦାନ ଭାବେ ଗ୍ରହଣ କରି ସବୁ କାର୍ଯ୍ୟରେ ସେ ପ୍ରୟୋଗ କରିଥିଲେ । ସେ ବାରମ୍ବାର କହିଥିଲେ ଯେ କୌଣସି ନୂତନ ଶିକ୍ଷା ବା ମାର୍ଗ ଦର୍ଶନ କରାଇବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଯାହା ଅନାଦିକାଳରୁ ଜଗତରେ ଅନୁସୃତ ହେଉଛି, ତାହା ହିଁ ତାଙ୍କ ଜୀବନର ମୂଳସୂତ୍ର । ଗାନ୍ଧୀଜୀଙ୍କ ଭାଷାରେ–

 

“ପୃଥିବୀକୁ ନୂତନ ଶିକ୍ଷାଦେବା ପାଇଁ ମୋ ପାଖରେ କିଛି ନାହିଁ । ସତ୍ୟ ଏବଂ ଅହିଂସା ପାହାଡ଼ପର୍ବତ ପରି ପୁରାତନ ।”

 

ଆଶ୍ରମରେ ଦୈହିକ ଶ୍ରମ ପ୍ରତି ଯଥେଷ୍ଟ ସମ୍ମାନ ଦିଆଯାଉଥିଲା । ଗାନ୍ଧୀଜୀଙ୍କ ମତରେ “ଦୈହିକ ଶ୍ରମ ଏପରି ଏକ କର୍ତ୍ତବ୍ୟ ଯାହା ମାନବ ସମାଜ ଉପରେ ପ୍ରକୃତି ଲଦି ଦେଇଛି ।” ସେଥିପାଇଁ ଆଶ୍ରମର ଅନ୍ତେବାସୀମାନଙ୍କୁ ନିୟମିତ ଦୈହିକ ଶ୍ରମ କରିବାକୁ ପଡ଼େ । ଏହାଛଡ଼ା ଗାନ୍ଧୀଜୀ ମାତୃଭାଷାରେ ଶିକ୍ଷା ଦେବା ଉପରେ ଜୋର ଦେଉଥିଲେ । ଆମେ ଆଶ୍ରମର ବିଭିନ୍ନ ବିଭାଗ ବୁଲି ଦେଖିଲାବେଳେ ଗାନ୍ଧୀଜୀଙ୍କ ମୃତ୍ୟୁର ବହୁ ପରେ ଜନ୍ମଗ୍ରହଣ କରିଥିବା ଆମ ସାନପୁଅ ଚିନ୍ମୟାଂଶୁକୁ ମହାତ୍ମାଙ୍କ ଆଦର୍ଶ ଓ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ସୂଚନା ଦେଉଥିଲୁ ଏବଂ ଏଭଳି ଏକ ଅପୂର୍ବ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମଣୁଥିଲୁ । ଘରେ ଓଡ଼ିଆ କହୁଥିଲେ ହେଁ ଓଡ଼ିଆ ଲେଖିପଢ଼ି ଜାଣିନଥିବା ସାନପୁଅ ଯେ ଗାନ୍ଧୀଜୀଙ୍କ ଜୀବନଦର୍ଶନ ଓ ଉପଦେଶରୁ କିଛି ଶିଖିବ ଏ ବିଶ୍ୱାସ ନେଇ ଫେରିବାବେଳେ ସାବରମତୀ କୂଳରେ ଆଶ୍ରମ ପ୍ରତିଷ୍ଠା କରିବା ପଛରେ ଥିବା ଏକ କାହାଣୀ ସ୍ମରଣ କରାଇଦେଲୁ । ଆଶ୍ରମର ଅନତିଦୂରରେ ଦଧୀଚି ମୁନିଙ୍କ ଆଶ୍ରମ । ମହାଭାରତରେ ଦଧୀଚିଙ୍କ ସମ୍ବନ୍ଧରେ ଲେଖାଅଛି ଯେ ୧୨ ବର୍ଷ କାଳ ଅନାବୃଷ୍ଟିରୁ ରକ୍ଷା କରିବା ପାଇଁ ମଣିଷମାନେ ଦେବତାମାନଙ୍କୁ ପ୍ରାର୍ଥନା କରନ୍ତେ, ଦେବତାମାନେ ଇନ୍ଦ୍ରଙ୍କୁ କହିଲେ । ଇନ୍ଦ୍ର ସେମାନଙ୍କୁ କହିଲେ ଯେ ଯଦି ମର୍ତ୍ତ୍ୟରେ କେହି ନିଜର ଅସ୍ଥି ଦାନ କରେ, ତେବେ ସେ ତହିଁରୁ ବଜ୍ର ପ୍ରସ୍ତୁତ କରି ବର୍ଷା କରିବେ । ଦଧୀଚି ତପସ୍ୟା କରୁଥିଲେ । ଏହା ଶୁଣି ଦଧୀଚି ପ୍ରଜାମାନଙ୍କ ହିତ ସକାଶେ ଆନନ୍ଦରେ ନିଜର ଅସ୍ଥି ଦେବା ଲାଗି ସମ୍ମତ ହେଲେ ଏବଂ ପ୍ରଜ୍ଜ୍ୱଳିତ ଚିତାଗ୍ନିରେ ଝାସ ଦେଲେ । ତାଙ୍କ ଅସ୍ଥିରୁ ବଜ୍ର ହେଲା ଏବଂ ଇନ୍ଦ୍ର ସନ୍ତୁଷ୍ଟ ହୋଇ ବର୍ଷା କଲେ । ଏଇ ପ୍ରତୀକ ମଧ୍ୟରେ ନିଃସ୍ୱାର୍ଥ ଜନସେବାର ଉଚ୍ଚାଦର୍ଶ ନିହିତ ଅଛି । ମହାତ୍ମାଗାନ୍ଧୀ ଦଧୀଚିଙ୍କ ମନ୍ଦିର ପାଖରେ ଆଶ୍ରମ ପ୍ରତିଷ୍ଠା କରି ବିଶ୍ରାମ କଲେ ନାହିଁ, କାୟୋମନୋବାକ୍ୟରେ ନିଜର ସର୍ବସ୍ୱ ତ୍ୟାଗ କଲେ । ସମାଜର ଅସମାନତା ଓ ଜାତିଭେଦ ପ୍ରଥା ଦୂର କରିବା ଧର୍ମୀୟ ଅସହିଷ୍ଣୁତା ଦୂରକରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କୁ ସମାନ ଅଧିକାର ପ୍ରଦାନ କରିବା ଏବଂ ସତ୍ୟ ଓ ଅହିଂସା ମାର୍ଗରେ ଦେଶକୁ ସ୍ୱାଧୀନ ଓ ସ୍ୱାବଲମ୍ବୀ କରିବା ସକାଶେ ସେ ଯେଉଁ ଅପୂର୍ବ ତ୍ୟାଗ ଓ ନିଃସ୍ୱାର୍ଥପରତା ପ୍ରଦର୍ଶନ କଲେ, ସେଥିରୁ ଜନ୍ମ ନେଲେ ଦୁଇଟି ଆଦର୍ଶ ସତ୍ୟ ଓ ଅହିଂସା । ଏହି ଅସ୍ତ୍ର ବଳରେ ଭାରତ ସ୍ୱାଧୀନ ହେଲା ।

 

ଏହି ଆଶ୍ରମରେ ଥିବାବେଳେ ଗୁଜରାଟରେ ଖେଦା ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି ପ୍ରଜାମାନଙ୍କୁ ଶୋଷଣରୁ ମୁକ୍ତ କରିଥିଲେ ବାପୁଜୀ । ଏହିଠାରେ ଥିବା ସମୟରେ ଅହମ୍ମଦାବାଦ ଲୁଗାକଳ ଶ୍ରମିକ ଧର୍ମଘଟ ତାଙ୍କରି ନେତୃତ୍ୱରେ ସଫଳ ହୋଇଯାଇଥିଲା ଏବଂ ଶ୍ରମିକମାନେ ନ୍ୟାୟ ପାଉଥିଲେ । ଏହିଠାରୁ ରାଓଲଟ୍‌ ଆକ୍ଟ ବିରୁଦ୍ଧରେ ସେ ଦେଶବ୍ୟାପୀ ଆନ୍ଦୋଳନର ପରିଚାଳନା କରିଥିଲେ । ତାଙ୍କରି ପ୍ରଚେଷ୍ଟାରୁ ପ୍ରଥମ ଥର ପାଇଁ କଂଗ୍ରେସ ଅଧିବେଶନର ବିବରଣୀ ଇଂରାଜୀ ପରିବର୍ତ୍ତେ ୧୯୧୯ରୁ ହିନ୍ଦୁସ୍ଥାନୀରେ ଲେଖାହେଲା । ଏହି ସାବରମତୀ ଆଶ୍ରମରେ ଅବସ୍ଥାନ କାଳରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନକୁ ଏକ ସଫଳ ଅସ୍ତ୍ର ଭାବରେ ୧୯୨୦ ମସିହାରେ ବ୍ରିଟିଶ ସରକାର ବିରୁଦ୍ଧରେ ପ୍ରୟୋଗ କରିଥିଲେ । ଏହିଠାରୁ ୟଙ୍ଗ ଇଣ୍ଡିଆର ଅଗ୍ରଲେଖା ପଠାଉଥିଲେ ଗାନ୍ଧିଜୀ, ଯାହାର ମୂଲ୍ୟ ଉଦ୍ଦେଶ୍ୟ ଥିଲା (୧) ବିଦେଶୀ ଦ୍ରବ୍ୟ ବର୍ଜନ (୨) ବ୍ରିଟିଶ କୋର୍ଟ କଚେରୀ ଏବଂ ସ୍କୁଲ, କଲେଜ ବର୍ଜନ, (୩) ଏବଂ ସ୍ୱଦେଶ ଦ୍ରବ୍ୟର ଆଦର ଓ ବ୍ୟବହାର । ଅସହଯୋଗ ଆନ୍ଦୋଳନକୁ ଫଳପ୍ରଦ କରିବା ଲାଗି ‘କର ନ ଦବା’ ଆନ୍ଦୋଳନ ଚାଲୁ ହେଲା ଏବଂ ମାର୍ଚ୍ଚ ୨୨ ତାରିଖ ରାତି ଦଶଟା ସମୟରେ ନରସିଂ ମେହେଟାଙ୍କ ରଚିତ ବୈଷ୍ଣବ ଜନତୋତେନ କହିଏରେ ଭଜନ ଗାନ କରାଯାଉଥିବାବେଳେ ଦେଶଦ୍ରୋହ ଅପରାଧରେ ଗାନ୍ଧୀଜୀ ଗିରଫ ହେଲେ । ତାଙ୍କୁ ଅଦାଲତରେ ହାଜର କରାଯିବାରୁ ଗାନ୍ଧୀଜୀ ସାହେବ ବିଚାରପତିଙ୍କୁ କହିଲେ–“ହଁ ମୁଁ ଦେଶଦ୍ରୋହୀ । ମୋ ନିଃଶ୍ୱାସ ପ୍ରଶ୍ୱାସରେ ମଧ୍ୟ ଦେଶଦ୍ରୋହୀ ଏଇ ବିଦେଶୀ ଶାସନର ଅନ୍ତ ହେଉ ।”

 

ଜେଲରୁ ଖଲାସ ହେବାପରେ ଗାନ୍ଧୀଜୀ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଶାନ୍ତି, ସଦ୍‌ଭାବନା ଓ ଭ୍ରାତୃଭାବ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏକୋଇଶ ଦିନ ଧରି ଅନଶନ କରିଥିଲେ, ଯାହା ସମଗ୍ର ଦେଶବାସୀ ବ୍ରିଟିଶ ସରକାର ତଥା ଭାରତକୁ ଚମକାଇ ଦେଇଥିଲା । ଏହି ଆଶ୍ରମରେ ଥିଲାବେଳେ ୧୯୨୮ ମସିହା ଜାନୁଆରୀ ମାସ ଶେଷରେ ଗାନ୍ଧୀଜୀ ନିଜର ଜ୍ୟେଷ୍ଠପୁତ୍ର ରାମଦାସଙ୍କ ବିବାହ ସମ୍ପନ୍ନ କରିଥିଲେ ଅତି ନିରାଡମ୍ବର ଭାବେ ଏବଂ ଚରଖା, ଆଶ୍ରମ ଭଜନାବଳୀ ଓ ମଙ୍ଗଳସୂତ୍ର ଛାଡ଼ି ବରକନ୍ୟାଙ୍କୁ ଆଉ କୌଣସି ଉପହାର ଦିଆଯାଇନଥିଲା । ଏହି ଆଶ୍ରମରୁ ଯାଇ ବର୍ଦ୍ଦୋଳାଇଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ବାପୁଜୀ ।

 

ଏସବୁ କାର୍ଯ୍ୟ ଫଳରେ ବ୍ରିଟିଶ ସରକାର ଅମାନୁଷିକ ଦମନ ଲୀଳା ଚଳାଇଥିଲେ । ଏବଂ ଶେଷରେ ବାଧ୍ୟହୋଇ ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନରୁ ଆହୁରି ତୀବ୍ର କଲେ । ପ୍ରଥମ ଥର ପାଇଁ ୧୯୨୯ ସେପ୍ଟେମ୍ବର ୩୧ ତାରିଖ ରାତି ୧୨ଟା ସମୟରେ ଲାହୋର କଂଗ୍ରେସରେ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ‘ପୂର୍ଣ୍ଣ ସ୍ୱରାଜ’ ବୋଲି ଇନ୍‌କିଲାବ୍‌ ଜିନ୍ଦାବାଦ ଧ୍ୱନି ଓ ପ୍ରବଳ ଜୟୋଲ୍ଲାସ ମଧ୍ୟରେ ଘୋଷଣା କରାଗଲା । ସରକାର ଲୁଣ ଉପରେ କର ବସାଇବାରୁ ଏହାର ପ୍ରତିବାଦ କରି ଗାନ୍ଧୀଜୀ ଆରମ୍ଭ କଲେ ଦ୍ୱିତୀୟ ଅଭିଯାନ ।

 

୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖ ମାତ୍ର ୭୯ ଜଣ ସତ୍ୟାଗ୍ରହୀଙ୍କ ସହିତ ବିଖ୍ୟାତ ଦାଣ୍ଡି ଅଭିଯାନ ଆରମ୍ଭ ହେଲା ସାବରମତୀ ଆଶ୍ରମରୁ । ମହାନିଷ୍କ୍ରମଣ ସମୟରେ ବୁଦ୍ଧଙ୍କ ଶପଥ ସ୍ମରଣ କରି ଗାନ୍ଧୀଜୀ ମଧ୍ୟ ଘୋଷଣା କଲେ– “ଦେଶ ସ୍ୱାଧୀନ ନହେବା ପର୍ଯ୍ୟନ୍ତ ମୁଁ ଆଉ ସାବରମତୀ ଆଶ୍ରମକୁ ଫେରିବି ନାହିଁ ।”

 

୧୯୦୮ ପର୍ଯ୍ୟନ୍ତ ଗାନ୍ଧୀଜୀ ଚରଖା ଦେଖି ନଥିଲେ । ସାବରମତୀଠାରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ସେ ମିଲ୍‌ଲୁଗା ପିନ୍ଧୁଥିଲେ । କିନ୍ତୁ କ୍ରମଶଃ ସେ ଅନୁଭବ କଲେ ଯେ ସ୍ୱଦେଶୀ ସହିତ ସ୍ୱରାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଠାରେ ଥିବା ସମୟରେ ତନ୍ତଲୁଗା ପ୍ରଚଳନ ସକାଶେ ଉଦ୍ୟମ ଆରମ୍ଭ ହେଲା । ସାବରମତୀ ଆଶ୍ରମରୁ ଚରଖା ପ୍ରସ୍ତୁତ ସୂତା ଦ୍ୱାରା ଖଦୀ ପ୍ରସ୍ତୁତ ହେବାପରେ ସାରା ଭାରତର ସ୍ୱାଧୀନତା ସଂଗ୍ରାମର ପବିତ୍ର ପ୍ରତୀକ ହୋଇଗଲା ଚରଖା ଏବଂ ସ୍ୱଦେଶୀ ଦ୍ରବ୍ୟର ପ୍ରତୀକ ହେଲା ଖଦୀଲୁଗା ।

 

ଗାନ୍ଧୀ ସଂଗ୍ରାହଳୟରେ ଅବସ୍ଥିତ ପୁସ୍ତକାଳୟରେ ଦର୍ଶକମାନଙ୍କ ପାଇଁ ଥିବା ପୁସ୍ତକରେ ନିଜର ମନ୍ତବ୍ୟ ଲେଖି ଚିନ୍ମୟାଂଶୁ ସହିତ ମୋହନରୁ ମହାତ୍ମା ହୋଇଥିବା ଗାନ୍ଧୀଜୀଙ୍କ ପାଦତଳେ ଭକ୍ତିପୂତ ପ୍ରଣାମ ଜଣାଇ ବିଦାୟ ନେବାବେଳେ କହିଲୁ ପୁଅକୁ-ଗାନ୍ଧୀଜୀ ସତ୍ୟ ଓ ଅହିଂସାର ପୂଜାରୀ । ଅନ୍ୟାୟ ଓ ଅବିଚାର ବିରୋଧରେ ଲଢ଼ିବା ହିଁ ଥିଲା ତାଙ୍କର ଆଦର୍ଶ । ନିଜ ଦେଶର ସଂସ୍କୃତି, ନିଜର ଭାଷା, ନିଜ ମାତୃଭୂମି ପ୍ରତି ମମତ୍ୱବୋଧ ତାଙ୍କ ଆଚରଣରେ ପ୍ରତିଫଳିତ ହେଉଥିଲା । ସେଥିପାଇଁ ସ୍ୱାଧୀନ ଭାରତକୁ ଜାଣିବା ପାଇଁ ମୋହନ ଦାସ କରମଚାନ୍ଦ ଗାନ୍ଧୀରୁ ସେ କିପରି ମହାତ୍ମା ଗାନ୍ଧୀ ହେଲେ, ତାହା ଜାଣିବା ଆବଶ୍ୟକ । ତାଙ୍କ ଜୀବନରେ ସତ୍ୟର ପରୀକ୍ଷା ଓ ସେଥିରୁ ପାଇଥିବା ସଫଳତା ହିଁ ତାଙ୍କ ଆତ୍ମଜୀବନୀ । ସେଥିପାଇଁ ନେତାଜୀ ସୁଭାଷ ବୋଷ ତାଙ୍କୁ ମହାତ୍ମା ବୋଲି ପ୍ରଥମେ ସମ୍ବୋଧନ କରିଥିଲେ ।

 

ୟୁରୋପର ଏବଂ ଭାରତର ଅନେକ ଲୋକ ମହାତ୍ମାଗାନ୍ଧୀଙ୍କୁ ହିନ୍ଦୁ ପରମ୍ପରାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଦେଖାଯାନ୍ତି । କିନ୍ତୁ ଏହି ବିଚାର ଭ୍ରମାତ୍ମକ । କାରଣ ସେ ପାଶ୍ଚାତ୍ୟ ଜୀବନଧାରା ଦ୍ୱାରା ଅନେକ ପ୍ରଭାବିତ ହୋଇଥିଲେ । ଗାନ୍ଧୀ ତାଙ୍କର ପୁରାତନ ସଂସ୍କୃତିର ମୌଳିକ ନୀତିରେ ବିଶ୍ୱାସ କରୁଥିଲେ । କିନ୍ତୁ ଏହା ସତ୍ତ୍ୱେ ଦଳିତ ଓ ନିମ୍ନବର୍ଗର ଲୋକମାନଙ୍କ ପାଇଁ ଥିଲା ତାଙ୍କର ଗଭୀର ପ୍ରେମ । ସେ ଜାତିପ୍ରଥା ବିରୋଧୀ ଥିଲେ । ହୁଏତ ପ୍ରାଚୀନ ଭାରତରେ ଏହାର ପଟାନ୍ତର ନାହିଁ ବୋଲି କହିହେବ ନାହିଁ; କିନ୍ତୁ ଭାରତୀୟତା ଅପେକ୍ଷା ଏହା ଯେ ରକ୍ଷଣଶୀଳତାର ସମ୍ପୂର୍ଣ୍ଣ ବିପରୀତ ଏବଂ ଉନ୍ନବିଂଶ ଶତାବ୍ଦୀର ୟୁରୋପର ଉଦାରବାଦୀର ଫଳ, ଏହା ସ୍ପଷ୍ଟ । ଆମେ ଦେଖୁ ଯେ ଅହିଂସାରେ ତାଙ୍କର ଅଟଳ ବିଶ୍ୱାସ-କିନ୍ତୁ ଏହା କେବଳ ହିନ୍ଦୁ ଧର୍ମର ନୀତି ନୁହେଁ, ତାଙ୍କ ପୂର୍ବଜ ସେଇ ସମର୍ଥ ମରାଠା ବ୍ରାହ୍ମଣ ବାଲ ଗଙ୍ଗାଧର ତିଳକ ଏବଂ ଗାନ୍ଧିଜୀଙ୍କ ଅଧୈର୍ଯ୍ୟ ଶିଷ୍ୟ ସୁଭାଷ ଚନ୍ଦ୍ର ବୋଷ–ଏ ବିଷୟରେ ବହୁତ ବେଶି ରକ୍ଷଣଶୀଳ ଥିଲେ । ପ୍ରଧାନତଃ ପ୍ରଭୁ ଯିଶୁଙ୍କ ପର୍ବତ ଉପରେ ଦିଆଯାଇଥିବା ପ୍ରବଚନ ଏବଂ ଟଲଷ୍ଟୟଙ୍କ ରଚନା ଦ୍ୱାରା ଗାନ୍ଧୀଜୀ ପ୍ରଭାବିତ ହୋଇଥିବା ଆମେ ଲକ୍ଷ୍ୟ କରୁ । ନାରୀମାନଙ୍କ ଅଧିକାର ସମ୍ପର୍କରେ ତାଙ୍କର ଅଭିଯାନ ପାଶ୍ଚାତ୍ୟ ପ୍ରଭାବର ଫଳ । ଏହି ସାମାଜିକ ପରିପ୍ରେକ୍ଷୀରେ ସଦାବେଳେ ରକ୍ଷଣଶୀଳ ଅପେକ୍ଷା ସେ ଥିଲେ ମାର୍ଗପ୍ରଦର୍ଶକ । ଯଦିବା ତାଙ୍କର କେତେକ ସହକର୍ମୀ ଭାବୁଥିଲେ ଯେ ତାଙ୍କ ସମାଜ ସଂସ୍କାର କାର୍ଯ୍ୟସୂଚୀ ଅତି ମନ୍ଥର, ଅନେକାଂଶରେ ଜାତି ଓ ଶ୍ରେଣୀ ଉତ୍ତରାଧିକାରୀତ୍ୱ ସ୍ଥାନରେ ହିନ୍ଦୁ ଚିନ୍ତାଧାରାକୁ ଲୋକପ୍ରିୟ ଓ ସମତାଭିତ୍ତିକ, ସାମାଜିକ ବ୍ୟବସ୍ଥାରେ ପରିଣତ କରିବା କାର୍ଯ୍ୟରେ ସେ ସଫଳତା ଅର୍ଜନ କରିଥିଲେ । ଊନବିଂଶ ଶତାବ୍ଦୀର ଅନେକ ଅଳ୍ପ ପ୍ରସିଦ୍ଧି ଲାଭ କରିଥିବା ସମାଜ ସଂସ୍କାରକଙ୍କୁ ଅନୁସରଣ କରି ଗାନ୍ଧୀ ଏବଂ ତାଙ୍କ ଶିଷ୍ୟମାନେ ଶତାବ୍ଦୀ ଶତାବ୍ଦୀର ସ୍ଥାଣୁତ୍ୱ ପରେ ହିନ୍ଦୁ ସଂସ୍କୃତିକୁ ଏକ ନୂତନ ଜୀବନ ଓ ନୂତନ ଧାରା ପ୍ରଦାନ କରିଥିଲେ ।

 

ଗାନ୍ଧୀଜୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖ ଦିନ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ହେଁ ସେ ଆଜି ସମଗ୍ର ପୃଥିବୀରେ ଜଣେ ଅନନ୍ୟ ମହାତ୍ମା । ଉତ୍କଳମଣିଙ୍କ ଭାଷାରେ–

 

“ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ

କର୍ମେ ଜୀଏଁ ନର କର୍ମ ଏକ ତା’ର ଜୀବନର ମାନଦଣ୍ଡ”

 

ଗାନ୍ଧିଜୀ ଏହାର ଉଜ୍ଜଳ ନିଦର୍ଶନ ।

☆☆☆

 

ଦ୍ୱାରକାଧୀଶ୍ୱରଙ୍କ ପାଦପଦ୍ମରେ

 

ପୁରୁଷସୂକ୍ତର ଚବିଶ ଶ୍ଲୋକରେ କୁହାଯାଇଛି “ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି । ତନ୍ନୋ ବିଷ୍ଣୁଃ ପ୍ରଚୋଦୟାତ ।” (ଆମେ ନାରାୟଣଙ୍କୁ ଜାଣିବା । ଆମେ ବାସୁଦେବଙ୍କୁ ଧ୍ୟାନ କରିବା । ସେଥିପାଇଁ ବିଷ୍ଣୁ ଆମକୁ ତାହା କରିବା ପାଇଁ ପ୍ରବୃତ୍ତ କରନ୍ତୁ ।)

 

ଓଡ଼ିଶାବାସୀଙ୍କ ପକ୍ଷରେ ଆଉ ଦ୍ୱାରକା ଯିବା କଷ୍ଟସାଧ୍ୟ ନୁହେଁ । ପୂର୍ବ ଉପକୂଳରେ ପୁରୁଷୋତ୍ତମ କ୍ଷେତ୍ର । ପଶ୍ଚିମ ଆରବ ସାଗର ତଟରେ ଅବସ୍ଥିତ ଦ୍ୱାରକା । ଚାରିଧାମ ମଧ୍ୟରୁ ଇଏ ଦୁଇଧାମ । ବଦ୍ରିକାଶ୍ରମ ବା ବଦ୍ରିନାଥ ହିମାଳୟରେ ଏବଂ ଦକ୍ଷିଣ ସମୁଦ୍ରକୂଳରେ ରାମେଶ୍ୱର । ଚାରିଧାମର ବର୍ଣ୍ଣନା ଶାସ୍ତ୍ରରେ ରହିଛି । ଏହାଛଡ଼ା ପୂଣ୍ୟଭୂମି ଭାରତରେ ପାବନକାରୀ ତୀର୍ଥର ଅଭାବ ନାହିଁ । ମୋକ୍ଷଲାଭ ଉଦ୍ଦେଶ୍ୟରେ ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏଇ ସବୁ ପୂଣ୍ୟସ୍ଥାନ ଦର୍ଶନ କରିବା ଓ ସେଠାରେ ସାଧନା କରିବା ପାଇଁ ଅଭିଳାଷ ରଖନ୍ତି । ଭାରତର ଚାରିଦିଗରେ ଚାରିଧାମ ଅବସ୍ଥିତ । ଧର୍ମୀୟ ଓ ସାଂସ୍କୃତିକ ସଂହତି ଓ ସମନ୍ୱୟର ପ୍ରତୀକ ଏ ଚାରିଧାମ । ପୁଣି ଭୌଗୋଳିକ ବିଚ୍ଛିନ୍ନତା ତା ଦୂରତ୍ୱ ସତ୍ତ୍ୱେ ସମଗ୍ର ଭାରତବର୍ଷ ଏକ ଶାଶ୍ୱତ ଚେତନା ଦ୍ୱାରା ଯୁଗଯୁଗ ଧରି ବାନ୍ଧି ହୋଇରହିଛି । ସ୍ନାନ କରିବା ସମୟରେ ଯେପରି ହିନ୍ଦୁମାନେ ‘ଗଙ୍ଗେଚ ଯମୁନେଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ’ ଉଚ୍ଚାରଣ କରି ପବିତ୍ର ନଦୀମାନଙ୍କ ନାମ ସ୍ମରଣ କରିବା ସହିତ ଆଂଜୁଳାଏ ପାଣିରେ ସମଗ୍ର ଭାରତର ରୂପ କଳ୍ପନା କରନ୍ତି । ସେହିପରି ନିମ୍ନୋକ୍ତ ଶ୍ଲୋକ ପଢ଼ି ସେମାନେ ତୀର୍ଥସ୍ଥାନମାନଙ୍କ ମହିମା କୀର୍ତ୍ତନ କଲାବେଳେ ଅଖଣ୍ଡ ଭାରତର ସେଇ ଦିବ୍ୟରୂପ ଆଖି ଆଗରେ ଭାସି ଉଠେ ।

 

“ଅଯୋଧ୍ୟା ମଥୁରା ମାୟା କାଶୀ କାଂଚୀ ଅବନ୍ତିକା ।

ପୁରୀ ଦ୍ୱାରାବତୀ ଚୈବ ସପ୍ତତୀ ମୋକ୍ଷଦାୟିକା ।”

 

ଅଯୋଧ୍ୟା, ମଥୁରା, ମାୟା (ଦଶଦ୍ୱାର), କାଶୀ, କାଂଚୀ (ଦକ୍ଷିଣ) ଅବନ୍ତିକା ଓ ଦ୍ୱାରାବତୀ ବା ଦ୍ୱାରକାପୁରୀ ପ୍ରସିଦ୍ଧ । ଏଠାରେ ମୋକ୍ଷପ୍ରାପ୍ତି ସହଜ । ପୁଣି ଦ୍ୱାରିକାପୁରୀ ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କ ପାଇଁ ବିଶ୍ୱପ୍ରସିଦ୍ଧ । ଶ୍ରୀମଦ୍‌ଭାଗବତରେ କୁହାଯାଇଛି ଯେ, “କୃଷ୍ଣତୁ ଭଗବାନ ସ୍ୱୟମ୍‌ ।” ଅର୍ଥାତ୍‌ ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ । ଆମ ଓଡ଼ିଆ ସନ୍ଥକବିଙ୍କ ମତରେ ଆଉଟିକେ ଭିନ୍ନ । ସେ କହନ୍ତି ଯେ, ‘ଜଗନ୍ନାଥ ଯେ ଷୋଳକଳା, ତହିଁରୁ ଏକ ନନ୍ଦବଳା’ । ଅର୍ଥାତ୍‌ଜଗନ୍ନାଥ ସ୍ୱୟଂ ଈଶ୍ୱର ଓ ଅବତାରି । ତାଙ୍କରିଠାରୁ ଅବତାରମାନେ ସୃଷ୍ଟି । ଜଗନ୍ନାଥ ଷୋଳକଳାରେ ପରିପୂର୍ଣ୍ଣ ଭଗବାନ । ଶ୍ରୀକୃଷ୍ଣ ତାଙ୍କର କଳାଏ ମାତ୍ର । କିନ୍ତୁ ହିନ୍ଦୁ ଜଗତରେ ଶ୍ରୀରାମ, ଶ୍ରୀକୃଷ୍ଣ ମଧ୍ୟ ସବୁକଳାର ଅଧିକାରୀ ବୋଲି ବିଶ୍ୱାସ ପ୍ରଚଳିତ ଅଛି । ତେଣୁ ସେଇ ଦୁଇ ଅବତାର ମଧ୍ୟ ଜଗତବନ୍ଦ୍ୟ ।

 

ଭ୍ରମଣ କରିବା ଏକ ନିଶା । ପୁଣି ଭାରତ ଭ୍ରମଣ ଆହୁରି ପ୍ରେରଣାଦାୟକ । ତେଣୁ ପଶ୍ଚିମ ଉପକୂଳରେ ଅବସ୍ଥିତ ଗୁଜରାଟର ଶେଷପ୍ରାନ୍ତରେ ଥିବା ଦ୍ୱାରକାପୁରୀ ଦେଖି ଆସିବା ପାଇଁ ମନ ଚଞ୍ଚଳ ହେବା ସ୍ୱାଭାବିକ । ସାନପୁଅ ଚିନ୍ମୟାଂଶୁ ଗୁଜରାଟର ଜାମନଗର ଠାରେ ଅବସ୍ଥାପିତ ହେବା ଦିନୁ ସେଠାକୁ ଯିବା ପାଇଁ ସବୁଠାରୁ ବଡ଼ ଆକର୍ଷଣ ଦ୍ୱାରକାଧୀଶଙ୍କୁ ଦର୍ଶନ କରିବାର ଲୋଭ ସମ୍ବରଣ କରିନପାରି ବାହାରି ପଡ଼ିଲୁ । ପୂର୍ବର ଅସୁବିଧାତ ଆଉ ନାହିଁ । ପୁରୀ ଦ୍ୱାରକା ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଗାଡ଼ି ଚଳାଚଳ କରୁଛି । ତେଣୁ ଗାଡ଼ି ବଦଳ କରିବାର ଅସୁବିଧା ବା ଅନିଶ୍ଚୟତା ନାହିଁ । ସ୍ଥାନ ସଂରକ୍ଷଣ ସୁବିଧାରେ ହୋଇଗଲା । ଗାଡ଼ି ଜାମନଗରରେ ପହଁଚିଲା ସାତଘଣ୍ଟା ବିଳମ୍ବରେ । ଜାମନଗର ପୂର୍ବତନ ଦେଶୀୟ ରାଜ୍ୟ । ଜାମନଗର ନବାବଙ୍କ ରାଜପ୍ରସାଦ ବିରାଟ । ଜାମନଗରର ଏହା ଏକ ଦର୍ଶନୀୟ ସ୍ଥାନ । ଜାମନଗରରୁ ଦ୍ୱାରକାର ଦୂରତ୍ୱ ୧୪୨ କିଲୋମିଟର ଏବଂ ସବୁଠାରୁ ଭଟ୍ଟଦ୍ୱାରକାର ଦୂରତ୍ୱ ଆହୁରି ପଇଁତିରିଶି କିଲୋମିଟର । ଅହମ୍ମଦାବାଦରୁ ଦ୍ୱାରକାର ଦୂରତ୍ୱ ପ୍ରାୟ ୫ଶହ କିଲୋମିଟର ।

 

ରେଳଗାଡ଼ିରେ ଯିବା ପାଇଁ ପାସ୍‌ଥିଲା, କିନ୍ତୁ ଆମେ ଗଲୁ କାର୍‌ରେ । ଗୁଜରାଟ ଏକ ଆଗୁଆ ରାଜ୍ୟ । ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ଉତ୍ତମ । ଓଡ଼ିଶାଠାରୁ ତ ନିଶ୍ଚୟ ଭଲ ।

 

ଜାମନଗରରୁ ଦ୍ୱାରକା ଯିବା ବାଟରେ ସବୁ ବିଭାଗରେ ଅଗ୍ରଗତି କରୁଥିବା ଗୁଜରାଟର ଦୃଶ୍ୟ ଭାସି ଉଠେ ଆଖି ଆଗରେ । ଗୁଜୁରାଟ ଏକ ସମୃଦ୍ଧ ରାଜ୍ୟ । ଏହାର ଭୌଗୋଳିକ ଅବସ୍ଥିତି ଏପରି ଯେ ସୌରାଷ୍ଟ୍ର ଅଞ୍ଚଳରେ ବର୍ଷକୁ ଦଶ ପନ୍ଦର ଇଞ୍ଚ ମାତ୍ର ବର୍ଷା ହୁଏ । ବେଳେବେଳେ ଅଧିକ ବର୍ଷା ହୋଇ ବନ୍ୟା ବି ହୁଏ । ୧୯୯୪ରେ ଭଲ ବର୍ଷା ହୋଇଥିଲା ତିନି ବର୍ଷ ପରେ । ତେଣୁ ଫସଲ ଭଲ ହୋଇଛି ଏବର୍ଷ । ବର୍ଷା ବେଶି ହୋଇନଥିବାରୁ ଏଠାରେ ଅଳ୍ପଜଳ ଆବଶ୍ୟକ କରୁଥିବା ଅର୍ଥକରି ଫସଲ ବେଶୀ ଅମଳ କରାଯାଏ । ସେଥିମଧ୍ୟରୁ ଗହମ, ବାଜରା, ଲଙ୍କା ମରିଚ, କପା, ଜଡ଼ା, ଚିନାବାଦାମ, ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ ବହୁଳ ପରିମାଣରେ ହୁଏ ଏବଂ ଚାଷୀମାନଙ୍କର ଅବସ୍ଥା ବେଶ ସ୍ୱଚ୍ଛଳ । ରାସ୍ତାର ଦୁଇପାଖରେ ଜଳସେଚନ ବ୍ୟବସ୍ଥା ବିଶେଷ କରି ଉଠାଜଳସେଚନ ବ୍ୟବସ୍ଥା ଦୃଷ୍ଟି ଆକର୍ଷଣ କରେ । ଜାମନଗର ଓଖା ମଧ୍ୟରେ ରିଲାଏନ୍‍ସ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଏସାର ଗ୍ରୁପ, ବିରଳା, ଟାଟା ଓ ଅନ୍ୟାନ୍ୟ ବ୍ୟବସାୟ ପତିଷ୍ଠାନ ପକ୍ଷରୁ ଗଢ଼ି ଉଠୁଥିବା ଶିଳ୍ପକେନ୍ଦ୍ର ଦେଖି ମନ ଉଲ୍ଲସିତ ହେଲା । ସେହିପରି ଦ୍ୱାରକା ଓଖା ମଧ୍ୟରେ ଟାଟା କେମିକେଲସ୍‍ ପକ୍ଷରୁ ଶିଳ୍ପ ଉନ୍ନୟନର ବ୍ୟାପକ ବ୍ୟବସ୍ଥା ଯାତକୁ ନିଆଯାଇଥିବାର ଦେଖିଲୁ । ଜାମନଗର ଭାରତବର୍ଷର ପାକିସ୍ତାନ ସୀମାନ୍ତବର୍ତ୍ତୀ ଜିଲ୍ଲା । ଏଠାରେ ବାୟୁସେନାର ଏକ ବଡ଼ କେନ୍ଦ୍ର ଅଛି ଏବଂ ପ୍ରତିଦିନ ସକାଳ ସନ୍ଧ୍ୟା ସୀମାନ୍ତ ଇଲାକାରେ ଜାଗ୍ରତ ପ୍ରହରୀ ଭାବେ ବାୟୁସେନା କାର୍ଯ୍ୟ କରୁଥିବା ଦେଖି ଏ ଦେଶର ସାମରିକ ଶକ୍ତିର କଳନା କରିହୁଏ । ଗୁଜରାଟ ସମୁଦ୍ରକୂଳରେ ଏକାଧିକ ବାଣିଜ୍ୟ କେନ୍ଦ୍ର ଅବସ୍ଥିତ । ଏସବୁ ବନ୍ଦର ବାଟ ଦେଇ ଆମଦାନୀ ରପ୍ତାନୀ ବାଣିଜ୍ୟ ଛଡ଼ା ବହୁଳ ଚୋରାକାରବାର ମଧ୍ୟ ହୁଏ । ସାଧାରଣ ଲୋକଙ୍କ ଚଳଣିରୁ ସେମାନଙ୍କ ଅର୍ଥନୈତିକ ସ୍ୱଚ୍ଛଳତା ବାରି ହୁଏ । ଓଟକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ ଓ ଗୁଜୁରାଟରେ ଓଟ ଓ ଛେଳି ଦୁଧର ପ୍ରଚଳନ ଓ ଆଦର ବେଶି ।

 

ଏସବୁ ବିଷୟ ଆଲୋଚନା କରୁଥିବାବେଳେ ନଗେନ୍ଦ୍ର ଆମର ଦୃଷ୍ଟି ଆକର୍ଷଣ କରି କହିଲା ଦ୍ୱାରକା ଆସିଗଲା.....ଏହି ଆଗରେ ଦ୍ୱାରକାଧୀଶଙ୍କ ମନ୍ଦିର । ଗାଡ଼ି ସହର ଭିତରକୁ ପ୍ରବେଶ କଲା ଏବଂ ମନ୍ଦିରର ଅନତିଦୂରରେ ଆମେ ଗାଡ଼ିରୁ ଓହ୍ଲାଇ ଯଥାସ୍ଥାନରେ ଯୋତା ରଖି ମନ୍ଦିର ବେଢ଼ା ଭିତରକୁ ପ୍ରବେଶ କଲୁ । ମନ୍ଦିର ନିର୍ମାଣ ଶୈଳୀ ଓଡ଼ିଶାର ମନ୍ଦିର ନିର୍ମାଣଶୈଳୀ ଠାରୁ ଭିନ୍ନ, ବରଂ ଦକ୍ଷିଣ ଭାରତର ଛାଞ୍ଚଥିବା ପରି ମନେ ହୁଏ । ଦ୍ୱାରକାଧୀଶଙ୍କ ମୁଖ୍ୟ ମନ୍ଦିର ସମୁଦ୍ରକୂଳ ଠାରୁ ଅନତିଦୂରରେ ଅପେକ୍ଷାକୃତ ଏବଂ ଉଚ୍ଚସ୍ଥାନରେ ଅବସ୍ଥିତ । ମନ୍ଦିର ହଜାରେ ବର୍ଷ ହେବ ବୋଲି ଅନୁମାନ କଲୁ । ନିର୍ମାଣ କୌଶଳ ଓ କାରୁକାର୍ଯ୍ୟ ଆକର୍ଷଣୀୟ । ସମୁଦ୍ରର ଲୁଣିପବନ ବାଜି ମନ୍ଦିର ଓ ମୂର୍ତ୍ତିମାନଙ୍କର ଅବକ୍ଷୟ ଘଟୁଥିବା ଦୃଶ୍ୟ ଆଖିରେ ପଡ଼େ । ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଯାତ୍ରୀ ଓ ପର୍ଯ୍ୟଟକମାନେ ଆଗ୍ରହର ସହିତ ପୂଜାର୍ଚ୍ଚନା କରୁଥିବା ଦେଖିଲୁ । ମନ୍ଦିର ବେଢ଼ା ଗର୍ଭଗୃହ, ଭୋଗମଣ୍ଡପ ଇତ୍ୟାଦି ପରିଷ୍କାର ପରିଚ୍ଛନ୍ନତା ଭଲ । ମନ୍ଦିର ପାଞ୍ଚମହଲା ଏବଂ ମନ୍ଦିରର ତଳଦେଶ ପୁରୀ ମନ୍ଦିରର ତଳଦେଶରେ ଥିବା ପଦ୍ମପାଖୁଡ଼ାରେ ପୂର୍ଣ୍ଣ ।

 

ଦ୍ୱାରକାର ଅଧିଷ୍ଠିତ ଦେବତା ଶ୍ରୀକୃଷ୍ଣ । କିନ୍ତୁ ସ୍ଥାନୀୟ ଲୋକଙ୍କ ମୁହଁରେ ଓ ସାହିତ୍ୟରେ ସେ ‘ରଣଛୋଡ଼’ ନାମରେ ମଧ୍ୟ ପରିଚିତ । ଏ ବିଷୟ ଯଥାସ୍ଥାନରେ ଉଲ୍ଲେଖ କରାଯିବ । ଚାରିଧାମର ବର୍ଣ୍ଣନା ଲୋକସାହ୍ୟିରେ ନିମ୍ନୋକ୍ତମତେ କରାଯାଇଛି–

 

ପୂର୍ବ ଦିଶା ଜଗନ୍ନାଥ ସ୍ୱାମୀ, ଦକ୍ଷିଣ ଦିଶା ରାମନାଥ ହୈ,

ପଶ୍ଚିମ ଦିଶା ରଣଛୋଡ଼, ତିକ୍ରମବୀ ଉତ୍ତରାଖଣ୍ଡ ବଦ୍ରିନାଥ ହୈ

ବ୍ରହ୍ମାବରଣ ଜଗନ୍ନାଥ ଯୋଗୀ ବରଣ ରାମନାଥ ହୈ

ଛତ୍ରୀ ବରଣ ରଣଛୋଡ଼ ତ୍ରିକମଜୀ ପସିବରଣ ବଦ୍ରିନାଥ ହୈ

ବେତ ଦେବ ଜଗନ୍ନାଥ ସ୍ୱାମୀ ପଟ ଦେତ ରାମନାଥ ହୈ

ଛାପଦେତ ରଣଛୋର ତ୍ରିକମଜୀ କଂକତ ଦେତ ବଦ୍ରିନାଥ ହୈ

ଅଟକା ଦେତ ଜଗନ୍ନାଥ ସ୍ୱାମୀ ପଟ ଜଲଚଢ଼ତ ରାମନାଥ ହୈ

ମାଖଣମିଶ୍ରୀ ଚଢ଼ତ ଛୋର ତ୍ରିକ୍ରମଜୀ ମେୱା ଚତ୍ରଦ୍ରିନାଥ ହୈ

 

ଆମେ ପ୍ରଥା ଅନୁସାରେ ମିଶ୍ରି ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲୁ । ଭିଡ଼ ଥିଲେ ମଧ୍ୟ ପୁରୀ ବା ତିରୁପତିର ଭିଡ଼ ସେଠାରେ ହୁଏ ନାହିଁ ବା ତୀର୍ଥଯାତ୍ରୀମାନେ ପଣ୍ଡାପୂଜକମାନଙ୍କ ଦ୍ୱାରା ନିର୍ଯାତିତ ହୁଅନ୍ତି ନାହିଁ । ଇଚ୍ଛାନୁସାରେ ଯିଏ ଯାହାପାରେ ଦାନ କରେ । ଚତୁର୍ଭୁଜ ଶ୍ରୀକୃଷ୍ଣ ମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ଶାସ୍ତ୍ରପୁରାଣରେ ଯେଉଁ ଉଲ୍ଲେଖ ଅଛି ଏହା ସେଇ ଦ୍ୱାରକାନ ଅନ୍ୟ ଏକ ଦ୍ୱାରକା । ତା’ର ଐତିହାସିକ ସତ୍ୟତା ନିର୍ଣ୍ଣିତ ହୋଇନାହିଁ । ଭେଟ ଦ୍ୱାରକା ନିକଟସ୍ଥ ଜଳମଗ୍ନ ସହ ବା ଦୁର୍ଗର ଭଗ୍ନାଂଶ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ନତତ୍ତ୍ୱବିଦ୍‌ମାନେ ଆବିଷ୍କାର କରିପାରିନାହାନ୍ତି । ଫଳରେ ଦ୍ୱାରକା ସମ୍ବନ୍ଧରେ ପୌରାଣିକ ଉଦ୍ଧୃତି ହିଁ ଗ୍ରହଣ କରାଯାଏ । ରାମାୟଣ ଓ ମହାଭାରତର ଐତିହାସିକ ସତ୍ୟତା ସମ୍ବନ୍ଧରେ ପ୍ରସିଦ୍ଧ ଐତିହାସିକ ଡକ୍ଟର ନିମାଇଁ ସାଧନ ବସୁଙ୍କୁ (ବିଶ୍ୱଭାରତୀ ବିଦ୍ୟାଳୟର ପୂର୍ବତନ କୁଳପତି) ପ୍ରଶ୍ନ କରିଥିଲୁ କିନ୍ତୁ ତାଙ୍କ ମତରେ ଏହାର ଐତିହାସିକ ଭିତ୍ତି ନାହିଁ ବରଂ ଶ୍ରୀରାମ ଓ ଶ୍ରୀକୃଷ୍ଣ ଯୁଗ ଯୁଗ ଧରି କୋଟି କୋଟି ହୃଦୟର ଆରାଧ୍ୟ ଦେବତା । ଏ ପ୍ରସଙ୍ଗ ଏଠାରେ ଥାଉ । ଶ୍ରୀକୃଷ୍ଣଙ୍କ ଖ୍ୟାତି ମହାଭାରତ ଗୀତା ଓ ଭାଗବତର ଉପାଦାନ । ମହାଭାରତ ପୃଥିବୀର ସବୁଠାରୁ ବଡ଼ କାବ୍ୟ । ଏହା ଇତିହାସ ଭାବେ ପ୍ରସିଦ୍ଧ । କିନ୍ତୁ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ମତରେ– “ଏହା କୌଣସି ବ୍ୟକ୍ତିବିଶେଷ ଦ୍ୱାରା ରଚିତ ଇତିହାସ ନୁହେଁ । ଏହା ଗୋଟିଏ ଜାତିର ସ୍ୱରଚିତ ସ୍ୱାଭାବିକ ଇତିହାସ ।”

 

ଇଉରୋପର ପଣ୍ଡିତମାନଙ୍କ ମତରେ ମହାଭାରତ ଖ୍ରୀଷ୍ଟପୂର୍ବ ପଞ୍ଚମ ବା ଚତୁର୍ଥ ଶତାଦ୍ଦୀ ମଧ୍ୟରେ ରଚିତ ହୋଇଥିଲା । ବାଳଗଙ୍ଗାଧର ତିଳକ ଓ ଯୋଗେଶଚନ୍ଦ୍ର ବିଦ୍ୟାନିଧିଙ୍କ ମତରେ ଏହା ଖ୍ରୀଷ୍ଟପୂର୍ବ ୧୫୦୦ରୁ ୧୪୦୦ ମଧ୍ୟରେ ରଚିତ ହୋଇଥିଲା । ବଙ୍କିମଚନ୍ଦ୍ର ଏହା ଖ୍ରୀଷ୍ଟପୂର୍ବ ୧୫୦୦ରୁ ୧୪୩୦ ମଧ୍ୟରେ ରଚିତ ହୋଇଥିଲା ବୋଲି କହିଛନ୍ତି । କାଳନିର୍ଣ୍ଣୟ କରିବା ଆମର କାମ ନୁହେଁ, କିନ୍ତୁ ମହାକାଳକୁ ଜୟ କରି କଂସର ବନ୍ଦୀଶାଳାରୁ କାଳୋତୀର୍ଣ୍ଣ ହୋଇଥିବା କୃଷ୍ଣଚେତନା ସମ୍ବନ୍ଧରେ ଜାଣିବା ଆମର ପରମ କର୍ତ୍ତବ୍ୟ ।

 

ମନ୍ଦିରରେ ପୂଜାର୍ଚ୍ଚନା କରି ବେଢ଼ା ମଧ୍ୟରେ ଓ ବେଢ଼ା ବାହାରେ ଥିବା ଦୋକାନ ବଜାର ବୁଲି ଦେଖିଲୁ । ସବୁଠାରୁ ଯେପରି ଏଠାରେ ମଧ୍ୟ ସେହିପରି ବହୁ ସାମଗ୍ରୀ ମିଳେ ପୂଜାର୍ଚ୍ଚନା ପାଇଁ-। ସମୁଦ୍ରଠାରୁ କିଛି ଦୂର ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖରେ ଯେଉଁ ଜଳରାଶି ପ୍ରବାହିତ ହୁଏ ତାହା ଗୋମତୀ ନାମରେ ବିଖ୍ୟାତ । କେନାଲ ଖୋଳିବା ଦ୍ୱାରା ସମୁଦ୍ରଜଳର ପ୍ରବେଶ ଅବାଧ ହୋଇଛି ଏବଂ ପ୍ରତିଦିନ ଶହ ଶହ ଦର୍ଶନାର୍ଥୀ ଏଥିରେ ସ୍ନାନତର୍ପଣ କରନ୍ତି । ପୁରାଣବର୍ଣ୍ଣିତ କଥା ଅନୁସାରେ ଦିନେ ଦୁର୍ବାସା ଋଷି ଦ୍ୱାରକାରେ ଆସି ପହଁଚିଲେ । ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସହିତ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଓ ପାଦପୂଜା କରିବା ପରେ ଦୁର୍ବାସା ଋଷି ପଚାରିଲେ, ଆପଣଙ୍କ ସବୁ କୁଶଳ ତ ? ଆପଣଙ୍କ ନିବାସ କେଉଁଠାରେ, ପୁତ୍ର କେତେଜଣ ? ଶ୍ରୀକୃଷ୍ଣ ଦ୍ୱାରକାପୁରର ବର୍ଣ୍ଣନା ଦେଇ କହିଲେ ପାଞ୍ଚଲକ୍ଷ ସୁବର୍ଣ୍ଣ ମହଲା, ଷୋହଳ ହଜାର ଏକଶହ ଆଠ ରାଣୀ ଏବଂ ସେମାନଙ୍କ ମଧ୍ୟରେ ରୁକ୍ମିଣୀ ପାଟରାଣୀ । ପ୍ରତ୍ୟେକ ରାଣୀଙ୍କ ଦଶ ପୁତ୍ର ଏବଂ ଗୋଟିଏ ଝିଅ । ଛପନ କୋଟି ଯାଦବ ମୋର ଆତ୍ମୀୟ ପରିଜନ । ଏହାଶୁଣି ଦୁର୍ବାସା ଋଷି କହିଲେ ଏଡ଼େ ଐଶ୍ୱର୍ଯ୍ୟାଶାଳୀ ହୋଇ ମଧ୍ୟ ମୋ ପାଖକୁ କାହିଁକି ଆସିଛନ୍ତି ? ଆପଣ ଜାଣନ୍ତି ଅଗ୍ନିରେ ଶୀତଳତା ନାହିଁ, କି ଦୁର୍ବାସାଙ୍କ କ୍ଷମାଗୁଣ ନାହିଁ । ଏହାପରେ ଭଗବାନ ତାଙ୍କୁ ପାଛୋଟି ନେଇ ରଥରେ ବସାଇଲେ । ବାଟରେ ରୁକ୍ମିଣୀଙ୍କୁ ଶୋଷ ଲାଗିବାରୁ ରୁକ୍ମିଣୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଶ୍ରୀକୃଷ୍ଣ ପୃଥିବୀ ଉପରେ ପାଦ ଯାକିବାରୁ ଗଙ୍ଗା ପ୍ରକଟିତ ହୋଇ ରୁକ୍ମିଣୀ ତୃଷ୍ଣା ନିବାରଣ କଲେ । ରଥ ଏଥିପାଇଁ କିଛି ସମୟ ରହିଯିବାରୁ କ୍ରୋଧିତ ହୋଇ ଦୁର୍ବାସା ରୁକ୍ମିଣୀଙ୍କୁ ଅଭିଶାପ ଦେଲେ ଯେ କୃଷ୍ଣଙ୍କଠାରୁ ତାଙ୍କର ବିୟୋଗ ଘଟିବ । ଏହା କହି ସେ ରଥରୁ ଓହ୍ଲାଇପଡ଼ିଲେ । ସେହିଦିନ ଠାରୁ ଗଙ୍ଗାଜଳ ସେଠାରେ ନିରନ୍ତର ପ୍ରବାହିତ ହେଉଛି । ଏଣୁ ଏହାର ଅନ୍ୟନାମ ମୁକ୍ତିଦ୍ୱାର । ତୀର୍ଥଯାତ୍ରୀମାନେ ସେଠାରେ ପହଁଚିବା ପରେ ପ୍ରଥମେ ଅର୍ଘ୍ୟଦାନ କରନ୍ତି । ତା’ପରେ ସ୍ନାନ କରି ଦାନଧର୍ମ କରନ୍ତି । ଏହାପରେ ଚକ୍ରତୀର୍ଥରେ ସ୍ନାନ କରିବାକୁ ହୁଏ । ସେଠାରେ ବିଷ୍ଣୁଭଗବାନ ଚକ୍ରସ୍ତମ୍ଭ ହୋଇ ଚକ୍ରର ଛିଦ୍ର ଦେଇ ସ୍ୱନେତ୍ରରେ ନିରନ୍ତର ବ୍ରହ୍ମାଣ୍ଡ ଦେଖୁଥିବାରୁ ତାହାର ନାମ ଚକ୍ରତୀର୍ଥ । ଏଠାରେ ପୂଜାର୍ଚ୍ଚନା କରିବା ଦ୍ୱାରା ପ୍ରାଚୁର୍ଯ୍ୟ ଫଳ ଲାଭ ହୁଏ । ଏହି ତୀର୍ଥର ମହାତ୍ମ୍ୟ ପ୍ରୟାଗଠାରୁ ମଧ୍ୟ ଅଧିକ । ଏଠାରେ ଅସ୍ଥି ବିସର୍ଜନ କରିବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୁଏ । ଏଠାରେ ଥିବା କୁଣ୍ଡ କକଳାସ କୁଣ୍ଡ ନାମରେ ପ୍ରସିଦ୍ଧ-। ଏଠାରେ ସ୍ନାନ କଲେ ପୂର୍ବଜମାନେ ମୁକ୍ତି ହୋଇ ବୈକୁଣ୍ଠ ଗମନ କରନ୍ତି । ସେଥିପାଇଁ ଏହା ଅତି ପବିତ୍ର । ପୁଣି ଗୋପୀମାନଙ୍କୁ ଦର୍ଶନ ଦେବା ସକାଶେ ଏଠାରେ ଥିବା ମୟ ସରୋବରରେ ପ୍ରତି ଏକାଦଶୀ ସ୍ନାନ କରିବା ପାଇଁ ଶ୍ରୀକୃଷ୍ଣ ଆସନ୍ତି । ତେଣୁ ଏଠାରେ ସ୍ନାନ ତର୍ପଣ କରିବା ଦ୍ୱାରା ମୁକ୍ତି ମିଳେ ।

 

ସେଥିପାଇଁ କୁହାଯାଏ :

 

“ମୁକ୍ତି ପ୍ରୟାନ୍ତି ତସ୍ୟେବ, ପିତରସ୍ତ୍ରୀକୂଳେ ଭବ

ପୁତ୍ର-ପୌତ୍ରା ସମାଯୁକ୍ତା ଧନଧାନ୍ୟ ସମନ୍ୱିତା ।”

 

ଏଠାରେ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି ଲୋକର ପୁତ୍ର ପୌତ୍ର ମୋକ୍ଷ ପାଆନ୍ତି । ପୁଣି ପୁରାଣବର୍ଣ୍ଣିତ ଗଦାତୀର୍ଥ ଏଠାରେ ଅବସ୍ଥିତ । ଏଠାରେ ସ୍ନାନ କଲେ ଯଜ୍ଞ ଫଳ ପ୍ରାପ୍ତ ହୁଏ । ଏହା ପାଖରେ ନାଗନାଥ ମହାଦେବଙ୍କ ଦର୍ଶନ ଓ ଚିତ୍ର ସରୋବରରେ ସ୍ନାନ ମଧ୍ୟ ପୂଣ୍ୟଦାୟକ । ଏହିପରି ବିଭିନ୍ନ ପୂଣ୍ୟସ୍ଥଳୀରେ ପୂଜାର୍ଚ୍ଚନା ଓ ସ୍ନାନ ତର୍ପଣ କରିବାର ବିଧି ରହିଛି ।

 

ଶଙ୍ଖଚକ୍ର ଗଦାପଦ୍ମଶୋଭିତ ଶ୍ରୀକୃଷ୍ଣ ଭଗବାନଙ୍କୁ ଷୋଳକଳା ପରିପୂର୍ଣ୍ଣ କୁହାଯାଏ । ପ୍ରମାଣ ସ୍ୱରୂପ ଗୀତାରୁ ଉଦ୍ଧୃତି ଦେଇ କୁହାଯାଇଛି ଯେ,

 

“ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।

ଅଭ୍ୟୁତ୍‌ଥାନମ୍‌ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ ।

ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ ।

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”

 

ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ବାରବାର ଅବତରଣ କରିବାରେ ଏହି ହିଁ ପ୍ରମାଣ । ଧର୍ମରକ୍ଷା ଉପରେ ସବୁକାଳରେ ପ୍ରାଥମିକତା ଦିଆଯାଉଥିଲା । କାରଣ ପ୍ରାଚୀନ ଭାରତୀୟ ସଂସ୍କୃତିରେ ଧର୍ମର ମହତ୍ତ୍ୱ ପ୍ରାଧାନ୍ୟଲାଭ କରିଥିଲା । ଧର୍ମର ବାଖ୍ୟା କରି ଯୁଧିଷ୍ଠିରଙ୍କୁ ନାରଦ କହିଥିଲେ–“ହେ ରାଜା ! ଧର୍ମର ମୂଳତତ୍ତ୍ୱ ଈଶ୍ୱର । ତାଙ୍କର ପ୍ରସନ୍ନତା ପାଇଁ ସତ୍ୟ, ଦୟା, ତପସ୍ୟା, ପବିତ୍ରତା, ସହନଶୀଳତା, ଅହିଂସା, ବ୍ରହ୍ମଚର୍ଯ୍ୟ, ଦାନ, ସ୍ୱାଧ୍ୟାୟ, ଇନ୍ଦ୍ରିୟସଂଜମ, ସନ୍ତୋଷ, ସତ୍‌ ପୁରୁଷସେବା ପ୍ରଭୃତି ଆବଶ୍ୟକ । ହିନ୍ଦୁ ଶାସ୍ତ୍ର ଅନୁସାରେ ଜୀବଜଗତର ବିବର୍ତ୍ତନରେ ଦଶ ଅବତାରଙ୍କ ଉଲ୍ଲେଖ ରହିଛି । ସେମାନଙ୍କର ଅବତରଣ ପରମେଶ୍ୱର ପରଂବ୍ରହ୍ମଙ୍କଠାରୁ ।

 

ଶ୍ରୀକୃଷ୍ଣ ଗୋରୁ ଓ ବ୍ରାହ୍ମଣମାନଙ୍କୁ ରକ୍ଷା କରନ୍ତି । ପ୍ରତୀକାତ୍ମକରେ ବ୍ୟବହୃତ ଏହି ପ୍ରସଙ୍ଗରୁ ଧର୍ମାଚରଣ ସମ୍ବନ୍ଧରେ ସମ୍ୟକ ସୂଚନା ମିଳେ । ଲୋକଶିକ୍ଷା ସକାଶେ ଏକ ପ୍ରସଙ୍ଗ ଉଲ୍ଲେଖ କରାଯାଇପାରେ । ସନକ ସନନ୍ଦନ ଯେବେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ନିମନ୍ତେ ବୈକୁଣ୍ଠକୁ ଗଲେ ସେତେବେଳେ ଜୟ, ବିଜୟ ଦ୍ୱାରପାଳଭାବେ ନିଯୁକ୍ତ ଥିଲେ । ସେମାନେ ବ୍ରାହ୍ମଣମାନଙ୍କ ପ୍ରତିରୋଧ କରିବାରୁ ଶାପଗ୍ରସ୍ତ ହେଲେ । କାରଣ ରାଜାଙ୍କ ପ୍ରତିନିଧି ଯଦି ଅଶିକ୍ଷିତପରି ଉଦ୍ଦଣ୍ଡ ଓ ଅନ୍ୟାୟ ଆଚରଣ କରନ୍ତି ତେବେ ସେଥିରେ ରାଜାଙ୍କର ମଧ୍ୟ ଦୁର୍ନାମ ହୁଏ । ଜୟ ବିଜୟଙ୍କ ଅଭଦ୍ରୋଚିତ ବ୍ୟବହାର ଶୁଣି ଶ୍ରୀକୃଷ୍ଣ ବ୍ୟଥିତ ହୋଇ ବ୍ରାହ୍ମଣମାନଙ୍କ ଠାରେ କ୍ଷମା ପ୍ରାର୍ଥନା କରିଥିଲେ । ଏସବୁ ବୃତ୍ତାନ୍ତ ଲୋକଶିକ୍ଷା ସକାଶେ ଉଦ୍ଦିଷ୍ଟ ।

 

ମନ୍ଦିର ବେଢ଼ା ଭିତରେ ଶିବ, ଦୁର୍ଗା, ଲକ୍ଷ୍ମୀ ଋକ୍ମିଣୀ, ଭାନୁମତୀ, ଗଣେଶ ପ୍ରଭୃତି ପାର୍ଶ୍ୱଦେବତାଙ୍କୁ ଦର୍ଶନ କରିସାରି ଦରିଆ ନରସିଂହଙ୍କୁ ଦର୍ଶନ କଲୁ । ଦରିଆ ନରସିଂହଙ୍କ ମନ୍ଦିର ସ୍ଥଳଭାଗର ଶେଷ ପ୍ରାନ୍ତ ସମୁଦ୍ରକୁ ଲାଗି । ସମୁଦ୍ର (ଗୋମତୀର) ଘାଟମାନଙ୍କରେ ସ୍ନାନ କଲାବେଳେ ଅନେକ ମାଛ ଆହାର ଗୋଟାଇବା ଲାଗି ଆସନ୍ତି । ଅଟାଗୋଳି ବା ଅନ୍ୟ କିଛି ଖାଦ୍ୟ ଫିଙ୍ଗିବାକ୍ଷଣି ମାଛମାନେ ତାହା ଝାମ୍ପି ନିଅନ୍ତି । ଏଠାରେ ପ୍ରାୟ ସବୁ ଲୋକ ଶାକାହାରୀ ।

 

ଶ୍ରୀକୃଷ୍ଣଙ୍କ ଜୀବନକାଳ ନିର୍ଣ୍ଣୟ କରି ପଣ୍ଡିତମାନେ କହନ୍ତି ଯେ, ସେ ବାଲ୍ୟକାଳ ଏଗାରବର୍ଷ ପର୍ଯ୍ୟନ୍ତ ଗୋକୁଳ ବୃନ୍ଦାବନରେ ବିତାଇଥିଲେ । ୧୨ ବର୍ଷ ବୟସରେ ମଥୁରା ଯାଇଥିଲେ କଂସକୁ ନିହତ କରିବା ପାଇଁ । ବ୍ରହ୍ମବୈବର୍ତ୍ତପୁରାଣରେ ଉଲ୍ଲେଖ ଅଛି ଯେ ଶ୍ରୀକୃଷ୍ଣ ଭଗବାନ ଏକ ଶହ ବର୍ଷ ଦ୍ୱାରକାରେ ରହିଥିଲେ । ଚଉଦ ବର୍ଷ ମଥୁରାରେ ଏବଂ ଏଗାର ବର୍ଷ ଗୋକୁଳରେ । ଏଣୁ ସର୍ବମୋଟ ୧୨୫ ବର୍ଷ ଜୀବନାଳ ମଧ୍ୟ ଧର୍ମରକ୍ଷାର୍ଥେ ସେ ଅଦ୍ଭୂତପୂର୍ବ କର୍ମ କରି ସମସ୍ତଙ୍କ ଆରାଧ୍ୟ ଇଷ୍ଟ ହୋଇଥିଲେ । ଶ୍ରୀକୃଷ୍ଣ କଂସର ଭଣଜା ଥିଲେ । ଉଗ୍ରସେନଙ୍କ କନ୍ୟା ଦେବକୀ ସହିତ ବସୁଦେବଙ୍କ ବିବାହ ହୋଇଥିଲା ଏବଂ କଂସ ନିଜେ ବରକନ୍ୟାଙ୍କ ସହିତ ଯାଉଥିବାବେଳେ ଦେବକୀଙ୍କ ଅଷ୍ଟମ ସନ୍ତାନ ହାତରେ ନିହତ ହେବ ବୋଲି ଆକାଶବାଣୀ ଶୁଣି ବସୁଦେବ ଓ ଦେବକୀଙ୍କୁ ବନ୍ଦୀ କଲା । ସେଇ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ।

 

ଯୁଗେ ଯୁଗେ ବନ୍ଦୀଶାଳାରୁ ହିଁ ନୂତନ ଚେତନା ନୂତନ ଶାସ୍ତ୍ର ଓ ବିଭୁତି ପ୍ରସ୍ଫୁଟିତ ହୋଇଛି । ଆଲିପୁର ଜେଲ୍‌ରେ ବନ୍ଦୀ ଥିବାବେଳେ ଯୋଗୀ ଶ୍ରୀଅରବିନ୍ଦ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ବିପ୍ଲବ ପଥ ପରିହାର କରି ଧର୍ମପଥ ବାଛିଥିଲେ । କନ୍ୟା ଯୋଗମାୟା ଜନ୍ମ ହେବା ପରେ ଶ୍ରୀକୃଷ୍ଣଙ୍କୁ ତାଙ୍କରି ସହିତ ନନ୍ଦଘରେ ବନ୍ଦୀକରି ଯୋଗମାୟାଙ୍କୁ ବସୁଦେବ ଆଣିବା ପରେ କଂସର ବିନାଶ ପାଖେଇ ଆସିଲା । କୃଷ୍ଣଙ୍କ ହାତରେ କଂସ ନିହତ ହେବାର ସମ୍ବାଦ ପାଇ କଂସର ଶ୍ୱଶୁର ଜରାସନ୍ଧ କୃଷ୍ଣଙ୍କୁ ମାରିବାକୁ ଆସି ମଥୁରା ଆକ୍ରମଣ କଲା । ବାରମ୍ବାର ଶ୍ରୀକୃଷ୍ଣଙ୍କ ଦ୍ୱାରା ପରାଜିତ ହୋଇ ମଧ୍ୟ ଆକ୍ରମଣରୁ ବିରତ ହେଲାନାହିଁ । ଶ୍ରୀକୃଷ୍ଣ ଜରାସନ୍ଧର ଆଚରଣ ଏବଂ ପାତ୍ରମିତ୍ରଙ୍କୁ ଯୁଦ୍ଧପାଇଁ ସଂଗଠିତ କରିବା ଦେଖି ଯୁଦ୍ଧ ଏଡ଼ାଇବା ଉଦ୍ଦେଶ୍ୟରେ ମଥୁରା ଛାଡ଼ିବା ପାଇଁ ନିର୍ଣ୍ଣୟ କଲେ । ଏହାପରେ ସେ ଭାରତବର୍ଷ ପଶ୍ଚିମ ଉପକୂଳସ୍ଥିତ ଦ୍ୱାରକାପୁରକୁ ଚାଲିଆସିବା ହରିବଂଶରେ ଉଲ୍ଲେଖ ଅଛି । ଯୁଦ୍ଧ ଛାଡ଼ି ଚାଲି ଆସିବାରୁ ତାଙ୍କୁ ଋଣଛୋଡ଼ କୁହାଯାଏ । କିନ୍ତୁ ପରେ ଜରାସନ୍ଧ ସମେତ ଅନ୍ୟାନ୍ୟ ଦୁରାଚାରୀମାନଙ୍କୁ ଖୋଜି ଖୋଜି ନାଶ କରିଥିଲେ ଶ୍ରୀକୃଷ୍ଣ । ଏମାନେ ନିହତ ହେବା ପରେ ଧର୍ମ ସଂସ୍ଥାପନ ହେଲା ଏବଂ ଅବତାରତ୍ୱ ମଧ୍ୟ ସଫଳ ହେଲା । ଏଇ ଦ୍ୱାରକାପୁରୀରେ ଶ୍ରୀକୃଷ୍ଣ ଶହେବର୍ଷ ଅତିବାହିତ କରି ଧର୍ମ ସଂସ୍ଥାପନ କରିଥିବାରୁ ଏହାର ମହାତ୍ମ୍ୟ ଅଧିକ । ପୁରାଣରେ ଏହା ବି କୁହାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଭୌତିକ ଲୀଳା ସମାପ୍ତ ହେବାପରେ ଦ୍ୱାରକାପୁରୀ ସମୁଦ୍ରରେ ବୁଡ଼ିଗଲା । ଭାଗବତରେ ଶ୍ରୀଜଗନ୍ନାଥ ଦାସ ମଧ୍ୟ ସେଇ କଥା ଲେଖିଛନ୍ତି : ‘ଜଳେ ଦ୍ୱାରକା ଯିବ ନାଶ’ ।

 

ଶାସ୍ତ୍ରରେ ଅଛି :

 

‘‘ହେ ସମୁଦ୍ର ମହାଭାଗ ସ୍ଥଳ ଶତଯୋଜନମ ।

ଦେହି ମେ ନଗରାର୍ଥଜ୍ଞ ପଶ୍ରାଦ୍ୱାସ୍ୟାମି ନିଶ୍ଚିତମ ।।’’ (ବ୍ରହ୍ମବୈବର୍ତ୍ତପୁରାଣ)

 

ଅବକାଶେ ତ୍ୱୟା ଦତ୍ତେ ପୁରୀୟଂ ନାମକଂ କଳମ୍ ।

ପର୍ଯ୍ୟାପ୍ତ ବିଷୟ ରମ୍ୟା ସମଗ୍ରଂ ବିସହିଷ୍ୟତି । (ହରିବଂଶ)

 

ଭଗବାନ ଶ୍ରୀକୃଷ୍ଣଙ୍କ ନିବାସସ୍ଥଳୀ ସେତିକି ପାଣିରେ ବୁଡ଼ିଗଲା ଯେତିକି ସେ ସମୁଦ୍ରଠାରୁ ମାଗିଆଣିଥିଲେ । ଶ୍ରୀମଦ୍‍ଭାଗବତରେ ଅଛି :

 

ଦ୍ଵାରକାଂ ହରିଣୀ ତ୍ୟକ୍ତ୍ୱାଂ ସମୁଦ୍ରୌପ୍ଲାବୟତ୍ କ୍ଷଣାତ୍ ।

ବର୍ଜୟିତ୍ୱା ମହାରାଜ ଶ୍ରୀମଦ୍‍ଭାଗବଦା ଲୟମ ।।’’

 

ବିଷ୍ଣୁ ପୂରାଣରେ ମଧ୍ୟ ଏ ସମ୍ବନ୍ଧରେ ଉଲ୍ଲେଖ ଅଛି ଯେ ।

 

“ପ୍ଲାବୟାମାସ ତା ଶୂନ୍ୟାଂ ଦ୍ୱାରକାଂ ଚ ମହୋଦଧିଃ ।

ବାସୁଦେବ ଗୃହଂ ତ୍ୱେକଂ ନ ପ୍ଲାବୟତି ସାଗରଃ ।’’

 

ଶେଷରେ ମହାଭାରତର ମୂଷଳ ପର୍ବରେ ଉଲ୍ଲେଖ କରାଯାଇଛି ଯେ :

 

‘‘ଇମାଂଚ ନଗରୀ ସଦ୍ୟଃ ପ୍ରତିୟାତେ ଧନଞ୍ଜୟ ।

ପ୍ରାକା-ଶୋଟାଲ କୋପେଣଂ ସମୁଦ୍ରଃ ପ୍ଲାବିୟିଷ୍ୟତି ।।’’

 

ଆଉ କେଉଁଠାରେ ଏହା ବି ଉଲ୍ଲେଖ ଅଛି ଯେ ଭଗବତ୍ ଆଳୟ ଛାଡ଼ି ସମଗ୍ର ଦ୍ଵାରକା ପୁରୀ ବୁଡ଼ି ଯାଇଥିଲା ।

 

ଅସଲ କଥା ହେଲା ଏହି ଯେ ଯାଦବ ବଂଶ ଅନ୍ୟାୟ ଅନୀତିରେ ବୁଡ଼ିଯିବାରୁ ଏବଂ ସେମାନଙ୍କୁ ଆଉ ସଂସ୍କାର କରିବା ଅସମ୍ଭବ ମନେ ହେବାରୁ ମହାଭାରତର ଯୁଦ୍ଧ ସମାପ୍ତ ହେବାପରେ ଯାଦବକୁଳ ଶ୍ରୀକୃଷ୍ଣଙ୍କ ଇଚ୍ଛାନୁସାରେ ନଷ୍ଠ ହେଲେ । ବୈଜ୍ଞାନିକମାନେ ହୁଏତ ଯୁକ୍ତି କରିବେ ଯେ ସମୁଦ୍ର କୂଳରେ ଅବସ୍ଥିତ ଦ୍ୱାରକାପୁରୀ ସମୁଦ୍ର ମାଡ଼ିଯିବାରୁ ଧ୍ୱଂସ ହୋଇଥିବ । ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି ଯେ କେବଳ ରୁକ୍ମିଣୀ ମନ୍ଦିର ଛାଡ଼ି ଆଉ ସବୁ ନାଶ ହୋଇଥିଲା । ପୁରାଣରେ ଏହା ବି ଉଲ୍ଲେଖ ଅଛି ଯେ ଯଦୁବଂଶ ଧ୍ୱଂସ କରିବା ପାଇଁ ଶ୍ରୀକୃଷ୍ଣ ମନସ୍ଥ କରିଥିଲେ । ସେହି ସମୟରେ ଦ୍ଵାରକାଠାରୁ କିଛି ଦୂରରେ ଅବସ୍ଥିତ ପିଣ୍ଡାରକ କ୍ଷେତ୍ରରେ ମୁନିଙ୍କୁ ଅପମାନ କରିବା କାରଣରୁ ଯଦୁବଂଶ ନାଶ କଲେ । ଭାଗବତରେ ଉଲ୍ଲେଖ ଅଛି ଯେ– “ଯଦୁବଂଶୀ କୁମାରମାନେ ପିଣ୍ଡାରକୁ ଗଲେ ଏବଂ ସେଠାରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ଗର୍ଭବତୀ ସ୍ତ୍ରୀ ଭାବେ ସଜାଇ ମୁନିମାନଙ୍କ ପାଖକୁ ନେଲେ ଏବଂ ପଚାରିଲେ– ଏହାର ପୁଅ ନା ଝିଅ କ’ଣ ହେବ ? ମୁନିମାନେ ତ୍ରିକାଳଜ୍ଞ । ତେଣୁ ତୁରନ୍ତ ପ୍ରତ୍ୟୁତ୍ତର ଦେଇ କହିଲେ ‘’ହେ କୁମାର ! ଏହାର ଗର୍ଭରୁ ଯୋଉ ମୂଷଳର ଉତ୍ପତ୍ତି ହେବ ତାହା ଦ୍ୱାରା ଯଦୁବଂଶ ନାଶ ହେବ । ଆମ ଓଡ଼ିଆରେ ଗୋଟିଏ କଥା ଅଛି– “ବଂଶନାଶ ବେଳେ ଘୋଡ଼ା ମୁହଁ ପୁଅ ।’’ ଏହା ସେହିପରି ଘଟଣା ।

 

ଏହା ଶୁଣିବା ପରେ ଯଦୁବଂଶୀ କୁମାରମାନେ ଅତି ଦୁଃଖୀହେଲେ । ସେଇ ମୁଷଳ ଦ୍ୱାରା ପ୍ରଭାସ କ୍ଷେତ୍ରରେ ଯଦୁବଂଶୀ ନାଶ ଗଲେ । କେବଳ ଶ୍ରୀକୃଷ୍ଣଙ୍କ ପ୍ରପୌତ୍ର ବଜ୍ରନାଭ ବଂଚି ଯାଇଥିଲେ । ବଜ୍ରନାଭଙ୍କ ଦ୍ୱାରା ପରେ ଦ୍ଵାରକାପୁର ପୁନନିର୍ମିତ ହେଲା । କୁହାଯାଏ ଯେ ଏବେ ଦେଖାଯାଉଥିବା ଜଗତ ମନ୍ଦିର (୧୧୦ ଫୁଟ ଉଚ୍ଚ) ତାଙ୍କରି କୀର୍ତ୍ତି । । ଶ୍ରୀକୃଷ୍ଣ ପୂର୍ଣ୍ଣ ଅବତାର ଭାବେ ପ୍ରକଟିତ । ବାଲ୍ୟକାଳରୁ ହିଁ ତାଙ୍କର ଅଲୌକିକତା । ତେଣୁ ଷୋଳ କଳା ତାଙ୍କର ଜନ୍ମଭୂଷଣ ବୋଲି କୁହାଯାଏ । କଂସର ବନ୍ଦୀଶାଳାରୁ ପୁଅଙ୍କୁ ନେଇ ବସୁଦେବ ନନ୍ଦଘରକୁ ଯିବା ବେଳର ଅପୂର୍ବ ଦୃଶ୍ୟ ବର୍ଣ୍ଣନା ଭାଗବତରେ ଜଗନ୍ନାଥ ଦାସ ଉଲ୍ଲେଖ କରିଛନ୍ତି ।

 

‘‘କୋଳରେ ଦେଖି ନାରାୟଣ । କବାଟ ଫିଟିଲା ତକ୍ଷଣ ।

ତିନ୍ତିବ ଦେଖି ଜଗନ୍ନାଥ । ଫଣାରେ ଢାଙ୍କିଲା ଅନନ୍ତ ।’’

 

ଶ୍ରୀଶାରଦାପୀଠ ପ୍ରଦୀପ ଏବଂ ଅଗ୍ନି ପୁରାଣରେ ଉଲ୍ଲେଖ ଅଛି ଯେ ଦ୍ଵାରକାପୀଠରେ ଥିବା ଶ୍ରୀକୃଷ୍ଣ ମନ୍ଦିର ସାତ ମହଲା ଥିଲା । ଜଗତ ମନ୍ଦିରରେ ଥିବା ଶ୍ରୀକୃଷ୍ଣ ମୂର୍ତ୍ତି ବିଲକ୍ଷଣ ଓ ଜଗତପ୍ରସିଦ୍ଧ । ଆହୁରି ବୈଷ୍ଣବ ତତ୍ତ୍ୱ ଅନୁସାରେ ଜଗତରେ ସୂର୍ଯ୍ୟ ଓ ଚନ୍ଦ୍ର ଦୁଇଟି ପ୍ରକାଶମାନ ଦୀପ୍ତି । ସୂର୍ଯ୍ୟ ପ୍ରତାପ ବା ଶକ୍ତିର ପ୍ରତୀକ ଏବଂ ଚନ୍ଦ୍ର ଯଶ ବା କୀର୍ତ୍ତିର ପ୍ରତୀକ । ଏହି ତତ୍ତ୍ୱ ଅନୁସାରେ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ ରାଜାମାନଙ୍କର ଉତ୍ପତ୍ତି । ରାମଚନ୍ଦ୍ର ଥିଲେ ସୂର୍ଯ୍ୟବଂଶୀ ଏବଂ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ । ଚନ୍ଦ୍ରବଂଶୀମାନଙ୍କ ମଧ୍ୟରେ ଯଦୁ, କ୍ରୋଷ୍ଟୁ, ବୃଷି, ଅନ୍ଧକ ପ୍ରସିଦ୍ଧ ଅଟନ୍ତି, ଏଥିପାଇଁ ଶ୍ରୀକୃଷ୍ଣଙ୍କୁ ଯଦୁବଂଶ ତଥା ବୃଷ୍ଣି ଓ ଅଦ୍ଦିକ ବଂଶର କୁହାଯାଏ ।

 

ବାଚସ୍ପତି କୋଷରେ କୁହାଯାଇଛି ଯେ :

 

ଶୋମମଣ୍ଡଲସ୍ୟ ଷୋଡ଼ଶ କଲତା ।

ସୂର୍ଯ୍ୟମଣ୍ଡଲସ୍ୟ ଦ୍ଵାଦଶ କଲତା ।

ବହ୍ନି ମଣ୍ଡଲସ୍ୟ ଦଶକଲତା ।

 

ଏହି ତତ୍ତ୍ୱ ଅନୁସାରେ ଚନ୍ଦ୍ରଙ୍କ ଷୋଳ କଳା, ସୂର୍ଯ୍ୟଙ୍କ ବାଆର କଳା ଓ ଅଗ୍ନି ଦଶ କଳା । ଜଗତ ମନ୍ଦିରରେ ଥିବା ଶ୍ରୀକୃଷ୍ଣ ମୂର୍ତ୍ତି ଷୋଳ କଳାଯୁକ୍ତ ବୋଲି ବିଶ୍ୱାସ କରାଯାଏ । ପୁଣି ଷୋଳ କଳାର ବିଶଦ୍‌ବ୍ୟାଖାରେ କୁହାଯାଇଛି ଯେ : ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚମହାଭୂତ ତଥା ମନ ଏହି ଷୋଳତତ୍ତ୍ୱ । ଶ୍ରୀକୃଷ୍ଣଙ୍କ ଠାରେ ଏହି ଷୋଳକଳା ଥିଲା । ଶ୍ରୀମଦଭାଗବତରେ ଅଛି :

 

“ଜଗୃହେ ପୌରୁଷଂ ରୂପଂ ଭଗବାନ ମହାବିଦିଭିଃ ।

ସଂଭୂତଂ ଷୋଡ଼ଶକଲାମାଦୌ ଲୋକସିସୃକ୍ଷୟା ।।”

 

ଯଦି କଳାର ଅର୍ଥ କରି ଏହା ସଂସ୍କାର ବୋଲି ଧରାଯାଏ ତେବେ ଧର୍ମଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ଗର୍ଭାଧାନ ଠାରୁ ଆରମ୍ଭ କରି ଅନ୍ତେ୍ୱଷ୍ଟିକ୍ରିୟା ପର୍ଯ୍ୟନ୍ତ ଷୋହଳ ସଂସ୍ଥାର ଅନ୍ତର୍ଭୁକ୍ତ-। ଏହି ଷୋଳ ସଂସ୍କାର ଅନ୍ତର୍ଭୁକ୍ତ । ଏହି ଷୋଳ ସଂସ୍କାରର ବର୍ଣ୍ଣନା : ଜନ୍ମସଂସ୍କାର– (୧) ଗର୍ଭାଧାନ (୨) ପୁଂସବନ (୩) ସୀମନ୍ତ । ବାଲ୍ୟାବସ୍ଥା (୪) ଜାତକର୍ମ (୫) ନାମକରଣ (୬) ନିଷ୍କ୍ରମଣ (୭) ଅନ୍ତପାସନ (୮) ଚୁଡ଼ାକରଣ (୯) କର୍ଣ୍ଣବୋଧ ଶିକ୍ଷା ପରବର୍ତ୍ତୀ ସଂସ୍କାର–(୧୦) ବିଦ୍ୟାରମ୍ଭ (୧୧) ଉପନୟନ (୧୨) ବେଦାରମ୍ଭ (୧୩) କେଶନ୍ତ (୧୪) ସମାନର୍ତ୍ତନସ୍ନାନ (୧୫) ବିବାହ ସଂସ୍କାର (୧୬) ଅନ୍ତେଷ୍ଟି ସଂସ୍କାର । ଆଉ ଏକ ତତ୍ତ୍ୱ ଅନୁସାରେ ଶ୍ରୀକୃଷ୍ଣଙ୍କ ପୂଜାବିଧି ଷୋଳ ପ୍ରକାରର ହୁଏ (୧) ଆବାହନ (୨) ଆସନ (୩) ପାଦ୍ୟ (୪) ଅର୍ଘ୍ୟ (୫) ଆଚମନ (୬) ବସ୍ତ୍ର (୭) ଯଜ୍ଞୋପବିତ (୯) ଚନ୍ଦନ (୧୦) ପୁଷ୍ପ (୧୧) ସୌଭାଗ୍ୟଦ୍ରବ୍ୟ (୧୨) ଧୂପ (୧୩) ଦୀପ (୧୪) ନେବେଦ୍ୟ (୧୫) ଆରତି ଏବଂ (୧୬) ମନ୍ତ୍ରପୁଷ୍ପାଞ୍ଜଳି । ଦ୍ୱାରକାଧୀଶ୍ୱର ଶ୍ରୀକୃଷ୍ଣ ଷୋଳକଳାଯୁକ୍ତ ଥିବାର ଏହିପରି ବିଭିନ୍ନ ପ୍ରମାଣ ରହିଛି । ତାଙ୍କ ସ୍ମୃତି କରି ଭାଗବତରେ କୁହାଯାଇଛି–

 

“କୃଷ୍ଣ କୃଷ୍ଣ ମହାଯୋଗୀନ ତ୍ୱମାଦ୍ୟ ପୁରୁଷଃ ପରଃ ।

ବ୍ୟକ୍ତାବ୍ୟକ୍ତମିଦଂ ବିଶ୍ୱଂରୂପଂ ତେବ୍ରାହ୍ମଣା ବିଦୁଃ ।।

ତ୍ୱମେକଃ ସର୍ବଭୂତାନାଂ ଦେହାସ୍ୱାତ୍ମୈଂନ୍ଦ୍ରିୟେଶ୍ୱରଂ ।

ତ୍ୱମେବ କାଲୋ ଭଗବାନ ବିଷ୍ଣୁର ବ୍ୟୟ ଈଶ୍ୱରଃ ।।”

 

ପୁଣି ସ୍କନ୍ଧ ପୁରାଣରେ ସ୍ତୁତି କରାଯାଇଛି :

 

“ତସ୍ୟା ରସତି ବିଶ୍ୱାତ୍ମା ଭୁକ୍ତିମୁକ୍ତିପ୍ରଦୋ ହରିଃ ।

କଲାଷୋଡ଼ଶ ସଂଯୁକ୍ତ ମୂର୍ତ୍ତିଦ୍ୱାଦଶସଂଯୁତଃ ।।”

 

(୧) ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗ ଶ୍ୟାମବର୍ଣ୍ଣ (୨) ଉପାଙ୍ଗରେ କଉସ୍ତୁଭମଣି (୩) ହୃଦସ୍ତଳେ ଶ୍ରୀବତ୍ସ ପାଦ (୪) କାନ୍ଧରେ ଯଜ୍ଞୋପବୀତ (୫) ନାଭିକମଳ (୬) କାଳୀୟନାଗ (୭) ପରିଧାନ ମଲ୍ଲକଚ୍ଛ (୮) ବେକରେ ବୈଜୟନ୍ତୀମାଳା (୯) ହାତରେ ପାଞ୍ଚଜନ୍ୟ ଶଙ୍ଖ (୧୦) ସୁଦର୍ଶନ ଚକ୍ର (୧୧) କୌମୋଦିକୀ ଗଦା ଓ (୧୨) ପଦ୍ମ (୧୩) ତାଙ୍କ ପାରିଷଦ ନନ୍ଦ ଓ (୧୪) ସୁନନ୍ଦ (୧୫) ଲକ୍ଷ୍ମୀ ଓ (୧୬) ସରସ୍ୱତୀ ।

 

ସତ୍ୟଯୁଗରେ ବିଷ୍ଣୁଙ୍କ ଶ୍ୱେତ ରଙ୍ଗ ଓ ଚାରିଭୁଜ, ବକ୍କଳ ବସ୍ତ୍ରପରିଧାନରେ, ତ୍ରେତାଯୁଗରେ ଲାଲବର୍ଣ୍ଣ, ଚାରିଭୂଜ, ତଥା ଚିନି ମେଖଳାଯୁକ୍ତ/ଦ୍ୱାପରରେ ଯୁଗ ଶେଷର ଚାରିଭୂଜ ଓ ଶଂଖ ଚକ୍ରାଦି ଆୟୁଧ । ଶ୍ରୀକୃଷ୍ଣଙ୍କ ସମୟ ଦ୍ୱାପର ଯୁଗ ଶେଷର ଓ କଳିଯୁଗର ଆରମ୍ଭ ପୂର୍ବରୁ । ତେଣୁ ଏହା ସନ୍ଧିକାଳ । ପୀତବସ୍ତ୍ର ସହିତ ଶ୍ୟାମରଙ୍ଗର ମିଳନ (ସନ୍ଧି)ରୁ ଚମତ୍କାର ଘନଶ୍ୟାମ ରଙ୍ଗର ଉତ୍ପତ୍ତି ।

 

ଦ୍ୱାରିକାଧୀଶ ସମୁଦ୍ର ମନ୍ଥରୁ ପାଇଥିଲେ କୌସ୍ତୁଭମଣି । ଏହା କୁର୍ମାବତାରର ସ୍ମାରକ କୁହାଯାଏ । ସମୁଦ୍ର ମନ୍ଥନରୁ ଆହୁରି ଚଉଦଟି ରତ୍ନ ମିଳିଥିଲା । (୧) କାମଧେନୁ ଗାଈ (୨) ଉଚ୍ଚୈଶ୍ରବା ଅଶ୍ୱ (୩) ଐରାବତ ହାତୀ (୪) ପାରିଜାତ (୫) ଅପ୍‍ସରା ଗଣ (୬) ଲକ୍ଷ୍ମୀ (୭) ବିଷ (୮) ଅମୃତ (୯) କୌସ୍ତୁଭମଣି ଇତ୍ୟାଦି । ସମୁଦ୍ର ମନ୍ଥନରୁ ଜାତ ବିଷ ପାନ କରିଥିଲେ ଶିବ ନୀଳକଣ୍ଠ । ଶ୍ରୀବତ୍ସଲାଂଛନ ଭୃଗୁଋଷିଙ୍କ ପାଦଚିହ୍ନ ଭୃଗୁଙ୍କ ପିତା ବ୍ରହ୍ମା ଧର୍ମଣାସ୍ତ୍ର ଦୃଷ୍ଟିରେ ଦେବତା, ମାତା, ପିତା, ଗୁରୁ ଓ ବ୍ରାହ୍ମଣଙ୍କୁ ଦର୍ଶନ କଲାବେଳେ ନମସ୍କାର ସହିତ ଯଥାଶକ୍ତି ଫଳଫୁଲ ଦିଆଯାଏ । ବ୍ରହ୍ମପୁତ୍ର ଭୃଗୁ ଶିବଙ୍କ ପାଖକୁ ଗଲେ ଓ ଶିଷ୍ଟାଚାର ଉଲ୍ଲଂଘନ କରିବାରୁ ଶିବ ଅପ୍ରସନ୍ନ ହେଲେ । ସେଠାରୁ ଭୃଗୁ ବିଷ୍ଣୁଲୋକ ଗଲେ । ସେଠାରେ ଲକ୍ଷ୍ମୀ ବିଷ୍ଣୁ ଭଗବାନଙ୍କ ପଦସେବା କରୁଥିବା ଦେଖି କ୍ରୋଧିତ ହୋଇ ତାଙ୍କ ଛାତି ଉପରେ ଗୋଇଠା ମାରିଲେ । ନିଜର ତ୍ରୁଟି ଜାଣିପାରି ଭଗବାନ ବିଷ୍ଣୁ ଉଠିପଡ଼ି ଭୃଗୁ ଋଷିଙ୍କ ସତ୍କାର ସମ୍ବର୍ଦ୍ଧନା କଲେ । ଭୁଲ କଲେ ଭଗବାନ ଦଣ୍ଡ ପାଆନ୍ତି ଏହା ହିଁ ପୁରାଣର ବାର୍ତ୍ତା । ତେଣୁ ଛାତିରେ ପଦଚିହ୍ନ ନିଭାଇ ନଦେଇ କହିଲେ ଆପଣ ଯେଉଁ ଦଣ୍ଡ ଦେଲେ ତାହା ମୋ ବକ୍ଷସ୍ଥଳେ ସଦାବେଳେ ଶୋଭା ପାଇବ, ହୃଦୟରେ ଲକ୍ଷ୍ମୀଙ୍କ ସ୍ଥାନ । ଲକ୍ଷ୍ମୀଙ୍କୁ ଛାଡ଼ି ଋଷିଙ୍କୁ ସମ୍ବର୍ଦ୍ଧନା ନକରି ଶିଷ୍ଟାଚାର ଉଲ୍ଲଂଘନ କରିଥିଲେ ବୋଲି ସ୍ୱୟଂ ଭଗବାନ ଲକ୍ଷ୍ମୀଙ୍କ ସ୍ଥାନ ହୃଦୟରେ ପଦଚିହ୍ନ ବହନ କରନ୍ତି ।

 

ଗର୍ଗଋଷି ଶ୍ରୀକୃଷ୍ଣଙ୍କ ବିଜୟବୃତ୍ତାନ୍ତ ନନ୍ଦଙ୍କୁ କହିଥିଲେ । ସେହିପରି ରୋହିଣୀଙ୍କ ପୁତ୍ର ବଳରାମ ରଖାଗଲା କାରଣ ସେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ । ରଙ୍ଗ କୃଷ୍ଣବର୍ଣ୍ଣ ଥିବାରୁ ଶ୍ରୀକୃଷ୍ଣ ନାମ ଦିଆଗଲା । ବଳରାମ ଓ ଶ୍ରୀକୃଷ୍ଣ ଯଜ୍ଞୋପବିତ ଧାରଣ କରିବା ପରେ ବିଦ୍ୟା ଅଧ୍ୟୟନ କରିବା ପାଇଁ ସନ୍ଦିପନ୍ନଙ୍କ ପାଠଶାଳାକୁ ଗଲେ । ଯଜ୍ଞୋପବିତ ବର୍ଣ୍ଣାଶ୍ରମ ପ୍ରତିଷ୍ଠାର ପ୍ରତୀକ । ଜଗତମନ୍ଦିରରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସତ୍ତ୍ୱଗୁଣର ପ୍ରତୀକ । ଅର୍ଜୁନଙ୍କୁ ଦେଖାଇଥିବା ବିଶ୍ୱରୂପ ଶେଷଶାୟୀ ଭଗବାନଙ୍କ ଆଦିରୂପ ବର୍ଣ୍ଣନା–ଯାହାଙ୍କର ହଜାର ଶିର, ହଜାର ଆଖି, ହଜାର ହାତ ଥିଲା ବୋଲି ପୁରୁଷସୂକ୍ତରେ ବର୍ଣ୍ଣନା କରାଯାଇଛି ।

 

ସନ୍ଦିପନ୍ନ ଋଷିଙ୍କ ପାଖରେ ବିଦ୍ୟାଶିକ୍ଷା କରିବା ପରେ ଗୁରୁ ଦକ୍ଷିଣା ଦେବାକୁ ଚାହିଁବାରୁ ଋଷି କହିଲେ–ମୋ ପୁତ୍ର ପ୍ରଭାସ କ୍ଷେତ୍ର ସମୁଦ୍ରରେ ବୁଡ଼ି ଯାଇଥିଲା, ଆପଣ ତାକୁ ମୁକ୍ତ କରନ୍ତୁ । ଏହାଶୁଣି ବଡ଼ଭାଇ ବଳରାମ ସହିତ ଶ୍ରୀକୃଷ୍ଣ ପ୍ରଭାସ କ୍ଷେତ୍ର ଯାଇ ସମୁଦ୍ରରେ ସ୍ନାନ କଲେ ଓ ଗୁରୁପୁତ୍ରଙ୍କୁ ଆଣିବା ପାଇଁ ଗଲେ । ବରୁଣ ତାଙ୍କର ସ୍ୱାଗତ ସତ୍କାର କଲେ । ସେଇ ସମୁଦ୍ରରେ ପାଞ୍ଚଜନ୍ୟ ନାମକ ଅସୁର ଗୁରୁପୁତ୍ରଙ୍କୁ ନେଇ ଯାଇଥିଲା । ତା’ପରେ ଅସୁରକୁ ନିହତ କରି ଗୁରୁଙ୍କ ଦକ୍ଷିଣା ସ୍ୱରୂପ ପାଞ୍ଚଜନ୍ୟ ଶଙ୍ଖ ଦେଲେ । ଏହି ଶଙ୍ଖ ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ବଜାଇଥିଲେ । ମହାଭାରତରେ ବିଭିନ୍ନ ଶଙ୍ଖ ସମ୍ବନ୍ଧରେ ଉଲ୍ଲେଖ ଅଛି :

 

ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ

ପୌଣ୍ଡ୍ରଂଦଧ୍ନୌ ମହାଶଙ୍ଖ ଭୀମକର୍ମୀ ବୃକୋଦରଃ ।

ଅନନ୍ତବିଜୟଂ ରାଜା କୁନ୍ତୀ ପତ୍ତ୍ରୋ ଯୁଧିଷ୍ଠିରଃ ।

ନକୁଳଃ ସହଦେବଶ୍ଚ ସୁଘୋଷ ମଣିପୁଷ୍ପକୌ ।।

 

ସେହିପରି ସୁଦର୍ଶନ ଚକ୍ରର ମହାତ୍ମ୍ୟ ଓ ଶକ୍ତିର ପଟାନ୍ତର ନାହିଁ । ଶିବଙ୍କର ତ୍ରିନେତ୍ର, ରାମଙ୍କ ଧନୁ, ଇନ୍ଦ୍ରଙ୍କ ବଜ୍ର, ଦୁର୍ଗାଙ୍କ ଖଡ୍ଗ, ଗଣେଶଙ୍କ ଅଙ୍କୁଶ, କାମଦେବଙ୍କ ପୁଷ୍ପ ପରି ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର । ତାଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ଶିବ ତାଙ୍କୁ ଏହି ଚକ୍ର ଉପହାର ଦେଇଥିଲେ । କୌମୋଦକୀ ଗଦା ଅତି ଶକ୍ତିଶାଳୀ । ଏହାଦ୍ୱାରା ଶ୍ରୀକୃଷ୍ଣ ଜରାସନ୍ଧକୁ ନିହତ କରିଥିଲେ ।

 

ଭଗବାନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ କୋଟି କୋଟି ନମସ୍କାର କରି ସମୁଦ୍ର କୂଳର ଅତୁଳନୀୟ ସୌନ୍ଦର୍ଯ୍ୟ ଉପଭୋଗ କଲୁ । ଏଠାରେ ସମୁଦ୍ର ମଥାନତ କରି ଦ୍ୱାରକାପୁରୀର ପାଦ ଧୋଇ ଦେଉଛି ସେଇକାଳରୁ । ଦ୍ୱାରକାରେ ବହୁ ଧର୍ମଶାଳା, ହୋଟେଲ, ରେଳବାଇ ରିଟାୟରିଂ ରୁମ୍‌ ଓ ଭୋଜନାଳୟ ଅଛି । ମାତ୍ର ପନ୍ଦର ଟଙ୍କା ପ୍ରତି ଥାଳିର ମୂଲ୍ୟ ଦେଇ ଦଶପ୍ରକାରର ଅନ୍ନବ୍ୟଞ୍ଜନ ଯେତେଇଚ୍ଛା ଯେତେ ଭୋଜନ କଲୁ । ତାପରେ ବାହାରିଲୁ ଭେଟ ଦ୍ୱାରକା । ବାଟରେ ରୁକ୍ମିଣୀଙ୍କ ମନ୍ଦିର ଓ ଏହିଠାରେ ତୃଷ୍ଣା ନିବାରଣ କରିବା ପାଇଁ ରଥ ଟାଣିବା ବନ୍ଦ କରିଥିଲେ । ଏଠାରୁ ଭେଟଦ୍ୱାରକା ଯିବା ବାଟ ସମୁଦ୍ର କୂଳେ କୂଳେ । ଟାଟା କମ୍ପାନୀର ବିସ୍ତୃତ ଶିଳ୍ପାଞ୍ଚଳ । ସମୁଦ୍ର ତଟରେ ମତ୍ସ୍ୟଜୀବୀମାନଙ୍କ ଶିବିର ।

 

ଭେଟଦ୍ୱାରକା ଗୋଟିଏ ଦ୍ୱୀପରେ । ଏହାର କ୍ଷେତ୍ରଫଳ ପଚିଶ କିଲୋମିଟର ଶ୍ରୀକୃଷ୍ଣ ଦ୍ୱାରକା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜାଧିରାଜ ବନ୍ଧୁଙ୍କୁ ଦର୍ଶନ କରିବା ପାଇଁ ସୁଦାମା ଆସିଥିଲେ-। ସୁଦାମାଙ୍କ ହାତରୁ ଖୁଦଭଜା ଖାଇ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇଥିଲେ । ତେଣୁ ସୁଦାମାଙ୍କ ସ୍ତ୍ରୀ ତାଙ୍କୁ ଲୁଗା କାନିରେ କିଛି ଖୁଦଭଜା ବନ୍ଧୁଙ୍କ ପାଇଁ ବାନ୍ଧି ଦେଇଥିଲେ । ସେଇ ଖୁଦଭଜା ଖାଇ ରାଜାଧିରାଜ ଦ୍ୱାରକାଧୀଶ ଶ୍ରୀକୃଷ୍ଣ ଅତି ପ୍ରସନ୍ନ ହେଲେ । ଭକ୍ତି ହିଁ ମୂଳ । ଭକ୍ତ ଭଗବାନଙ୍କୁ ଭକ୍ତିରେ ଯାହା ଅର୍ପଣ କରେ ତାହା ସେ ପ୍ରସନ୍ନ ଚିତ୍ତରେ ଗ୍ରହଣ କରନ୍ତି । ଶ୍ରୀକୃଷ୍ଣଙ୍କ ସହିତ ସେଠାରେ ସୁଦାମାଙ୍କ ଭେଟ ହୋଇଥିଲା ବୋଲି ଏହା ଭେଟଦ୍ୱାରକା ବା ସୁଦାମପୁରୀ ନାମରେ ବିଖ୍ୟାତ ।

 

ଓଖା ଠାରୁ ମୋଟରଚାଳିତ ବୋଟରେ ବସି ଭେଟଦ୍ୱାରକା ଯିବାକୁ ହୁଏ । ବାଟ ଦେଢ଼ କିଲୋମିଟର ହେବ । ସେଠାରେ ନିଜାମୁଦ୍ଦିନର ୩୧ ନମ୍ବର ବୋଟରୁ ଓହ୍ଲାଇ ମନ୍ଦିରକୁ ଗଲୁ । ଏହି ଦ୍ୱୀପର ଅଧିବାସୀଙ୍କ ମଧ୍ୟରୁ ୭୫ ଭାଗ ମୁସଲମାନ ବୋଲି ପଣ୍ଡିତ କହିଲେ । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦ୍‌ଭାବ ଓ ବନ୍ଧୁତ୍ୱ ଥିବାର ଆହୁରି ପ୍ରଶଂସାର ବିଷୟ । ଆହୁରି ବି ସେ ସୁଦାମାପୁରୀ ସମ୍ବନ୍ଧରେ ପ୍ରଚଳିତ ଲୋକ କଥା କହି ଶ୍ରୀକୃଷ୍ଣଙ୍କ ମହିମା ଶୁଣାଇଲେ । ଏହା ଏକ ଚାରିମହଲା ବିଶିଷ୍ଟ ପ୍ରସାଦ । ତଳ ମହଲାର ଗୋଟିଏ କୋଠରୀରେ ଶ୍ରୀକୃଷ୍ଣ ଭଗବାନଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି । ପୁରୋହିତ, ପଣ୍ଡିତ ବା ପଣ୍ଡାମାନେ ଭକ୍ତ ଦର୍ଶକମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତି ଏବଂ କିଏ କ’ଣ ଦବ ତାହା ଦବା ଲୋକର ଶ୍ରଦ୍ଧା ଓ କ୍ଷମତା ଉପରେ ନିର୍ଭର କରେ । ବାଧ୍ୟବାଧକତା ନାହିଁ । ମନ୍ଦିର ପରିଚାଳନା ଦାୟିତ୍ୱ ଗୋଟିଏ ଟ୍ରଷ୍ଟ ହାତରେ ନ୍ୟସ୍ତ । ପୁଣି ସେଠାରେ ପୂଜାର୍ଚ୍ଚନା ସମାପ୍ତ କରି ପରମପୁରୁଷ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ପ୍ରଣାମ କରି ଅପୂର୍ବ ପ୍ରସନ୍ନତା ଲାଭ କଲୁ ।

 

ସମୁଦ୍ରପଥ ବୋଟରେ ଅତିକ୍ରମ କଲାବେଳେ ଅନେକ ମାଛ ଓ ପକ୍ଷୀ ଆସନ୍ତି । ଯାତ୍ରୀମାନେ ଫିଙ୍ଗୁଥିବା ଖାଦ୍ୟ ଖାଇବା ପାଇଁ ସେ ଦୃଶ୍ୟ ଅତି ଚିତ୍ତାକର୍ଷକ । ଭେଟ ଦ୍ୱାରକାରୁ ଫେରିବା ସମୟରେ ମନେ ପଡ଼ୁଥାଏ ପଣ୍ଡିତଙ୍କ ପ୍ରବଚନ ସତ୍ୟ, ତ୍ରେତା, ଦ୍ୱାପର, କଳି ଯୁଗରେ ଧର୍ମର ପ୍ରଭାବ ସମ୍ବନ୍ଧରେ । ତେଣୁ ସତ୍ତ୍ୱ, ରଜ ଓ ତମ ଗୁଣର ପ୍ରଭାବ ସେହିପରି ହୁଏ । ସତ୍ୟଯୁଗରେ ସତ୍ୟ, ଦୟା, ତପ ଓ ଦାନ ଧର୍ମର ଏହି ଚାରି ପାଦ । ତ୍ରେତୟାରେ ଦୟା, ଦପ ଓ ଦାନ ଧର୍ମର ତିନି ପାଦ । ଦ୍ୱାପର ଯୁଗରେ ତପ ଓ ଦାନ ଧର୍ମର ଦୁଇପାଦ ଏବଂ କଳିଯୁଗରେ କେବଳ ଦାନ ଧର୍ମର ଏକ ପାଦ ବିବେଚିତ ହୁଏ । ଶୋକ କ୍ରୋଧ ଭୟ ଶଠତା ଅଧିକ । ଏଥିରୁ ଉଦ୍ଧାର ପାଇବା ପଥ କେବଳ ନାମସଂକୀର୍ତ୍ତନ ।

 

ତାଙ୍କର ସ୍ମୃତି, ତାଙ୍କର ମହିମା କୀର୍ତ୍ତନ ହିଁ ଦୁଃଖକ୍ଲେଷରୁ ରକ୍ଷା ପାଇବାର ଏକମାତ୍ର ପଥ-। ତେଣୁ ଋଷିମାନେ ପ୍ରାର୍ଥନା କରନ୍ତି :

 

“ୟଂ ବ୍ରହ୍ମା ବରୁଣେନ୍ଦ୍ର ଋଦ୍ରମରତଃ ସ୍ତନ୍ୱନ୍ତି ଦିବୈସ୍ତବୈ

ର୍ବେଦେଃସାଙ୍ଗପଦକ୍ରମୋପନିଷଦେଗାୟନ୍ତି ୟଂ ସାମଗାଃ ।

ଧ୍ୟାନବସ୍ଥିତ ତଦ୍‌ ଗତେନ ମନସା ପଶ୍ୟନ୍ତି ୟଂ ଯୋଗୀନେ

ଯସ୍ୟାନ୍ତଂ ନ ସୁରାସୁରଗଣା ଦେବାୟ ତସ୍ମେ ନମଃ ।’’

 

ଯାହାଙ୍କ ସ୍ତୁତି ବ୍ରହ୍ମା ଓ ଅନ୍ୟାନ୍ୟ ଦେବଗଣ କରନ୍ତି ତାଙ୍କୁ ପ୍ରଣାମ । ବେଦର ଗାୟକମାନେ ଶାମବେଦରେ ଯାହାଙ୍କ ଗୁଣ କୀର୍ତ୍ତନ କରନ୍ତି ଓ ଉପନିଷଦରେ ବର୍ଣ୍ଣିତ ଶବ୍ଦ ଏକ ପ୍ରକାରରେ ନିୟମରେ ଉଚ୍ଚାରଣ କରନ୍ତି, ଯାହାଙ୍କୁ ଯୋଗୀମାନେ ଧ୍ୟାନସ୍ଥ ହୋଇ ମନରେ ଦର୍ଶନ କରନ୍ତି ଏବଂ ଯାହାଙ୍କ ବିଷୟରେ ଦେବତା ବା ଅସୁର ସମସ୍ତ ବିଷୟ ଜାଣନ୍ତି ନାହିଁ ସେହି ପରମାତ୍ମାଙ୍କୁ ପ୍ରଣାମ ।

 

କଳିଯୁଗରେ ସଂସାର ଦୋଷରୁ ଉଦ୍ଧାର ପାଇବା ପାଇଁ ନାମ ସଂକୀର୍ତ୍ତନ ପ୍ରଧାନ କର୍ତ୍ତବ୍ୟ । ଶ୍ରୀକୃଷ୍ଣ ଭଗବାନପୂର୍ଣ୍ଣ ଅବତାର । ତେଣୁ ସେ ସବୁଦୋଷ ରହିତ, ନିର୍ମଳ ଓ ନିଷ୍କଳଙ୍କ । ମନୁଷ୍ୟ ପାଇଁ ଚାରି ପୁରୁଷାର୍ଥ ନିଶ୍ଚୟ କରାଯାଇଛି । ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏଥିରୁ ଜୀବନର ଧର୍ମ ଅର୍ଥ କାମ ସିଦ୍ଧି ହୁଏ । ତା’ପରେ ମୃତ୍ୟୁ ପରେ କର୍ମାନୁସାରେ ମୋକ୍ଷ ବା ଅନ୍ୟଫଳ ପ୍ରାପ୍ତି ହୁଏ-

 

ପ୍ରଚଳିତ ବିଶ୍ୱାସ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଯେଉଁଠାରେ ବିରାଜମାନ ସେଠାରେ ହିଁ ପରମଧାମ ଓ ପରମାନନ୍ଦ । ତେଣୁ ଦ୍ୱାରକାପୁରୀ ଧନ୍ୟ । ଏହି ଦ୍ୱାରକାପୁରୀ ବାଆର ଯୋଜନ କ୍ଷେତ୍ରଫଳ । ବାକି ସବୁ ସମୁଦ୍ରଗର୍ଭରେ ଲୀନ ହୋଇଯାଇଛି । ଯେଉଁ ମନ୍ଦିର ଅଛି ସେଇ ପବିତ୍ରସ୍ଥଳୀ ଏଇ ସୀମାର ଅନ୍ତର୍ଗତ । ଏଣୁ ଏହି ଦ୍ୱାରବତୀ କ୍ଷେତ୍ରରେ ଅବସ୍ଥାନ କରୁଥିବା ଜୀବ କୀଟପତଙ୍ଗ ମଧ୍ୟ ଗରୁଡ଼ ପିଠିରେ ବସି ବୈକୁଣ୍ଠକୁ ଯାତ୍ରା କରନ୍ତି । ଏହା ହିଁ ଲୋକଙ୍କ ବିଶ୍ୱାସ ।

 

ଶୁଭଯାତ୍ରା ସମାପ୍ତ କରି ବାଟରେ ଗୋଟିଏ ରେସ୍ତୋରାଁରୁ ଓଟଦୁଧ ତିଆରି ଚା’ ପାନ କରି ମନେ ମନେ ପ୍ରାର୍ଥନା କରିଥିଲୁ–

 

“ଶଙ୍ଖ ଚକ୍ରଂ ଗଦା ପଦ୍ମଂ ହିରକାନିଲୟଚ୍ୟୁତ ।

ଗୋବିନ୍ଦ ପୁଣ୍ଡରୀକାକ୍ଷ ରକ୍ଷ ମାଂ ଶରଣାଗତମ୍‌ ।”

 

ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପରିଶୋଭିତ କମଳନୟନ ହେ ଗୋବିନ୍ଦ ଶରଣାଗତକୁ ରକ୍ଷା କର ।

 

ଶ୍ରୀକୃଷ୍ଣ ତତ୍ତ୍ୱ ପଛରେ ଐତିହାସିକ ପ୍ରମାଣ ଥାଉ ବା ନଥାଉ ଶ୍ରୀକୃଷ୍ଣ ଚେତନା ଆଧ୍ୟାତ୍ମିକ ଓ ମାନବିକ ଉତ୍ତରଣର ଏକ ଜାଗ୍ରତ ମହିମା ଯାହା ଯୁଗ ଯୁଗ ଧରି କୋଟି କୋଟି ମଣିଷଙ୍କୁ ମାର୍ଗଦର୍ଶନ କରାଇବାରେ ସହାୟକ ହୋଇଛି ।

 

ଫେରିବା ବାଟରେ ଶ୍ରଦ୍ଧାଦେବୀ (ଦୁର୍ଗା)ଙ୍କ ମନ୍ଦିର । ଅପାର ମହିମା । ଭକ୍ତମାନଙ୍କ ପରମ ଆରାଧ୍ୟଙ୍କ ପାଦପଦ୍ମରେ ପ୍ରଣାମ କରି ଫେରିଲାବେଳେ ଗୁଜରାଟି ଲୋକଙ୍କର ଭାଗ୍ୟ ଓ ଭବିଷ୍ୟତ ମନକୁ ଆଚ୍ଛନ୍ନ କରି ରଖିଥିଲା । ଦ୍ୱାରକାଧୀଶଙ୍କ ଛତ୍ରଛାୟା ତଳେ ନିର୍ଭର ଓ ନିଶଙ୍କ ଚିତ୍ତରେ ଜାତିଧର୍ମ ନିର୍ବିଶେଷରେ ଅଗ୍ରଗତି କରୁଛନ୍ତି ବସ୍ତୁବାଦୀ ଗୁଜରାଟବାସୀ । ଆଉ ଓଡ଼ିଆ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଚାଲିଛି, ‘ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ’ ।

 

ଉଚ୍ଚାଭିଳାଷ ହିଁ ଆଗକୁ ଯିବାର ପଥ ପ୍ରସ୍ତୁତ କରେ । ତାହା ଲାଳନ ନକରିବା ପର୍ଯ୍ୟନ୍ତ ଓଡ଼ିଆମାନେ ଅଧ୍ୟବସାୟହୀନ ହୋଇ କେବଳ ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦା କରୁଥିବେ ।

☆☆☆

 

Unknown

ଅଭେଦ୍ୟ-ଦୁର୍ଗ ଗୋଲକୋଣ୍ଡା

 

ବମ୍ବେରୁ ମୀନାର ଏକ୍ସପ୍ରେସରୁ ଫେରୁଥାଉ । ଆମ ସାଙ୍ଗରେ ଓଡ଼ିଶାର ଗର୍ବ ଓ ଗୌରବ ଉପରେ ଆଧାରିତ କିମ୍ବଦନ୍ତୀ, ଲୋକକଥା ଓ କାହାଣୀ ଏବଂ ଜଗନ୍ନାଥଙ୍କ ମହିମାକୁ ନେଇ ପାଠକମାନଙ୍କର ମନୋରଞ୍ଜନ କରୁଥିବା ଗଳ୍ପ ଓ ପ୍ରବନ୍ଧ ଲେଖକ ଗଣେଶ ପ୍ରସାଦ ପରିଜା ଏବଂ ପୂଜାପଣ୍ଡା ଓ ତାଙ୍କ ଭାଇ । ବମ୍ବେରେ ତିନିଦିନ ରହଣି ସମୟରେ ଗଣେଶବାବୁଙ୍କ ଝିଆରୀ ଓ ତାଙ୍କ ସ୍ତ୍ରୀଙ୍କ ଝିଆରୀ ଘରକୁ ନିମନ୍ତ୍ରିତ ହୋଇ ଯାଇଥିଲୁ ମଧ୍ୟାହ୍ନ-ଭୋଜନ ଓ ରାତ୍ରି-ଭୋଜନ ପାଇଁ । କୋଲବାର ନୌବାହିନୀ ଛାଉଣୀ ଇଲାକାରେ ସେମାନେ ରହନ୍ତି ପରିବାର ସହ । ଆତିଥେୟତା ଆମ୍ଭମାନଙ୍କୁ ମୁଗ୍ଧ କରିଥିଲା । ବମ୍ବେରେ ଓଡ଼ିଆ ପୁଅ ଝିଅମାନେ ଆସନ ଜମାଇ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ନାମ କରିବାକୁ ଆରମ୍ଭ କଲେଣି, ତାହା ପ୍ରମାଣିତ ହେବାକୁ ଲାଗିଛି । ଖାଲି ଆୟକର ବିଭାଗରେ ଚାରିଜଣ କମିଶନର । ବମ୍ବେର ବନ୍ଧୁମାନଙ୍କୁ ଛାଡ଼ି ମିନାର କୋଣାର୍କ ଏକ୍ସପ୍ରେସରେ ସିଧା ଭୁବନେଶ୍ୱର ଫେରିବା ପାଇଁ ଆଗରୁ ଭାବିଥିଲି; କିନ୍ତୁ ହାଇଦ୍ରାବାଦ ଏଜବେଷ୍ଟସ୍‌ର ପରାମର୍ଶଦାତା ଲକ୍ଷ୍ମୀନାରାୟଣ ଦାଣ୍ଡୋତିଆଙ୍କ ନିମନ୍ତ୍ରଣ ମନେ ପଡ଼ିଲା । ଚଉରାଶି ବର୍ଷ ବୟସ୍କ ଲକ୍ଷ୍ମୀନାରାୟଣ ଏବେ ବି କର୍ମଠ । ହାଇଦ୍ରାବାଦ ଯିବା ଲାଗି ତାଙ୍କର ବହୁଦିନ ର ନିମନ୍ତ୍ରଣ ରକ୍ଷା କରିପାରି ନଥିଲୁ ଏଯାଏ । ସେଇ ନିମନ୍ତ୍ରଣ ରକ୍ଷା କରିବା ଓ ଐତିହାସିକ ହାଇଦ୍ରାବାଦ ସହରକୁ ପୁଣି ଥରେ ଦେଖିଯିବା ପାଇଁ ଇଚ୍ଛା ହେଲା । ଖବର ଦେଲୁ ଲକ୍ଷ୍ମୀନାରାୟଣଜୀଙ୍କୁ ଓ ରେଳବାଇର ଉଚ୍ଚପଦବୀରେ ସେଠାରେ ଅଧିଷ୍ଠିତ ବସନ୍ତ ପଟ୍ଟନାୟକଙ୍କୁ ।

 

ହାଇଦ୍ରାବାଦରେ ଗାଡ଼ି ପହଁଚିଲା ବେଳକୁ ପ୍ରାୟ ବାରଟା । ଆମ୍ଭମାନଙ୍କୁ ସଙ୍ଖୋଳିବା ପାଇଁ ଲକ୍ଷ୍ମୀନାରାୟଣଙ୍କୁ ଆସିଥିବାର ଦେଖି ଉତ୍‌ଫୁଲ୍ଲିତ ହେଲୁ । ଖାଲି ସେତିକି ନୁହେଁ ସେ ହୋଟେଲ ବସେରାରେ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରି ଆମ ସହିତ ରେଳବାଇ ଗେଷ୍ଟ ହାଉସ୍‌ ଆସିଲେ । ସିକନ୍ଦରାବାଦରେ ଦକ୍ଷିଣ ମଧ୍ୟ ରେଳବାଇର ମୁଖ୍ୟ ଅଫିସ୍‍ । ବସେରା ହୋଟେଲ୍‌ରେ ଦେଖାହେଲା ବସନ୍ତବାବୁ ଓ ତାଙ୍କ ସ୍ତ୍ରୀଙ୍କ ସହିତ । ସେମାନେ ବି ନିମନ୍ତ୍ରିତ ହୋଇ ଆସିଥାନ୍ତି ମଧ୍ୟାହ୍ନ ଭୋଜନ ପାଇଁ । ସୁସ୍ୱାଦୁ ଖାଦ୍ୟ ପରିବେଷଣ କରାଗଲା । ଆମେ ଖାଇଲାବେଳେ ଓଡ଼ିଆରେ କଥାଭାଷା ହେଉଥିବାର ଶୁଣି କ୍ରମଶଃ ଆମ ଟେବୁଲ ପାଖରେ ଭିଡ଼ ଜମିଲା ବୟ, ବେହେରା, ଖାନସମା ପ୍ରଭୃତିଙ୍କର । ହୋଟେଲ୍‌ ବସେରାର ପ୍ରାୟ ସବୁ କର୍ମଚାରୀ କଟକ ଜିଲ୍ଲାର । ମାଲିକଙ୍କର ଓଡ଼ିଶାରେ ବ୍ୟବସାୟ ଅଛି, ସେ ସମସ୍ତଙ୍କୁ ବାଛି ବାଛି ନେଇଛନ୍ତି ଏଠାକୁ । ବାହାରକୁ ଓଡ଼ିଆ କିପରି ଖେଦି ଯାଉଛନ୍ତି ଏହାର ତା’ର ପ୍ରମାଣ ।

 

ମଧ୍ୟାହ୍ନରେ ହାଇଦ୍ରାବାଦ ଓ ସିକନ୍ଦରାବାଦର ଦର୍ଶନୀୟ ଓ ରମଣୀୟ ସ୍ଥାନ ବୁଲି ଦେଖିଲୁ । ହାଇଦ୍ରାବାଦର ସବୁଠାରୁ ଆକର୍ଷଣୀୟ ସ୍ଥାନ ହେଲା—ନିଜାମଙ୍କ ପ୍ରାସାଦ, ଚାରମିନାର, ହିମାୟତ ସାଗର ଓ ସାଲୟାରଜଙ୍ଗ ମିଉଜିୟମ । ଏପରି ମିଉଜିୟମ ଭାରତର ଅନ୍ୟ କୌଣସି ଠାରେ ନାହିଁ । ଏଠାରେ ବିଦେଶୀ ଚାରୁକଳା ଓ ସଂସ୍କୃତି ଏବଂ ଜନଜୀବନର ଚମତ୍କାର ସଂଗ୍ରହମାନ ରହିଛି । ହାଇଦ୍ରାବାଦ ଓ ସିକନ୍ଦରାବାଦ ଦୁଇଟି ସହର ହେଲେ ମଧ୍ୟ ଗୋଟିଏ ବିଶାଳ ହ୍ରଦ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ । ଏହି ହ୍ରଦର ଦକ୍ଷିଣ ଦିଗରେ ପ୍ରଧାନ ମାର୍ଗ କଡ଼ରେ ପ୍ରଥିତଯଶା ତେଲୁଗୁ ବୀର, ରାଷ୍ଟ୍ରନାୟକ, ସାହିତ୍ୟିକ, ବୈଜ୍ଞାନିକ ପ୍ରଭୃତିଙ୍କର ମାର୍ବଲ ତିଆରି ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି । ତେଲୁଗୁଦେଶମ ଦଳ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ୍‌.ଟି.ରାମାରାଓଙ୍କ ନିର୍ଦ୍ଦେଶରେ ଏହି ପ୍ରତିମୂର୍ତ୍ତିମାନ ସ୍ଥାପନ କରାଯାଇଛି । ଉତ୍ତରପୁରୁଷମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଏବଂ ରାଜ୍ୟର ବର୍ତ୍ତମାନ ଓ ଭାବି ନାଗରିକମାନଙ୍କ ଆଗରେ ତେଲୁଗୁ ଜାତିର ମହାନତା ତୋଳି ଧରିବା ପାଇଁ ।

 

ଆମେ ହାଇଦ୍ରାବାଦରେ ମାତ୍ର ଦିନ ଟିଏ ରହିଥିବାରୁ ଦୁଃଖପ୍ରକାଶ କରି ଲକ୍ଷ୍ମୀନାରାୟଣଜୀ କହିଲେ, ଅଧିକ ସମୟ ଥିଲେ ଗୋଲକୋଣ୍ଡା ଦୁର୍ଗ, ନାଗାର୍ଜୁନ ସାଗର ବନ୍ଧ, ୱାରଙ୍ଗଲ ପ୍ରଭୃତି ଦେଖିଥାଆନ୍ତେ । ଗଣେଶବାବୁଙ୍କର ଐତିହାସିକ ଦୃଷ୍ଟିକୋଣ । ସେ ଲଗେଇଲେ ଗୋଲକୋଣ୍ଡା ଯିବା ପାଇଁ । ସମୟ ବେଶି ନାହିଁ ହାତରେ । ଗାଡ଼ି ଗୋଟାକବେଳେ । ତେଣୁ ତା’ ପରଦିନ ସକାଳେ କେବଳ ଆମ ହାତରେ । ଦିନ ଆଠଟା ସୁଦ୍ଧା ସ୍ନାନ, ପ୍ରାତଃଭୋଜନ ଶେଷ କରି ଲକ୍ଷ୍ମୀନାରାୟଣଜୀବାବୁଙ୍କ ଗାଡ଼ିରେ ବାହାରି ପଡ଼ିଲୁ ଗୋଲକୋଣ୍ଡା ଅଭିମୁଖେ । ଯାତ୍ରା ପଥରେ ଆଖିରେ ପଡ଼ିଲା ଜାଗି ଉଠିଥିବା ଆନ୍ଧ୍ରପ୍ରଦେଶର ବିକଶିତ ରୂପ । ଉଦ୍ୟମ ଓ ଉଦ୍ୟୋଗର ବହୁ ଚିହ୍ନ ସର୍ବତ୍ର ବିଦ୍ୟମାନ ।

 

ଯିବାବେଳେ ଗଣେଶବାବୁ ମନେ ପକାଇ ଦେଲେ ଯେ କପିଳେନ୍ଦ୍ରଦେବ ଦିନେ ୱାରଙ୍ଗଲ ଜୟ କରି ଦାକ୍ଷିଣାତ୍ୟକୁ ମାଡ଼ି ଯାଇଥିଲେ । ସେତେବେଳେ କଳିଙ୍ଗ ସେନାକୁ ପ୍ରତିରୋଧ କରିବାର ଶକ୍ତି ନଥିଲା କାହାରି । ଗୋଦାବରୀ ଓ କୃଷ୍ଣା ପାର ହୋଇ ସେ ସାମ୍ରାଜ୍ୟ ବିସ୍ତାର କରିଥିଲେ କାବେରୀ ପର୍ଯ୍ୟନ୍ତ । ସେହି କଳିଙ୍ଗମାନେ ଇତିହାସର ଚରିତ୍ର । ସେଇ ବୀରତ୍ୱ ଇତିହାସର ବିଷୟ । ଆଜିର ଓଡ଼ିଆ ନିଜର ସଂକୁଚିତ ଇଲାକାରେ ନାମକୁ ମାତ୍ର ରାଜା । ରାଜତ୍ୱ ଅନ୍ୟମାନଙ୍କ ହାତରେ । ପଛକଥା ମନେପକାଇ ବର୍ତ୍ତମାନକୁ ସଂଗଠିତ ଓ ସଂଜୀବିତ କରିବା ଏବଂ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଓଡ଼ିଆ ଚରିତ୍ରରେ ନାହିଁ । କର୍ପୂର ଉଡ଼ିଯାଇଛି, କନା ଖଣ୍ଡକ ପଡ଼ିଛି କେବଳ ।

 

ପାହାଡ଼ିଆ ମାଳଭୂଇଁ ଅତିକ୍ରମ କରି ଅଭେଦ୍ୟ ଦୁର୍ଗ ଗୋଲକୋଣ୍ଡାରେ ପହଁଚିଲା ବେଳକୁ ପ୍ରାୟ ସାଢ଼େ ନଅ । ଗୋଲକୋଣ୍ଡା ଦୁର୍ଗ ସାମ୍ନାରେ ଛିଡ଼ା ହୋଇ ପ୍ରଥମେ କଳନା କରିନେଲୁ ଦୁର୍ଗର ଆୟତନ, ଆକାର ଓ ଐତିହାସିକତା ସମ୍ପର୍କରେ ।

 

କୋହିନୁର–ପ୍ରସିଦ୍ଧ କୋହିନୁର ହୀରା ପ୍ରଥମେ ଇତିହାସ ପୃଷ୍ଠାକୁ ଆସିଥିଲା ଏହି ଗୋଲକୁଣ୍ଡାରେ । କୋହିନୁର ହୀରା କୋଲ୍ଲାର ପ୍ରଦେଶର କୃଷ୍ଣାନଦୀ କୂଳରୁ ମିଳିଥିବାର ଐତିହାସିକ ପ୍ରମାଣ ରହିଛି । ସୁଲତାନ ଅବଦୁଲ୍ଲା କୁତବସାହ ତାଙ୍କର ରାଜତ୍ୱ କାଳରେ (୧୫୧୮ରୁ ୧୫୫୩) ଏହି ହୀରା ସଂଗ୍ରହ କରିଥିଲେ । ଏହାପରେ ମୋଗଲ ସମ୍ରାଟଙ୍କ କର୍ମଚାରୀଙ୍କ ଜରିଆରେ ଏହି ହୀରା ୧୫୪୩ରେ ମୋଗଲ ସମ୍ରାଟ ସାହାଜାହାନଙ୍କ ମଣିମୁକ୍ତା ଭଣ୍ଡାରକୁ ଗଲା । ଏହାର ବହୁବର୍ଷ ପରେ ୧୭୩୯ ମସିହାରେ ଦିଲ୍ଲୀରେ ଯେତେବେଳେ ନୃଶଂସ ନାଦିରଶାହାଙ୍କ ନରସଂହାର ଚାଲିଥିଲା ସେତେବେଳେ ମହମ୍ମଦ ଶାହା ଏହି ହୀରା ପାରସ୍ୟକୁ ସ୍ଥାନାନ୍ତର କରିଥିଲେ । ତା’ପରେ ଏହା ଶାହା ପେଶାୱାରଙ୍କ ଅଧୀନକୁ ଆସିଲା ଏବଂ କୌଣସି ଉପାୟରେ କୋହିନୁର ହୀରା ପଞ୍ଜାବର ମହାରାଜା ରଣଜିତ ସିଂହଙ୍କ ହସ୍ତଗତ ହେଲା । ମହାରାଜା ରଣଜୀତ ସିଂହ ବହୁ ରାଜ୍ୟ ଜୟ କରି କାଶ୍ମୀର ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ତାଙ୍କର ରାଜ୍ୟ ବିସ୍ତାର କରିଥିବାର ପ୍ରମାଣ ରହିଛି । ସେହି ସମୟରେ କୋହିନୁର ତାଙ୍କ ହାତକୁ ଆସିଥିବାର ଅନୁମାନ କରାଯାଏ । ଏହାପରେ ରଣଜିତ ସିଂହଙ୍କ ପୁତ୍ର ଦିଲ୍ଲୀପ ସିଂହ କୋହିନୁର ହୀରାକୁ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦେଇଥିଲେ ଏବଂ ସେହି ୧୮୫୨ ମସିହାରୁ ଏହା ଆଜି ପର୍ଯ୍ୟନ୍ତ ଇଂଲଣ୍ଡର ରାଜା ଓ ରାଣୀଙ୍କର ରାଜମୁକୁଟରେ ଶୋଭା ପାଉଛି । ପୃଥିବୀରେ କୋହିନୁର ହୀରାର ଶ୍ରେଷ୍ଠତ୍ୱ କେବଳ ପ୍ରମାଣିତ ହୋଇନାହିଁ, ଏହା ସହିତ ଇତିହାସର ଉତ୍‌ଥାନ ପତନ ଓ ବହୁ ରୋମାଞ୍ଚକର କାହାଣୀ ମଧ୍ୟ ଜଡ଼ିତ ।

 

ଗୋଲକୋଣ୍ଡା ଦୁର୍ଗର ଐତିହାସିକ ପଟ୍ଟଭୂମି

 

ହାଇଦ୍ରାବାଦରୁ ଗୋଲକୋଣ୍ଡା ଆସିବା ପଥର ଉଭୟ ପାର୍ଶ୍ୱ ପାହାଡ଼ିଆ ଭୂମି । ସବୁଜ ଗଛଲତା ଅତି କମ୍‌ ଏବଂ ପ୍ରାୟ ସର୍ବତ୍ର ବଡ଼ ବଡ଼ ଶିଳାଖଣ୍ଡ ପଡ଼ିଥିବାର ଦେଖାଯାଏ । ଠାଏ ଠାଏ ଶିଳାଖଣ୍ଡଗୁଡ଼ିକ ସଜାଡ଼ି ରଖିବା ଭଳି ମଧ୍ୟ ମନେହୁଏ । ଗୋଲକୋଣ୍ଡା ଦୁର୍ଗ ଦେଖିଲା କ୍ଷଣି ମନରେ ସ୍ୱତଃ ଧାରଣା ଜନ୍ମେ ଯେ ଏହି ପ୍ରସ୍ତରମୟ ପାହାଡ଼ିଆ ଅଞ୍ଚଳରେ ସୁରକ୍ଷା ପ୍ରତି ଦୃଷ୍ଟିରଖି ପାହାଡ଼ ଉପରେ ଦୁର୍ଗ ନର୍ମାଣ କରାଯାଇଥିଲା । ଦୁର୍ଗ ନିର୍ମାଣ କରାଯାଇଥିବା ସ୍ଥାନ ଏବଂ ୱାରଙ୍ଗଲ କାକତୀୟ ବଂଶର ନରପତିମାନଙ୍କ ଶାସନାଧୀନ ଥିଲା । କଥିତ ଅଛି ଯେ ୧୧୪୩ ମସିହାରେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପାହାଡ଼ ଉପରେ ଦୁର୍ଗ ନିର୍ମାଣ କରିବା ପାଇଁ ଜଣେ ମେଷପାଳକ ପ୍ରସ୍ତାବ ଦେଇଥିଲା । ରାଜା ଏହି ପ୍ରସ୍ତାବର ଯୁକ୍ତିଯୁକ୍ତତା ଗ୍ରହଣ କରି ପ୍ରଥମେ ସେଠାରେ ଏକ କଡ଼ରେ ଦୁର୍ଗ ନିର୍ମାଣ କରି ସେଇ ଦୁର୍ଗର ନାମ ଗୋଲକୋଣ୍ଡା ରଖିଥିଲେ-। ଗୋଲା ଅର୍ଥ ମେଷପାଳକ ଏବଂ କୋଣ୍ଡାର ଅର୍ଥ ପାହାଡ଼ । କାକତୀୟ ବଂଶର ରାଜାମାନଙ୍କ ରାଜଧାନୀ ୱାରଙ୍ଗଲରେ ଅବସ୍ଥିତ ଥିବାରୁ ୧୩୬୩ ମସିହାରେ ସେହି ରାଜବଂଶର ରାଜା କୃଷ୍ଣଦେବ ରାୟ ଏହି ଦୁର୍ଗ ବାମହନି ରାଜବଂଶର ମହମ୍ମଦ ଶାହାଙ୍କୁ ହସ୍ତାନ୍ତର କରିଦେଇଥିଲେ-। ହସ୍ତାନ୍ତର ଚୁକ୍ତି ଅନୁସାରେ ମହମ୍ମଦ ଶାହା ସେହି ଦୁର୍ଗର ନାମ ରଖିଥିଲେ ମହମ୍ମଦ ନଗର । ଏହି ନାମ ସରକାରୀ ଦଲିଲ ଓ ନଥିପତ୍ରରେ ମଧ୍ୟ ଉଲ୍ଲେଖ ଥିବାର ଦେଖାଯାଏ-

 

ବିଦର ତଥା ଗୁଲବର୍ଗା ହିଁ ଥିଲା ବାହମନି ରାଜ୍ୟର ରାଜଧାନୀ । ମହମ୍ମଦ ଶାହାଙ୍କ ସମାଧି ସେଠାରେ ଅଦ୍ୟାବଧି ରହିଛି । ବାହମନି ରାଜ୍ୟରେ ପାଞ୍ଚ ଜଣ ସୁବେଦାର (ଆଞ୍ଚଳିକ ଶାସକ) ଥିଲେ । ରାଜା ଦୁର୍ବଳ ଥିବାରୁ କାଳକ୍ରମେ ଏହି ସୁବେଦାରମାନେ ଜଣକ ପରେ ଜଣେ ସ୍ୱାଧୀନତା ଘୋଷଣ କରି ନିଜ ନିଜର ରାଜ୍ୟ ପ୍ରତିଷ୍ଠା କରିଥିଲେ ।

 

ବିଦରର ଶାସକ ଖାସୀମ ବରୀଦ ପ୍ରଥମେ ସ୍ୱାଧୀନତା ଘୋଷଣା କରି ବରୀଦଶାହି ବଂଶର ରାଜତ୍ୱ ପ୍ରତିଷ୍ଠା କରିଥିଲେ । ଏହା ୧୪୧୨ରୁ ୧୬୮୦ ପର୍ଯ୍ୟନ୍ତ ରହିଥିଲା । ଇମାମଶାହି ରାଜବଂଶର ବେରାରର ଫତେଉଲ୍ଲା ଇମାଦୁଲ ମୁଲକ ଯେଉଁ ରାଜ୍ୟ ପ୍ରତିଷ୍ଠା କଲେ ତାହା ୧୪୯୦ରୁ ୧୬୫୩ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଥିଲା । ନିଜାମଶାହି ରାଜବଂଶର ଅହମ୍ମଦ ନଗରର ଆହମ୍ମଦ ନିଜାମୁଲ ୧୪୯୦ରେ ଯେଉଁ ସ୍ୱତନ୍ତ୍ର ରାଜ୍ୟ ପ୍ରତିଷ୍ଠା କଲେ, ତାହା ୧୬୫୩ ପର୍ଯ୍ୟନ୍ତ ସ୍ୱାଧୀନ ଥିଲା । ବିଜାପୁରର ଆଦିଲଶାହି ବଂଶର ୟୁସୁଫ ଆଦିଲ ଶାହା ଯେଉଁ ରାଜ୍ୟ ୧୪୯୦ରେ ପ୍ରତିଷ୍ଠା କଲେ ତାହା ୧୫୮୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଥିଲା । ସୁଲତାନ କୁଲି ଗୋଲକୋଣ୍ଡା ଠାରେ କୁତବଶାହି ବଂଶର ରାଜତ୍ୱ ପ୍ରତିଷ୍ଠା କରିଥିଲେ ଏବଂ ତାହା ସ୍ୱତନ୍ତ୍ର ରାଜ୍ୟ ଭାବରେ ୧୫୧୮ରୁ ୧୬୮୬ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା ।

 

କୁତବଶାହି ରାଜବଂଶର ସାତ ଜଣ ରାଜା ୧୫୧୮ ଖ୍ରୀଷ୍ଟାବ୍ଦରୁ ୧୬୮୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ । କିନ୍ତୁ ପ୍ରଥମ ତିନି ଜଣ ରାଜାଙ୍କ ରାଜତ୍ୱକାଳରେ ଗୋଲକୋଣ୍ଡା ଦୁର୍ଗ ନିର୍ମିତ ହୋଇଥିଲା । ୧୫୮୭ ଖ୍ରୀଷ୍ଟାବ୍ଦରେ ରାଜା ମହମ୍ମଦ କୁଲି କୁତବଶାହା ତାଙ୍କର ରକ୍ଷିତା ଭାଗମତିର ନାମାନୁସାରେ ଭାଗନଗର ସ୍ଥାପନ କରିଥିଲେ । ଏହା ହିଁ ଆଜିର ହାଇଦ୍ରାବାଦ । ୧୬୮୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କୁତବଶାହି ବଂଶର ରାଜାମାନଙ୍କର ହାଇଦ୍ରାବାଦ ହିଁ ଥିଲା ରାଜଧାନୀ । ଏହାପରେ ଦୁର୍ଦ୍ଦାନ୍ତ ଭାରତ ସମ୍ରାଟ ଆଉରଙ୍ଗଜେବଙ୍କ ପ୍ରଥମ ଦାକ୍ଷିଣାତ୍ୟ ଆକ୍ରମଣ ସମୟରେ ହାଇଦ୍ରାବାଦ ତଥା ଗୋଲକୋଣ୍ଡା ଦୁର୍ଗକୁ ୧୬୫୬ ଖ୍ରୀଷ୍ଟାବ୍ଦରେ ରାଜା ଅବଦୁଲ୍ଲା କୁତବ ଶାହାଙ୍କୁ ପରାସ୍ତ କରି ଅଧିକାର କରି ନେଇଥିଲେ । ପରାଜିତ ରାଜା ଅବଦୁଲ୍ଲା କୁତବ ଶାହା ଆଉରଙ୍ଗଜେବଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ ସେହି ଚୁକ୍ତି ଅନୁସାରେ ସେ ତାଙ୍କ କନ୍ୟାକୁ ଆଉରେଙ୍ଗଜେବଙ୍କ ପୁତ୍ରକୁ ପ୍ରଦାନ କରିଥିଲେ । କିନ୍ତୁ ୧୬୮୭ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ଦ୍ୱିତୀୟଥର ପାଇଁ ଗୋଲକୋଣ୍ଡା ଆକ୍ରମଣ କରି କୁତବଶାହି ରାଜବଂଶର ସପ୍ତମ ରାଜା ହାସାନ ତାନଶାହାଙ୍କୁ ପରାସ୍ତ କରିଥିଲେ । କିନ୍ତୁ ଅଭେଦ୍ୟ ଗୋଲକୋଣ୍ଡା ଦୁର୍ଗର ପତନ ସହଜରେ ହୋଇନଥିଲା ଏବଂ ଏହି ଦୁର୍ଗକୁ ଅଧିକାର କରିବା ପାଇଁ ଆଉରଙ୍ଗଜେବଙ୍କୁ ପ୍ରାୟ ଆଠମାସ ସମୟ ଲାଗିଥିଲା । ଦୁର୍ଗର ପୂର୍ବ ଦ୍ୱାରର ସୁରକ୍ଷା ଦାୟିତ୍ୱରେ ଥିବା ସେନାପତି ଅବଦୁଲ୍ଲା ଖାଁ ପେନ୍ନି ବିଶ୍ୱାସଘାତକତା କରି ରାତିରେ ଦୁର୍ଗର ପୂର୍ବଦ୍ୱାର ଖୋଲିଦେଇ ଶତ୍ରୁକୁ ସ୍ୱାଗତ କରିନଥାନ୍ତେ, ତା’ହେଲେ ହୁଏତ ଆଉରଙ୍ଗଜେବଙ୍କ ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଗୋଲକୋଣ୍ଡା ଦୁର୍ଗ ଅଧିକାର କରିପାରିନଥାନ୍ତେ । ମୋଗଲ ସୈନ୍ୟ ଦୁର୍ଗ ଅଧିକାର କରିବା ସଙ୍ଗେ ସଙ୍ଗେ ଅବଦୁଲ ହାସାନ ତାନାସାହା ବନ୍ଦୀ ଥିଲେ ଏବଂ ତାଙ୍କୁ ଦୌଲତାବାଦ ଦୁର୍ଗର ବିନି ମହଲକୁ ସ୍ଥାନାନ୍ତର କରାଗଲା । ଚଉଦ ବର୍ଷ ବନ୍ଦୀ ରହିବା ପରେ ତାନାଶାହାଙ୍କ ମୃତ୍ୟୁ ହେଲା । ତାଙ୍କ ମୃତ୍ୟୁରେ କୁତବଶାହି ରାଜତ୍ୱର ଅନ୍ତ ହୋଇ ମୋଗଲ ରାଜତ୍ୱ ଆରମ୍ଭ ହେଲା । କୁତବ ଶାହି ରାଜବଂଶର ସତଜଣ ରାଜାଙ୍କର ସାତଟି ମଜହର (କବର)ର ନିର୍ମାଣ କୌଶଳ, ସ୍ଥାପତ୍ୟ ଏବେ ବି ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କର ବିସ୍ମୟ ସଞ୍ଚାର କରେ । ଗୋଲକୋଣ୍ଡା ଦୁର୍ଗକୁ ଯିବା ରାସ୍ତାରେ ଦୁର୍ଗର ଅନତିଦୂରରେ ଏହା ଅବସ୍ଥିତ ।

 

କୁତବଶାହି ରାଜତ୍ୱର ପତନ ପରେ ମୋଗଲ ବାଦଶାହାମାନେ ମୋଗଲ ଶାସନକୁ ସୁଦୃଢ଼ କରିବା ଲାଗି କେତେକ ସୁବେଦାର ଏବଂ ଆଞ୍ଚଳିକ ଶାସକ ନିଯୁକ୍ତ କଲେ । ହାଇଦ୍ରାବାଦର ପ୍ରଥମ ଶାସକ ଭାବରେ ହୁସୁମ ଦିଲ୍‌ ଖାଁ ନିଯୁକ୍ତ ହୋଇ ତେଇଶ ବର୍ଷ ଶାସନ କରିଥିଲେ । ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ପୁତ୍ର ରାଜକୁମାର କମ ବକସ ରୁସ୍ତମ ଦିଲ୍‌ ଖାଁଙ୍କୁ ବନ୍ଦୀ ଅବସ୍ଥାରେ ହତ୍ୟା କରି ଦାକ୍ଷିଣାତ୍ୟର ଶାସନ ନିଜ ହାତକୁ ନେଲେ । ଏ ଭିତରେ ବାହାଦୁର ଶାହା ଆଲାମ ଦାକ୍ଷିଣାତ୍ୟ ଆକ୍ରମଣ କରି କମ ବକ୍‌ସଙ୍କୁ ପରାସ୍ତ ଓ ହତ୍ୟା କଲେ ଏବଂ ଦିଲୱାର ଖାଁଙ୍କୁ ହାଇଦ୍ରାବାଦର ଶାସକ ନିଯୁକ୍ତ କଲେ । କିନ୍ତୁ ଅଳ୍ପଦିନ ପରେ ତାଙ୍କ ସ୍ଥାନରେ ଅବଦୁଲ ମନସୁର ଖାଁଙ୍କୁ ସେହି ପଦରେ ନିଯୁକ୍ତ କରାଗଲା । ତାପରେ ବାଦଶାହାଙ୍କ ଦ୍ୱାରା ଫାରୁକ ସୌର ନିଜାମୁଲ ମୁଲକ ଆସିଫ ଶାହା ଶାସକ ଭାବରେ ୧୭୨୫ ଖ୍ରୀଷ୍ଟାବ୍ଦରେ ସ୍ଥାୟୀ ଭାବରେ ନିଯୁକ୍ତ ହେଲେ । କ୍ରମଶଃ ମୋଗଲ ବାଦଶାହା ଦୁର୍ବଳ ହୋଇ ପଡ଼ିବାରୁ ଅସିଫ ଶାହା ସ୍ୱାଧୀନତା ଘୋଷଣା କଲେ । ତାଙ୍କ ପରେ ସାତଜଣ ରାଜା ରାଜତ୍ୱ କରିବା ପରେ ଭାରତ ସ୍ୱାଧୀନ ହେବା ପରେ ନିଜାମଙ୍କ ଶାସିତ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ସହିତ ମିଶାଇ ଦିଆଗଲା ।

 

ଗୋଲକୋଣ୍ଡା ଦୁର୍ଗ–ଦୁର୍ଗ ଚାରିପାଖରେ ଯେଉଁ ପାଚେରି ଅଛି ତାର ଆୟତନ ପାଞ୍ଚ ମାଇଲ ଏବଂ ତାହା ପଥର ନିର୍ମିତ । ଦୁର୍ଗରେ ନଅଟି ପ୍ରବେଶ ପଥ, ବାବନଟି ଝରକା ଏବଂ ଅଠଚାଳିଶଟି ଭୂଗର୍ଭ ପଥ ଅଛି । ଦୁର୍ଗ ଉପରେ କମାଣ ଖଞ୍ଜିବାର ବ୍ୟବସ୍ଥା ମଧ୍ୟ ଅଛି । ପ୍ରତ୍ୟେକ ମୀନାର ଉପରେ ଚୂଡ଼ା ଅଛି । ଏହା ବ୍ୟତତୀ କିଲ୍ଲା ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପାଚେରୀ ବାହାରେ ଖାଇ ଅଛି ଏବଂ ଭିତରେ ମଧ୍ୟ ଅନ୍ୟ ଗୋଟିଏ ଖାଲ ଅଛି । ସେତେବେଳର ଦୁର୍ଗଗୁଡ଼ିକର ନିର୍ମାଣ କୌଶଳ ଅନୁଧ୍ୟାନ କଲେ ଗୋଲକୋଣ୍ଡା ଦୁର୍ଗକୁ ଏକ ଅଭୟ ଅଭେଦ୍ୟ ଦୁର୍ଗ ଭାବରେ କିପରି ନିର୍ମାଣ କରାଯାଇଥିଲା ତାହା ଜଣାପଡ଼େ । ଦୁର୍ଗର ନଅଟି ଦ୍ୱାରର ନାମ ହେଲା–ଫତେ ଦରୱାଜା, ମୋତି ଦରୱାଜା, ନୁଆ ଦୁର୍ଗର ଦରୱାଜା, ଜମାଲି ଦରୱାଜା, ବସ୍ତରି ଦରୱାଜା, ପଟଞ୍ଚେରୁ ଦରୱାଜା, ମଖ୍‌ଖି ଦରୱାଜା, ବଦଲି ଦରୱାଜା ଏବଂ ବାହମନି ଦରୱାଜା ।

 

ଫତେ ଦରୱାଜା ଦୁର୍ଗର ପୂର୍ବରେ ଅବସ୍ଥିତ । ୧୬୮୭ ଖ୍ରୀଷ୍ଟାବ୍ଦରେ ଏହି ପଥ ଖୋଲିବା ଦ୍ୱାରା ମୋଗଲମାନେ ବିଜୟ ଲାଭ କରିଥିଲେ ।

 

କିଲ୍ଲାର ବୁର୍ଜ–ଗୋଲକୋଣ୍ଡା କିଲ୍ଲାରେ ସବୁ ମିଶି ୮୭ଟି ବୁର୍ଜ ଅଛି । ଏଥିମଧ୍ୟରୁ ପେଟଲା ବୁର୍ଜ, ମୁଷା ବୁର୍ଜ ଓ ମଜରୁନ ବୁର୍ଜ ଅନ୍ୟତମ । ପେଟଲା ବୁର୍ଜ ଜିଲ୍ଲାର ଐଶାନ୍ୟ କୋଣରେ ନିର୍ମିତ । ଏହା ଆଲମଗିରଙ୍କର ବିଜୟ ନିଶାଣ ଭାବରେ ବର୍ଣ୍ଣିତ ହୋଇଛି । କୋଣରେ ଯେଉଁ ୧୬ ଫୁଟ ଲମ୍ବର ତୋପ ଅଛି ସେଥିରେ ଚାଳିଶ କେଜି ଓଜନର ଲୁହା ଗୋଲକ ସହିତ ପ୍ରାୟ ୧୩୦ କେଜି ଓଜନର ବିସ୍ଫୋରକ ରଖାଯାଇପାରୁଥିଲା । ଏହା ଦୁର୍ଗର ଏକ ଆକର୍ଷଣୀୟ ସ୍ଥାନ ।

 

ମୂଷା ବୁର୍ଜ କିଲ୍ଲାର ଦକ୍ଷିଣରେ ଅବସ୍ଥିତ । ଏହା ୧୬୬୬ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଏହାର ନିର୍ମାଣ ସେନାପତି ମୂଷା ଖାଁଙ୍କ ତତ୍ତ୍ୱାବଧାନରେ ଏବଂ ଧର୍ମାଚାର ମିସ୍ତ୍ରୀଦ୍ୱାରା ହୋଇଥିବାରୁ ଏହାର ନାମ ମୂଷା ବୁର୍ଜ । ଏହି ସ୍ଥାନରେ ବିଖ୍ୟାତ ସେନାପତି ମୀତ ମୀରନଙ୍କୁ ହତ୍ୟା କରାଯାଇ ମୂଷା ଖାଁଙ୍କୁ ସେନାପତି ଭାବେ ନିଯୁକ୍ତ କରାଯାଇଥିଲା । ଏହି ତୋପର ମୁହଁରେ ଏକ କୃତ୍ରିମ ସର୍ପ ରହିଛି ଯାହାର ନିର୍ମାଣ କୌଶଳ ଚିତ୍ତାକର୍ଷକ ।

 

ମଜରୁନ ବୁର୍ଜ ଗୋଟିଏ ଛୋଟ ପାହାଡ଼ ଉପରେ ଅବସ୍ଥିତ । ଏହା ଉପରେ ଆଲମଗିର ନାମକ ଏକ ତୋପ ଅଛି । ଏହାଛଡ଼ା କିଲ୍ଲା କୁଶ ତୋପ ପଶ୍ଚିମରେ ବାଲା ହିସାର ଉପରେ ରଖାଯାଇଛି ।

 

ପୂର୍ବେ ରାଜନୈତିକ ଅସ୍ଥିରତା ଯୋଗୁ ପ୍ରାୟ ସଦାବେଳେ ଯୁଦ୍ଧବିଗ୍ରହ ଲାଗି ରହୁଥିଲା । ତେଣୁ ଦୁର୍ଗଗୁଡ଼ିକରେ ସୈନ୍ୟବାହିନୀର ବ୍ୟବହାର ପାଇଁ ଯଥେଷ୍ଟ ପରିମାଣରେ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର, ପାନୀୟ ଜଳ ସହିତ ଖାଦ୍ୟସାମଗ୍ରୀ ମହଜୁଦ କରି ରଖାଯାଉଥିଲା । ଗୋଲକୋଣ୍ଡା ଦୁର୍ଗର ଅସ୍ତ୍ରଶସ୍ତ୍ର ଶାମସିର କୋଠାରେ ରଖାଯାଉଥିଲା । ସେହିପରି ରାଜ୍ୟର ଖଜଣାଖାନା କୁତବଶାହୀ କୋଠାରେ ଅବସ୍ଥିତ ଥିଲା ।

 

ଆଉ ଗୋଟିଏ ଦର୍ଶନୀୟ ସ୍ଥାନ ହେଲା ହାତୀ ରଥ । ଏହି କୋଠା ଉପରେ ରଥ ରଖାଯାଉଥିଲା ଏବଂ ଯାତ୍ରା ଆଦି କୌଣସି ଉତ୍ସବରେ ତାହା ବ୍ୟବହୃତ ହେଉଥିଲା । ହାତୀମାନଙ୍କ ଦ୍ୱାରା ରଥ ଟଣାଯାଉଥିଲା । ଗୋଲକୋଣ୍ଡା ଦୁର୍ଗ ମୁସଲମାନ ନରପତିମାନଙ୍କ ଶାସନାଧୀନ ଥିଲେ ମଧ୍ୟ ଉଭୟ ଧର୍ମ ମଧ୍ୟରେ କିପରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ରହିଥିଲା ତା’ର ବହୁ ପ୍ରମାଣ ମଧ୍ୟରୁ ଏହା ଗୋଟିଏ ।

 

କଟୋରା ହାଉଜ୍‌–ଏହା ଗୋଟିଏ ଜଳାଶୟ । କିଲ୍ଲାର ବାଲା ହିସାରର ଉତ୍ତର ଦିଗରେ ୨୦୦ ଗଜ ଲମ୍ବ ଓ ୨୦୦ ଗଜ ଚଉଡ଼ା ଏହି ଜଳାଶୟର ଗଭୀରତା ୫ ଗଜ । ଏହି ବୃହତ୍‌ ଜଳକୁଣ୍ଡ ବା ଜଳାଶୟ ଦୁର୍ଗ ପୁଷ୍କରିଣୀର ଜଳଦ୍ୱାରା ପୂର୍ଣ୍ଣ କରାଯାଉଥିଲା । ରାଜା ଏବଂ ରାଜପରିବାରର ଅନ୍ୟାନ୍ୟ ଲୋକ ଏହି ପୁଷ୍କରିଣୀରେ ନୌକାବିହାର କରୁଥିଲେ । କଟୋରା ହାଉଜ୍‌ର ଆଉ ଗୋଟିଏ ବିଶେଷତ୍ୱ ହେଲା ଯେ, ଏହାର ସନ୍ନିକଟସ୍ଥ ପଶ୍ଚିମ ଦ୍ୱାରରେ ଯଦି ବର୍ତ୍ତମାନ ମଧ୍ୟ କେହି ଶବ୍ଦ କରେ ତାହା ତିନିଥର ପ୍ରତିଧନ୍ୱିତ ହୁଏ ।

 

ଏହାଛଡ଼ା ତୈଳ ଭଣ୍ଡାର ମଧ୍ୟ ଅଛି । ଏହା ତୈଳଦ୍ୱାରା ପୂର୍ଣ୍ଣ କରାଯାଉଥିଲା । ଏହାର ଆକାର ୩୦ ଫୁଟ୍‌ x ୧୫ ଫୁଟ୍‌ x ୧୦ ଫୁଟ୍‌ । ଏଥିରେ ୧୨୦୦୦ ଗେଲନ ତେଲ ରଖାଯାଇପାରୁଥିଲା ।

 

କିଲ୍ଲା ଭିତରେ ଯେଉଁ ମସଜିଦ ଅଛି ତାହା ରାଜା ଇବ୍ରାହିମ୍‌ କୁତବ ଖାଁଙ୍କ ମନ୍ତ୍ରୀ ମୁସ୍ତାଫା ଖାଁଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହାଛଡ଼ା ଏଠାରେ ଏକ ବିରାଟ ବଟବୃକ୍ଷ ଅଛି । ଏହାର ପ୍ରସ୍ଥ ୮୫ ଫୁଟ । ଏହାର ଗଣ୍ଡି ଗୋଟିଏ ପଥର ଖଣ୍ଡ ପରି ଦେଖାଯାଏ । କିଲ୍ଲା ଭିତରେ ଶସ୍ୟ ସଂଗ୍ରହ କରି ରଖିବା ଲାଗି ଗୋଟିଏ ବିରାଟ ଧାନ କୋଠି ମଧ୍ୟ ଅଛି । କିଲ୍ଲା ଭିତରେ ଗାଧୁଆ ଘର ସହିତ ଚୂନ, ବାଲି ଓ ପଥର ନିର୍ମିତ ପାଣି ସରବରାହ ବ୍ୟବସ୍ଥା ରହିଛି । ଏହା ନଦେଖିଲେ ସେ କାଳରେ ପାଣି ପାଇପ୍‌ ନଥିଲେ ମଧ୍ୟ କିପରି ଶୌଚ, ପ୍ରସାଧନ ପାଇଁ ପାଣି ସରବରାହର ବ୍ୟବସ୍ଥା କରାଯାଇପାରୁଥିଲା ତାହା ବୁଝି ହୁଏ ନାହିଁ ।

 

ବାଲା ହିଂସାର–ଗୋଟିଏ ଛୋଟ ପାହାଡ଼ ଉପରେ ଅବସ୍ଥିତ । ଏହାର ପରିକ୍ରମା ଦେଢ଼ ମାଇଲ । ଏଠାରେ କୁତବଶାହୀ ରାଜମହଲ ଅବସ୍ଥିତ, ଯେଉଁଠାରେ ସେଇ ସମୟର କୁତବଶାହୀ ରାଜାମାନେ ସାଧାରଣ ସଭା କରାଉଥିଲେ । ଏହା ଦରବାର–ଏ–ଆମ ନାମର ଖ୍ୟାତ । ଏହାଛଡ଼ା ବିଶେଷ ସଭା ଲାଗି ଦରବାର–ଏ–ଖାସ୍‌, ବ୍ୟବହୃତ ହେଉଥିଲା । ଏଠାରେ ଜଳାଶୟ, ମସ୍ରାଗାର, ମସଜିଦ, ମନ୍ଦିର, ବଗିଚା, ଜେଲ୍‌ଖାନା, ଧାନ ଭଣ୍ଡାର ପ୍ରଭୃତି ମଧ୍ୟ ରହିଛି । ବାଲା ହିସାରକୁ ଯିବାପାଇଁ ଦୁଇଟି ପଥ ଅଛି । ବାଲା ହିସାରର ପ୍ରବେଶ ଦ୍ୱାର ସମ୍ମୁଖରେ ପରଦା ଭଳି ଗୋଟିଏ ପାଚେରୀ ଅଛି । ଯୁଦ୍ଧ ସମୟରେ ଏହି ପାଚେରୀ ପଛରେ ଶତ୍ରୁର ଗତିବିଧି ଲକ୍ଷ୍ୟ କରାଯାଉଥିଲା । ଏଠାରୁ ଶତ୍ରୁର ଗତିବିଧିକୁ ଲକ୍ଷ୍ୟ କରି ଆକ୍ରମଣରତ ଶତ୍ରୁ ଉପରେ ଉଠାରୁ ତାତିଲା ତେଲ ଢାଳିବାର ବ୍ୟବସ୍ଥା ରହିଛି । ଉତ୍ତପ୍ତ ତେଲ ନିକ୍ଷିପ୍ତ ହେଲେ ଶତ୍ରୁପକ୍ଷର ହାତୀ ଅଗ୍ରସର ହେବା ମଧ୍ୟ ଅସମ୍ଭବ । କାରଣ ହାତୀର ପାଦ ତେଲ ଉପରେ ରହିନପାରି ପିଛିଳି ଯାଏ । ଉତ୍ତପ୍ତ ତୈଳ ସୈନ୍ୟମାନଙ୍କ ପକ୍ଷରେ ମଧ୍ୟ ଘୋର କ୍ଷତିକାରକ ।

 

ବାଲା ହିସାରର ପ୍ରବେଶ ଦ୍ୱାର ଛାତର ନିର୍ମାଣରେ ଅପୂର୍ବ କୌଶଳ ଅବଲମ୍ବନ କରାଯାଇଛି । ତାହା ଷଟ୍‌କୋଣୀ କଟା ହୀରା ପରି ଦେଖାଯାଏ ଏବଂ ସେଠାରେ ଧ୍ୱନି କଲେ ବା ତାଳି ବଜାଇଲେ ତା’ର ପ୍ରତିଧ୍ୱନି କିଲ୍ଲାର ଉପର ପର୍ଯ୍ୟନ୍ତ ଶୁଣାଯାଏ । ସେତେବେଳେ ଟେଲିଫୋନ ବ୍ୟବସ୍ଥା ନଥିଲା, କିନ୍ତୁ ନିର୍ମାଣ କୌଶଳ ଦ୍ୱାରା ପ୍ରତିଧ୍ୱନି, ସଙ୍କେତ ଦ୍ୱାରା ଶତ୍ରୁ ଆକ୍ରମଣର ସୂଚନା ବାଦଶାହାଙ୍କ ନିକଟକୁ ଏହି ଉପାୟରେ ପଠାଯାଇ ପାରୁଥିଲା ।

 

ବାଦଶାହାମାନଙ୍କର ସ୍ନାନ ପ୍ରସାଧନ ପାଇଁ ଯେଉଁ ସ୍ନାନାଗାର ଅଛି ସେଥିରେ ଶୀତଳ ଓ ଉଷ୍ମ ଜଳ ସରବରାହ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ପାଣି ଉଷ୍ଣ କରିବାର ବିଶେଷ ବ୍ୟବସ୍ଥା କରାଯାଉଥିଲା । ସ୍ନାନ ପରେ ସେଇ ଜଳର ନିଷ୍କାସନ ବ୍ୟବସ୍ଥା ମଧ୍ୟ ଦୃଷ୍ଟି ଆକର୍ଷଣ କରେ ।

 

କିଲ୍ଲା ଭିତରେ ଦେହରକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବା ବ୍ୟତୀତ ବାଦଶାହାଙ୍କ ପତ୍ନୀ ଓ ଉପପତ୍ନୀମାନଙ୍କ ପାଇଁ ଜନାନା ମହଲ ସ୍ୱତନ୍ତ୍ର ଥିବାର ସୁନ୍ଦର ବ୍ୟବସ୍ଥା ରହିଛି । ଦେହରକ୍ଷୀମାନଙ୍କର କୋଠାର ସଂଲଗ୍ନ ଦ୍ୱିତଳ କୋଠାରେ ଆବୁଲ ହାସାନ ତାନାଶାହାଙ୍କ ଦୁଇ ମନ୍ତ୍ରୀ ଆକ୍‌କାନା ଓ ମଦ୍ୱାନାଙ୍କର ଅଫିସ ଗୃହ ଏବେ ବି ରହିଛି ।

 

ଏଠାରେ ଯେଉଁ ବଡ଼ ଜଳକୁଣ୍ଡ ଅଛି ତାହା ଦୁର୍ଗ ବାହାରେ ଥିବା ଜଳାଶୟ ସହିତ ଭୂଗର୍ଭ ପଥ ଦେଇ କେନାଲ ଦ୍ୱାରା ସଂଯୁକ୍ତ । ଏହି ପଥ ଦେଇ ପୁଷ୍କରିଣୀର ପାଣି ଜଳକୁଣ୍ଡକୁ ସରବରାହ କରାଯାଉଥିଲା ଏବଂ ବଗିଚାର ଜଳସେଚନ ନିମିତ୍ତ ଏହି ପାଣି ମଧ୍ୟ ବ୍ୟବହୃତ ହେଉଥିଲା । ଏହାଛଡ଼ା ସଙ୍କଟକାଳ ପାଇଁ ପାଣି ମହଜୁଦ କରି ରଖିବା ଲାଗି ବର୍ଷାଜଳ ଧରି ରଖିବା ପାଇଁ ଦୁଇଟି ଜଳକୁଣ୍ଡ ମଧ୍ୟ ନିର୍ମାଣ କରାଯାଇଥିଲା ।

 

କିଲ୍ଲା ଭିତରେ ଯେଉଁ ଜେଲଖାନା ଅଛି ତାହା ରାମଦାସ ଜେଲ ନାମରେ ପରିଚିତ । ଏହି ଜେଲରେ କାଞ୍ଚାରିଆ ଗୋପାନ୍ନା ବା ଭାଗଲ ରାମଦାସଙ୍କୁ ବନ୍ଦୀ କରା ରଖାଯାଇଥିଲା । ସେ ଥିଲେ ମନ୍ତ୍ରୀ ମଦନ୍ନାଙ୍କ ପୁତୁରା ଏବଂ ଆବୁଲ ହାସାନ ତାନାଶାହାଙ୍କ ସମୟରେ ଭଦ୍ରାଚଳମର ତହସିଲଦାର । ପରେ ବାଦ୍‌ଶାହାଙ୍କ ଦ୍ୱାରା ଲାଂଛିତ ହୋଇ ଜେଲ୍‌ରେ ଥିବାବେଳେ ସେ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଭାବେ ପରିଚିତ ହେଲେ ଏବଂ ସେହି ଜେଲ ଭିତରେ ଥିବା ରାମ, ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରସ୍ତର ମୂର୍ତ୍ତି ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏବେ ମଧ୍ୟ ପବିତ୍ର ରାମନବମୀ ଦିନ ହଜାର ହଜାର ନରନାରୀ ଏହି ଜେଲ୍‌ ପରିଦର୍ଶନ କରିଥାଆନ୍ତି ।

 

ଏହାଛଡ଼ା କିଲ୍ଲା ଭିତରେ ମହାକାଳୀ ମନ୍ଦିର ମଧ୍ୟ ଅବସ୍ଥିତ । ଆବୁଲ ହାସାନ ତାନାଶାହାଙ୍କ ମନ୍ତ୍ରୀ ଆକ୍‌କାନା ଓ ମଦାନ୍ନା ଏହି ମନ୍ଦିର ନିର୍ମାଣ କରାଇଥିଲେ । ଆଷାଢ଼ ମାସରେ ଏଠାରେ ହେଉଥିବା ଉତ୍ସବକୁ ହଜାର ହଜାର ଭକ୍ତ ଏବେ ବି ଆସନ୍ତି ।

 

ଏହାଛଡ଼ା ଉପରେ ସାଧାରଣ ସଭା ପାଇଁ ତିନିମହଲା ବରାଦରି ଅଛି, ସେଠାରେ ରାଜଦରବାର ଅନୁଷ୍ଠିତ ହେଉଥିଲା । ଭୂଗର୍ଭସ୍ଥିତ ସୁଡ଼ଙ୍ଗ ବରାଦରି ଠାରୁ ହାଇଦ୍ରାବାଦର ଗୋସାମହଲ ପର୍ଯ୍ୟନ୍ତ ଯାଇଛି । ବରାଦରିର ଛାତ ଉପରେ ବସି ବାଦଶାହା ଯେପରି ସମଗ୍ର ଅଞ୍ଚଳ ଦେଖିପାରିବେ ସେଥିପାଇଁ କରାଯାଇଥିବା ବ୍ୟବସ୍ଥା ଏବେ ବି ଅକ୍ଷତ ଅଛି । ଏଠାରେ ବସି ଚତୁଃପାଶ୍ୱର୍ରେ ତିରିଶ ମାଇଲ ପର୍ଯ୍ୟନ୍ତ ଦେଖାଯାଇପାରେ । ଏହାର ଉଚ୍ଚତା ୪୦୦ ଫୁଟ ଏବଂ ସମୁଦ୍ର ପତ୍ତନ ଠାରୁ ଏହାର ଉଚ୍ଚତା ୨୦୦୦ ଫୁଟ । ଏଠାରେ ଛିଡ଼ା ହୋଇ ହାଇଦ୍ରାବାଦ ସହରର ଚାରମୀନାର, ମକ୍କା ମସଜିଦ, ହାଇକୋର୍ଟ, ଓସମାନିଆ ହସ୍ପିଟାଲ ଏବଂ ହିମାୟତ ସାଗର ହ୍ରଦ ପ୍ରଭୃତି ବଡ଼ ବଡ଼ କୋଠା ଓ ସ୍ଥାନ ଦେଖିବାକୁ ହୁଏ ।

 

ସେକାଳରେ ଉଚ୍ଚ ସ୍ଥାନକୁ ପାଣି ଉଠାଇବା ଲାଗି ମୋଟର ପମ୍ପର ବ୍ୟବସ୍ଥା ନଥିଲେ ମଧ୍ୟ କାରିଗରୀ କୌଶଳ ଦ୍ୱାରା ୩୦୦ ଫୁଟ୍‌ ଉଚ୍ଚରେ ଥିବା ପାଣି ଟାଙ୍କିକୁ ଚକ ଦ୍ୱାରା ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥିଲା । ବାଲାହିସାରର ତଳ ଭାଗରେ ପୂର୍ବ ଦିଗରେ କୁତବଶାହୀ ରାଜମହଲ ଆଡ଼କୁ ଯାଉଥିବା ପଥ ପାଖରେ ପାଞ୍ଚଟି ଜଳକୁଣ୍ଡ ଅଛି ଯେଉଁଠାରୁ ୩୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜଳ ସରବରାହ କରାଯାଉଥିଲା । ବିଶେଷ ଲୁହା ଚକ ବ୍ୟବହାର କରି ପାଣି ଉଠାଇବାର ବ୍ୟବସ୍ଥା ଥିଲା ।

 

ଭଟମାନଙ୍କ ରହିବା ସ୍ଥାନଟି ସୁତୁରଖାନା ନାମରେ ପରିଚିତ । ଏହା ଏକ ଅସାଧାରଣ କୋଠା । ଏହାର ଛାତ ତଳେ ଭଟମାନେ ରହୁଥିଲାବେଳେ ଉପରେ ଏକ ବଗିଚା ଥିବାର ଚିହ୍ନ ଏବେ ବି ରହିଛି ।

 

ଗୋଲକୋଣ୍ଡା ଦୁର୍ଗର ନିର୍ମାଣ କୁତବଶାହା ରାଜବଂଶର ବିଭିନ୍ନ ରାଜାଙ୍କ ଦ୍ୱାରା ପ୍ରାୟ ୧୩୦ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିଲା । ଏହାର ନିର୍ମାଣକାଳ ୧୫୧୮ରୁ ୧୬୮୭ ଖ୍ରୀଷ୍ଟାବ୍ଦ ମଧ୍ୟରେ-। କୁତବଶାହୀ ରାଜତ୍ୱର ପ୍ରତିଷ୍ଠାତା ସୁଲତାନ କୁଲି ପାରସ୍ୟ ଦେଶରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ପରେ ପରେ ସେ ତାଙ୍କ କକେଇ ଆଲ୍ଲାକୁଲିଙ୍କ ସହିତ ବାହମନି ରାଜ୍ୟର ମହମ୍ମଦ ଶାହାଙ୍କ ସମୟରେ ଘୋଡ଼ା ବେପାର କରିବା ଉଦ୍ଦେଶ୍ୟରେ ଭାରତ ଆସି ଏଠାରେ ପହଁଚିଥିଲେ । ମହମ୍ମଦ ଶାହାଙ୍କ ସମୟରେ ସେ ତେଲେଙ୍ଗାନାର ଶାସକ ଭାବରେ ନିଯୁକ୍ତ ହୋଇ ପରେ ୧୫୮୧ରେ କୁତବଶାହୀ ରାଜବଂଶ ପ୍ରତିଷ୍ଠା କରିଥିଲେ । ସେ ନିଜର ରାଜତ୍ୱକାଳରେ ରାଜାମହେନ୍ଦ୍ରି, ଏଲୋର, ରାଜକୋଣ୍ଡା ପ୍ରଭୃତି ଜୟ କରି ପ୍ରାୟ ସତୁରୀଟି ଦୁର୍ଗ ଅଧିକାର କରି ନେଇଥିଲେ । ସେ ଏବେ ଦେଖୁଥିବା ଗୋଲକୋଣ୍ଡା କିଲ୍ଲାର ପ୍ରଥମ ସ୍ଥାପୟିତା । ସେ ଦାକ୍ଷିଣାତ୍ୟରେ ପ୍ରଥମ ଇସଲାମ ଧର୍ମ ଓ ସଂସ୍କୃତିର ପ୍ରସାର କରାଇଥିଲେ । ତାଙ୍କର ତୃତୀୟ ପୁତ୍ର ନିଜେ ଜାମସୀଦ ୯୦ ବର୍ଷ ବୟସ୍କ ବୃଦ୍ଧ ସୁଲତାନ କୁଲିଙ୍କୁ ହତ୍ୟା କରି ସିଂହାସନ ଦଖଲ କରିଥିଲେ ।

 

ଅଭେଦ୍ୟ ଗୋଲକୋଣ୍ଡା ଦୁର୍ଗର ମଧ୍ୟ ଦିନେ ବିଶ୍ୱାସଘାତକତା ଦ୍ୱାରା ପତନ ଘଟିଥିଲା । ପରସ୍ପର ମଧ୍ୟରେ ଏକତା ଓ ସଂଘବଦ୍ଧ ଉଦ୍ୟମ ଅଭାବରୁ ଭାରତ ଯେ ବହୁକାଳ ଖଣ୍ଡ ବିଖଣ୍ଡ ହୋଇ ରହିଥିଲା କେବଳ ତାହା ନୁହେଁ । ବର୍ହିଶତ୍ରୁ ଦ୍ୱାରା ବାରମ୍ବାର ଆକ୍ରାନ୍ତ ଓ ପଦାନତ ହୋଇଥିଲା । କିନ୍ତୁ ସେପରି ଦୁଃସମୟରେ ମଧ୍ୟ ଶାସକ ଓ ଶାସିତ ମଧ୍ୟରେ ରାଜତ୍ୱ କରିବା ଛଡ଼ା ଧର୍ମ ଓ ଭାଷା ଭିତ୍ତିରେ ଏପରି ବିବାଦ ନକରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାର ପ୍ରମାଣ ଦୁର୍ଗ ଭିତରେ କାଳୀ ମନ୍ଦିର ଓ ଅନ୍ୟାନ୍ୟ ହିନ୍ଦୁ ଦେବଦେବୀଙ୍କ ପୂଜା ମଣ୍ଡପ । ମୁସଲମାନ ବାଦଶାହା ଆବୁଲ ହାସାନ ତାନାଶାହାଙ୍କ ବିଶ୍ୱସ୍ତ ଓ ସୁଦକ୍ଷ ମନ୍ତ୍ରୀ ଭାବରେ ଦୁଇଜଣ ହିନ୍ଦୁ ଆକାନ୍ନା ଓ ମଦାନ୍ନା କାର୍ଯ୍ୟ କରିବାର ପ୍ରମାଣ ଓ କିମ୍ବଦନ୍ତୀ ଏବେ ବି ରହିଛି ।

 

ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ଘଡ଼ିରେ ଏଗାର ବାଜିବାର ଦେଖି ଆମେ ତର ତର ହୋଇ ବାହାରି ଆସିଲୁ ଦୁର୍ଗ ଭିତରୁ । ଗଣେଶବାବୁ ମନେ ପକାଇଦେଲେ କପିଳେନ୍ଦ୍ର ଦେବଙ୍କ ଦାକ୍ଷିଣାତ୍ୟ ବିଜୟ କଥା । ଗୋଲକୋଣ୍ଡା ଦୁର୍ଗ ସେ ଅଧିକାର କରିଥିବାର ପ୍ରମାଣ ନାହିଁ ସତ; କିନ୍ତୁ ୱାରଙ୍ଗଲ ଅଧିକାର କରିବାର ଐତିହାସିକ ପ୍ରମାଣ ରହିଛି । ହାୟରେ ଓଡ଼ିଆ ପୁଅ । ସେ ବୀରତ୍ୱ ଆଜି ଇତିହାସର ବିଷୟବସ୍ତୁ ମାତ୍ର, ସବୁ କ୍ଷେତ୍ରରେ ଓଡ଼ିଆ ଆଜି ଅନ୍ୟମାନଙ୍କ ପଛରେ । ପାଞ୍ଚଶହ ବର୍ଷ ମଧ୍ୟରେ ଇତିହାସର ମଣ୍ଡନ କରୁଥିବା ଗୋଟିଏ ଜାତିର ବିଲୟ ଘଟିବାର ଦୃଷ୍ଟାନ୍ତ ପୃଥିବୀ ଇତିହାସରେ ବିରଳ ନିଶ୍ଚୟ । ହାଇଦ୍ରାବାଦ ସହର ଭିତରେ ଠାଏ ଅଟକିଲୁ ଗରମ ମକା ପୋଡ଼ା ଖାଇବା ପାଇଁ । ଗୋଟିକୁ ଟଙ୍କାଏ ।

 

ଷ୍ଟେସନରେ ପହଁଚିଲା ବେଳକୁ କୋଣାର୍କ ଏକ୍ସପ୍ରେସ ଛିଡ଼ା ହୋଇଥାଏ । ରେସ୍ତୋରାଁରେ ଶୀଘ୍ର ମଧ୍ୟାହ୍ନ ଭୋଜନ ସମାପ୍ତ କରି ଗାଡ଼ି ଭିତରକୁ ଯାଇ ନିଜ ସ୍ଥାନ ଦଖଲ କରି ସ୍ୱସ୍ତିରେ ନିଃଶ୍ୱାସ ମାରିଲୁ ।

 

ଏବେ ପ୍ରତ୍ୟାବର୍ତ୍ତନ ଜଗନ୍ନାଥ ଦେଶକୁ ।

☆☆☆

 

ମହାନଗରୀ ଦିଲ୍ଲୀ କୁତବମିନାର ଓ ଲୌହସ୍ତମ୍ଭ

 

ଦିଲ୍ଲୀକୁ ମୁଁ ପ୍ରଥମ ଯାଇଥିଲି ୧୯୫୪ ମସିହାର ଫେବୃଆରୀ ମାସର ଶେଷାର୍ଦ୍ଧରେ ସିଭିଲ ସର୍ଭିସ ପରୀକ୍ଷାରେ ଇଣ୍ଟରଭିୟୁ ଦେବାପାଇଁ । ଏକା ଯାଉଥିଲି, ତେଣୁ ହାବଡ଼ା ଷ୍ଟେସନରେ ତୋଫାନ ଏକ୍‌ସପ୍ରେରେ ବସିବା କ୍ଷଣି ଚିନ୍ତିତ ହୋଇପଡ଼ିଲି । ଦିଲ୍ଲୀ ଭାରତର ରାଜଧାନୀ । ବଡ଼ ସହର । କାହାକୁ ଚିହ୍ନେ ନାହିଁ, ଜାଣେ ନାହିଁ । ରହିବି କୋଉଠି ? ଏମିତି କେତେ କଥା ଭାବୁ ଭାବୁ ଢୋଳେଇ ପଡ଼ିଥିଲି । ମୋ ପାଖରେ ବସିଥିଲେ ସେନାବାହିନୀର ଜଣେ ଅଫିସର ମିଷ୍ଟର ନାୟାର-। ସେ ମୋତେ ଉଠେଇଦେଇ କହିଲେ–ଚା’ ପିଅ, ନିଦ ଲାଗିବ ନାହିଁ, ସତେଜ ହୋଇଯିବ-। ମୁଁ କହିଲି ମୁଁ ତ ଚା ପିଏନାହିଁ । ତା ପରେ ଆଳାପ ଆରମ୍ଭ ହେଲା । ସେ କହିଲେ ଦିଲ୍ଲୀ କାହିଁକି ଯାଉଛି, ଏଇ ପ୍ରଥମ ନା ଆଉ କେବେ ଯାଇଥିଲ, କୋଉଠି ରହିବ ? ମୁଁ ଧୀରେ ଧୀରେ ସବୁ କହିଲି ତାଙ୍କୁ । ମୋର ଅସହାୟ ଅବସ୍ଥା ହୃଦୟଙ୍ଗମ କରି ସ୍ୱରରେ ସହାନୁଭୂତି ଖେଳାଇ କହିଲେ, ମୋ କକାପୁଅ ଭାଇ ଅଛି ଦିଲ୍ଲୀରେ । ସେକ୍ରେଟେରିଏଟ୍‌ରେ ଚାକିରି କରେ । କ୍ଵାଟର ଅଛି-। ମୁଁ ସେଇଠି ରହିବି । ତମେ ବି ଆସ ମୋ ସାଙ୍ଗରେ । ମୁଁ ହାତରେ ସ୍ଵର୍ଗ ପାଇଲି ।

 

ଇଣ୍ଟରଭିୟୁ ଥାଏ ସତେଇଶ ତାରିଖରେ । ତା ପୂର୍ବରୁ ଦୁଇଦିନ ଥିଲା ହାତରେ । ନାୟାରଙ୍କ ଭାଇ ମୋତେ ଦିଲ୍ଲୀ ବୁଲାଇ ଆଣିଲେ । କେତେକ ଦର୍ଶନୀୟ ସ୍ଥାନ ଦେଖିଲି ।

 

କିନ୍ତୁ ସବୁଠାରୁ ବେଶି ଆକର୍ଷଣ କଲା ଦିଲ୍ଲୀର ରାସ୍ତା, ବଗିଚା, ଗଛବୃଚ୍ଛ । ନୂଆଦିଲ୍ଲୀ ଭାରତର ରାଜଧାନୀ । ରାସ୍ତାର ଦୁଇପାଖରେ ଗଛମାନଙ୍କର ସଭା । ବଗିଚା ସବୁରେ ନାନାଜାତିର ଫୁଲ । ଶୀତ ଛାଡ଼ି ନଥାଏ ବୋଲି ଗରମ ବସ୍ତ୍ର ଥାଏ ଲୋକମାନଙ୍କର, ପରିଧାନରେ ।

 

ସୁବ୍ରମନ୍ୟମଙ୍କ ସହିତ ଗଲି କୁତବମିନାର ଦେଖିବା ପାଇଁ । ବାଟରେ ଯିବାବେଳେ ସେ କହିଲେ ମହାନଗରୀର ଇତିବୃତ୍ତି । ଦିଲ୍ଲୀ ଆଜିର ସହର ନୁହେଁ, ବହୁ ପୁରାତନ ଏହାର ଇତିହାସ । ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ ମତରେ ଆରାବଳୀ ସଭ୍ୟତା ଗଢ଼ିଉଠିଥିଲା ଏଇ ଅଞ୍ଚଳରେ ଦୁଇଲକ୍ଷ ବର୍ଷ ତଳେ ପ୍ରସ୍ତର ଯୁଗର ପ୍ରଥମାବସ୍ଥାରେ । ମାଟିତଳୁ ଏବେ ଯେଉଁ ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ମିଳୁଛି ଏହା ତାହାର ପ୍ରମାଣ । ଦୁଇଲକ୍ଷ ବର୍ଷ ତଳର ନଗ୍ନ ମଣିଷ ଆଜି କେଡ଼େ ସୁସ୍ଥ ଓ ସୁନ୍ଦର ଦିଶୁଛି । ପାଦରୁ ଶିର ପର୍ଯ୍ୟନ୍ତ ପରିଧାନ ଦ୍ଵାରା ଆବୃତ୍ତ । ଜୀବନଧାରଣ କରିବା ପାଇଁ ଆଉ ସେ ଶିକାର କରୁନାହିଁ । ସଭ୍ୟତା ଅନେକବାଟ ଆଗେଇ ଆସିଲାଣି । କିନ୍ତୁ ଗୋଟିଏ ସତ୍ୟ ଏବେ ବି ଉଦ୍ଭାସିତ ହେଉଛି । ଦୁଇଲକ୍ଷ ବର୍ଷ ପୂର୍ବେ ଯେପରି ଶକ୍ତିଶାଳୀର ପାଦତଳେ ନତମସ୍ତକ ହେଉଥିଲେ, ଦୁର୍ବଳମାନେ ଏବେ ବି ତାହା ବଦଳି ନାହିଁ । ଦିଲ୍ଲୀ କ୍ଷମତାଶାଳୀ, ସମ୍ପଦଶାଳୀ, ଶକ୍ତିଶାଳୀଙ୍କ ସହର, ଏଠାରେ ଦୁର୍ବଳ ଅସହାୟ ଓ ନଗଣ୍ୟ, ଅଥଚ ତାହାରି ହାତର ଶ୍ରମରେ, ଶରୀରର ସ୍ଵେଦ ଓ ଶୋଣିତରେ ଗଢ଼ିଉଠିଚି ଏଇ ମହାନଗରୀ । ସେମାନଙ୍କୁ ସ୍ମରଣ କରିବା ଆବଶ୍ୟକ ହୁଏ ନାହିଁ, ଇତିହାସ ସେମାନଙ୍କ କଥା କେବେ କହେନାହିଁ ।

 

ନାୟାର କହୁଥିଲେ ମହାଭାରତର କଥା । ଏଇ ଦିଲ୍ଲୀର ସେତେବେଳର ନାମ ଥିଲା ଇନ୍ଦ୍ରପ୍ରସ୍ଥ । କୌରବମାନଙ୍କୁ ପରାସ୍ତ କରିବା ପରେ ଧର୍ମରାଜ ଚକ୍ରବର୍ତ୍ତୀ ଯୁଧିଷ୍ଠିର ଇନ୍ଦ୍ରଙ୍କ ନାମାନୁସାରେ ପ୍ରତିଷ୍ଠା କରିଥିଲେ ଏଇ ସହର । ଏଠାରୁ ହସ୍ତିନାପୁର ବେଶି ଦୂର ନୁହେଁ । ହରିଆନାରେ । କୌରବ ଓ ପାଣ୍ଡବମାନଙ୍କ ନାମ ଅନୁସାରେ ପ୍ରତିଷ୍ଠିତ ହୋଇଥିଲା ଦ୍ରୋଣ ନଗର ଯାହା ଏବେ ଡେରାଡୁନ ନାମରେ ଖ୍ୟାତ । ସେହିପରି ଋଷିକେଶ ପାଖରେ ଭୀମ ଓ ଅନ୍ୟାନ୍ୟ ବୀରମାନଙ୍କ ନାମାନୁସାରେ କେତେକ ସ୍ଥାନ ଅଛି । ତାପରେ କେତେ ଶତାବ୍ଦୀ ଅତିବାହିତ ହୋଇଗଲା; କିନ୍ତୁ ଇତିହାସ ପୃଷ୍ଠାରେ କ୍ରମବର୍ଦ୍ଧମାନ ମାନବ ସଭ୍ୟତାର ଅଗ୍ରଗତି ସମ୍ପର୍କରେ କୌଣସି ସଠିକ ସୂଚନା ଏଯାଏ ମିଳିନାହିଁ । ମହାଭାରତ ଓ ରାମାୟଣ କେବଳ ବ୍ୟାସ ଓ ବାଲ୍ମିକୀବର୍ଣ୍ଣିତ କାହାଣୀ ଥିଲା ନା ବାସ୍ତବ ଥିଲା ପଟ୍ଟଭୂମି ତାହା ଆଜି ତର୍କର ବିଷୟ ।

 

ଇଂରେଜମାନେ ୧୯୧୧ରେ ଯେତେବେଳେ କଲିକତାରୁ ଭାରତ ରାଜଧାନୀ ଦିଲ୍ଲୀକୁ ଉଠାଇଆଣିଲେ ସେତେବେଳେ ବହୁ ଶତାବ୍ଦୀ ପରେ ପୁଣି ଦିଲ୍ଲୀ ପରିଣତ ହେଲା ରାଜଶକ୍ତିର ପୀଠସ୍ଥଳୀରେ । କ୍ଷମତାର ମହୁଫେଣା ଚାରିପାଖରେ ଗୁଞ୍ଜନ ଶୁଣାଗଲା ଚାଟୁକାର ପାର୍ଷଦମାନଙ୍କର । ସେଇଦିନୁ ଦିଲ୍ଲୀ ବଢ଼ି ବଢ଼ି ଚାଲିଛି । ୧୯୮୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ୬୮ ଲକ୍ଷ । ଏବେ ତାହା ଅଶୀଲକ୍ଷକୁ ଟପିଗଲାଣି । ଦିଲ୍ଲୀ କେନ୍ଦ୍ରଶାସନାଧୀନ ଏକ ଅଞ୍ଚଳ । ଏହାର କ୍ଷେତ୍ରଫଳ ୫୬୩ ମାଇଲ । ସହର ଓ ଗ୍ରାମାଞ୍ଚଳ ଏହାର ଅନ୍ତର୍ଭୁକ୍ତ ।

 

ଦିଲ୍ଲୀର ଲିଖିତ ଇତିହାସ ଆରମ୍ଭ ହେଲା ୧୬୧୩ ମସିହାର ମୁସଲମାନ ଆକ୍ରମଣ ପରେ । କିନ୍ତୁ ତା ପୂର୍ବରୁ ୬୬୩ ମସିହାରୁ ୬୮୧ ମସିହା ପର୍ଯ୍ୟନ୍ତ ଅନଙ୍ଗପାଳ ଏଠାରେ ଶାସନ କରିଥିବାର ପ୍ରମାଣ ମିଳେ । କିନ୍ତୁ ୧୦୯୧ ମସିହାରେ ଦ୍ୱିତୀୟ ଅନଙ୍ଗପାଳଙ୍କ ଶାସନକାଳରେ ଏହା ଆହୁରି ବିସ୍ତାରଲାଭ କରିଥିଲା । ଲାଲକୋଟ ଓ ଲୌହସ୍ତମ୍ଭରେ ଯେଉଁ ଲିପି ରହିଛି ତାହା ପାଠ କଲେ ଏ ବିଷୟ ସୁସ୍ପଷ୍ଟ ହୁଏ । ୧୧୮୦ ମସିହାରେ ରାୟପିଥୋଡାଠାରେ ଏକ ଦୁର୍ଗ ନିର୍ମାଣ କରିଥିଲେ ପୃଥିବୀରାଜ ଚୌହାନ । ସେ ଏହିଠାରୁ ଉତ୍ତର ଭାରତକୁ ଶାସନ କରୁଥିଲେ । କିନ୍ତୁ ଜୟଚନ୍ଦ୍ରଙ୍କ ବିଶ୍ୱାସଘାତକତା ଓ ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ପରାଜିତ ହେବାପରେ ପୁଣି ୧୨ଶ ଶତାବ୍ଦୀର ଶେଷରୁ ଆରମ୍ଭ ହେଲା ମୁସଲମାନ ରାଜତ୍ୱ । ୧୨୫୦ ମସିହାରେ କୁତବୁଦ୍ଦିନ ଦାସବଂଶର ପ୍ରଥମ ସମ୍ରାଟ ଭାବରେ ଘୋଷଣା କଲେ ବଙ୍ଗକୁ । ହିନ୍ଦୁ ମନ୍ଦିର ସ୍ଥାନରେ ସେ ଅନେକ ମସଜିଦ ନିର୍ମାଣ କରିଥିଲେ । ଦାସବଂଶକୁ ହଟାଇ ଖିଲଜୀ ବଂଶ ୧୨୯୦ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ସିଂହାସନରେ ବସିଲେ । ଜଲାଲଉଦ୍ଦିନ ଖିଲଜୀ ଏହାର ପ୍ରତିଷ୍ଠାତା । କିନ୍ତୁ ସେ ପରେ ତାଙ୍କ ପୁତୁରା ଆଲାଉଦ୍ଦିନ ଖିଲଜୀଙ୍କ ଦ୍ୱାରା ନିହତ ହେଲେ । ଆଲାଉଦ୍ଦିନ ଖିଲଜୀ ଜଣେ ସଫଳ ଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । କୁତବମିନାର ନିକଟରେ ସେ ଆଲାଉଦ୍ଦିନ ଦରୱାଜା ନିର୍ମାଣ କରାଇଥିଲେ । ଖିଲଜୀ ବଂଶ ପରେ ଶାସନଗାଦି ଅଧିକାର କଲେ ତୋଗଲକ ବଂଶ ( ୧୩୨୦-୧୪୧୨) ତାପରେ ଶୟିଦ ବଂଶ (୧୪୧୪-୧୪୫୧) ଏବଂ ପରେ ଲୋଦି ବଂଶ (୧୪୫୧-୧୫୨୬) । ଏହି ସମୟରେ ଦିଲ୍ଲୀରେ ତୋଗଲକ ଦୁର୍ଗ, ଲୋଦି ସମାଧୀପୀଠ ଓ ଫିରୋଜ ଶାହା କୋଟଲା ନିର୍ମିତ ହୋଇଥିଲା । ଏଇ ଫିରୋଜଶାହା କୋଟଲାରେ ବିଖ୍ୟାତ ଅଶୋକସ୍ତମ୍ଭ ଏବେ ବି ବିଦ୍ୟମାନ ।

 

ଏହାପରେ ଦିଲ୍ଲୀ ମୋଗଲମାନଙ୍କ ଅଧୀନକୁ ଆସିଲା । କିନ୍ତୁ ମୋଗଲ ସାମ୍ରାଜ୍ୟର ସ୍ଥାପୟିତା ବାବର ଦିଲ୍ଲୀରେ ନରହି ଆହୁରି ଅଭ୍ୟନ୍ତରକୁ ଲକ୍ଷ୍ନୌ ନିକଟସ୍ଥ ଫୈଜାବାଦକୁ ଚାଲିଗଲେ । ଏଇ ଫୈଜାବାଦ ନିକଟରେ ଅଯୋଧ୍ୟା । କିନ୍ତୁ ବାବରଙ୍କ ପୁତ୍ର ହୁମାୟୁନ ଦିଲ୍ଲୀରେ ପୁରୁଣା କିଲ୍ଲା ନିର୍ମାଣ କରି ତାଙ୍କର କୀର୍ତ୍ତି ରଖିଯାଇଛନ୍ତି । ହୁମାୟୁନଙ୍କୁ ପରାସ୍ତ କରି ଶେରଶାହାସୁରୀ ଦିଲ୍ଲୀ ନିଜ ଅକ୍ତିଆରକୁ ଆଣିଥିଲେ ଏବଂ ପୁରୁଣା କିଲ୍ଲାର ନିର୍ମାଣକୁ ଆହୁରି ଶକ୍ତିଶାଳୀ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଦିଲ୍ଲୀ ମୋଗଲ ବାଦଶାହା ଆକବର ଓ ଶାହାଜାହାନଙ୍କୁ ଆକର୍ଷଣ କରି ନଥିଲା, ସେଥିପାଇଁ ସେ ଦୁହେଁ ଆଗ୍ରାରେ ଅଧିକ ସମୟ ଅତିବାହିତ କରିଥିଲେ ଓ ଆଗ୍ରା ହିଁ ଥିଲା ସେମାନଙ୍କର ରାଜଧାନୀ । କିନ୍ତୁ ପରେ ଶାହାଜାହାନ ଦିଲ୍ଲୀରେ ୧୬୩୯ରେ ଲାଲକିଲ୍ଲା ନିର୍ମାଣ କରି ଅକ୍ଷୟକୀର୍ତ୍ତି ଅର୍ଜନ କରିଥିଲେ । ଆଉରଙ୍ଗଜେବ ବା ତାଙ୍କ ପରେ ଆଉ କେହି ମୋଗଲ ବାଦଶାହ ଦିଲ୍ଲୀରେ ସେପରି କିଛି କୀର୍ତ୍ତି ରଖିଯାଇ ନାହାନ୍ତି-

 

ନାୟାର କହିଲେ, କିନ୍ତୁ ଇଂରେଜମାନେ ଦିଲ୍ଲୀର ଅବସ୍ଥିତି ଦେଖି ମୁଗ୍‍ଧ ହୋଇଥିଲେ । କଲିକତା ଭାରତର ଗୋଟିଏ ପାଖରେ ରହୁଥିବାରୁ, ଏହାର ଜଳବାୟୁ ସେମାନଙ୍କ ପାଇଁ ଅନୁକୂଳ ନହେବାରୁ ଏବଂ ଦିଲ୍ଲୀଠାରୁ ଭାରତ ସାମ୍ରାଜ୍ୟର ଶାସନ ଅଧିକ ସହଜ ହେବ ଚିନ୍ତାକରି କଲିକତାରୁ ଦିଲ୍ଲୀକୁ ରାଜଧାନୀ ଉଠାଇ ଆଣିଲେ । ରାଜଧାନୀ ସ୍ଥାନାନ୍ତରୀତ ହେବା ପରେ ନୂତନ ରାଜଧାନୀ ନିର୍ମାଣର ନକ୍ସା ଓ ପରିକଳ୍ପନା ଦାୟିତ୍ଵ ପଡ଼ିଲା । Lutyens ଓ Bakerଙ୍କ ଉପରେ-

 

ପୃଥିବୀର କୌଣସି ରାଜଧାନୀ ଏତେ ବିପୁଳ ବିପର୍ଯ୍ୟୟ ପ୍ରତ୍ୟକ୍ଷ କରିନାହିଁ । ଦିଲ୍ଲୀ ଥରେ ନୁହେଁ ବହୁଥର ଶତ୍ରୁମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇଛି । ତୈମୁର ଦିଲ୍ଲୀକୁ ଧ୍ୱଂସ କରି ଦେଇଥିଲେ । ମୋଗଲ ଆକ୍ରମଣଦ୍ଵାରା ଦିଲ୍ଲୀ ଲୁଣ୍ଠିତ ଓ ତଳିତଳାନ୍ତ ହୋଇଥିଲା । ସେଥିପାଇଁ ବିଖ୍ୟାତ ଉର୍ଦ୍ଦୁ କବି ଆକବର ନଜାରାବାଦୀ ଦିଲ୍ଲୀ ଛାଡ଼ି ଆଗ୍ରା ଚାଲିଯାଇଥିଲେ । ନାଦିରଶାହ ପାରସ୍ୟରୁ ଆସି ୧୭୩୮ରେ ଦିଲ୍ଲୀ ଆକ୍ରମଣ କରିଥିଲେ ଏବଂ ୧୭୫୨ରେ ଅହମ୍ମଦ ଶାହା ଦୁରାନୀ ଦିଲ୍ଲୀ ଆକ୍ରମଣ କରିଥିଲେ । କିନ୍ତୁ ୧୭୭୧ରେ ମରାଠା ସେନାପତି ମାଧୋରାଓ ସିନ୍ଧିଆ ଦିଲ୍ଲୀ ଅଧିକାର କରି ମରାଠା ଶାସନ ପ୍ରବର୍ତ୍ତନ କରିଥିଲେ । ଏହା ୧୮୦୩ ପର୍ଯ୍ୟନ୍ତ ମରାଠାମାନଙ୍କ ଅଧୀନରେ ଥିଲା । ୧୮୦୩ରେ ମରାଠା ଶାସକ ଦଉଲତ ରାଓଙ୍କ ସେନାପତି Louis Bourquienଙ୍କୁ ଇଂରେଜ ସେନାପତି Lake ପରାସ୍ତ କରି ଦିଲ୍ଲୀ ଅଧିକାର କଲେ । କିନ୍ତୁ ୧୮୦୪ରେ ପୁଣି ମରାଠା ଶାସକ ଯସୱନ୍ତ ରାଓ ହୋଲକାର ଦିଲ୍ଲୀ ଆକ୍ରମଣ କଲେ; କିନ୍ତୁ ସେ ଇଂରେଜ ସେନାପତି Willam Burnଙ୍କ ଦ୍ୱାରା ପରାସ୍ତ ହେଲେ । ସେହି ସମୟରୁ ୧୮୫୭ ପର୍ଯ୍ୟନ୍ତ ଭାରତର ପୁରାତନ ରାଜଧାନୀ ଦିଲ୍ଲୀ ବ୍ରିଟିଶମାନଙ୍କ ଅଧୀନରେ ଥିଲା । ଦିଲ୍ଲୀର ଶେଷ ମୋଗଲ ବାଦଶାହା ବାହାଦୁରଶାହା ୧୮୫୭ରେ ପରାସ୍ତ ହେଲେ ଏବଂ ଅଶୀବର୍ଷ ବୟସରେ ରେଙ୍ଗୁନକୁ ନିର୍ବାସିତ ହେଲେ । ସେଠାରେ ୧୮୬୨ରେ ତାଙ୍କର ମୃତ୍ୟୁ ହେବାରୁ ମୋଗଲ ବଂଶ ଓ ଶାସନର ପତନ ଘଟିଲା ।

 

ନାୟାର ମନର କୌତୁହଳ ସୃଷ୍ଟି କରିବା ପାଇଁ କହିଲେ ୧୧୯୩ରୁ ଭାରତ ସ୍ୱାଧୀନ ହେବାଯାଏ ଦୁଇଜଣ ରାଣୀ ଓ ସତୁରି ଜଣ ରାଜାଙ୍କ ଶାସନାଧୀନରେ ଥିଲା । ଦିଲ୍ଲୀର ଜନସଂଖ୍ୟା ଦୁଇଲକ୍ଷରୁ ଏବେ ପ୍ରାୟ ଅଶୀଲକ୍ଷରେ ପହଞ୍ଚିଛି । ଦିଲ୍ଲୀର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରୁ ଲାଲକିଲ୍ଲା ଓ କୁତବମିନାର ଅନ୍ୟତମ ବିଶିଷ୍ଟ କୀର୍ତ୍ତି । ଲାଲକିଲ୍ଲା ପୂର୍ବରୁ କୁତବମିନାର ନିର୍ମିତ ହୋଇଥିବାରୁ ସେ ସମ୍ବନ୍ଧରେ ଆମେ ବର୍ଣ୍ଣନା କରିବା ପ୍ରାସଙ୍ଗିକ ମନେହୁଏ ।

 

କୁତବମିନାର–ଚିନାବାଦାମ କିଣିଲେ ଆୟାର । ଚିନାବାଦାମ ଖଣ୍ଡେ ଚୋବେଇସାରି କହିଲେ–କୁତବମିନାର ଦୂରତ୍ୱ କେନ୍ଦ୍ର ଦିଲ୍ଲୀଠାରୁ ପ୍ରାୟ ଏଗାର ମାଇଲ । ଏଠାରେ କୁତବମିନାର ଛଡ଼ା ଅଛି କୁତବୁଦ୍ଦିନ ଆଇବାକଙ୍କ ମସଜିଦ୍, ଆଲତାମିସଙ୍କ କବର, ମଦ୍ରାସା (ମହାବିଦ୍ୟାଳୟ) ଏବଂ ଆଲାଉଦ୍ଦିନ ଖିଲଜୀଙ୍କ ନିର୍ମିତ ସଂପ୍ରସାରଣ ।

 

କୁତବମିନାର ଆଗରେ ଛିଡ଼ାହୋଇ ମୁଁ ଚାହିଁଲି ମିନାର ଉପରକୁ । ତଳୁ ଉପରକୁ ସଞ୍ଚରି ଯାଉଥିବା ମୋର ଦୃଷ୍ଟିରେ ଥିଲା ପୁରାତନକୁ ଆବିଷ୍କାର କରିବାର ପ୍ରଶଂସନୀୟ ଦୃଷ୍ଟି । ମୁଁ ପ୍ରଶ୍ନ ପଚାରିବା ପୂର୍ବରୁ ଆୟାର କହିଲେ–କୁତବମିନାର ଭାରତର ସର୍ବୋଚ୍ଚ ଗମ୍ବୁଜ । ଆକ୍ରମଣକାରୀମାନଙ୍କ ଅନୁପ୍ରବେଶ ଓ ଆକ୍ରମଣ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଏହା ନିର୍ମିତ ହୋଇଥିଲା ।

 

କେତେକ ଐତିହାସିକଙ୍କ ମତରେ କୁତବ ପ୍ରଥମେ ପୃଥ୍ୱୀସ୍ତମ୍ଭ ଭାବରେ ନିର୍ମାଣ କରିଥିଲେ ପୃଥ୍ୱୀରାଜ ଚୌହାନଙ୍କ ଦିଲ୍ଲୀ ବିଜୟର ସ୍ମୃତିସ୍ତମ୍ଭ ରୂପରେ । ଏହା କଥିତ ଅଛି ଯେ ପୃଥ୍ୱୀରାଜ ନିଜ ରାଣୀଙ୍କୁ ଅତି ଭଲ ପାଉଥିଲେ ଏବଂ ଯମୁନା ନଦୀ ପ୍ରତିଦିନ ଦର୍ଶନ କରିବା ଲାଗି ରାଣୀଙ୍କର ପ୍ରବଳ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଯେ ଏହି ସ୍ତମ୍ଭ ତିଆରି କରାଇଥିଲେ । ମିନାରର ପ୍ରଥମ ମହଲାର ଦ୍ଵାର ମୁହଁ ଉତ୍ତରକୁ । ଏହା ହିନ୍ଦୁ ପ୍ରଥା ଅନୁସାରେ ନିର୍ମିତ; ଅଥଚ ପରବର୍ତ୍ତୀ ମହଲା ଗୁଡ଼ିକର ମୁହଁ ମୁସଲମାନ ପ୍ରଥା ଅନୁସାରେ ପୂର୍ବକୁ । ମୁସଲମାନଙ୍କ ସୌଧ ଚାରିପାଖରେ ଚବୁତରା, ରଖାଯାଏ ଏଠାରେ ସେପରି କୌଣସି ଚବୁତରା ନାହିଁ । ଏହାଛଡ଼ା ପ୍ରଥମ ମହଲାରେ ଆଉ କେତେକ ହିନ୍ଦୁ ସଂକେତ ରହିଛି । ପରବର୍ତ୍ତୀ କାଳରେ ମିନାର ଦେହରେ ପବିତ୍ର କୋରାନର ଅନେକ ଉଦ୍ଧୃତାଂଶ ଲିପିବଦ୍ଧ କରାଯାଇଥିବା ବିଶ୍ୱାସ କରାଯାଏ । ଐତିହାସିକମାନଙ୍କ ମତରେ ୧୨୦୦ ଖ୍ରୀଷ୍ଟାବ୍ଦରେ କୁତବୁଦ୍ଦିନ ଆଇବାକୁ ଏହାକୁ ମୁସଲମାନ ଶୈଳୀରେ ନିର୍ମାଣ କରାଇଥିଲେ-

 

ଏଇ କୁତବୁଦ୍ଦିନ ଆଇବାକ ଗଜନୀର ନବାବ ଘୋରୀଙ୍କ ଦାସ ଥିଲେ । ୧୧୯୨ ଖ୍ରୀଷ୍ଟାବ୍ଦରେ ରାଜପୁତ ବୀର ପୃଥ୍ୱୀରାଜଙ୍କୁ ପରାସ୍ତ କରି ସେଇ ବିଜୟକୁ ଅକ୍ଷୟ କରି ରଖିବା ପାଇଁ ମହମ୍ମଦ ଘୋରୀ ମିନାର ନିର୍ମାଣ କରାଇଥିଲେ । ସେଥିରେ ଲେଖାଅଛି ଯେ–ଅମୀରମାନଙ୍କ ଅମୀର, ସେନାଧ୍ୟକ୍ଷମାନଙ୍କର ସେନାଧ୍ୟକ୍ଷର ପ୍ରମାଣ ଏଇ କୁତବ । କିନ୍ତୁ ଏହା ସତ୍ତ୍ୱେ ତାଙ୍କ ସମୟରେ କୁତବମିନାରର ମାତ୍ର ଗୋଟିଏ ମହଲା ନିର୍ମାଣ କରାଇଥିଲେ । କିନ୍ତୁ କୁତବୁଦ୍ଦିନ ଆଇବାଙ୍କ ଜ୍ୱାଇଁ ଆଲବାରୀ ଜାତିର ତୁର୍କ ଶାମସୁଦ୍ଦିନ ଆଲତାମସ ଏହାର ଦ୍ୱିତୀୟ ଓ ତୃତୀୟ ମହଲା ନିର୍ମାଣ କରିଥିଲେ ଏବଂ ୧୩୫୭ ଖ୍ରୀଷ୍ଟାବ୍ଦରେ ଫରୋଜଶାହା ତୋଗଲକଙ୍କ ଦ୍ଵାରା ଅନ୍ୟ ମହଲାଗୁଡ଼ିକ ନିର୍ମିତ ହୋଇଥିଲା ।

 

କୁତବମିନାରର ବିବରଣୀ :

 

ପ୍ରଥମ ମହଲା ୯୫ ଫୁଟ ଉଚ୍ଚ ୧୫୬ ପାହାଚ

ଦ୍ୱିତୀୟ ମହଲା ୫୦ ଫୁଟ ୮ ୧/୨, ଇଞ୍ଚ ଉଚ୍ଚ ୭୮ ପାହାଚ

ତୃତୀୟ ମହଲା ୪୦ ଫୁଟ ୩ ୧/୨, ଇଞ୍ଚ ଉଚ୍ଚ ୬୨ ପାହାଚ

ଚତୁର୍ଥ ମହଲା ୨୫ ଫୁଟ ୪ ଇଞ୍ଚ ଉଚ୍ଚ ୪୨ ପାହାଚ

ପଞ୍ଚମ ମହଲା ୨୨ ଫୁଟ ୪ ଇଞ୍ଚ ଉଚ୍ଚ ୪୧ ପାହାଚ

ମୋଟ ଉଚ୍ଚତା ୨୩୩ ପୁଟ ୮ ଇଞ୍ଚ ଓ ୩୭୯ ପାହାଚ

 

ମିନାର ତଳ ପ୍ରସ୍ଥ ୪୭ ଫୁଟ ଏବଂ ଉପର ୯ ଫୁଟ । ପ୍ରତ୍ୟେକ ମହଲା ଗୋଟିଏ ବାଲକୋନି ଦ୍ଵାରା ଚିହ୍ନିତ । ଏଥିରେ ଲାଲ ବାଲିପଥର (Red Sand Stone) ବ୍ୟବହାର କରାଯାଇ, ତା ଉପରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି । ଅନେକ ବର୍ଷ ପୂର୍ବେ ଚଡ଼କ ପତନ ଦ୍ୱାରା ଏଇ ମିନାରର କେତେକାଂଶ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୧୫୦୩ ଖ୍ରୀଷ୍ଟାବ୍ଦରେ ସିକନ୍ଦର ଲୋଦି ତାହା ପୁନଃ ନିର୍ମାଣ କରାଇଥିଲେ ।

 

ଆହୁରି ପ୍ରତ୍ୟେକ ଦରଜା ନିକଟରେ ଲିପିବଦ୍ଧ ହୋଇଥିବା ଉଦ୍ଧୃତାଂଶ ଅର୍ଥ କରି ନାୟାର କହିଲେ–ମହାପୁରୁଷ (ତାଙ୍କ ଉପରେ ଈଶ୍ଵରଙ୍କ ଆଶୀର୍ବାଦ ଓ ଶାନ୍ତି ବର୍ଷିତ ହେଉ) କହିଥିଲେ, ଯିଏ ଈଶ୍ଵରଙ୍କ ପାଇଁ ମସଜିଦ୍ ଟିଏ ନିର୍ମାଣ କରେ, ସ୍ଵର୍ଗରେ ଈଶ୍ଵର ତା ପାଇଁ ସେହିପରି ଏକ ଗୃହ ନିର୍ମାଣ କରିବେ ।

 

ଆମେ ଦୁହେଁ ବୁଲିଲାବେଳେ ବହୁ ଛାତ୍ରଛାତ୍ରୀ ଓ ଦର୍ଶନାଭିଳାଷୀ ପର୍ଯ୍ୟଟକଙ୍କ ସହିତ ସାକ୍ଷାତ ହେଲା । କେବଳ ଭାରତର ବିଭିନ୍ନ ପ୍ରଦେଶରୁ ନୁହେଁ, ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କର ମଧ୍ୟ ଏହା ଏକ ପ୍ରିୟ ଦର୍ଶନୀୟ ସ୍ଥାନ । କୁତବମିନାର ଉପରକୁ ଉଠିବା ଦ୍ଵାରା ଦୁଇ ମହଲାକୁ ଅଳ୍ପ କେତେବର୍ଷ ତଳେ ବନ୍ଦ କରି ଦିଆଯାଇଛି । ଏହାର କାରଣ ଗୋଟିଏ ଦୁର୍ଘଟଣା ଘଟି କେତେକ ଛାତ୍ରଛାତ୍ରୀ ଏଠାରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । କିନ୍ତୁ ଏହା ସତ୍ତ୍ୱେ କୁତବମିନାରର ଆକର୍ଷଣ କମିନାହିଁ । ଯେପରି ହ୍ରାସ ପାଇନାହିଁ ମଣିଷ ମନର ଅନୁସନ୍ଧିତ୍ସା । କୁତବମୀନାର ପାଖରେ କୂତ୍-ଉଲ୍-ଇସଲାମ ମସଜିଦ ଦେଖିବାକୁ ମିଳେ । କ୍ଵାତ୍-ଉଲ୍-ଇସଲାମର ଅର୍ଥ ଇସଲାମର ପରାକ୍ରମ । ଏଠାରେ ପୂର୍ବେ ଏକ ମନ୍ଦିର ଥିବା ବିଶ୍ୱାସ କରାଯାଏ । ଲେଫଟନାଣ୍ଟ କର୍ନେଲ H. A. Newelଙ୍କ ମନ୍ତବ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ–“The walls are of pathan, but the richly wrought pillars are the spirits of Hindu, Jain and Budhist Shrines founded in the vicinity." ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବହୁ ସ୍ଥାନରେ ଶିଳ୍ପ ନୈପୁଣ୍ୟକୁ ଘୋଡ଼ାଇଦେବା ପାଇଁ ପରବର୍ତ୍ତୀ କାଳରେ ମସଜିଦର ବିଭିନ୍ନ ଅଂଶ ଉପରେ ପଲସ୍ତରା କରାଯାଇ ପୁଷ୍ପାଦିର ଚିତ୍ର ଅଙ୍କନ କରାଯାଇଛି ଏବଂ ଠାଏ ଠାଏ ପବିତ୍ର କୋରାନର ବାଣୀମାନ ଲିପିବଦ୍ଧ କରାଯାଇଛି ।

 

ସେ ଯାହାହେଉ ଏସବୁ କୀର୍ତ୍ତି ଯେ ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମ ଓ ସଂପ୍ରଦାୟର ଶିଳ୍ପୀମାନଙ୍କର ଶିଳ୍ପ ନୈପୁଣ୍ୟର ଫଳଶୃତି ଏହା ସ୍ପଷ୍ଟ ଭାବରେ କୁହାଯାଇପାରେ । ଏହି ମସଜିଦ୍‍ର ନିର୍ମାଣ କୌଶଳ ଅତ୍ୟନ୍ତ ମନୋରମ । ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ।

 

ଲୌହସ୍ତମ୍ଭ–କ୍ଵାତ୍-ଉଲ-ଇସଲାମ ମସଜିଦର ଅଗଣାରେ ଏହି ଲୌହସ୍ତମ୍ଭ ଦର୍ଶକମାନଙ୍କୁ ଆକର୍ଷଣ କରେ । ଯେତେବେଳେ ପାଶ୍ଚାତ୍ୟରେ ଶିଳ୍ପ ଓ ବିଜ୍ଞାନର ଅଗ୍ରଗତି ହୋଇନଥିଲା ସେତେବେଳେ ଭାରତରେ କିପରି ଶିଳ୍ପ ନୈପୁଣ୍ୟ ଗଢ଼ି ଉଠିଥିଲା, ଏହା ତାର ଜ୍ୱଳନ୍ତ ନିଦର୍ଶନ । ଏହି ସ୍ତମ୍ଭର ଉଚ୍ଚତା ୩୨ ଫୁଟ ୮ ଇଞ୍ଚ ଓ ଏହା ଗୋଟିଏ ଲୌହ ଦଣ୍ଡ । ଏହି ସ୍ତମ୍ଭକୁ ଲୁହା ଜଂଜିର ଦ୍ୱାରା ଭୂଗର୍ଭରେ ବନ୍ଧାଯାଇଛି । ଏହି ସ୍ତମ୍ଭ କିଏ ନିର୍ମାଣ କରାଇଥିଲେ ସେ ସମ୍ବନ୍ଧରେ ମତେକ୍ୟ ନାହିଁ । କିନ୍ତୁ ସମସ୍ତେ ଏଥିରେ ଏକମତ ଯେ କେହି ଜଣେ ହିନ୍ଦୁ ରାଜାଙ୍କ ଦ୍ୱାରା ଏହି ନିର୍ମାଣ କରାଯାଇଥିଲା । ସ୍ତମ୍ଭ ଉପରେ ସଂସ୍କୃତରେ ଯାହା ଲିପିବଦ୍ଧ କରାଯାଇଛି ଏହା ତାର ସୂଚନା ଦିଏ । କେହି କେହି କହନ୍ତି ଯେ ଗୁପ୍ତବଂଶର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ (ଖ୍ରୀଷ୍ଟାବ୍ଦ ୩୦୮–୪୧୩) ମଧ୍ୟରେ ଏହି ସ୍ତମ୍ଭ ନିର୍ମାଣ କରାଇଥିଲେ । ଏହି ସ୍ତମ୍ଭରେ ଗରୁଡ଼ଙ୍କ ଛବି ଅଙ୍କିତ ଥିବା ଅନୁମାନ କରାଯାଏ ଏବଂ ଏହା ସମ୍ମୁଖରେ ଏକ ବିଷ୍ଣୁ ମନ୍ଦିର ।

 

ସୟଦ ଅହମ୍ମଦଙ୍କ ଅନୁସାରେ ଏହି ସ୍ତମ୍ଭ ଖ୍ରୀଷ୍ଟପୂର୍ବ ୮୯୫ରେ ରାଜା ମହାଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ପୁଣି ପ୍ରିନସେପଙ୍କ ମତରେ ଏହାର ନିର୍ମାଣ ରାଜା ଧାବ ଯିଏ ଦିଲ୍ଲୀକୁ ୩ୟ ଓ ଚତୁର୍ଥ ଶତାବ୍ଦୀରେ ଶାସନ କରିଥିଲେ । କିନ୍ତୁ ସଂସ୍କୃତ ପଣ୍ଡିତ ଭାଉଦାଳି ଏହି ମତ ଖଣ୍ଡନ କରି କହନ୍ତି ଯେ ଏହି ଲୌହସ୍ତମ୍ଭ ଈଶ୍ଵରଙ୍କ ସମ୍ମାନାର୍ଥେ ମହାରାଜା ଚନ୍ଦ୍ରଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଆଉ କେତେକଙ୍କ ମତରେ–ମହାଭାରତ ଯୁଗରେ ଇନ୍ଦ୍ରପ୍ରସ୍ଥରେ ଏହା ନିର୍ମାଣ କରାଯାଇଥିଲା । ଏହି ସ୍ତମ୍ଭରେ ରାଜା ଅନଙ୍ଗପାଳଙ୍କ ନାମ ମଧ୍ୟ ଖୋଦିତ ଅଛି । ତେଣୁ କେତେକଙ୍କ ମତରେ ଏହି ଲୌହସ୍ତମ୍ଭ ଇନ୍ଦ୍ରପ୍ରସ୍ଥରୁ ପରେ ମଗଧକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଶେଷରେ ଏହା ପୁନର୍ବାର ଦିଲ୍ଲୀକୁ ଆଣି ବିଷ୍ଣୁ ମନ୍ଦିର ସମ୍ମୁଖରେ ଉତ୍ତୋଳନ କରାଯାଇଥିଲା ଏବଂ ରାଜପୁତ ମହାରାଜା ଅନଙ୍ଗପାଳ ତୋମାର ଏହା କରାଇଥିଲେ (୧୦୧୨) । ଲୋକକଥାରୁ ଜଣାଯାଏ ଯେ ଅନଙ୍ଗପାଳଙ୍କୁ ତାଙ୍କ ପୁରୋହିତ କହିଥିଲେ ଯେ ଏହି ଲୌହସ୍ତମ୍ଭ ଶେଷନାଗଙ୍କ ମସ୍ତକ ଉପରେ ଉତ୍ତୋଳନ କରାଯାଇଥିବାରୁ ଏହା ଚିରସ୍ଥାୟୀ ରହିବ ଏବଂ ଏହି ସ୍ତମ୍ଭ ଥିବାଯାଏ । ତାଙ୍କ ସାମ୍ରାଜ୍ୟ କୌଣସି ସଙ୍କଟର ସମ୍ମୁଖୀନ ହେବନାହିଁ । କିନ୍ତୁ ଯେଉଁ ମୁହୂର୍ତ୍ତରେ ସ୍ତମ୍ଭ ଅପ୍ରସାରିତ ହେବ ସାମ୍ରାଜ୍ୟ ମଧ୍ୟ ନିଶ୍ଚିହ୍ନ ହୋଇଯିବ । ରାଜା ଏହାର ସତ୍ୟାସତ୍ୟ ପରୀକ୍ଷା କରନ୍ତେ ସ୍ତମ୍ଭର ମୂଳଭାଗ ବାହାରକୁ ଆସିବା ପରେ ସେଥିରେ ରକ୍ତ ଲାଗିଥିବା ଜଣାପଡ଼ିଲା । କିନ୍ତୁ ଏହାପରେ ବହୁ ଚେଷ୍ଟା କରି ମଧ୍ୟ ସେ ଆଉ ସ୍ତମ୍ଭକୁ ଠିଆ କରାଇ ପାରିନଥିଲେ ଏବଂ ପରେ ପରେ ତୋମାର ସାମ୍ରାଜ୍ୟର ପତନ ହେଲା ।

 

ମହମ୍ମଦ ଶାହାଙ୍କ ଶାସନ କାଳରେ ନାଦିର ଶାହା ଭାରତ ଆକ୍ରମଣ କରିଥିଲେ । କୁତବମିନାର ଦେଖିବାକୁ ଯାଇ ତାଙ୍କ ଦୃଷ୍ଟି ପଡ଼ିଥିଲା ଲୌହସ୍ତମ୍ଭ ଉପରେ । କିନ୍ତୁ ସେ ଚେଷ୍ଟା କରି ମଧ୍ୟ ସ୍ତମ୍ଭକୁ ଉଠାଇ ନେଇପାରି ନଥିଲେ । ବିଖ୍ୟାତ ଐତିହାସିକ କନିଙ୍ଗହମଙ୍କ ମତରେ–ଦିଲ୍ଲୀର ଲୌହସ୍ତମ୍ଭ ଭାରତର ଏକ ମହାର୍ଘ ସ୍ମୃତିସ୍ତମ୍ଭ । ପ୍ରାଚୀନ କାଳରେ ଧାତୁର ନିର୍ମିତ ବହୁ କାର୍ଯ୍ୟ କରାଯାଇଥିଲା, ଯାହା ହୁଏନ୍‌ସାଂ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ କରିଯାଇଛନ୍ତି । କିନ୍ତୁ ସେସବୁ ଖଣ୍ଡ ଖଣ୍ଡ ହୋଇ ଗଣାଯାଇ ପରେ ଏକତ୍ରିତ କରାଯାଇଥା; କିନ୍ତୁ ଦିଲ୍ଲୀର ଲୌହସ୍ତମ୍ଭ ଏକ ଅଖଣ୍ଡ ଲୌହପିଣ୍ଡ ।

 

ଆମେ ଅଭିଭୂତ ହୋଇ ଏଇ ପ୍ରାଚୀନ କୀର୍ତ୍ତିରାଜି ଦେଖୁଥିବାବେଳେ କେତେବେଳେ ଶେଷ ସୂର୍ଯ୍ୟର ସୁନେଲି କିରଣ ମୀନାର ଓ ସ୍ତମ୍ଭ ଉପରେ ପଡ଼ିଲା ଜାଣିପାରିଲୁ ନାହିଁ । ମୋତେ ଯିବାବେଳ ହେଲାଣି ବୋଲି ସ୍ମରଣ କରାଇଦେଇ ଆୟାର କହିଲେ ଦିଲ୍ଲୀର ମାଟିତଳେ ଓ ମାଟି ଉପରେ ଇତିହାସ ପଡ଼ିରହିଛି । ଯେତିକି ଘାଣ୍ଟିବ ସେତିକି ଖେଳେଇ ହୋଇ ପଡ଼ିବ ଅତୀତର ଘଟଣାବଳୀ ।

 

ମୁଁ କିନ୍ତୁ ଭାବୁଥିଲି ଅନ୍ୟକଥା–ଭାରତୀୟମାନଙ୍କର ଏତେ ଦେଶଭକ୍ତି, ଜ୍ଞାନ ଓ କୌଶଳସତ୍ତ୍ୱେ ଭାରତ କିପରି ଶହ ଶହ ବର୍ଷ ଧରି ପରାଧୀନ ହୋଇ ରହିଲା ?

 

ଫେରିଯିବାବେଳେ କେହି ଜଣେ କହୁଥିବାର କାନରେ ପଡ଼ିଲା–ଏକତା ଅଭାବରୁ ବାରମ୍ବାର ପରାଜିତ ହୋଇଛି ଏ ଦେଶ । ଏ ଦେଶରେ ପୃଥ୍ୱୀରାଜ ବି ଅଛନ୍ତି, ଆଉ ଜୟଚନ୍ଦ୍ର ବି ।

 

ଟଙ୍ଗା ଉପରକୁ ଉଠି ମୁଁ କହିଲି–ତୁମଭଳି ବନ୍ଧୁ ପାଖରେ ନଥିଲେ ଇତିହାସର ମୂକସାକ୍ଷୀ ଭାବେ ଛିଡ଼ା ହୋଇଥିବା କୁତବମିନାର ଓ ଲୌହସ୍ତମ୍ଭ ମୋ ଆଗରେ ଅତୀତ ଏତେ ଜୀବନ୍ତ ଭାବରେ ଉଭାହୋଇ ନଥାନ୍ତା ।

☆☆☆

 

ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସାମର୍ଥ୍ୟର କେନ୍ଦ୍ର ଦିଲ୍ଲୀର ଲାଲକିଲ୍ଲା

 

ଦିଲ୍ଲୀ ଆଜି ଭାରତର ରାଜଧାନୀ ନୁହେଁ, ବହୁ ପୂର୍ବରୁ ଶହ ଶହ ବର୍ଷ ଧରି ଏହା କିପରି ଏଇ ବିଶାଳ ଭୂଖଣ୍ଡର ରାଜଧାନୀ ଥିଲା ତାହା ଆଗରୁ କହିଛି । ବାରମ୍ବାର ଶତ୍ରୁମାନଙ୍କଦ୍ଵାରା ଲୁଣ୍ଠିତ ଓ ବିଧ୍ୱସ୍ତ ହୋଇ ମଧ୍ୟ ଦିଲ୍ଲୀ ମାଟିରେ ମିଶିଯାଇନି; ବରଂ ମୁଣ୍ଡ ଟେକିଛି ପ୍ରତିଥର ଗର୍ବରେ ପୁଣି ଆଉ ଏକ ଆକ୍ରମଣ ସାମନା କରିବା ପାଇଁ । ଦିଲ୍ଲୀ ତ କେବଳ ଗୋଟିଏ ସ୍ଥାନବିଶେଷ ନୁହେଁ, ଏଠାରେ ରହିଛି ଭାରତବର୍ଷର ଅସୀମ ଓ ଅସରନ୍ତି ଜୀବନୀଶକ୍ତି ଯାହା ପରାଜିତ ହୋଇ ମଧ୍ୟ ପରାଜୟକୁ ସ୍ୱୀକାର କରି ପଡ଼ିରହିନି ମୁହଁମାଡ଼ି । ତେଣୁ ଲାଲକିଲ୍ଲାରେ ଭାରତର ସ୍ଵାଧୀନତା ଦିବସରେ ପ୍ରତିବର୍ଷ ଜାତୀୟ ପତାକା ଉଡ଼ାନ୍ତି ଏ ଦେଶର ପ୍ରଧାନମନ୍ତ୍ରୀ । ଦ୍ଵିତୀୟ ବିଶ୍ୱଯୁଦ୍ଧ ଚାଲୁଥିବାବେଳେ ଯେତେବେଳେ ନେତାଜୀ ବର୍ମା ସୀମାନ୍ତରେ ଭାରତର ମୁକ୍ତିଯୋଦ୍ଧା (ଆଇ.ଏନ୍.ଏ) ମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ–ଚଲୋ ଦିଲ୍ଲୀ, ସେମାନଙ୍କ ଶିରା ପ୍ରଶିରାରେ ପ୍ରବାହିତ ରକ୍ତକଣିକାରେ ପ୍ରତିଧ୍ୱନିତ ହେଲା ସେଇ ବାଣୀ । ଲାଲ କିଲ୍ଲା ଉପରେ ମୁକ୍ତ ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଘୋଷଣା କରିଥିଲେ ନେତାଜୀ । ସେଥିପାଇଁ ଭାରତ ମୁକ୍ତ ହେବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲାଲକିଲ୍ଲା ଉପରେ ୧୯୪୭ ଅଗଷ୍ଟ ପନ୍ଦର ତାରିଖ ଦିନ ଜାତୀୟ ପତାକା ଉଡ଼ାଇଦେଇ ଜାତି ଉଦ୍ଦେଶ୍ୟରେ ଯେଉଁ ଉଦ୍‌ବୋଧନ ଦେଇଥିଲେ ସେଥିରେ ଥିଲା ଆଗକୁ ଯିବାର ଅଦମ୍ୟ ଆଗ୍ରହ–ଏକ ନୂତନ ଜୀବନ ଜିଜ୍ଞାସାର ପ୍ରତିଲିପି, ଦେଶାତ୍ମବୋଧର ନୂତନ ଅଭିବ୍ୟକ୍ତି ।

 

ଲାଲକିଲ୍ଲାର ପ୍ରବେଶଦ୍ୱାର ‘ଲାହୋର ଗେଟ’ ଆଗରେ ଠିଆ ହେବା କ୍ଷଣି ରୋମାଞ୍ଚିତ ହେଲା ଶରୀର । ଆୟାର କହିଲେ ଏହିଠାରେ ଶେଷ ମୋଗଲ ସମ୍ରାଟ ବନ୍ଦୀ ବାହାଦୂର ଶାହାଙ୍କ ବିଚାର କରି ତାଙ୍କୁ ଦେଶରୁ ନିର୍ବାସିତ କରିଥିଲେ ବ୍ରିଟିଶ ସରକାର ୧୮୫୮ରେ । ପୁଣି ଏହି ଲାଲକିଲ୍ଲାରେ ନେତାଜୀ ସୁଭାଷ ବୋଷଙ୍କର ଭାରତୀୟ ଜାତୀୟ ସେନା । (ଆଇ.ଏନ.ଏ)ର ଦୁର୍ଘର୍ଷ ସେନାପତିମାନଙ୍କର ବିଚାର କରିଥିଲେ ବ୍ରିଟିଶ ସରକାର ଆଉ ପୁଣି ଏଇ ଲାଲକିଲ୍ଲାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କର ହତ୍ୟାକାରୀମାନଙ୍କର ମଧ୍ୟ ବିଚାର ହୋଇଥିଲା । ଲାଲକିଲ୍ଲାର ଗଠନ ଯେପରି ବିଚିତ୍ର ଏହାର ପରବର୍ତ୍ତୀ ଇତିହାସ ମଧ୍ୟ ସେହିପରି ଘଟଣାବହୁଳ । ସେଥିପାଇଁ କୁହାଯାଏ ଯେ ଯେଉଁ ଜାତିର ଇତିହାସ ନାହିଁ, ସେଇ ଜାତିର ଜୀବନ ମଧ୍ୟ ନାହିଁ ।

 

ଆମେ ଦୁହେଁ ଦିଲ୍ଲୀର ପୁରୁଣା ବଜାର ଚାନ୍ଦିନୀଚୌକ ଆଡ଼ୁ ଲାହୋର ଗେଟ ଦେଇ ଭିତରକୁ ପ୍ରବେଶ କରିବା ପୂର୍ବରୁ ଲାଲ ବାଲିପଥରରେ ନିର୍ମିତ ଏଇ ବିରାଟ ଦୁର୍ଗକୁ କିଛି ସମୟ ନିରୀକ୍ଷଣ କଲୁ ମୁଗ୍‍ଧ ଦୃଷ୍ଟିରେ । ଆୟାର ମୋତେ ସ୍ମରଣ କରାଇ ଦେଇ କହିଲେ ଯେ ଆଗ୍ରାରେ ଏଗାର ବର୍ଷ ଶାସନ କରିବା ପରେ ମୋଗଲ ସମ୍ରାଟ ଶାହାଜାହାନ ଦିଲ୍ଲୀକୁ ରାଜଧାନୀ ଉଠାଇ ଆଣିଥିଲେ ଏବଂ ୧୬୩୯ ଖ୍ରୀଷ୍ଟାବ୍ଦରେ ଲାଲକିଲ୍ଲାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଏହି ବିରାଟ ଦୁର୍ଗ ତିଆରି କରିବାକୁ ଲାଗିଥିଲା ନଅବର୍ଷ ତିନିମାସ ଏବଂ ଏଥିରେ ସେତେବେଳେ ଖର୍ଚ୍ଚ ହୋଇଥିଲା ନଅକୋଟି ଟଙ୍କା ବିଖ୍ୟାତ ସ୍ଥପତି ମୁକାରମ୍ମତ ଖାଁଙ୍କ ତତ୍ତ୍ୱାବଧାନରେ ନିର୍ମିତ ଏଇ କିଲ୍ଲାର ଚତୁଃସୀମା ଦେଢ଼ମାଇଲ, ଉତ୍ତରକୁ ଦକ୍ଷିଣକୁ ଏହାର ଦୈର୍ଘ୍ୟ ୩୨୦୦ ଫୁଟ ଏବଂ ପ୍ରସ୍ଥ ପୂର୍ବରୁ ପଶ୍ଚିମ ୧୮୦୦ ଫୁଟ । ଯମୁନା ନଦୀ କୂଳରେ ଅବସ୍ଥିତ ଏଇ କିଲ୍ଲାର ପାଚେରିର ଉଚ୍ଚତା (ନଦୀପାଖର) ୯୦ ଫୁଟ ଏବଂ ଏହାର ଚାରିପାଖରେ ଥିବା ପରିଖାର ଚୌଡା ୭୫ ଫୁଟ ଏବଂ ଗଭୀରତା ୩୦ ଫୁଟ । ଶତ୍ରୁମାନଙ୍କର ଆକ୍ରମଣ ପ୍ରତିହତ କରିବା ପାଇଁ ସୈନ୍ୟମାନେ କିଲ୍ଲାର ପାଚେରି ଉପରେ ଆଗ୍ନେୟାସ୍ତ୍ର ସହିତ ପ୍ରସ୍ତୁତ ରହୁଥିଲେ ଏବଂ ପରିଖା ଜଳପୂର୍ଣ୍ଣ ରହୁଥିଲା । ତୁ ସୈନ୍ୟର ମୁକାବିଲା କରିବା ପାଇଁ ଏହା ଥିଲା ସେତେବେଳର ଅନ୍ୟ ଏକ ରଣକୌଶଳ ।

 

ଆମେ ପ୍ରବେଶ କରୁଥିବା ସମୟରେ ଆଉ ଦଳେ ପଶ୍ଚିମା ଫେରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ କହିଲା ଲାଲକିଲ୍ଲା ଥିବା ଯାଏ ଶାହାଜାହାନଙ୍କ ନାମ ମଧ୍ୟ ସ୍ମରଣ କରିବେ ଲୋକମାନେ; କିନ୍ତୁ ଯେଉଁ ଅଜ୍ଞାତ ଓ ଅଖ୍ୟାତ ସହସ୍ର ଶ୍ରମିକ ଓ କାରିଗର ଦିନ ରାତି ପରିଶ୍ରମ କରି ଏହି ଦୁର୍ଗ ନିର୍ମାଣ କଲେ ସେମାନଙ୍କୁ କେହି ସ୍ମରଣ କରିବେ ନାହିଁ କି ସେମାନଙ୍କର ଦୀର୍ଘଶ୍ୱାସ ପାଚେରି ଡେଇଁ ବାହାରକୁ ଶୁଣାଯିବ ନାହିଁ । ପ୍ରଜାମାନଙ୍କୁ ସୁଖ ସୁବିଧା ପ୍ରତି ଅବହେଳା ଓ ଅନମନୀୟ ଭାବ ପ୍ରଦର୍ଶନ କରିବା ମୋଗଲ ସାମ୍ରାଜ୍ୟର ପତନର ଅନ୍ୟ ଏକ କାରଣ ।

 

ମୁଁ ସେଇକଥା ଭାରି ଭାବି ଚାଲୁଥିବାବେଳେ ଆୟାର କହିଲେ, ଏଇ ପଥ ଦେଇ ପ୍ରଥମ ଯେଉଁଦିନ ମୋଗଲ ସମ୍ରାଟ ଶାହାଜାହାନ ଦୁର୍ଗ ଭିତରକୁ ପ୍ରବେଶ କଲେ ତାଙ୍କ ପୁଅ ଦାରା ଉପରୁ ପୁଷ୍ପବୃଷ୍ଟି କରୁଥିଲେ ଏବଂ ତା ସହିତ ସୁନା, ରୂପା, ମଣି ମୁକ୍ତା ଓ ମୁଦ୍ରା ମଧ୍ୟ ବୃଷ୍ଟି କରୁଥିଲେ-। ସମସ୍ତ ଜିଲ୍ଲାର ଅପରୂପ ଓ ସାଜସଜା ଦେଖି ଚକିତ ହୋଇଥିଲେ ଜନସାଧାରଣ-। ସେଦିନ ଉତ୍ସବରେ ସିଲିକ୍ ଓ ଭେଲିଭେଟର ଯେଉଁ ସାମିଆନା ବ୍ୟବହାର କରାଯାଇଥିଲା ତାର ମୂଲ୍ୟ ଥିଲା ଲକ୍ଷେ ଟଙ୍କା । ଦୁର୍ଗ ମଧ୍ୟରେ ପ୍ରବେଶ କରିବା ପରେ ଏହାର ସୌନ୍ଦର୍ଯ୍ୟ ଓ ଗଠନ ଶୈଳୀରେ ପ୍ରୀତ ହୋଇ ଶାହାଜାହାନ ଅଜସ୍ର ମୁଦ୍ରା ଦାନ କରିଥିଲେ ଏବଂ ପାରିଷଦମାନଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ସ୍ଥପତି ମୁକାରମ୍ମତ ଖାଁଙ୍କୁ ‘ପାଞ୍ଚହଜାରୀ’ ପଦରେ ଭୂଷିତ କରାଯାଇଥିଲା-

 

ଆମକୁ ଆହୁରି ଅଧିକ ବିବରଣୀ ଶୁଣାଇ ଗାଇଡ କହିଲା ଯେ ‘ଲାଲକିଲ୍ଲା’ ଥିଲା ସାଧାରଣ ନାମ, କିନ୍ତୁ ଶାହାଜାହାନ ଓ ତାଙ୍କ ପୁଅ ଆଉରଙ୍ଗଜେବ ଏହି କିଲ୍ଲାକୁ କହୁଥିଲେ ‘କିଲ୍ଲା-ଏ-ମୁବାରକ ଅର୍ଥାତ ସୌଭାଗ୍ୟବାନ ସୌଧ । ଦ୍ୱିତୀୟ ଆକବର ଶାହା ଓ ବାହାଦୁର ଶାହାଙ୍କ ସମୟରେ ଏହାର ନାମ କରାଯାଇଥିଲା ‘କିଲ୍ଲା-ଏ-ମୁଲ୍ଲା’ ଅର୍ଥାତ ଅତ୍ୟୁଚ୍ଚ ସମ୍ମାନର ଦୁର୍ଗ ।

 

ମୋଗଲ ରାଜତ୍ଵ କାଳରେ ସତରେ ଏଇ ଦୁର୍ଗର ସୌନ୍ଦର୍ଯ୍ୟ ଓ ଶ୍ରୀ ଥିଲା ଅସାମାନ୍ୟ । ତା’ପରେ ବହୁ ବିଦେଶୀ ଆକ୍ରମଣଦ୍ୱାରା ଆକ୍ରାନ୍ତ ଲାଲକିଲ୍ଲା ଧ୍ଵସ୍ତବିଧ୍ଵସ୍ତ ହେବାକୁ ଲାଗିଲା । ୧୭୧୯ରେ ଭୂକମ୍ପ ଦ୍ୱାରା ଦୁର୍ଗର ପ୍ରଭୂତ କ୍ଷତି ହୋଇଥିଲା ଏବଂ ୧୭୩୯ ଖ୍ରୀଷ୍ଟାବ୍ଦରେ ନାଦୀରଶାହା ଏଠାରୁ ମୋଗଲ ସାମ୍ରାଜ୍ୟର ଗୌରବ ମୟୂର ସିଂହାସନ ସହିତ ଧନରତ୍ନ ଅପହରଣ କରି ପାରସ୍ୟକୁ ନେଇଯାଇଥିଲେ । ୧୭୫୯ରେ ମରାଠାମାନଙ୍କ ଆକ୍ରମଣ ଦ୍ୱାରା ମଧ୍ୟ ଦୁର୍ଗର ଅନେକ କ୍ଷତି ହୋଇଥିଲା । କିନ୍ତୁ ୧୭୯୩ରେ ରୋହିଲା ଆକ୍ରମଣ ସମୟରେ ଗୁଲାମ କାଦେର ଦୁର୍ଗରେ ନିଆଁ ଲଗାଇ ଦେଇଥିଲେ । ତଥାପି ଦୁର୍ଗର ସୌନ୍ଦର୍ଯ୍ୟ ଥିଲା ଦେଖିଲା ଭଳି ଏବଂ ୧୮୫୭ର ସିପାହୀ ବିଦ୍ରୋହରେ ବାହାଦୁର ଶାହା ବନ୍ଦୀ ହେବାପରେ ଏହା ବ୍ରିଟିଶ ଶାସକବର୍ଗଙ୍କ ଦ୍ୱାରା ଆହୁରି ବେଶି କ୍ଷତିଗ୍ରସ୍ତ ହୋଇଥିଲା ।

 

ଲାହୋର ଗେଟ ଛାଡ଼ି ଆଉ ଗୋଟିଏ ପ୍ରଧାନ ପ୍ରବେଶ ପଥ ଅଛି । ଏହା ଦିଲ୍ଲୀ ଗେଟ ନାମରେ ପରିଚିତ ଏବଂ ଦକ୍ଷିଣରେ ଅବସ୍ଥିତ । ଏହାବାଦ ଆହୁରି ତିନୋଟି ପ୍ରବେଶ ପଥ ମଧ୍ୟ ଅଛି-। କିନ୍ତୁ ଏଇ ଲାହୋର ଗେଟ ଆଗରେ ଥିବା ଚାନ୍ଦନୀଚୌକରେ ସେତେବେଳେ ବି ଭିଡ଼ ଜମୁଥିଲା ଏବଂ ଏହାର ବିପଣୀ ଥିଲା ଆଖି ଝଲସା । ସଂଭ୍ରାନ୍ତ ମାନଙ୍କର ପ୍ରିୟ ସ୍ଥାନ ଥିଲା ଚାନ୍ଦନୀଚୌକ ଏବଂ ଏଠାରେ ମୀନାବଜାର ନାମରେ ଏକ ଉତ୍ସବ ପାଳିତ ହେଉଥିଲା । ଲାଲକିଲ୍ଲାକୁ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ପାଚେରି ଆଗରେ ଆଉରଙ୍ଗଜେବ ବାଡ଼ ଦେଇଥିଲେ ଏବଂ ତାହା ଦେଖି ତାଙ୍କ ପିତା ସୌନ୍ଦର୍ଯ୍ୟପ୍ରିୟ ଶାହାଜାହାନ କହିଥିଲେ–ତମେ ଓଢ଼ଣା ଦେଇ ଦୁର୍ଗର ମୁହଁ ଢାଙ୍କିଦେଇଛି ।

 

ଦିଲ୍ଲୀ ଗେଟ ପାଖରେ କଳାପଥରରେ ତିଆରି ଦୁଇଟି ବିରାଟ ହାତୀ ଦେଖିବାକୁ ମିଳେ-। ଏଇ ସ୍ଥାନରେ ପ୍ରଥମେ ଜୟମଲ ଓ ଫତ୍‌ତା ନାମକ ଦୁଇ ମରାଠୀ ବୀର ଯୁଦ୍ଧ କରୁଥିଲେ ଏବଂ ସେମାନେ ଆଉରଙ୍ଗଜେବଙ୍କ ଦ୍ୱାରା ନିହତ ହୋଇଥିଲେ ।

 

ଲାହୋର ଗେଟ ଦେଇ ଅଗ୍ରସର ହେବାବେଳେ ଯେଉଁ ସୌଧ ଦେଖବାକୁ ମିଳେ ତାହା ଛତାଚୌକ ନାମରେ ପରିଚିତ । ଏହାର ଦୈର୍ଘ୍ୟ ୨୬୮ ଫୁଟ ଓ ପ୍ରସ୍ଥ ୨୭ ଫୁଟ । ଏଥିରେ ଦୁଇ ମହଲାରେ ୩୬ଟି ଦୋକାନ ଥିଲା । କଥିତ ଅଛି ଯେ ଶାହାଜାହାନଙ୍କ ନିର୍ଦ୍ଦେଶରେ ଏହା ତିଆରି ହୋଇଥିଲା ।

 

ଏହାପରେ ଦୃଷ୍ଟିରେ ପଡ଼େ ନଉବତ ଖାନା । ଏଇ କୋଠା ଦୁଇ ମହଲା । ଏହାର ଦୈର୍ଘ୍ୟ ୯୯ ଫୁଟ ଓ ପ୍ରସ୍ଥ ୬୮ ଫୁଟ । ସେତେବେଳେ ଏଠାରେ ସପ୍ତାହର ପାଞ୍ଚଥର ବ୍ୟାଣ୍ଡ ବଜାଯାଉଥିଲା । ଏହି ପଥ ଦେଇ କେବଳ ସମ୍ରାଟ ବା ରାଜକୁମାରମାନଙ୍କ ବ୍ୟତୀତ ଅନ୍ୟମାନଙ୍କର ଯିବାଆସିବା ନିଷିଦ୍ଧ ଥିଲା ।

 

ତାପରେ ଦିନ-ଇ-ଆମ । ଏହାର ଅଙ୍ଗନ ଥିଲା ୫୦୦ ଫୁଟ ଲମ୍ବା ଓ ଚୌଡ଼ା ୩୦୦ ଫୁଟ । ଏହାର ସାଜସଜାର ଥିଲା ଅପୂର୍ବ । ହଲରେ ଐତିହାସିକ ଚିତ୍ର ସବୁ ଶୋଭା ପାଉଥିଲା । ସମ୍ରାଟଙ୍କ ଦରବାର ସମୟରେ ମୁକ୍ତାଖଚିତ ସାମିଆନା ତଳେ ବସୁଥିଲେ ନିମନ୍ତ୍ରିତମାନେ ।

 

ଦିନ-ଇ-ଆମରେ କୁର୍ସୀ ସିଂହାସନ ଉପରେ ସମ୍ରାଟ ବସୁଥିଲେ । ଏହାର ଉଚ୍ଚତା ଦଶଫୁଟ । ସିଂହାସନ ଚାରିପାଖରେ ଥିବା କାନ୍ଥରେ ଫରାସୀ ଶିଳ୍ପ Austin de Bordno ଦ୍ୱାରା ଅଙ୍କିତ ପକ୍ଷୀ, ଫଳପୁଷ୍ପର ଚିତ୍ର ଦେଖିବାକୁ ମିଳେ । ସିଂହାସନର ଚାରିପାଖରେ ବହୁ ମୂଲ୍ୟବାନ ମଣିମୁକ୍ତା ଖଂଜାଯାଇଥିଲା ଯାହା ସିପାହୀ ବିଦ୍ରୋହରେ ବାହାଦୂରଶାହାଙ୍କ ପରାଜୟ ପରେ ଲୁଣ୍ଠନକାରୀମାନେ ନେଇଯାଇଥିଲେ । ସିଂହାସନ ତଳେ ୱାଜିର ଏବଂ ତାଙ୍କ ସମ୍ମୁଖରେ ବସୁଥିଲେ ରାଜା ମହାରାଜା, ଓମରାହ, ରାଷ୍ଟ୍ରଦୂତ ପ୍ରଭୃତି । ପ୍ରତିଦିନ ପୂର୍ବାହ୍ନରେ ସମ୍ରାଟ ଏହି ସିଂହାସନରେ ବସି ଘୋଡ଼ସବାର ସୈନିକମାନଙ୍କୁ ସଲାମି ନବଘରେ ସୁସଜ୍ଜିତ ହାତୀ ଏବଂ ବିଭିନ୍ନ ପଶୁପକ୍ଷୀମାନଙ୍କୁ ସମ୍ରାଟଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯାଉଥିଲା । ଏହାପରେ ସେ ପ୍ରଜାମାନଙ୍କର ହାରିଗୁହାରି ଶୁଣି ନିଷ୍ପତ୍ତି ନେଇଥିଲେ ।

 

ଦିନ-ଇ-ଆମ୍‍ର ଏଇ ସ୍ଥାନ ଦେଖିବା ବେଳେ ଆମର ମନେପଡ଼ିଲା ସେତେବେଳେ ମଧ୍ୟ କିପରି ପ୍ରଜା ଓ ସମ୍ରାଟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହୁଥିଲା । ସମ୍ରାଟ ସିଂହାସନରେ ବସି ଦେଶର ସବୁ ଅଞ୍ଚଳର ଖବର ବୁଝିବା ଦ୍ଵାରା ପ୍ରଶାସନ ଓ ଜନସାଧାରଣ ନିକଟବର୍ତ୍ତୀ ହେଉଥିଲେ । ପୂର୍ବାହ୍ନ ଦିନ -ଇ-ଆମଠାରେ ଅତିବାହିତ କରିବା ପରେ । ସମ୍ରାଟ ଦିନ -ଇ-ଖାସରେ ନିରୋଳାରେ ବିଶ୍ରାମ କରୁଥିଲେ ।

 

ଏହାପରେ ଆୟାର ମୋତେ ନେଇଗଲେ ରଙ୍ଗମହଲକୁ । ଏଥିରେ ସିଲିଭର ରୂପା ଲଗାଯାଇଥିବାର ବର୍ଣ୍ଣନା ଅଛି । ରଂଗମହଲର ଲମ୍ବ ୧୫୩୦ ଓ ଚୌଡ଼ା ୬୦୦ ଫୁଟ । ଏଠାରେ ପାଞ୍ଚଟି ବାତାୟନ ଅଛି । ଏଇସବୁ ବାତାୟନ ଦେଇ ବେଗମ ଓ ରାଜକୁମାରୀମାନେ ଘୋଡ଼ସବାର, ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଦେଖିପାରୁଥିଲେ । ରଂଗମହଲର ମଧ୍ୟସ୍ଥଳରେ ଏକ ପୁଷ୍କରିଣୀ । ସେଥିରେ ମାର୍ବଲ ନିର୍ମିତ ପଦ୍ମଦଳର ଶୋଭା ଚମତ୍କାର । ପାଣିର ଫୁଆରା କାଚରେ ପ୍ରତିଫଳିତ ହେବାଦ୍ୱାରା ଏହାର ଆକର୍ଷଣ ଥିଲା ଅତ୍ୟନ୍ତ ବେଶି ।

 

ଦିୱାନ-ଇ-ଖାସ ମାର୍ବଲ ଉପରେ ନିର୍ମିତ ଏକ ସୁନ୍ଦର ସ୍ଥାନ । ଏହି ହଲ ୯୦ x୬୦ ଫୁଟ । ଏଠାରେ ବତିଶଟି ଖମ୍ବ ଅଛି ଏବଂ ମୋଗଲ ଶାସନ ସମୟରେ । ମଣିମାଣିକ୍ୟ ଖଚିତ ଏଇସବୁ ସ୍ତମ୍ଭ ଐଶ୍ଵର୍ଯ୍ୟ ଓ ବିଳାସର ସୂଚନା ଦେଇଥିଲା । ରୁପା ଆଚ୍ଛାଦିତ ଛାତ ଯାଠ ଆକ୍ରମଣକାରୀମାନେ ପରେ ୧୭୭୯ରେ ଲୁଟି ନେଇଥିଲେ । ଦିନ -ଇ-ଖାସ୍‍ର ସୌନ୍ଦର୍ଯ୍ୟ ସେତେବେଳେ ଏତେ ଆକର୍ଷଣୀୟ ଥିଲା ଯେ ଏହାକୁ ସ୍ଵର୍ଗ ସହିତ ତୁଳନା କରାଯାଇଥିଲା । ପାର୍ସୀ ଭାଷାରେ ଲିଖିତ ଏକ ଉକ୍ତିରେ କୁହାଯାଇଛି । ଯେ–ଯଦି ମର୍ତ୍ତ୍ୟରେ କେଉଁଠାରେ ସ୍ୱର୍ଗ ଅଛି ତାହା ଏହିଠାରେ । ଏହିଠାରେ ମୟୂର ସିଂହାସନ ଶୋଭା ପାଉଥିଲା ଏବଂ ଏହାକୁ ନିର୍ମାଣ କରିବା ପାଇଁ ସାତବର୍ଷ ଲାଗିଥିଲା ଓ ଏଥିରେ ନଅକୋଟି ଟଙ୍କା ବ୍ୟୟ କରାଯାଇଥିଲା । ଏଇ ସିଂହାସନର ଆୟତନ ୫ ଫୁଟ x ୪ ଫୁଟ ଥିଲା ଏବଂ ଲକ୍ଷେ ତୋଳା ସୁନାରେ ଏହା ତିଆରି କରାଯାଇଥିଲା । ଏହାର ଉପରିଭାଗରେ ହୀରା; ନୀଳା, ମଣିମାଣିକ୍ୟ ଓ ଅନ୍ୟାନ୍ୟ ଦୁର୍ଲଭ ଓ ଅମୂଲ୍ୟ ରତ୍ନ ଖଞ୍ଜା ଯାଇଥିଲା । ସିଂହାସନ ଉପରେ ଯେଉଁ ଚାନ୍ଦୁଆ ଥିଲା ସେଥିରେ ମଧ୍ୟ ହୀରା ଓ ବହୁମୂଲ୍ୟ ରତ୍ନ ଖଚିତ ହୋଇଥିଲା । ପୃଥିବୀର ଏଇ ଶ୍ରେଷ୍ଠ ଓ ସର୍ବାପେକ୍ଷା ମୂଲ୍ୟବାନ ସିଂହାସନକୁ ନାଦିରଶାହା ୧୭୩୯ରେ ପାରସ୍ୟ ନେଇଯାଇଥିଲେ ।

 

ପୂର୍ବାହ୍ନରେ ଦିନ -ଇ–ଆମ୍‌ରେ ରାଜକାର୍ଯ୍ୟ କରି ସମ୍ରାଟ ଦିନ -ଇ-ଖାସରେ ଅବସର ସମୟରେ ରାଷ୍ଟ୍ରର ଗୁରୁତର ବିଷୟ ଉପରେ ଗୋପନରେ ଆଲୋଚନା କରୁଥିଲେ । ବହୁ ଐତିହାସିକ ଘଟଣା ପ୍ରତ୍ୟକ୍ଷ କରିଥିଲା ଏଇ ଦିନ -ଇ-ଖାସ୍ । ଶାହାଜାହାନ ଏହିଠାରେ ଦରବାର କରୁଥିଲେ ଏବଂ ଏହିଠାରେ ଇଷ୍ଟଇଣ୍ଡିଆ କମ୍ପାନୀର ଡାକ୍ତର ସମ୍ରାଟଙ୍କୁ ରୋଗମୁକ୍ତ କରିବାର ପୁରସ୍କାର ଭାବେ ୩୭ଟି ଗ୍ରାମ ସହିତ ନିଶୁଳ୍କ ବ୍ୟବସାୟ କରିବା ପାଇଁ ସମ୍ରାଟଙ୍କର ସନନ୍ଦ ପାଇଥିଲେ । ଇଂରେଜମାନେ ଅତି ଚତୁର । ସମ୍ରାଟଙ୍କ ଚିକିତ୍ସା କରି ଇଂରେଜ ଡାକ୍ତର କେବଳ ତାଙ୍କର ନିକଟବର୍ତ୍ତୀ ହୋଇ ନଥିଲେ ସେହିଠାରେ ଇଂରେଜ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଇ ଦିୱାନ-ଇ ଖାସ୍ ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟର ବର୍ଣ୍ଣାଢ଼୍ୟ, ଆଖି ଝଲସା ରୂପର କେନ୍ଦ୍ରବିନ୍ଦୁ ଥିଲା କହିଲେ ଚଳେ । ଆହୁରି ଏଇ ଦିୱାନ-ଇ-ଖାସ୍ ମଧ୍ୟ ପ୍ରତ୍ୟକ୍ଷ କରିଥିଲା କେତେ ଷଡ଼ଯନ୍ତ୍ର ଓ ଆତ୍ମୀୟ ନିଧନ । ଏହିଠାରେ ଆଉରଙ୍ଗଜେବ ନିଜର ଦୁଇଭାଇ ଦାରା ଓ ମୁରାଦଙ୍କୁ ହତ୍ୟା କରିଥିଲେ । ଏହିଠାରେ ନାଦିରଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କୁ ପରାସ୍ତ କରି ତାଙ୍କଠାରୁ ପୃଥିବୀର ସର୍ବାପେକ୍ଷା ମୂଲ୍ୟବାନ କୋହିନୁର ହୀରା ସହିତ ମୟୂର ସିଂହାସନ ଓ ମୋଗଲ ସାମ୍ରାଜ୍ୟର ଧନରତ୍ନାଦି ଲୁଟି ନେଇଥିଲେ । ଏହି ଦିନ ଇ-ଖାସଠାରେ ସମ୍ରାଟ ଶାହାଆଲାମଙ୍କ ଆଖି ଉପରେ ଆଘାତ କରି ତାଙ୍କ ପୁତ୍ରକୁ ହତ୍ୟା କରିଥିଲେ ଗୁଲାମ୍ କାଦିର । ଏହିଠାରେ ମରାଠା ଶାସକ ମହାଦେବଜୀ ସିନ୍ଧିଆ ଗୁଲାମ କାଦିରକୁ ବନ୍ଦୀ କରିବା ଯୋଗୁ ଶାହାଆଲାମଙ୍କଠାରୁ ବହୁ ଉପାଧୀ ଓ ପୁରସ୍କାର ପାଇଥିଲେ ।

 

ଏହି ଦୁର୍ଗର ଦିନ -ଇ–ଖାସରେ ସ୍ୱଦେଶପ୍ରେମୀ ମୋଗଲ ସମ୍ରାଟ ବାହାଦୂର ଶାହଙ୍କର ବିଚାର କରି ଇଂରେଜ ସରକାର ତାଙ୍କୁ ନିର୍ବାସିତ କରି ରେଙ୍ଗୁନ ପଠାଇ ଦେଇଥିଲେ ଏବଂ ଏହିଠାରେ ବ୍ରିଟିଶ ସାମ୍ରାଜ୍ୟର ସମ୍ରାଟ ପଞ୍ଚମ ଜର୍ଜ ୧୯୧୧ରେ ଦରବାର କରି ଭାରତବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । କିନ୍ତୁ ହାୟ ଆଜି ଇତିହାସର ମୂକସାକ୍ଷୀ ଭାବରେ ଦଣ୍ଡାୟମାନ ଏଇ ଦିନ -ଇ-ଖାସକୁ ଦେଲେ ଦୀର୍ଘଶ୍ୱାସ ବାହାରିଯାଏ ଛାତି ଭିତରୁ ।

 

ମୋତେ ହଲାଇ ଦେଇ କହିଲେ ଆୟାର ଇତିହାସ ଭିତରେ ନିଜକୁ ହଜାଇ ନଦେଇ ଇତିହାସରୁ ଯଦି କିଛି ଶିକ୍ଷା କରନ୍ତେ ଏ ଯୁଗର ମଣିଷ ଧନ୍ୟ ହୁଅନ୍ତା, ପୃଥିବୀରେ କ୍ଷମତା ଜାହିର କରିବା ପାଇଁ ଏତେ କନ୍ଦଳ ଲାଗନ୍ତା ନାହିଁ ।

 

ଫେରିବାର ସମୟ ହେଲା । ଖାସ ମହଲ, ନହର-ଏ-ବହିସ୍ତ ଉପରେ ଆଖି ବୁଲେଇ ନେଇ ଆମେ ଦେଖିଲୁ ଦିୱାନ-ଇ-ଖାସ ନିକଟରେ ଥିବା ରାଜପରିବାରର ରହିବା ସ୍ଥାନ । ଏହା ହାମାମ୍ ନାମରେ ବିଖ୍ୟାତ । ପ୍ରସାଧନ ପାଇଁ ଉଦ୍ଦିଷ୍ଟ କୋଠରୀ ଆଗରେ ପାଣି ଫୁଆର ଓ ଝରଣାର ପାଣିରେ ସୁବାସିତ ଅତର ମଳି ଦିଆଯାଉଥିଲା ଏବଂ ସ୍ନାନ କରିବା ପାଇଁ ଉଭୟ ଉଷ୍ମ ଓ ଶୀତଳ ଜଳର ବ୍ୟବସ୍ଥା ଥିଲା । ମନରେ ଥିବା ପାଣିକୁଣ୍ଡରେ ଗୋଲାପ ଜଳ ମିଶାଇ ଦିଆଯାଉଥିଲା । ସବୁ କୋଠରୀଗୁଡ଼ିକର ଝରକାର କାଚ ସବୁ ସବୁଜରଙ୍ଗର । ତୃତୀୟ କୋଠରୀରେ କେବଳ ଉଷ୍ଣଜଳରେ ସ୍ନାନ କରାଯାଏ ।

 

ଖ୍ୱାବଗାହର ପୂର୍ବରେ ସମ୍ମାନ ବୁର୍ଜ । ହାମାମର ଉତ୍ତର ଦିଗରେ ମୋତି ମସଜିଦ । ଦୁର୍ଗର ସବୁ ଅଞ୍ଚଳ ବୁଲି ଦେଖିଲେ ଆହୁରି ସମୟ ଦରକାର ହେବ ଭାବି ଆମେ ବାହାରି ଆସିଲୁ ଚାନ୍ଦନୀଚୌକ ବଜାର ଆଡ଼କୁ । ଆଖିରେ ପଡ଼ିଲା ପବିତ୍ର ଜାମା ମସଜିଦ୍ । ତାପରେ ସିଧା ଗଲୁ ରାଜଘାଟ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧୀ । ସମାଧି ପୀଠରେ ନତମସ୍ତକ ହୋଇ ପ୍ରାର୍ଥନା କଲାବେଳେ ମନେ ପଡ଼ୁଥିଲା ବିରଳା ମନ୍ଦିର ପ୍ରାର୍ଥନା ସଭାକୁ ଯିବାବେଳେ ବାଟରେ ତାଙ୍କୁ ନମସ୍କାର କରିବା ଭଙ୍ଗୀରେ ନଇଁପଡ଼ି ଗୁଳି କରିଥିବା ଆତତାୟୀ ନାଥୁରାମ ଗଡ଼ସେର ଅମାନୁଷିକ କାଣ୍ଡ ଏବଂ ଟଳି ପଡ଼ୁଥିବା ମହାତ୍ମାଙ୍କ ମୁହଁରୁ ଉଚ୍ଚାରିତ ହୋଇଥିବା ‘ହେ ରାମ... ସମାଧୀ ପୀଠରେ ସେଇ ‘ହେ ରାମ’ ଯେପରି ମନ୍ଦ୍ରିତ ହେଉଥିଲା ।

 

ଏହାପରେ ଫେରିବା ବାଟରେ ଯନ୍ତର ମନ୍ତର, ପାର୍ଲିଆମେଣ୍ଟ ହାଉସ, ରାଷ୍ଟ୍ରପତି ଭବନ ପ୍ରଭୃତି ଦର୍ଶନୀୟ ସ୍ଥାନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆୟାର କହିଲେ ଆଜି ଭାରତ ସ୍ୱାଧୀନ, ସାର୍ବଭୌମ ଶକ୍ତି; କିନ୍ତୁ ରାଜନୀତି ବଦଳି ନାହିଁ । ଆଉ ବିଦେଶୀ ଆକ୍ରମଣର ମୁକାବିଲା କରିବାକୁ ପଡ଼ୁନାହିଁ ସତ କିନ୍ତୁ ଲୋକପ୍ରତିନିଧିମାନଙ୍କ ବିଦ୍ୟା, ବୁଦ୍ଧି, ସାଧୁତା ଓ ନିଷ୍ଠା ଏବଂ ସମର୍ପିତ ଉଦ୍ୟମ ରାଷ୍ଟ୍ରନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ବିନିଯୋଗ ହେଉନାହିଁ । ଷଡ଼ଯନ୍ତ୍ର, ଶଠତା ଏଯାଏ ରାଜନୀତିରୁ ଅନ୍ତର୍ହିତ ହୋଇନାହିଁ; ବରଂ ଅଳ୍ପ ବହୁତ ରାଜନୀତି ଜନସେବାର ଏକ ଉପାୟ ଭାବରେ ବ୍ୟବହୃତ ନହୋଇ ପୂର୍ବପରି ସଂକୀର୍ଣ୍ଣ ସ୍ଵାର୍ଥରକ୍ଷା ପାଇଁ ବ୍ୟବହୃତ ହେବାରେ ଲାଗିଛି । କ୍ଷମତା ଗଳିରେ ଏବେ ଭିଡ଼ ଆଗ ଅପେକ୍ଷା ବେଶି । ସ୍ଵାଧୀନତା ପରେ ଜାତିକୁ ଜାଗ୍ରତ, ସଂଗଠିତ ଓ ସକ୍ରିୟ କରି ଲୋକଶକ୍ତିକୁ ଦେଶର ସର୍ବାତ୍ମକ ବିକାଶରେ ଉପଯୋଗ କରିବା ପ୍ରଥା ଓ ପରମ୍ପରା ନାମରେ ଭୋଗ କରୁଥିବା କତିପୟ ଲୋକଙ୍କର ସୁବିଧା ସୁଯୋଗର ଅବସାନ କରି ସର୍ବସାଧାରଣଙ୍କୁ ଏକ ନ୍ୟାୟଶୀଳ ସମାଜ ଗଠନରେ ଅଂଶଗ୍ରହଣ କରିବା ଲାଗି ଅନୁପ୍ରାଣିତ କରିବା କାମ ନେତୃମଣ୍ଡଳୀ କରି ପାରିଲେ ନାହିଁ । କିଏ ଜାଣେ ଭବିଷ୍ୟତରେ କଣ ହେବ; କିନ୍ତୁ ଯେପରିଭାବେ ସେବା କରିବା ସ୍ଥାନରେ ଉପଭୋଗ କରିବାର ସ୍ପୃହା ବୃଦ୍ଧି ପାଉଛି ତାହା ଆମ ସମାଜକୁ ଆହୁରି ପଛକୁ ଟାଣିନେବ ।

 

ମୁଁ ତାଙ୍କୁ ସାନ୍ତ୍ୱନା ଦେଇ କହିଲି ସଦା ସଚେତନ ରହିବା ହିଁ ସ୍ଵାଧୀନତାର ମୂଲ୍ୟ; ତାହା ନକଲେ ପୁନର୍ବାର ଇତିହାସ ନିନ୍ଦା କରିବ ରାଷ୍ଟ୍ରଶକ୍ତିର ନାୟକମାନଙ୍କର ।

☆☆☆

 

ଶ୍ରୀରଙ୍ଗମ୍

 

ଆମେ ଯେତେଥର ଦକ୍ଷିଣ ଭାରତ ଯାଇଛୁ ଆମ ଦୃଷ୍ଟିରେ ସେଇ ଅଞ୍ଚଳର ସ୍ୱତନ୍ତ୍ର ସେତେ ଅଧିକ ପରିସ୍ଫୁଟ ହୋଇଛି । ଉତ୍ତର, ପୂର୍ବ ବା ପଶ୍ଚିମ ଭାରତର ପରିବେଶ ଠାରୁ ଅଧିକ ସ୍ୱଚ୍ଛ, ଶାନ୍ତ ଓ ସୁନ୍ଦର ଦକ୍ଷିଣର ଜନଜୀବନରେ ଭାରତୀୟ ସଂସ୍କୃତି ଯେପରି ଅଧିକ ଜୀବନ୍ତ ସେହିପରି ଭାରତୀୟ ଧର୍ମଧାରା ଓ ଦର୍ଶନ, ଅଭ୍ୟାସ ଓ ଅଭିରୁଚି ମଧ୍ୟ ଅଧିକ ସରଳ ଓ ନିରାଡ଼ମ୍ବର ଭାବେ ପ୍ରକଟିତ । ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଦକ୍ଷିଣାଞ୍ଚଳରେ ମଧ୍ୟ ବହୁ ସଂସ୍କୃତି ଓ ବିଚାରଧାରାର ସମନ୍ୱୟ ଘଟିଛି; କିନ୍ତୁ ତାହା ସତ୍ତ୍ୱେ ହିନ୍ଦୁ ଆଚାର ବିଚାର, ରୁଚି ଓ ରକ୍ଷଣଶୀଳତା ଏ ଅଞ୍ଚଳର ଜନଜୀବନରେ ଅଧିକ ପରିଦୃଷ୍ଟ ହୁଏ । ଖାଦ୍ୟ, ପରିଧାନ, ପର୍ବପର୍ବାଣି, ସଙ୍ଗୀତ ନୃତ୍ୟ ଓ ଶିଳ୍ପକଳା ସବୁଥିରେ ଭାରତୀୟ ସଂସ୍କୃତିର ସ୍ପନ୍ଦିତ ରୂପ ଦେଖିବାକୁ ମିଳେ । ତେଣୁ ଯେତେବେଳେ ଦକ୍ଷିଣ ଭାରତ ଯାତ୍ରା କରିବା ଲାଗି ଶୁଭ ମୁହୂର୍ତ୍ତ ଉପସ୍ଥିତ ହେଲା, ଆମ ସମସ୍ତଙ୍କର ମନ ଚଞ୍ଚଳ ହୋଇ ଉଠିଲା ।

 

ଆମେ ଦୁହେଁ, ମା ଓ ବାପା, ବଡ଼ ଭଉଣୀ ଓ ଭିଣୋଇ, ସାନଭାଇର ସ୍ତ୍ରୀ ଓ ପିଲାମାନଙ୍କ ସହିତ ମାନ୍ଦ୍ରାଜ ମେଲରେ ବାହାରି ପଡ଼ିଲା । ବିଶାଖାପାଟଣା (ୱାଲଟିଅର)ଠାରୁ ଦକ୍ଷିଣର ‘ତାଳିତମାଳି ବନରାଜି ନୀଳା, ରୂପ ଉଦ୍ଭାସିତ ହେବାକୁ ଲାଗିଲା । ଇଡଲି, ବରା, ଦୋସା, କାଜୁବାଦାମ, କଫି ଓ ଫଳ ମୂଳ ଦକ୍ଷିଣ ଭାରତରେ ସୁଲଭ । ଏହାଛଡ଼ା ପ୍ରାୟ ପ୍ରତ୍ୟେକ ବଡ଼ ବଡ଼ ଷ୍ଟେସନରେ ସେବତୀ ଓ ଅନ୍ୟାନ୍ୟ ଫୁଲ ବିକ୍ରି ହେଉଥିବା ଦେଖୁଲୁ । ଦକ୍ଷିଣ ଭାରତର ନାରୀମାନେ ବୟସ ନିର୍ବିଶେଷରେ ଜୁଡ଼ାରେ ଫୁଲ ଲଗାନ୍ତି । କପାଳରେ ସିନ୍ଦୂର ଟିକା ପରି ଜୁଡ଼ାରେ ଫୁଲ । ଟ୍ରେନ୍‌ରେ ଯିବାବେଳେ ଅନେକ ଯାତ୍ରୀଙ୍କ ସହିତ ପରିଚୟ ହେଲା, ଦକ୍ଷିଣ ଭାରତ ସମ୍ବନ୍ଧରେ ଅନେକ ସ୍ଥାନ ମହାତ୍ମ୍ୟ ସେମାନଙ୍କ ମୁହଁରୁ ଶୁଣିଲୁ । ମାନ୍ଦ୍ରାଜରେ ବଡ଼ିଭୋର ଗାଡ଼ି ପହଞ୍ଚିବା ପରେ ଉଏଟିଂରୁମରେ ପ୍ରାତଃକୃତ୍ୟ ଶେଷ କରି ଇଡଲି ବଡ଼ା ଓ କଫି ଖାଇ ବାହାରି ପଡ଼ିଲୁ ଏଗମୋର ମାନ୍ଦ୍ରାଜର ଅଭିମୁଖେ । ଏଗମୋର ମାନ୍ଦ୍ରାଜର ମିଟର ଗେଜ ବା ମଧ୍ୟମ ଧରଣର ରେଳପଥର ଜଂକସନ ଷ୍ଟେସନ । ଏଠାରୁ ଦକ୍ଷିଣ ଭାରତକୁ ମିଟର ଗେଜ ରେଳପଥରେ ଯିବାକୁ ହୁଏ । ଏବେ ଏଥିରୁ ଅନେକ ରେଳପଥ ବ୍ରଡଗେଜରେ ପରିଣତ ହେଲାଣି ।

 

ଆମେ ତିରୁଚିରାପଲ୍ଲୀରେ ପହଞ୍ଚିଲୁ ପ୍ରାୟ ସଂଧ୍ୟାରେ । ରାତିରେ ଷ୍ଟେସନରେ ରହିବା ଅଧିକ ସୁବିଧାଜନକ ମନେ କଲୁ । ସକାଳେ ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇ ବାହାରି ପଡ଼ିଲୁ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ । ରିକ୍ସାରେ ଯାଉଥିବାବେଳେ ସଡ଼କର ଦୁଇ ପାଖରେ ଥିବା ଘର ଆଗ ସଫା ହୋଇ ଗୋବରପାଣିରେ ଲିପା ପୋଛା ହୋଇ ତା ଉପରେ ମୁରୁଜ ଝୋଟି ଦିଆଯାଇଥିବା ଦେଖିଲୁ । ଦକ୍ଷିଣରେ ସ୍ତ୍ରୀଲୋକମାନେ ଘର ସଫା ସୁତୁରା ରଖିବାରେ ଅଧିକ ପାରଙ୍ଗମ । ସକାଳ ଛଅଟା ପୂର୍ବରୁ ପ୍ରାୟ ସମସ୍ତେ ନିତ୍ୟକର୍ମ ସାରି କାମରେ ଲାଗି ଯାଆନ୍ତି । ସେଇ ସ୍ନିଗ୍ଧ ସତେଜ ପବିତ୍ର ପରିବେଶ ଆମକୁ ମୁଗ୍‍ଧ କଲା । ସହର ବୁଲିସାରି ଆମେ ଗଲୁ ଦକ୍ଷିଣ ଭାରତର ଅନ୍ୟତମ ପ୍ରଧାନ ତୀର୍ଥକ୍ଷେତ୍ର ଶ୍ରୀରଙ୍ଗମ । ଏହା ସହରଠାରୁ ତିନି ମାଇଲ ଦୂରରେ ପବିତ୍ର କାବେରୀ ନଦୀର ଉତ୍ତର କୂଳରେ ଅବସ୍ଥିତ କାବେରୀ ନଦୀର ବାଲି ପାଦରେ ଲାଗିବା କ୍ଷଣି ରୋମାଞ୍ଚିତ ହେଲା ଶରୀର । ଦିନେ ଓଡ଼ିଶା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ କାବେରୀ ଏବଂ ପଶ୍ଚିମରେ ଆନ୍ଧ୍ର ପ୍ରଦେଶର ଓ୍ୱାରଙ୍ଗଲ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପ୍ରାଚୀନ ଓଡ଼ିଶା ବା କଳିଙ୍ଗ । ଉତ୍କଳ ସମ୍ରାଟ କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ବିଜୟ କରି କାଞ୍ଚି, କାବେରୀ ଅଞ୍ଚଳକୁ । ନିଜ ଶାସନାଧୀନ କରିଥିଲେ । ସେହିପରି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ସହିତ କଳାଧଳା ଘୋଡ଼ା ଉପରେ ବସି ଓଡ଼ିଶାର ଇଷ୍ଟଦେବ ଜଗନ୍ନାଥ ଓ ବଳଭଦ୍ର କିପରି ଭକ୍ତ ରାଜାଙ୍କ ପକ୍ଷରୁ ଯୁଦ୍ଧ କରି ଶତ୍ରୁକୁ ପରାସ୍ତ କରିଥିଲେ ଏବଂ ପରେ କାଞ୍ଚି ରାଜଜେମା ପଦ୍ମାବତୀ ପୁରୁଷୋତ୍ତମଦେବଙ୍କୁ ବିବାହ କରିଥିଲେ ତାହା ମନେ ପଡ଼ିବାକ୍ଷଣି ସ୍ୱାଭିମାନ ଜାଗ୍ରତ ହେଲା ମନରେ । ଓଡ଼ିଶା ସହିତ ତାମିଲନାଡୁର ସଂପର୍କ ଦୀର୍ଘକାଳର ।

 

ଶ୍ରୀରଙ୍ଗମ ମନ୍ଦିର ଅଞ୍ଚଳର ବ୍ୟାସାର୍ଦ୍ଧ ତିନିମାଇଲ । ଏଇ ବିଶାଳ ମନ୍ଦିର, ଏହାର ଉଚ୍ଚ ପାଚେରି ଓ କାରୁକାର୍ଯ୍ୟ ଦେଖି ବିସ୍ମିତ ହେବାକୁ ହୁଏ । ଶ୍ରୀରଙ୍ଗମ୍‍ର ମୁଖ ମନ୍ଦିର ଚାରି ପାଖରେ ସାତଟି ବେଢ଼ା ଅଛି । ୨୧ଟି ତୋରଣ ଅଛି । ଏଠାରେ ଥିବା ଗୋପୁରମ୍‍ର ଉଚ୍ଚତା ୨୫୦ ଫୁଟ । ଏହି ମନ୍ଦିର ଅଞ୍ଚଳ ଏତେ ବିରାଟ ଓ ବିସ୍ତୃତ ଯେ ଏହା ନଦେଖିଲେ ଶ୍ରୀରଙ୍ଗମ ମନ୍ଦିର ସମ୍ବନ୍ଧରେ ସଠିକ କଳନା କରିହୁଏ ନାହିଁ । ପ୍ରଥମ ତିନିବେଢ଼ା ମଧ୍ୟରେ ବଜାର ଓ ବ୍ରାହ୍ମଣମାନଙ୍କ ବାସସ୍ଥାନ । ଚତୁର୍ଥ ବେଢ଼ାରେ ହଜାରେ ସ୍ତମ୍ଭଥିବା ମଣ୍ଡପ । ଏଠାରେ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପବିତ୍ର ପୀଠ ଅବସ୍ଥିତ । ଏହାଛଡ଼ା ସୁଦର୍ଶନ ଏବଂ ମହାଲକ୍ଷ୍ମୀ ଶ୍ରୀରଙ୍ଗନାୟକୀଙ୍କ ମନ୍ଦିର । ଦକ୍ଷିଣରୁ ପଞ୍ଚମ ବେଢ଼ା ମଧ୍ୟରେ ଗରୁଡ଼ ମଣ୍ଡପ । ଏଥିରେ ଗରୁଡ଼ଙ୍କର ବିଶାଳ ମୂର୍ତ୍ତି ଦର୍ଶକର ଦୃଷ୍ଟି ଆକର୍ଷଣ କରେ-। ଏହାର ଉତ୍ତରପୂର୍ବରେ ଚନ୍ଦ୍ର ପୁଷ୍କରିଣୀ ଅବସ୍ଥିତ । ଏହି ପୁଷ୍କରିଣୀ କୂଳରେ ଅନନ୍ତପୀଠ ଏବଂ ପୁନ୍ନାଗ ବୃକ୍ଷ । ଏହା ପାଖେ ପାଖେ କୋଦଣ୍ଡରାମ ଓ ଶ୍ରୀ ବୈକୁଣ୍ଠନାଥଙ୍କ ମନ୍ଦିର ଭିତରେ ଆର୍ଯ୍ୟବେତାଳ, ସ୍ୱର୍ଣ୍ଣ ଧ୍ୱଜସ୍ତମ୍ଭ ଏବଂ ସ୍ୱଣ୍ଣବାଲିପୀଠ । ଏହି ବେଢ଼ାର ଦକ୍ଷିଣରେ ପବିତ୍ରସ୍ଥାନ ଓ ଉଜ୍ଜ୍ୱଳ ମଣ୍ଡପ; ଉତ୍ତରରେ ଦୁରାଇ ମଣ୍ଡପ ଓ ସ୍ୱର୍ଗଦ୍ୱାର । ପୂର୍ବଦିଗରେ ବିରାଟ ରୋଷେଇଘର-। ଗର୍ଭଗୃହରେ ବିରାଜିତ ପ୍ରଭୁ ଶ୍ରୀରଙ୍ଗମ୍ ଏବଂ ସେଠାକୁ ଯିବାଲାଗି ଥିବା ଅଷ୍ଟପାହାଚ ଅଷ୍ଟକାକ୍ଷର ପାହାଚ ନାମରେ ପରିଚିତ ଗର୍ଭଗୃହକୁ ପ୍ରବେଶ କରିବା ପଥର ଦ୍ୱାରଦେଶରେ, ଜୟ ଓ ବିଜୟ ଦ୍ଵାରପାଳଙ୍କ ବିରାଟ ମୂର୍ତ୍ତି । ଦ୍ଵାରପାଳମାନଙ୍କୁ ଅତିକ୍ରମ କଲେ ଗାୟତ୍ରୀ ମଣ୍ଡପ । ତାପରେ ମହାପ୍ରଭୁଙ୍କ ରତ୍ନସିଂହାସନ । ମହାପ୍ରଭୁ ଶ୍ରୀରଙ୍ଗନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଯିବାବେଳେ ଏହିଠାରୁ ଓମ୍ ନମୋ ନାରାୟଣାୟ’ ମନ୍ତ୍ର ଜପ କରାଯାଏ । ଏଠାରେ ଯେଉଁ ସୁବର୍ଣ୍ଣନିର୍ମିତ ବିମାନ ଅଛି ତାହା ଆକାରରେ ପ୍ରଣବ ମନ୍ତ୍ର ଓଁ ପରି । ବିମାନରେ ଆଦିଶେଷଙ୍କ କୋଳରେ ଉପବେଶନ କରିଥିବା ପ୍ରଭୁ ଶ୍ରୀରଙ୍ଗନାଥଙ୍କ ମୂର୍ତ୍ତି ବିରାଜମାନ । ଦକ୍ଷିଣରେ ଥିବା ଲଙ୍କାରାଜ ବିଭୀଷଣଙ୍କ ଆଡ଼କୁ ତାଙ୍କର ଦୃଷ୍ଟି । ଶ୍ରୀରଙ୍ଗମ କେବଳ ମହାପ୍ରଭୁ ବିଷ୍ଣୁଙ୍କର ସ୍ଥାନ ନୁହେଁ, ଏଠାରେ ମହାଲକ୍ଷ୍ମୀ ମଧ୍ୟ ବିରାଜିତା । ତାଙ୍କରି ନାମ ଶ୍ରୀରଙ୍ଗନାୟିକୀ ଅନୁସାରେ ଏହି ସ୍ଥାନର ନାମ ଶ୍ରୀରଙ୍ଗମ୍ ।

 

ଶ୍ରୀରଙ୍ଗମର ଉତ୍ପତ୍ତି ସମ୍ବନ୍ଧରେ ଗରୁଡ଼ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ପଞ୍ଚରାତ୍ର ଏବଂ ପରମେଶ୍ଵର ସଂହିତାରେ ବର୍ଣ୍ଣନା ରହିଛି । ଏହାଛଡ଼ା ଶ୍ରୀରଙ୍ଗ ବ୍ରହ୍ମବିଦ୍ୟା, ଉତ୍ତରାଖଣ୍ଡ ରାମାୟଣ, ଶତ ଅଧ୍ୟାୟୀ ଓ ଦଶମଧ୍ୟାୟୀରେ ମଧ୍ୟ ଏହାର ଉଲ୍ଲେଖ ଅଛି । ଶ୍ରୀରଙ୍ଗନାଥ ମହିମା ସମ୍ବନ୍ଧରେ ନିମ୍ନୋକ୍ତ ବର୍ଣ୍ଣନା ପ୍ରଣିଧାନଯୋଗ୍ୟ–

 

‘କାବେରୀ- ମଧ୍ୟଦେଶେ ହିମକର ସରସ୍ୱତୀର ପୁନ୍ନାଗପାର୍ଶ୍ୱେ

ବ୍ରହ୍ମାଦ୍ୟାରଧିତେଃସ୍ତୀନ୍‍ ଦଶମୁଖ ସହଜସ୍ଥାପିତେ ବେଦଶୃଙ୍ଗେ ।

ଶ୍ରୀରଂଗାସ୍ୱେ ବିମାନେ ଫଣିପତି ଶୟନେ ଶାୟିନଂ ରଙ୍ଗନାଥ

ସେ ନେଶ ଶ୍ରୀଶଠାରି ପ୍ରଭୃତି ମୁନିଗଣୈଃ ସେବିତଂ ସଂଶ୍ରୟାମି ।”

 

ଶ୍ରୀରଙ୍ଗନାଥଙ୍କ ସମ୍ବନ୍ଧରେ କୁହାଯାଏ ଯେ ସେ ବିଷ୍ଣୁ ରୂପରେ ପୂଜିତ । ପୃଥିବୀରେ ଅଧର୍ମ ଅନ୍ୟାୟ ବଢ଼ିଲେ ଭଗବାନ ଧର୍ମ ସଂସ୍ଥାପନ କରିବା ସକାଶେ ଆବିର୍ଭାବ ହୁଅନ୍ତି । ବେଦରେ ବର୍ଣ୍ଣିତ ବିଷ୍ଣୁଙ୍କ ଅବତାର ପରା, ମ୍ୟୁହ, ବିଭବ, ଅନ୍ତର୍ଯ୍ୟାମୀ ଏବଂ ଅର୍ଚ୍ଚ । ବୈକୁଣ୍ଠରେ ଚତୁର୍ମୁଖ ବ୍ରହ୍ମା ବିଷ୍ଣୁଙ୍କ ପୂଜା କରନ୍ତି । ଏଠାରେ ମଧ୍ୟ ଅଚ୍ଚ ଅବତାର ରୂପରେ ବିଷ୍ଣୁପୂଜିତ । ତେଣୁ ଶ୍ରୀରଙ୍ଗ କ୍ଷେତ୍ର ଅଷ୍ଟ ସ୍ୱୟଂବ୍ୟକ୍ତ କ୍ଷେତ୍ର ଭାବରେ ବିଖ୍ୟାତ ।

 

‘‘ଆଦ୍ୟଂ ପ୍ରୋକ୍ତଂ ସ୍ଵୟଂବ୍ରକ୍ତ ବିମାନଂ ରଙ୍ଗସଂଗିକମ ।

ଶ୍ରୀମୁଷ୍ଣଂ ହେଙ୍କଟାଦିଷ୍ଟ ଶାଳଗ୍ରାମଂ ଚ ନୈମିଶମ ।

ତ୍ରୋଣଦ୍ରିଃ ପୁଷ୍କରଶ୍ଚୈବ ନରନାରାୟଣାଶ୍ରୀଃ

ଅଷ୍ଟ ମେ ମୂର୍ତ୍ତୟଃ ସ୍ଵୟଂବାପ୍ତ ମହୀତଳେ ।’’

 

ଅର୍ଥାତ– ସ୍ଵୟଂବ୍ୟକ୍ତ କ୍ଷେତ୍ରସବୁ ହେଲା– ଶ୍ରୀରଙ୍ଗ ବିମାନ, ଶ୍ରୀମୁସଣମ୍, ଶ୍ରୀ ଭେଙ୍କଟାଦ୍ରି (ତିରୁମଲାଇ), ଶାଳଗ୍ରାମ, ନୈମିଷ୍ୟାରଣ୍ୟ, ବନମଲାଇ, ପୁଷ୍କର ଏବଂ ନରନାରାୟଣ (ବଦ୍ରିନାରାୟଣ) ଉପରୋକ୍ତ ଆଠ ସ୍ଵୟଂ ବ୍ୟକ୍ତ କ୍ଷେତ୍ର ମଧ୍ୟରୁ ଚାରିଟି ଦକ୍ଷିଣରେ ଏବଂ ଚାରିଟି ଉତ୍ତରରେ ।

 

ଉତ୍ତରରେ

 

୧) ପୁଷ୍କର ୨) ଶାଳଗ୍ରାମ ୩) ନୈମିଷାରଣ୍ୟ ୪) ବଦ୍ରିକାଶ୍ରମ ।

 

ଦକ୍ଷିଣରେ

 

୧) ଶ୍ରୀରଙ୍ଗମ୍ ୨) ଶ୍ରୀଭେଙ୍କଟାଦ୍ରି (ତିରୁପତି) ୩) ଶ୍ରୀ ମୁଶଣମ(ବରାହ କ୍ଷେତ୍ର) ୪) ଥୋଟାଦ୍ରି (ବନମଲାଇ)

 

ଯେଉଁଠାରେ ବିଷ୍ଣୁ ସେଠାରେ ଲକ୍ଷ୍ମୀ । ଯେଉଁଠାରେ ବିଷ୍ଣୁ ସେଠାରେ ଲକ୍ଷ୍ମୀ । ତେଣୁ ଏଠାରେ ମଧ୍ୟ ଲକ୍ଷ୍ମୀଦେବୀ ବିରାଜତା, ତାଙ୍କ ନାମ କିନ୍ତୁ ଶ୍ରୀରଙ୍ଗନାୟିକୀ ଦେବୀ । ତାଙ୍କ ନାମ ଅନୁସାରେ ଶ୍ରୀରଙ୍ଗମ୍ ।

 

ଅନ୍ୟକ୍ଷେତ୍ରମାନଙ୍କ ପରି ଶ୍ରୀରଙ୍ଗମ୍‍ର କ୍ଷେତ୍ର ମହାତ୍ମ୍ୟ ଅଛି । ଆମେ ତାହା ଜାଣିବା ପାଇଁ ଆଗ୍ରହୀ ହେବା ସ୍ୱାଭାବିକ । ମା, ବଡ଼ଭଉଣୀ ପ୍ରଭୃତିଙ୍କ ଅନୁରୋଧରେ ସ୍ଥାନୀୟ ପଣ୍ଡା କହିଲେ, ଯେତେବେଳେ ସମଗ୍ର ଜଗତରେ ପ୍ରଳୟ ଅନ୍ଧକାର ଘୋଟିଥିଲା ସେତେବେଳେ ଜଗତ ଜଡ଼ ଓ ଚୈତନ୍ୟହୀନ ଅବସ୍ଥାରେ ଥିଲା । ପୃଥିବୀ ତମଗୁଣରେ ଆବୃତ୍ତ ଥିଲା । ଈଶ୍ଵର ପୃଥିବୀର ତମଗୁଣ ନାଶ କରିବା ପାଇଁ ଇଚ୍ଛାକଲେ । ଈଶ୍ଵର କ୍ଷୀରସାଗରରେ ଆଦିଶେଷଙ୍କ କୋଳରେ ଶୟନ କରିଥିବାବେଳେ, ଏକ ସହସ୍ର ପାଖୁଡ଼ା ଥିବା ଶତଦଳ ମହାବିଷ୍ଣୁଙ୍କ ନାଭିରୁ ଜାତହେଲା । ସେ ପଦ୍ମରୁ ଚତୁର୍ମୁଖ ବ୍ରହ୍ମା ଉତ୍ପନ୍ନ ହେଲେ । ତାଙ୍କ ସମ୍ମୁଖରେ ଘୋର ଅନ୍ଧାର ଦେଖି ସେ ବିଚଳିତ ହେଲେ । ସେତିକିବେଳେ ସେଠାରେ ଏକ ବିରାଟ ଶ୍ୱେତହଂସ ଦେଖାଗଲା । ତା’ର ନାମ ପ୍ରକାମ । ଚତୁର୍ମୁଖ ବ୍ରହ୍ମା ହଂସକୁ ପଚାରିଲେ, ତମେ କିଏ ? ସେ ଉତ୍ତରରେ କହିଲା ଯେ ସେ ହରି’, ସ୍ଵୟଂ ବ୍ରହ୍ମା । ବ୍ରହ୍ମା ତା’ର ଉତ୍ପତ୍ତି ସଂପର୍କରେ ପଚାରିବାରୁ କେବଳ ଗୋଟିଏ ପବିତ୍ର ଶବ୍ଦ ଓମ୍ ଉଚ୍ଚାରଣ କରି ହଂସ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା । ସେଇ ମୁହୂର୍ତ୍ତରୁ ବ୍ରହ୍ମା ମଧ୍ୟ ଓମ୍ ଉଚ୍ଚାରଣ କରିବାକୁ ଲାଗିଲେ । ଏହିଠାରୁ ପୃଥିବୀର ସୃଜନ କ୍ରିୟା ଆରମ୍ଭ ହେଲା ଏବଂ ଏଥିସହିତ ଋକ୍, ଯଜୁ, ଶାମ ଓ ଅଥର୍ବ ଚାରିବେଦ ଏବଂ ତା’ ସହିତ ପଞ୍ଚଭୂତ ସୃଷ୍ଟି ହେଲେ । ତା’ପରେ ପରେ ମନୁଷ୍ୟ ଓ ପଶୁପକ୍ଷୀ ସୃଷ୍ଟି ହେଲେ । ତା’ପରେ ପରେ ମନୁଷ୍ୟ ଓ ପଶୁପକ୍ଷୀ ସୃଷ୍ଟି ହେଲେ । ସେତିକିବେଳେ ବ୍ରହ୍ମାଙ୍କ କାନରୁ ମଧୁକୈଟଭ ନାମରେ ଏକ ବିରାଟ ଅସୁର ଜନ୍ମ ନେଇ ବେଦମାନଙ୍କୁ ଅପହରଣ କରି ସମୁଦ୍ରରେ ପ୍ରବେଶ କଲା । ଏହାପରେ ବିଷ୍ଣୁ ମତ୍ସ୍ୟ ଓ କୂର୍ମ ଅବତାର ଗ୍ରହଣ କରି ବେଦ ଉଦ୍ଧାର କରି ବ୍ରହ୍ମାଙ୍କୁ ଦେଲେ । ତାପରେ ହୟଗ୍ରୀବ ରୂପରେ ମହାପ୍ରଭୁ ବିଷ୍ଣୁ ସେଇ ବେଦବ୍ରହ୍ମାଙ୍କୁ କହିଲେ । ତାପରେ ବ୍ରହ୍ମା ତାଙ୍କ ରାଜଧାନୀ ସତ୍ୟଲୋକକୁ ଉଠାଇ ନେଲେ । କାଳେ ସେଠାରେ ମଧ୍ୟ ତାଙ୍କର ସ୍ଥିତି ବିପନ୍ନ ହେବ, ତେଣୁ ସେ ଦୁଃଖରେ ଥିଲେ । ଏଥିରୁ ମୁକ୍ତ ହେବା ପାଇଁ ସେ କ୍ଷୀରସାଗରକୁ ଯାଇ ବିଷ୍ଣୁଙ୍କୁ ସ୍ତୁତିକଲେ । ବିଷ୍ଣୁ ସେଥିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଅଷ୍ଟାକ୍ଷର ମନ୍ତ୍ର ‘ଓଁ ନମୋ ନାରାୟଣାୟ’ ଶିକ୍ଷା ଦେଲେ । ବ୍ରହ୍ମା ଅଷ୍ଟାକ୍ଷର ମନ୍ତ୍ର ଜପ କରିବାକୁ ଲାଗିଲେ । ଏଥିରେ ପ୍ରୀତ ହୋଇ କ୍ଷୀରସାଗରସ୍ଥ ଶ୍ରୀରଙ୍ଗ ବିମାନରେ ବିଷ୍ଣୁ ଆବିର୍ଭାବ ହେଲେ । ସେତେବେଳେ ସବୁଲୋକରେ ବାସକରୁଥିବା ସନକ ଆଦି ଋଷି, ସିଦ୍ଧ ଓ ଯକ୍ଷଗଣ ଏବଂ ଗନ୍ଧର୍ବ ପ୍ରଭୁ ରଙ୍ଗନାଥଙ୍କୁ ବିମାନରେ ଚାଷ କରିବାକୁ ଲାଗିଲେ । ଗରୁଡ଼ ସେଇ ପବିତ୍ର ବିମାନ ନେଇ ଘେସ୍ଥିତ ହେଲେ । ଗୋଟିଏ ପାଖରେ ଭିକ୍ଷଭ ସେନା ଚମାର ଭାବରେ ଓ ଅନ୍ୟପାଖରେ ନାରଦ ମୁନି ସଙ୍ଗୀତ ଗାନ କରି ତାଙ୍କ ସେବା କରୁଥିଲେ । ଏହାପରେ ଇନ୍ଦ୍ରାଦି ଦେବଗଣ ତାଙ୍କ ସ୍ତୁତି କରିବାକୁ ଲାଗିଲେ । ଏତିକିବେଳେ ସ୍ଵର୍ଗରୁ ପୁଷ୍ପବୃଷ୍ଟି ହେଲା ଏବଂ ଶ୍ରୀରଙ୍ଗନାଥଙ୍କ ପ୍ରାଣଭାର ବିମାନ ଆହୁରି ଉଚ୍ଛଳ ଓ ଦିବ୍ୟରୂପ ଧାରଣ କଲା ।

 

ସେତିକିବେଳେ ବ୍ରହ୍ମା ତପ ଶେଷ କରି ଆଖି ଖୋଲିଲେ ଏବଂ ସେହି ବିମାନରେ ବିଷ୍ଣୁଙ୍କ ପୂଜାସ୍ଥିତି କଲେ । ସେହି ବିମାନରେ ଉପରେ ଦେବଲୋକ; ତଳେ ଭୂଲୋକ ଏବଂ ମଝିରେ ଆକାଶଲୋକ ଦର୍ଶନ କଲେ । ଭିତରେ ଆଦିଶେଷ ଏବଂ ବାହାରେ ଜୟ ଓ ବିଜୟ ଏବଂ ଦୁଇ କଡ଼ରେ ଶ୍ରୀଗଣେଶ ଓ ଶ୍ରୀଦୁର୍ଗା ମୂର୍ତ୍ତି ଉପରେ ସରସ୍ୱତୀ ଦେବୀ । ଚାରି କଳସ ବା କୁମ୍ଭରେ ଚାରି ବେଦ, ଆଙ୍ଗୁଳି ଅଗରେ ତତ୍ତ୍ୱ, ପାଦରେ ଯଜ୍ଞ ପୁରୁଷ, କୋଳରେ ଯକ୍ଷୀଗଣ, ହୃଦୟରେ ଜାଗ, ପେଟରେ ଚିତ୍‍ତତ୍ତ୍ୱ, କାନ୍ଧରେ ହବି ବା ବଳିଦାନର ପ୍ରସାଦ ଏବଂ ସାତ ମରୁଦ ଏବଂ ସାତ ବସୁ । ଆହୁରି ମଧ୍ୟ ସେଠାରେ ଏଗାର ରୁଦ୍ର, ଦ୍ଵାଦଶ ସୂର୍ଯ୍ୟ, ନବଗ୍ରହ ଏବଂ ନକ୍ଷତ୍ର ଖଚିତ ସ୍ଵର୍ଗ ସହିତ ଇନ୍ଦ୍ର, ଅଗ୍ନି, ଯମ, ବରୁଣ, ବାୟୁ, କୁବେର ପ୍ରଭୃତି ଏବଂ ଅଷ୍ଟଦିଗ୍‍ପାଳ ପ୍ରଭୃତି ଉଭାହେଲେ ।

 

ଏହା ଦେଖି ବ୍ରହ୍ମା ଅଭିଭୂତ ହୋଇ ପ୍ରତିଦିନ ଏହି ବିମାନକୁ ପୂଷ୍ପାର୍ଚ୍ଚନା କରିବା ପାଇଁ ପ୍ରାର୍ଥନା କରନ୍ତେ ଶ୍ରୀରଙ୍ଗନାଥ ତାଙ୍କ ମହାତ୍ମ୍ୟ ସମ୍ବନ୍ଧରେ ତାଙ୍କୁ କହିଲେ । ତାପରେ ବ୍ରହ୍ମା ବିମାନକୁ ସତ୍ୟଲୋକକୁ ନେଲେ ଏବଂ ବିଶ୍ୱକର୍ମାଙ୍କ ସାହାଯ୍ୟରେ ତୁଳାମାସ ରୋହିଣୀ ନକ୍ଷତ୍ରରେ ବିରଜା ନଦୀତଟରେ ମହାପ୍ରଭୁଙ୍କ ସିଂହାସନ ନିର୍ମାଣ କଲେ ଏବଂ ସେଠାରେ ସେହିଦିନୁ ପୂଜା ପ୍ରାର୍ଥନା ଆରମ୍ଭ ହେଲା ।

 

ଏପରିଭାବରେ ଯୁଗରୁ ଯୁଗ ପୂଜିତ ହୋଇ ଶ୍ରୀରଙ୍ଗନାଥ ସରଯୁ ନଦୀ କୂଳରେ ଇକ୍ଷାକୁ ବଂଶର ରାଜାମାନଙ୍କ ଦ୍ୱାରା ଆରାଧିତ ହେଲେ ।

 

ଥରେ ତ୍ରେତାଯୁଗରେ ରାଜା ଦଶରଥ ଅଶ୍ଵମେଧ ଯଜ୍ଞ କରିଥିଲେ । ସେଠାକୁ ଚୋଳ ରାଜ୍ୟର ରାଜା ଧର୍ମବର୍ମା ନିମନ୍ତ୍ରିତ ହୋଇ ଯାଇଥିଲେ । ସେଠାରେ ଚୋଳରାଜ ସେଇ ସ୍ୱର୍ଣ୍ଣ ସିଂହାସନରେ ଭଗବାନ ଶ୍ରୀରଙ୍ଗନାଥଙ୍କୁ ପୂଜା କରୁଥିଲେ ଏବଂ ତାଙ୍କୁ ତାଙ୍କ ରାଜ୍ୟକୁ ନବାପାଇଁ କଠୋର ତପସ୍ୟା କଲେ । ମୁନିଋଷିମାନେ ତାଙ୍କୁ ତପସ୍ୟା ଭଙ୍ଗ କରିବାକୁ ନିବେଦନ କରି କହିଲେ ଯେ ଶ୍ରୀରଙ୍ଗନାଥ ସ୍ଵୟଂ ଚୋଳଦେଶରେ ଆବିର୍ଭାବ ହେବେ । ରାଜା ବର୍ମା ତପସ୍ୟା–ଭାଙ୍ଗି ନିଜ ରାଜ୍ୟକୁ ଗଲେ । ଲଙ୍କାରୁ ବିଜୟୀ ହୋଇ ଶ୍ରୀରାମ ଫେରି ଆସିବା ପରେ ବହୁ ଧନରତ୍ନ ବିତରଣ କଲେ । ବିଭୀଷଣଙ୍କ ନିସ୍ୱାର୍ଥପର ସେବା ସ୍ମରଣ କରି ତାଙ୍କୁ ଶ୍ରୀରଙ୍ଗ ବିମାନ ସହିତ ଶ୍ରୀରଙ୍ଗନାଥଙ୍କୁ ଅର୍ପଣ କରି ଲଙ୍କା ଦ୍ୱୀପକୁ ନେଇଯିବା ପାଇଁ କହିଲେ । ଶ୍ରୀରଙ୍ଗ ବିମାନ ସହିତ ବିଭୀଷଣ ଲଙ୍କାକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ଆସିବା ବାଟରେ ଶ୍ରୀଚନ୍ଦ୍ର ପୁଷ୍କରିଣୀ କୂଳରେ ବିମାନ ରଖ ସେ ନିତ୍ୟକର୍ମ ସମାପ୍ତ କରିଥିଲେ । ଏଠାରେ ଏବେ ମଧ୍ୟ ବ୍ରହ୍ମୋତ୍ସବ ଦିନ ବିଭୀଷଣ ବିଜେ କରିବା ପ୍ରଥା ଚଳିଆସୁଛି ।

 

ବିଭୀଷଣ ବ୍ରହ୍ମୋତ୍ସବ ପରେ ବିମାନକୁ ଆଉ ଲଙ୍କାକୁ ନେଇ ଯାଇପାରି ନଥିଲେ । ଶ୍ରୀରଙ୍ଗନାଥ ଧର୍ମ ବର୍ମାଙ୍କ ତପସ୍ୟାର ପୁରସ୍କାର ସ୍ୱରୂପ କାବେରୀ ନଦୀ କୂଳରେ ରହିବା ଇଚ୍ଛା ପ୍ରକଟ କଲେ । ସେହିଦିନୁ ପ୍ରଭୁଙ୍କ କୃପାରୁ ବିଭୀଷଣ ଲଙ୍କାରେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟ ଅନୁଭବ କରିବାକୁ ଲାଗିଲେ । ବିଭୀଷଣ ଫେରିଗଲେ, କିନ୍ତୁ ଶ୍ରୀରଙ୍ଗନାଥ କାବେରୀ ନଦୀ କୂଳରେ ଚୋଳ ରାଜବଂଶଦ୍ୱାରା ପୂଜିତ ହେବାକୁ ଲାଗିଲେ । ଏବେ ମଧ୍ୟ ବର୍ଷକୁ ଥରେ ଶ୍ରୀରଙ୍ଗନାଥଙ୍କୁ ଦର୍ଶନ କରିବା ପାଇଁ ବିଭୀଷଣ ଆସିବାର ପ୍ରଥା ଚଳିଆସୁଛି ।

 

ଆମେ କଥା ଶୁଣିଲୁ । ବିଚିତ୍ର ଏଇ ଭାରତବର୍ଷ, ଆହୁରି ବିଚିତ୍ର ଏହାର ପରମ୍ପରା, ଐତିହ୍ୟ ଏବଂ ବିଶ୍ୱାସ ।

 

ବହୁ ଯୁଗ ପରେ ପ୍ରବଳ ଝଡ଼ ବାତ୍ୟାରେ ଶ୍ରୀରଙ୍ଗମ୍ ଜଳମଗ୍ନ ହୋଇ ବାଲୁଚରରେ ପରିଣତ ହୋଇଥିଲା । ଥରେ ଚୋଳ ବଂଶର ଜଣେ ରାଜା ଶିକାର କରିବାକୁ ଯାଇ ସେଠାରେ ଗଛତଳେ ବିଶ୍ରାମ କରୁଥିବା ସମୟରେ ଗୋଟିଏ ଶୁଆପକ୍ଷୀ କ’ଣ କହୁଥିବାର ଶୁଣିଲେ । ତା’ପରେ ସେଇ ସ୍ଥାନ ଖୋଳିବା ପରେ ବାଲିରେ ପାତି ହୋଇ ପଡ଼ିଥିବା ମନ୍ଦିର ଉଦ୍ଧାର କଲେ । ଏହି ଚୋଳରାଜା କିଳିକନ୍ଦ ଚୋଳ ନାମରେ ପରିଚିତ । ରାଜା ରାଜେନ୍ଦ୍ର ଚୋଳ ମନ୍ଦିର ପୁନରୁଦ୍ଧାର କରିଥିଲେ । ତା’ପରେ ନନ୍ଦ ଚୋଳ ମଧ୍ୟ ଏହାର ସଂସ୍କାର କାର୍ଯ୍ୟ କରାଇଥିଲେ । ସେ ପୁଷ୍କରିଣୀ କୂଳରୁ ଗୋଟିଏ କନ୍ୟା ପାଇ ତାକୁ ଯତ୍ନର ସହିତ ଲାଳନ ପାଳନ କଲେ । ତାଙ୍କ ନାମ କମଳା ବଲୀ । ସେ ପ୍ରଭୁ ରଙ୍ଗନାଥଙ୍କ ପରମ ଭକ୍ତ ଥିଲେ ଓ ତାଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରିଥିଲେ । ରାଜନନ୍ଦ ଚୋଳ ମଧ୍ୟ ମନ୍ଦିରର ଉନ୍ନତି ବିଧାନ କରିଥିଲେ । କିନ୍ତୁ ରାଜ କୁଳଶେଖରଙ୍କ କୀର୍ତ୍ତି ଅମର ରହିଛି । ସେ ନିଜ କନ୍ୟାର ବିବାହ ରଙ୍ଗନାଥଙ୍କ ସହିତ କରାଇଥିଲେ ।

 

ଶ୍ରୀରଙ୍ଗମ୍ ମନ୍ଦିର ଆକାର ତଥା ନିର୍ମାଣ କୌଶଳ ଓ ସ୍ଥାପତ୍ୟ କଳାରେ ଭାରତର ମନ୍ଦିରମାନଙ୍କର ଅନନ୍ୟ ସ୍ଥାନ ଦାବି କରେ । ଦକ୍ଷିଣ ଭାରତର ସବୁ ମନ୍ଦିରପରି ଏଠାରେ ମଧ୍ୟ ପେଣ୍ଟସାର୍ଟ ପିନ୍ଧି ଦର୍ଶନ କରି ହୁଏ ନାହିଁ । ଧୋତି ପିନ୍ଧି ଖାଲି ଦେହରେ ଦର୍ଶନ କରାଯାଏ । ଆମେ ମଧ୍ୟ କାବେରୀ ଜଳରେ ସ୍ନାନ କରି ସେହିପରି ଦର୍ଶନକଲୁ । ଶ୍ରୀରଙ୍ଗର ଖ୍ୟାତି ସାରା ଦକ୍ଷିଣ ଭାରତରେ । ଏଠାରେ ଚୈତ୍ର ପୂର୍ଣ୍ଣିମା ଓ ବୈଶାଖ ପୂର୍ଣ୍ଣିମା ପୂର୍ବରୁ ବସନ୍ତ ଉତ୍ସବ ନଅଦିନ ଧରି ପାଳନ କରାଯାଏ । ମିଥୁନ ବା ଜ୍ୟେଷ୍ଠମାସର ଜ୍ୟେଷ୍ଠା ନକ୍ଷତ୍ର ଦିନ ହଜାରେ କଳସ ପାଣି ଢାଳି ମହାଭିଷେକ କରାହୁଏ । ଏହାଛଡ଼ା ଅନ୍ୟାନ୍ୟ ଉତ୍ସବ ମଧ୍ୟ ପାଳିତ ହେବାର ପରମ୍ପରା ଚଳିଆସୁଛି-

 

କଳିଯୁଗରେ ଧର୍ମର କ୍ଷୟ ଘଟିବାରୁ ପୁନଃ ପୁନଃ ଆଚାର୍ଯ୍ୟ ଓ ଅଲୱାରମାନେ ଅବତରଣ କରନ୍ତି ଧର୍ମ ସଂସ୍ଥାପନ କରିବା ଉଦ୍ଦେଶ୍ୟରେ । କଥିତ ଅଛି ଯେ ଶ୍ରୀକୃଷ୍ଣ ତାଙ୍କର ଶଙ୍ଖଚକ୍ରକୁ ବ୍ୟବହାର କରିଥିଲେ ମାନବ ରୂପରେ ଜନ୍ମଗ୍ରହଣ କରି ଏହି କାମ କରିବାପାଇଁ । ସେହିଦିନୁ ଆଚାର୍ଯ୍ୟ ଓ ଅଲୱାରମାନେ ଏ ଅଞ୍ଚଳରେ ଧର୍ମ ସଂସ୍ଥାପନ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଅଛନ୍ତି । ତେଣୁ ଆଚାର୍ଯ୍ୟମାନଙ୍କ ସହିତ ଅଲୱାରମାନଙ୍କର ଦକ୍ଷିଣ ଭାରତରେ ଏତେ ଖ୍ୟାତି । ସେମାନେ ଭକ୍ତିଯୋଗର ଉପାସକ । ସେଥିପାଇଁ କୁହାଯାଏ–“କାବେରୀ ବିରଜାତୋୟଂ ବୈକୁଣ୍ଠଂ ରଙ୍ଗମନ୍ଦିରମ୍ । ସବାସୁଦେବ । ରଙ୍ଗେଶଃ ପ୍ରତ୍ୟକ୍ଷ୍ୟଂ ପରମ୍ୟଂ ପଦମ୍ ।

 

ତିରୁଚିରାପଲ୍ଲୀ ଦକ୍ଷିଣ ଭାରତର ଏକ ଦର୍ଶନୀୟ ସ୍ଥାନ ଏବଂ ବର୍ଷସାରା ଯାତ୍ରୀ ଓ ଦର୍ଶକମାନଙ୍କର ସମାଗମରେ ମୁଖରିତ । ଆମେ ଶ୍ରୀରଙ୍ଗମ୍ ମନ୍ଦିର, ଶ୍ରୀଗଣେଶଙ୍କ ମନ୍ଦିର ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଭ୍ରମଣ ଶେଷ କରି ଗଲୁ ପଣ୍ଡିଚେରୀର ଶ୍ରୀଅରବିନ୍ଦଙ୍କ ଆଶ୍ରମ । ତାଙ୍କର ପୂର୍ଣ୍ଣ ଯୋଗ ପାଇଁ ସେ ଜଗତ ପ୍ରସିଦ୍ଧ । ଏଇ ବିପ୍ଳବୀ ଯୋଗୀ ଅତିମାନସ ତତ୍ତ୍ୱର ପ୍ରବକ୍ତା । ଆମେ ପଣ୍ଡିଚେରୀରେ ପହଞ୍ଚିଲାବେଳକୁ ବେଳ ରତ ରତ । ତଥାପି ରିକ୍ସା ଧରି ବାହାରି ପଡ଼ିଲୁ ଆଶ୍ରମ ଅଭିମୁଖରେ । କିନ୍ତୁ ରିକ୍ସାବାଲା ସବୁ ହିନ୍ଦୀ କିମ୍ବା ଇଂରାଜୀ ନବୁଝି ଆମକୁ ନେଇଗଲେ ସମୁଦ୍ର କୂଳକୁ । ସେତେବେଳକୁ ସଂଧ୍ୟା । ସେମାନଙ୍କର ଭାଷା ବୁଝିବାର ଅକ୍ଷମତା ଓ ଆମେ ସମସ୍ତେ ଚାରିପାଞ୍ଚଟି ରିକ୍ସାରେ ଯାଉଥିବାରୁ କାଳେ ବାଟବଣା ହୋଇ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ପଡ଼ିବାର ଆଶଙ୍କାରୁ ପୁଣି ଫେରିଆସିଲୁ ଷ୍ଟେସନକୁ । ସେହିଠାରୁ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କୁ ପ୍ରଣାମ ଜଣାଇଲୁ ସିନା ଆଉ ଆଶ୍ରମକୁ ଯାଇପାରିଲୁ ନାହିଁ । ଶ୍ରୀମା ସେତେବେଳେ ଆଶ୍ରମରେ ରହୁଥିଲେ-। ବାପା କିନ୍ତୁ ଏକା କାକୁତି ମିନତି କରି ଆଶ୍ରମ ଭିତରକୁ ଯାଇ ଶ୍ରୀଅରବିନ୍ଦଙ୍କ ସମାଧିପୀଠ ଦର୍ଶନ କରି ଫେରିଲେ । ଆମେ ମନେକଲୁ ଯେ ଆମର ବୋଧହୁଏ ସମୟ ଆସି ନାହିଁ ଅତିମାନସ ତତ୍ତ୍ୱର ପ୍ରବଜ୍ଞା ଋଷି ଶ୍ରୀଅରବିନ୍ଦ ଏବଂ ଶ୍ରୀମାଙ୍କ ଦିବ୍ୟ ସଂପର୍କରେ ଆସିବାପାଇଁ-। ଏହାର ପ୍ରାୟ ବାରବର୍ଷ ପରେ ସେଇ ସୁଯୋଗ ଆସିଲା ଆକସ୍ମିକ ଭାବରେ ।

☆☆☆

 

Unknown

କଲିକତା କେତେ କଥା

 

ଓଡ଼ିଆରେ ଗୋଟିଏ କଥା ଅଛି ଯେ, ‘‘ଏଇ କଥାକୁ, ନାଆ ପେଲି ଦେଲି କଲିକତାକୁ କଲିକତା ସହର ଯେତେ ପୁରୁଣା ଏଇ କଥା ମଧ୍ୟ ସେତିକି ପୁରୁଣା । କାରଣ କଲିକତା ସହର ନିର୍ମାଣ ହେଲାଦିନୁ ଏହାର ରାସ୍ତା ଘାଟରେ ଇଟା ଓ ପଥରର ସନ୍ଧିରେ ଓଡ଼ିଆମାନଙ୍କର ଶ୍ରମ ଓ ସ୍ୱେଦର ଚିହ୍ନ ରହିଛି । କଲିକତା ସହର ଇତିହାସ ସହିତ ଓଡ଼ିଶାର ଯୋଗସୂତ୍ର ତିନିଶହ ବର୍ଷର । କଲିକତାର ନିର୍ମାତା ଜବ୍‍ଚାର୍ନକ ପ୍ରସିଦ୍ଧ ।

 

ମସଲା ଆମଦାନୀ କରିବା ପାଇଁ ଦେଶ ଖୋଜୁ ଖୋଜୁ ଶେଷରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମା ଉତ୍ତମାସା ଅନ୍ତରୀପ ବାଟ ଦେଇ ପୂର୍ବ ଆଫ୍ରିକା ଉପକୂଳରେ ପହଞ୍ଚନ୍ତି । ସେହିଠାରୁ ଜଣେ ଭାରତୀୟ ମୁସଲମାନ ସହିତ ତାଙ୍କର ପରିଚୟ ହୁଏ । ତା’ପରେ ସେ ଆସି କାଲିକଟ୍‍ଠାରେ ପହଚନ୍ତି ଏବଂ ପର୍ତ୍ତୁଗୀଜମାନେ ସେହିଠାରୁ ମସଲା ବ୍ୟବସାୟ ଆରମ୍ଭ କରନ୍ତି । ଏହାର ପ୍ରାୟ ୧୦୦ ବର୍ଷପରେ ଇଂରେଜମାନେ ଆସିଥିଲେ ଭାରତବର୍ଷକୁ । ଭାରତରେ ବାଣିଜ୍ୟ କରିବା ଉଦ୍ଦେଶ୍ୟ ନେଇ ୧୬୦୦ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ଏକ ସଂସ୍ଥା ଗଠନ କରନ୍ତି । ଇଷ୍ଟଇଣ୍ଡିଆ କମ୍ପାନୀର ଜଣେ କର୍ମଚାରୀ ଭାବରେ ଜବ୍‍ଚାର୍ନକ ଭାରତ ଆସିଥିଲେ ଏବଂ ଭଲ ବନ୍ଦର ପାଇବା ଆଶାରେ ବୁଲି ବୁଲି ଶେଷରେ ବାଲେଶ୍ଵରଠାରେ ପହଞ୍ଚି ହରିହରପୁର ଘାଟି ସ୍ଥାପନ କରିଥିଲେ । ତାପରେ ଆହୁରି ଭିତରକୁ ଆସି ଘାଟି ସ୍ଥାପନ କରନ୍ତି ପିପିଲିଠାରେ । କିନ୍ତୁ ପରେ ହୁଗୁଳୀ ପାଖରେ ଆହୁରି ଭଲ ସ୍ଥାନ ଥିବା ଖବର ପାଇ ୧୬୮୬ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ ସେଠାରେ ଯାଇ ପହଞ୍ଚିଥିଲେ ଏବଂ ଭାଗୀରଥ ନଦୀକୂଳରେ ସୂତାନଟୀ ନାମ ଗ୍ରାମରେ ବସତି ସ୍ଥାପନ କଲେ । ଯଦି ଜବଚାର୍ନକ ବାଲେଶ୍ଵର ଛାଡ଼ି ବଙ୍ଗଦେଶକୁ ଯାଇ ନଥାନ୍ତେ, ତେବେ ପରବର୍ତ୍ତୀ କାଳରେ କଲିକତା ଭାରତର ରାଜଧାନୀ ନହୋଇ ବାଲେଶ୍ୱର ରହିଥାନ୍ତା । ସୁତାନଟୀରେ ରହିବା ପରେ ୧୬୯୦ ଖ୍ରୀଷ୍ଟାବ୍ଦ ୨୪ ଅଗଷ୍ଟ ରବିବାର ଦିନ ସୂତାନଟୀରେ କଲିକତାର ଭିତ୍ତିପ୍ରସ୍ତର ସ୍ଥାପନ କରନ୍ତି ଏବଂ ଶେଷରେ ସୂତାନଟୀ ଏବଂ ଅନ୍ୟ କେତୋଟି ଗ୍ରାମକୁ ନେଇ କଲିକତା ଗଢ଼ିଉଠେ । ସେତେବେଳେ ବାଲେଶ୍ଵର ବନ୍ଦର ଦେଇ କଲିକତା ଓ ଅନ୍ୟସ୍ଥାନକୁ ଲୁଣ, ଚମଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି କରାଯାଉଥିଲା । ଫକୀରମୋହନଙ୍କ ଆତ୍ମଜୀବନୀରେ ଏବଂ ଓଡ଼ିଶାର ଅଭିଲେଖାଗାରରେ ଏ ସମ୍ବନ୍ଧରେ ବହୁ ତଥ୍ୟ ଦେଖିବାକୁ ମିଳେ ।

 

କଲିକତା ସହର ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଧାନ କେନ୍ଦ୍ରସ୍ଥଳ ହେଲାପରେ ସେଠାରେ ସହର ଓ ବ୍ୟବସାୟକେନ୍ଦ୍ର ଗଢ଼ି ଉଠିଲା । ସେତେବେଳେ ବଙ୍ଗଦେଶ ଓ ଓଡ଼ିଶା ମଧ୍ୟରେ ସମୁଦ୍ରପଥରେ ଯୋଗାଯୋଗ ହେଉଥିଲା ଏବଂ ଜାହାଜ ଓ ବଡ଼ ବଡ଼ ନୌକାରେ ଲୋକମାନେ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ଚଳପ୍ରଚଳ କରୁଥିଲେ । ସେହି ଜଳପଥରେ କଲିକତା ସହରର ନିର୍ମାଣ କରିବା ପାଇଁ ଶ୍ରମିକମାନେ ଯାଇଥିଲେ ଏବଂ ପରେ କଲିକତା ଓ ଆଖପାଖରେ ଗଢ଼ି ଉଠିଥିବା କଳକାରଖାନାରେ ଚାକିରି ପାଇ ରହିଯାଇଥିଲେ ।

 

ଏବେ ତ ଆଉ ଜଳପଥରେ କେହି କଲିକତା ଯାଉନାହିଁ, ଯଦି ବା ଚାନ୍ଦିପୁର, ପାରାଦୀପ ଏବଂ କଲିକତା ବନ୍ଦର ମଧ୍ୟରେ ଏବେ ବି କଦବା କ୍ୱଚିତ ମାଲ୍ ଚଳାଚଳ କରିଥାଏ । ୧୮୯୮ରେ ଖଡଗପୁରଠାରୁ କଟକ-ଖୋର୍ଦ୍ଧା-ବ୍ରହ୍ମପୁର ଦେଇ ରେଳପଥ ନିର୍ମାଣ ଶେଷ ହୋଇଥିଲା । ଫକୀରମୋହନ ଯେଉଁ ଛାପାଖାନାଟି କଲିକତାରୁ କିଣିଥିଲେ, ତାହା ମେଦିନାପୁର ପର୍ଯ୍ୟନ୍ତ ଜଳପଥରେ ଏବଂ ତା’ପରେ ଜଗନ୍ନାଥ ସଡ଼କ ଦେଇ ଶଗଡ଼ରେ ବାଲେଶ୍ୱର ପର୍ଯ୍ୟନ୍ତ ଆସିଥିଲା । ରେଳପଥ ନିର୍ମାଣ ହେବାପରେ ଓଡ଼ିଶା ଓ ବଙ୍ଗଳା ମଧ୍ୟରେ ଯିବା ଆସିବା ସୁବିଧା ହେଲା । ଇଷ୍ଟଇଣ୍ଡିଆ କମ୍ପାନୀ ସମୟରେ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲାର ଅନେକ ଜମିଦାରୀ ସୂର୍ଯ୍ୟାସ୍ତ ଆଇନ୍ ବଳରେ ନିଲାମ୍ ହୋଇ ଯାଇଥିଲା ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଓଡ଼ିଶାର କୌଣସି ଲୋକ କଲିକତାଯାଇ ପହଞ୍ଚିବା ସମ୍ଭାବନା ନଥିବାରୁ ବଙ୍ଗାଳୀମାନେ ଓଡ଼ିଆମାନଙ୍କର ଜମିଦାରୀ ସବୁ ସେହିଠାରେ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ କିଣି ନେଇଥିଲେ । ରେଲ୍ ଲାଇନ୍ ପଡ଼ିବା ପରେ କଲିକତା ସହିତ ସଂଯୋଗ ସୁଗମ ହେଲା । କିନ୍ତୁ ରେଲ୍‍ପଥ ହାୱଡ଼ା ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିଲା । ହାୱଡ଼ା ଓ କଲିକତା ମଧ୍ୟରେ ଭାଗୀରଥ ନଦୀ । ଏହି ନଦୀ ପୂର୍ବେରେ ଓହ୍ଲାଇବା ପରେ ଲୋକମାନେ କାଠ ନିର୍ମିତ ଭାସମାନ ପୋଲ ଉପରେ ଏପଟରୁ ସେପଟକୁ ଓ ସେପଟରୁ ଏପଟକୁ ଯିବା ଆସିବା କରୁଥିଲେ । ଏହି ଅସୁବିଧା ଦୂର କରିବାପାଇଁ ହାୱଡ଼ା ପୋଲର ନିର୍ମାଣ ହାତକୁ ନିଆଗଲା ୧୯୩୭ରେ ଏବଂ ନିର୍ମାଣ ଶେଷ ହେଲା ୧୯୪୩ରେ । କ୍ୟାଣ୍ଟିଲିଭାର ଉପରେ ନିର୍ମିତ ପୋଲଟି ବିଲାତ୍‍ର କ୍ଲିଭଲ୍ୟାଣ୍ଡ ଇଂଜିନିୟରିଂ କମ୍ପାନୀ ନିର୍ମାଣ କରିଥିଲେ । ଏଥିପାଇଁ ୪ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏହା ପୂର୍ବରୁ ଯେଉଁ ଭାସମାନ କାଠ ପୋଲଟି ଥିଲା ତାହା ୧୮୭୪ ଖ୍ରୀଷ୍ଟାବ୍ଦ ୧୭ ଅକ୍ଟୋବରରେ ତିଆରି ହୋଇଥିଲା । ନଦୀର ଏପାଖରୁ ସେପାଖ ଜାହାଜ ଚଳାଚଳ ପାଇଁ ପୋଲଟିକୁ ଦୁଇ କଡ଼କୁ ଖୋଲି ଦିଆ ହେଉଥିଲା ଏବଂ ଯେତେବେଳେ ନଦୀରେ ଜୁଆର ଉଠୁଥିଲା ସେତେବେଳେ ପୋଲଟି ଉପରକୁ ଉଠି ଯାଉଥିଲା । ହାୱଡ଼ା ପୋଲ ତିଆରି ହେବା ପରେ ୧୯୪୫ ମସିହାରେ ସେହି କାଠ ପୋଲଟିକୁ କାଢ଼ି ନିଆଗଲା । ହାଓଡ଼ା ପୋଲ ଦେଖିବା ପାଇଁ ଓଡ଼ିଶାରୁ ଯାଉଥିଲା ଲୋକଙ୍କର ମନ ଖଲବଲ ହୁଏ । ହାଓଡା ଷ୍ଟେସନ୍‌ରେ ଟ୍ରେନରୁ ଓହ୍ଲାଇବା ପରେ ଭାଗୀରଥ ନଦୀରେ ଗଙ୍ଗାସ୍ନାନ କରି ଓଡ଼ିଆମାନେ କଲିକତା ସହର ଭିତରକୁ ଯାଆନ୍ତି ନିଜ ନିଜ କାମରେ । ଏହି ପୋଲଟିର ନିର୍ମାଣରେ ଏପରି ଇଂଜିନିୟରିଂ କୌଶଳ ବ୍ୟବହାର କରାଯାଇଛି ଯେ, ତାହା ଦେଖିବା ପାଇଁ ଏବେ ବି ଶହ ଶହ ଲୋକ ଠୁଳ ହୁଅନ୍ତି । ସେହି ପୋଲ ତଳେ ଜାହାଜ ଯିବା ଆସିବା କରେ । ଏବଂ ପୋଲ ଉପର ଦେଇ ଗ୍ରାମ୍ ଓ ମୋଟର ଗାଡ଼ି ଚଳାଚଳ କରେ । କଲିକତାର ଏହା ଏକ ଦର୍ଶନୀୟ ସ୍ଥାନ ।

 

ଚୌରଙ୍ଗୀ : ଚୌରଙ୍ଗୀ କଲିକତାର ଏକ ବିଶେଷ ଦର୍ଶନୀୟ ସ୍ଥାନ । ଚୌରଙ୍ଗୀକୁ ଲାଗି ବିରାଟ କଲିକତା ମଇଦାନ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରେ । କଲିକତା ଫୁଟବଲ୍ ଖେଳପାଇଁ ପ୍ରସିଦ୍ଧ । ଏହି ମଇଦାନଟି ସୈନ୍ୟ ବିଭାଗ ଅଧୀନରେ ରହିଛି । କାରଣ ଏହି ମଇଦାନର ଏକାଂଶରେ ନଦୀକୂଳରେ ଫୋର୍ଟ ଉଇଲିୟମ ଦୁର୍ଗ । ଚୌରଙ୍ଗୀ ହେଉଛି ଚାରିଦିଗରୁ ଆସିଥିବା ରାସ୍ତାର ମିଳନସ୍ଥଳ । ଏହି ସ୍ଥାନର ନାମ କିପରି ଚୌରଙ୍ଗୀ ହେଲା ତାହା ଅନେକ ଜାଣନ୍ତି ନାହିଁ । ଦଶନାମୀ ଶୈବ ସଂପ୍ରଦାୟଭୁକ୍ତ ଜଣେ ସନ୍ନ୍ୟାସୀଙ୍କ ନାମ ଥିଲା ଜଙ୍ଗଲ ଗିରି ଚୌରଙ୍ଗୀ । ସେ ଏହିଠାରେ ଜଙ୍ଗଲ ଭିତରେ ଆଶ୍ରମ ସ୍ଥାପନ କରିଥିଲେ । ସେହି ଆଶ୍ରମର ନାମ ଥିଲା ଚୌରଙ୍ଗୀଶ୍ୱର ଏବଂ ସେଠାରେ ମହାଦେବ ମୂର୍ତ୍ତି ପୂଜା ପାଉଥିଲେ । ସେହି ସନ୍ନ୍ୟାସୀଙ୍କ ନାମ ଅନୁସାରେ ସେହି ସ୍ଥାନର ନାମ ହୋଇଗଲା ଚୌରଙ୍ଗୀ ।

 

ତନ୍ତ୍ର ପୀଠ କାଳୀଘାଟ : ଓଡ଼ିଆମାନେ କଲିକତାଗଲେ କାଳୀଘାଟର କାଳୀଙ୍କୁ ଦର୍ଶନ କରିବାପାଇଁ ଯାଇଥାଆନ୍ତି-। ମୁଁ ଯେତେବେଳେ ୪୬ ମସିହାରେ କଲିକତା ଆସିଲି, ସେତେବେଳେ ମା’ କାଳୀଙ୍କୁ ଦର୍ଶନ କରିବାପାଇଁ ଯାଇଥିଲି । ଏହାପରେ କଲିକତାରେ ଦୀର୍ଘ ୧୨ ବର୍ଷ ରହିବା କାଳରେ ମୁଁ ଅନେକ ଥର କାଳୀଘାଟ ଯାଇଛି । କାଳୀଘାଟ ଆଦ୍ୟାପୀଠ ଭାବରେ ବିଖ୍ୟାତ । ଯେଉଁ କେତୋଟି ଗ୍ରାମକୁ ନେଇ କଳିକତା ସହର ଗଢ଼ି ଉଠିଥିଲା ସେଥି ମଧ୍ୟରୁ ଗୋବିନ୍ଦପୁର ଅନ୍ୟତମ । ଏହି ଗାଆଁର କୋଶେ ଦୂରରେ କାଳିଘାଟ ତୀର୍ଥ ଅବସ୍ଥିତ । କାଳିକାପୁରାଣରେ ବର୍ଣ୍ଣିତ ହୋଇଛି ଯେ, ଦକ୍ଷ ଯଜ୍ଞ ପରେ ଶିବ କନ୍ଧରେ ସତୀଙ୍କର ଦେହ ନେଇ ଯାଉଥିବା ବେଳେ ସେଥିରୁ ଏକ ଅଂଶ ଏହିଠାରେ ପଡ଼ିଥିଲା । କିନ୍ତୁ କାଳିକା ପୁରାଣ ସପ୍ତଦଶ ଶତାବ୍ଦୀରେ ଲିଖିତ । ପ୍ରାଚୀନ ଗ୍ରନ୍ଥରେ ଏହାର ଉଲ୍ଲେଖ ନାହିଁ । କାଳିକାପୁରାଣରେ ଯେଉଁ ସାତଟି ତନ୍ତ୍ରପୀଠର ନାମ ଉଲ୍ଲେଖ ଅଛି ତାହା ହେଉଛି–ଦେବୀକୂଟ, ଉଡ୍ଡିୟାନ୍, କାମରୂପ, ଜଳନ୍ଧର, ପୂର୍ଣ୍ଣଗିରି ଇତ୍ୟାଦି । ଏହାପରେ ରଚିତ ରୁଦ୍ରଯାମଳ ତନ୍ତ୍ରରେ ୧୮ଟି କୁବ୍‍ଜିକା ତନ୍ତ୍ରଶାସ୍ତ୍ରରେ ୪୨ଟି ଜ୍ଞାନାର୍ଣ୍ଣବ ତନ୍ତ୍ରଶାସ୍ତ୍ରରେ ୫୦ଟି ପୀଠର ନାମ ଉଲ୍ଲେଖ ଅଛି । କଲିକତାର କାଳୀଙ୍କୁ ଦର୍ଶନ କରିବାକୁ ଯିବା ପୂର୍ବରୁ ଭାଗୀରଥି (ଗଙ୍ଗା) ନଦୀର ଯେଉଁ କେନାଲ ସେଇ ପାଖ ଦେଇ ବହିଯାଇଛି ସେଥିରେ ଅନେକ ସ୍ନାନ ତର୍ପଣ କରିଥାଆନ୍ତି-। କଲିକତା କାଳୀଘାଟ ତନ୍ତ୍ରପୀଠ ରୂପେ ପ୍ରସିଦ୍ଧ ହେବା ବହୁ ପୂର୍ବରୁ ଓଡ଼ିଶାରେ ତନ୍ତ୍ର ଆରାଧନା ପ୍ରସିଦ୍ଧି ଲାଭ କରିଥିଲା । ମା’ କାଳୀଙ୍କ ସମ୍ମୁଖରେ ପଶୁବଳୀ ଦେବା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ରହିଛି-। ସେଠାରେ ପୂଜା ଅର୍ଚ୍ଚନା କଲାବେଳେ ଦେଖିଲି ଯେ ଓଡ଼ିଶାର ଯାଜପୁର ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ପୁରୋହିତମାନେ ଆସି ଏଠାରେ ପଣ୍ଡା ଭାବରେ କାର୍ଯ୍ୟ କରୁଛନ୍ତି । ସେମାନେ ସ୍ଥାୟୀ ଭାବରେ କଲିକତାରେ ରହିଗଲେଣି ।

 

ପରବର୍ତ୍ତୀ କାଳରେ ଊନବିଂଶ ଶତାବ୍ଦୀର ଶେଷବେଳକୁ ଦକ୍ଷିଣେଶ୍ୱରଠାରେ ରାଣୀ ରାସମଣି କାଳୀମନ୍ଦିର ସ୍ଥାପନ କରିଥିଲେ, ରାମକୃଷ୍ଣ ପରମହଂସ ଏହି ପୀଠରେ ସାଧନା କରିଥିବାରୁ ଏହା ପ୍ରସିଦ୍ଧ । ସେଠାରେ ଦକ୍ଷିଣକାଳୀଙ୍କୁ ଦର୍ଶନ କରି ଠାକୁର ରାମକୃଷ୍ଣ । ପରମହଂସ ଓ ମାଆ ସାରଦା ଦେବୀ ଯେଉଁ କୋଠରୀରେ ରହୁଥିଲେ ତାହା ଦର୍ଶନ କରିଥିଲୁ । ଭାଗୀରଥ ନଦୀର ପୂର୍ବ କୂଳରେ ଦକ୍ଷିଣେଶ୍ୱର କାଳୀମନ୍ଦିର କିନ୍ତୁ ପଶ୍ଚିମକୂଳରେ ସ୍ୱାମୀ ବିବେକାନନ୍ଦଙ୍କ ନିର୍ମିତ ବିଶ୍ୱପ୍ରସିଦ୍ଧ ବେଲୁର ମଠ । ଏ ଦୁଇଟି ଦର୍ଶନୀୟ ସ୍ଥାନ । ରାମକୃଷ୍ଣ ମିଶନ୍‌ର ହେଡ୍‌କ୍ଵାଟର ହେଉଛି ବେଲୁର ମଠ ।

 

ରାଜଭବନ : କଲିକତାର ରାଜଭବନ ଏକ ଦର୍ଶନୀୟ ସ୍ଥାନ । ଭାରତବର୍ଷର ସବୁ ରାଜଭବନଠାରୁ ଏହା ବଡ଼ । ୧୭୯୯ ଖ୍ରୀଷ୍ଟାବ୍ଦ ଫେବୃଆରୀ ୫ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏବଂ ୧୮୦୨ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେତେବେଳେ ଏହି ବିରାଟ କୋଠା ନିର୍ମାଣ କରିବା ପାଇଁ ମାତ୍ର ୧୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । କଲିକତାରୁ ଦିଲ୍ଲୀ ରାଜଧାନୀ ଉଠିଯିବା ପୂର୍ବରୁ ଏହି ଘରେ ବଡ଼ଲାଟ୍ ରହୁଥିଲେ ।

 

ରାଇଟର୍ସ ବିଲଡିଙ୍ଗ (ସଚିବାଳୟ) : ପଶ୍ଚିମବଙ୍ଗ ସରକାରଙ୍କ ସେକ୍ରେଟାରୀଏଟ୍‍କୁ ରାଇଟର୍ସ ବିଲଡିଂଗ କୁହାଯାଏ । ବାବୁମାନେ ଅଫିସ କାମ କଲାବେଳେ ଲେଖାଲେଖି କରନ୍ତି ବୋଲି ସାହେବମାନଙ୍କ ଅମଳରୁ ଏହାର ନାମ ହୋଇଯାଇଛି ରାଇଟର୍ସ ବିଲଡିଂଗ ବା ଲେଖକଭବନ । ଏହି କୋଠାଟି ୧୮୨୦-୨୧ ମସିହାରେ ନିର୍ମାଣ ଆରମ୍ଭ ହୋଇ ପରବର୍ତ୍ତୀ କାଳରେ ଶେଷ ହୋଇଥିଲା । ଏହି ରାଇଟର୍ସ ବିଲଡିଂଗରେ ଥରେ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ସହିତ ଦେଖା କରିବା ପାଇଁ ମୁଁ ଯାଇଥିଲି । ସେତେବେଳେ ମୁଁ ଓଡ଼ିଶା ଶିକ୍ଷା ସଂସଦର ସଭାପତି ଥିଲି ଏବଂ ପହିଲା ଏପ୍ରିଲ୍‌ରେ ଓଡ଼ିଶା ଦିବସ ପାଳନ କରିବା ପାଇଁ ରବୀନ୍ଦ୍ରଭବନ ମିଳୁନଥିବା କଥା ତାଙ୍କୁ କହିବାରୁ ସେ ସଂଗେ ସଂଗେ ସଚିବଙ୍କୁ ଡାକି ଓଡ଼ିଶା ଦିବସ ପାଳନ ପାଇଁ ରବୀନ୍ଦ୍ରଭବନ ସବୁବର୍ଷ ସଂରକ୍ଷଣ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

 

ମୁଁ ଯେତେଥର କଲିକତା ଯାଇଛି ସବୁଥର ଏକ ଆତ୍ମୀୟ ଅନୁଭବ ମୋତେ ଆକର୍ଷଣ କରିଛି । ଏହାର କାରଣ ଏଇଆ ହୋଇପାରେ ଯେ ମୋ ଜନ୍ମସ୍ଥାନ ମୟୂରଭଞ୍ଜରୁ କଲିକତା ଆସିବା ପାଇଁ ବସରେ ମାତ୍ର ୫ ଘଣ୍ଟା ଲାଗେ ଏବଂ କଲିକତାରେ ପାଦ ଦେବାପରେ ଦୋକାନ ବଜାର ସର୍ବତ୍ର ଓଡ଼ିଆମାନେ କାମ କରୁଥିବା ଦେଖି ଓଡ଼ିଶାରେ ଥିବା ପରି ମନେ ହୁଏ । ଏହାଛଡ଼ା ଓଡ଼ିଆ ଏବଂ ବଙ୍ଗ ସଂସ୍କୃତି ମଧ୍ୟରେ ଥିବା ମେଳ ମାଆ ମାଉସୀ ମଧ୍ୟରେ ଥିବା ମେଳ ପରି ଲାଗେ-

 

ଯାଦୁଘର : କଲିକତାର ବହୁ ଦର୍ଶନୀୟ ସ୍ଥାନ ମଧ୍ୟରେ ଯାଦୁଘର, ଆଲିପୁରର ଚିଡ଼ିଆଖାନା, ଶ୍ରୀପୁରର ବଟାନୀକାଲ୍ ଗାର୍ଡେନ୍ । ବଟାନୀକାଲ୍ ଗାର୍ଡେନର ବରଗଛ ସର୍ବବୃହତ୍ ବୃକ୍ଷ ଭାବରେ ପରିଚିତ । ଏହାର ମୂଳ ଓ ଓହଳ ମଧ୍ୟରେ ପାର୍ଥକ୍ୟ ଜାଣିବା ମୁସ୍କିଲ୍ । ଏଥିରେ ଥିବା ଜଳାଶୟରେ ଫୁଟୁଥିବା ପଦ୍ମଫୁଲ ଆକାରରେ ଛତାପରି ବଡ଼ । ଶୁଣିଲି ଯେ ତାହା ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । କଲିକତାର ଯାଦୁଘର ବା ମ୍ୟୁଜିୟମ ଭାରତପ୍ରସିଦ୍ଧ । ଏଠାରେ ବହୁ ଶିକ୍ଷଣୀୟ ସାମଗ୍ରୀ ରହିଛି । ତିମିମାଛର ଜୀବାସ୍ମ ଦେଖି ତାହା ଅତୀତରେ କେତେ ବଡ଼ ଥିଲା, ତାହା ଧାରଣା କରିହୁଏ । ଏହାଛଡ଼ା ବହୁ ଐତିହାସିକ ପ୍ରତ୍ନତତ୍ତ୍ୱର ସାମଗ୍ରୀ ମଧ୍ୟ ଦେଖିବାକୁ ମିଳେ-

 

ଭିକ୍ଟୋରିଆ ମେମୋରିଆଲ ହଲ୍ : ଭିକ୍ଟୋରିଆ ମେମୋରିଆଲ୍ ଏକ ଦର୍ଶନୀୟ ସ୍ଥାନ-। ଏହାର ସୌନ୍ଦର୍ଯ୍ୟ ଦେଖି ମୁଁ ମୁଗ୍‍ଧ ହୋଇଥିଲି । ମାର୍ବଲ ପଥରରେ ତିଆରି ଏହି ସ୍ମାରକୀ ଉପରେ ସୂର୍ଯ୍ୟକିରଣ ବା ଚନ୍ଦ୍ରକିରଣ ପଡ଼ିଲେ, ତାହା ଚକ୍ ଚକ୍ କରିଉଠେ । ଏହା ଲର୍ଡ କର୍ଜନଙ୍କ ସମୟରେ ଆରମ୍ଭ ହୋଇ ୧୯୨୧ ଖ୍ରୀଷ୍ଟାବ୍ଦ ୨୮ ଡିସେମ୍ବରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା । ଏଠାରେ ବ୍ୟବହାର କରାଯାଇଥିବା ଧଳା ମାର୍ବଲ ଯୋଦ୍ଧପୁରରୁ ଆସିଥିଲା ଏବଂ ଏହାର ସ୍ଥପତି ଥିଲେ ସାର୍ ଉଇଲିୟମ୍ ଇମାରସନ୍ । ଭିକ୍ଟୋରିଆ ମେମୋରିଆଲ୍ ଚାରିପାଖରେ ବିସ୍ତୃତ ସବୁଜ ଲନ୍ ଏବଂ ମଧ୍ୟେ ମଧ୍ୟେ ପାଣିକୁଣ୍ଡ ଏହାର ଶୋଭା ବର୍ଦ୍ଧନ କରିଥାଏ ।

 

ନିଉ ମାର୍କେଟ୍ : କଲିକତା ଗଲେ ନିଉ ମାର୍କେଟ ନଯାଇ ରହି ହୁଏନାହିଁ । ଏହାର ପୁରାତନ ନାମ ହଗ୍ ମାର୍କେଟ । ୧୮୭୪ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ ଶେଷ ହୋଇଥିଲା । କଲିକତା କର୍ପୋରେସନ୍ ଏହି ବଜାର ପରିଚାଳନା କରନ୍ତି । ଏଠାରେ ଗ୍ରୀଟିଙ୍ଗ୍ କାର୍ଡଠାରୁ ଆରମ୍ଭ କରି ବିଭିନ୍ନ ରକମ ପୋଷାକ, ଚମଡ଼ା ତିଆରି ଉପକରଣ ବହୁମୂଲ୍ୟ ଅଳଙ୍କାର, ବିଭିନ୍ନ ପ୍ରକାର ଫୁଲ ଫଳ ମାଂସ, ଗୃହ ସଜାଇବାର ଉପକରଣ ମିଳେ, ମୁଁ ଯେତେଥର ନିଉ ମାର୍କେଟ ଯାଇଛି ଇଚ୍ଛା ଥାଉ ବା ନଥାଉ ମନ ଖୁସି କରିବା ପାଇଁ କିଛି କିଣାକିଣି କରିଛି । କଲିକତାରେ ଥିଲାବେଳେ ମୁଁ ଦେଶ ପତ୍ରିକା ପଢ଼ି ଜାଣିଲି ଯେ ବଙ୍ଗଳା ଭାଷାର ପ୍ରଥମ ବ୍ୟାକରଣ ରଚୟିତା ହେଉଛନ୍ତି ଜଣେ ଓଡ଼ିଆ । ୧୮୦୦ ଖ୍ରୀଷ୍ଟାବ୍ଦରେ ପ୍ରଥମ କରି ଫୋର୍ଟ ଉଇଲିୟମ କଲେଜ ସ୍ଥାପିତ ହୁଏ । ୧୮୦୧ ମସିହା ମେ ୪ ତାରିଖ ଦିନ ଯେଉଁ କେତେଜଣ ପଣ୍ଡିତ ପ୍ରଥମେ ନିଯୁକ୍ତି ପାଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ପ୍ରଥମ ପଣ୍ଡିତ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର । ସେ ମେଦିନୀପୁର ଜିଲ୍ଲାର ଅଧିବାସୀ ଏବଂ ଓଡ଼ିଆ ଥିଲେ । ଲଣ୍ଡନସ୍ଥିତ ଇଣ୍ଡିଆ ଲାଇବ୍ରେରୀରୁ ଜଣେ ବଙ୍ଗୀୟ ଗବେଷକ ଯେଉଁ ପାଣ୍ଡୁଲିପି ପାଇଥିଲେ ସେଥିରୁ ପ୍ରମାଣ ମିଳୁଛି, ବଙ୍ଗଳାଭାଷାର ପ୍ରଥମ ବ୍ୟାକରଣ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ହିଁ ଲେଖୁଥିଲେ । ସେହିପରି ପରବର୍ତ୍ତୀ କାଳରେ ବଙ୍ଗଳା ସାହିତ୍ୟକୁ ନାଟ୍ୟକାର ଗୋପାଳ ଦାସ (ଗୋପାଳ ଉଡ଼େ) ଓ ଗୀତିକାର ପାକ୍‍ସୀଙ୍କ ନାମ ଉଲ୍ଲେଖଯୋଗ୍ୟ । ବଙ୍ଗଳା ସାହିତ୍ୟ ଇତିହାସରେ ମଧ୍ୟ ଏମାନଙ୍କ ନାମ ଲିପିବଦ୍ଧ କରାଯାଇଛି ।

 

କଲିକତାରେ ଥିଲାବେଳେ ବହୁ ଲେଖକ କବିଙ୍କ ସହିତ ବନ୍ଧୁତ୍ୱ ହୋଇଥିଲା । ସେମାନଙ୍କ ମଧରୁ ସ୍ୱର୍ଗୀୟ ସମରେଶ ବସୁ, ଗୌର ଘୋଷ, ସୁନୀଲ ଗଙ୍ଗୋପାଧ୍ୟାୟ, ଶଙ୍କର, ନବନୀତା ଦେବସେନ୍, ବୁଦ୍ଧଦେବ ଗୃହ, ବିମଲ୍ ଦର ଅନ୍ୟତମ । କଲିକତାରେ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆମେ ଯେତେବେଳେ କଲିକତାରେ ପ୍ରଥମେ ଆସି ପହଞ୍ଚିଲୁ ପ୍ରସିଦ୍ଧ ଓଡ଼ିଆ କବି ସଚ୍ଚି ରାଉତରାୟ କେଶରାମ୍ ଲୁଗାକଳରେ ଶ୍ରମ ମଙ୍ଗଳ ଅଫିସରଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶାର ପୂର୍ବତନ ଡି.ପି.ଆଇ. ମହେଶଚନ୍ଦ୍ର ପ୍ରଧାନ, ରେଲବାଇ ସର୍ଭିସ କମିଶନର୍ ଚେୟାରମ୍ୟାନ ହୋଇ ଆସିଲେ । କଲିକତା ଓ ହାୱଡ଼ାରେ ପଞ୍ଚମ ଦଶକରେ ପ୍ରାୟ ୬ ଲକ୍ଷ ଓଡ଼ିଆ ରହୁଥିଲେ । ଆମର ସାଲିମାର ସରକାରୀ ବାସଭବନ ସମ୍ମୁଖରେ ଥରେ ପାଲା ଆୟୋଜନ କରାଯାଇଥିଲା ଏବଂ ସେଥିରେ ସଚ୍ଚି ରାଉରାୟ, ମହେଶଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଓଡ଼ିଆ ଯୋଗ ଦେଇଥିଲେ । କଲିକତାରେ ଓଡ଼ିଆ ଯାତ୍ରା ବେଶ୍ ପ୍ରସିଦ୍ଧ ଏବଂ ଏହା ଯେ ବଙ୍ଗଳା ଯାତ୍ରାଠାରୁ ନ୍ୟୁନ ନୁହେଁ ତାହା କୁହାଯାଇ ପାରେ ।

 

ମୁଁ କଲିକତାରେ ଥିଲାବେଳେ ୧୯୭୨-୭୩ ମସିହାରେ କଲିକତା ପାତାଳ (କଲିକତା ମେଟ୍ରୋ) ଏବଂ ଦ୍ୱିତୀୟ ହାୱଡ଼ା ପୋଲ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାହେଉ ପାତାଳ ରେ ପ୍ରାୟ ୧୪ ବର୍ଷ ପରେ ଏବଂ ଦ୍ୱିତୀୟ ହାୱଡ଼ା ପୋଲ ୧୮ ବର୍ଷ ପରେ ଏ ଦୁଇଟି ଦର୍ଶନୀୟ ସ୍ଥାନରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କଲିକତାର ପାତାଳରେ ବା ମେଟ୍ରୋ ଗାଡିରେ ଭ୍ରମଣ ନକଲେ ଭାରତ ଏ ଦିଗରେ କେତେଦୂର ଅଗ୍ରଗତି କରିଛି ତାହା ଜାଣିହୁଏ ନାହିଁ ।

 

ମୁଁ ଯେତେବେଳେ ୨୯ ଡିସେମ୍ବର ୧୯୫୪ ମସିହାରେ ପ୍ରଥମେ ରେଳବାଇ ଚାକିରିରେ ଯୋଗ ଦେବାପାଇଁ କଲିକତା ଯାଇଥିଲି, ସେତେବେଳେ ଓଡ଼ିଆ ଅଫିସରଙ୍କ ସଂଖ୍ୟା ଦୁଇ ଜଣଙ୍କ ମଧ୍ୟରେ ସୀମାବଦ୍ଧ ଥିଲା । ମୁଁ ଏବଂ ଭାଗୀରଥ ପାଢ଼ୀ । କିନ୍ତୁ ୩୩ ବର୍ଷ ପରେ ମୁଁ ଯେତେବେଳେ ଅବସର ନେଲି ସେତେବେଳକୁ କେବଳ ରେଳବାଇରେ ଡଜନ ଡଜନ ଓଡ଼ିଆ ଅଫିସର ଏବଂ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାରେ ପ୍ରାୟ ଦୁଇଶହ ଓଡ଼ିଆ ଅଫିସର କାର୍ଯ୍ୟ କରୁଥିଲେ । ଥରେ ଏ ବିଷୟରେ ସ୍ଵର୍ଗତ ଡଃ ହରେକୃଷ୍ଣ ମହତାବ ଖାଁ ମଜଲିସରେ ଲେଖୁଥିଲେ ।

 

କଲିକତାରେ ଓଡ଼ିଆମାନଙ୍କର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଛି । କଲିକତାରୁ ୫ମ ଏବଂ ୬ଷ୍ଠ ଦଶକର ‘ଆସନ୍ତାକାଲି’ ମାସିକ ସାହିତ୍ୟ ପତ୍ରିକା ଏବଂ ପରବର୍ତ୍ତୀ କାଳରେ ‘ନବରବି’ ସ୍ଵର୍ଗତ ପାତିରାମ ପରିଜାଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିଲା । ପ୍ରେମଚାନ୍ଦ ବରାଳସ୍ଥିତ ‘ଆସନ୍ତାକାଲି’ କାର୍ଯ୍ୟାଳୟ ଥିଲା ଶିକ୍ଷିତ ଓଡ଼ିଆମାନଙ୍କର ମିଳନ ପୀଠ । ଏବେ ଓଡ଼ିଆଙ୍କ ସଂଖ୍ୟା ପ୍ରାୟ ଦୁଇ ଲକ୍ଷକୁ କମି ଆସିଛି । କିନ୍ତୁ ଓଡ଼ିଆ ବୁଦ୍ଧିଜୀବୀଙ୍କ ସଂଖ୍ୟା ଅନେକ ବଢ଼ିଯାଇଛି । ଓଡ଼ିଶା ଶିକ୍ଷା ସଂସଦ’ କଲିକତାର ସବୁଠାରୁ ବଡ଼ ସମ୍ଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ । ମୁଁ ଦୁଇବର୍ଷ ଧରି ଏହାର ସଭାପତି ଥିଲି । ଏହାର ପୂର୍ବରୁ ୭୨ ମସିହାରେ ମୁଁ, ଶ୍ରୀ କିଶୋରୀଚରଣ ଦାସ, ଶ୍ରୀ ବନମାଳୀ ଆଚାର୍ଯ୍ୟ, ସ୍ଵର୍ଗତ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରଭୃତି ‘ଉତ୍କଳିକା’ ନାମରେ ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ ସ୍ଥାପନ କରି, ସେହି ଅନୁଷ୍ଠାନର ଆନୁକୂଲ୍ୟରେ ପ୍ରଥମ ‘ବୋଇତ ଭସାଣ ଉତ୍ସବ’ କଲିକତା ବନ୍ଦରରେ ଆୟୋଜନ କରିଥିଲୁ । ‘ଉତ୍କଳିକା’ ଅନୁଷ୍ଠାନ ପରେ ପରିବର୍ଦ୍ଧିତ ହୋଇ, ଉତ୍କଳ ଶିକ୍ଷା ସଂସଦ’ରେ ରୂପାନ୍ତରିତ ହୋଇଥିଲା । ଏହି କଲିକତାରେ ଥିଲାବେଳେ ପୁନର୍ବାର ଓଡ଼ିଆରେ ଏମ.ଏ. କ୍ଲାସ୍ ଖୋଲିବା ପାଇଁ ଓ ଉତ୍କଳ ଶିକ୍ଷା ସଂସଦ ପାଇଁ ଖଣ୍ଡେ ସରକାରୀ ଜମି ନେବା ପାଇଁ ଉଦ୍ୟମ କରିଥିଲି କିନ୍ତୁ ଓଡ଼ିଆମାନଙ୍କ ମଧ୍ୟରେ ଗୋଷ୍ଠୀବିବାଦ ଓ ଆଉ କେତେକ ଲୋକଙ୍କ ପ୍ରତିରୋଧ ଯୋଗୁଁ ତାହା ସମ୍ଭବ ହେଲା ନାହିଁ । କିନ୍ତୁ ଏକନମ୍ବର ସତ୍ୟ ଡାକ୍ତର ରୋଡରେ ଥିବା ଓଡ଼ିଆ ହାଇସ୍କୁଲ ଓ ଭବାନୀପୁରରେ ଥିବା ଓଡ଼ିଶା ହଷ୍ଟେଲ ଏବେ ମଧ୍ୟ ଚାଲୁଅଛି ।

 

କଲିକତା ସହିତ ଓଡ଼ିଶାର ସଂପର୍କ ୩୦୦ ବର୍ଷର । ଚଳାଚଳର ଉନ୍ନତି ହେବା ପରେ କଲିକତା ଆହୁରି ନିକଟତର ହୋଇଛି । କଲିକତାର ପ୍ରତି କୋଠା ଓ ରାସ୍ତାଘାଟର ସ୍ମୃତି ସହିତ ଓଡ଼ିଆମାନଙ୍କର ଶ୍ରମ ଓ ସ୍ୱେଦର ଓ ସଂଘର୍ଷର କାହାଣୀ ଜଡ଼ିତ ।

☆☆☆

 

ନବାବ ଓ ସମ୍ଭ୍ରାନ୍ତମାନଙ୍କର ସହର ଲକ୍ଷ୍ନୌ

 

ଲକ୍ଷ୍ନୌ ସମ୍ଭ୍ରାନ୍ତମାନଙ୍କର ସହର । କେତେଥର ଯାଇଛୁ ସେଇ ସୁନ୍ଦର ସହରକୁ; କିନ୍ତୁ ସବୁଥର ପ୍ଲାଟଫର୍ମର ଯାତ୍ରୀ ପରି ତରତର । ହାତରେ ସମୟ ନଥାଏ ବୁଲିବା ପାଇଁ, ନିରେଖି ନିରେଖି ଦେଖିବା ପାଇଁ ଏବଂ ଏଇ ସହରର ଚଳଣିରେ, ଜନସାଧାରଣଙ୍କ କଥାଭାଷାରେ ଓ ପୁରାତନ ସ୍ଥାପତ୍ୟରେ ଲେସିହୋଇ ରହିଥିବା ଇତିହାସ ଓ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ । ଜଣେ ବନ୍ଧୁ ଯୋଗେଶ (ପ୍ରବୀଣ)ଜୀଙ୍କ ପଂକ୍ତିଏ କବିତା ଆବୃତ୍ତି କଲେ ଲକ୍ଷ୍ନୌର ମହିମା କହିବା ପାଇଁ–

 

ଲଖନଉ ହୈ ତୋ ମହଜ, ଗୁମ୍ବଦୋ ମୀନାର ନହୀଁ ।

ସିରର୍ଫ ଏକ ସହର ନହୀଁ, କୁଛ ଓ ବାକାର ନହୀଁ

ଇସକେ ଆଞ୍ଚଲ ମୈଁ ମହବତ କେ ଫୁଲ ଖିଲତେ ହେଁ,

ଇସକୀ ଗଲିୟୋଁ ମେଁ ଫରିସ୍ତୋଁ କେ ପତେ ମିଲତେ ହେଁ ।

 

ତାଙ୍କରି ଭାଷାରେ ଲକ୍ଷ୍ନୌ । କୌଣସି ନଗରଠାରୁ ଅଧିକ କୌଣସି ସଂସ୍କୃତିର ନାମ, ଏକ ଜୀବନଧାରାର ନାମ । ଏହି ସହରର ଗଳିଗନ୍ଦିରେ କାବ୍ୟ, ସଙ୍ଗୀତ, ସୌନ୍ଦର୍ଯ୍ୟ ଓ ପ୍ରେମର ହଜାର ହଜାର କାହାଣୀ ଲେସିହୋଇ ରହିଛି ।

 

ତେଣୁ ଯେତେବେଳେ କଥା ପଡ଼ିଲା ଲକ୍ଷ୍ନୌ ଯିବା କି ନାହିଁ ମନା କରିବାର ଉପାୟ ନଥିଲା । ଏବେ ତ ଆହୁରି ଗୋଟେ ବଡ଼ ଆକର୍ଷଣ ସେଠାରେ । ଆମ ମଝିଆବୋହୁ (ରାଜୀବର ସ୍ତ୍ରୀ) ଜୟା ଅଳ୍ପଦିନ ପୂର୍ବେ ଜଏନ୍ କରିଥାଏ ଉତ୍ତରପୂର୍ବ ରେଳବାଇର ଡିଭିଜନାଲ ସିକ୍ୟୁରିଟି କମିଶନର ଭାବରେ । ପୁଅ ଦିଲ୍ଲୀରେ; କିନ୍ତୁ ନାତି ନାତୁଣୀ (ସିଦ୍ଧାର୍ଥ ଓ ଶ୍ରୂତି) ସେମାନଙ୍କ ମା’ ପାଖରେ । ଖାଲି ଏତିକି ଦୁଃଖ ହେଲା ଯେ ସାନପୁଅ ଚିନ୍ମୟାଂଶୁ ଦିଲ୍ଲୀ ଛାଡ଼ି ଆମ ସହିତ ଯାଇପାରିଲା ନାହିଁ, ଆମେ ଦୁହେଁ ଓ ରାଜୀବ ଫେବୃୟାରୀ କୋଡ଼ିଏ ତାରିଖ ଅପରାହ୍ନ ଚାରିଟା ସମୟରେ ଯାତ୍ରା ଆରମ୍ଭ କଲୁ ଗୋମତୀ ଏକ୍‍ସପ୍ରେସରେ । ନୂଆଦିଲ୍ଲୀରୁ ଲକ୍ଷ୍ନୌ ପ୍ରାୟ ସାତଘଣ୍ଟାର ବାଟ । ଶୀତତାପ ନିୟନ୍ତ୍ରିତ ଚେଆରକାର ବା ଚୌକୀ ଯାନରେ ପଚସ୍ତରୀ ଜଣ ଯାତ୍ରୀ ସ୍ଵଚ୍ଛନ୍ଦରେ ବସିବାର ବ୍ୟବସ୍ଥା । ଏପରି ଦୁଇଟି ବଗିରେ କାନପୁର ଓ ଲକ୍ଷ୍ନୌ ଯିବାପାଇଁ ଯେଉଁମାନେ ବସିଲେ ସେମାନଙ୍କ ଦେହ ମୁହଁ ଓ ପରିଧାନରୁ ଖସିପଡ଼ୁଥାଏ ପ୍ରାଚୁର୍ଯ୍ୟ । ମନେପଡ଼ିଯାଉଥାଏ ଓଡ଼ିଶାର କଥା । ବନ୍ୟା, ବାତ୍ୟା, ମରୁଡ଼ି ପ୍ରପୀଡ଼ିତ, ରାଜନୈତିକ ଅଦୂରଦର୍ଶିତା ଦ୍ଵାରା ନିପୀଡ଼ିତ ଦରିଦ୍ର ଓଡ଼ିଆ କଷ୍ଟ ମଷ୍ଟେ ବଞ୍ଚିଛି । ଛାରପୋକ ପରି ତା’ଦେହର ରକ୍ତ ଶୋଷୁଛନ୍ତି ନେତା, ଅମଲା, ଠିକାଦାର ଓ ଦଲାଲମାନେ । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ଦୈନ୍ୟ ଚତୁର୍ଦ୍ଦିଗରେ ।

 

ଚୌକୀଯାନରେ ଜଳଖିଆ, ଆଇସକ୍ରିମ୍, ଚା, କଫି, ଥଣ୍ଡା ପାନୀୟ ଚାହିଁବାମାତ୍ରେ ମିଳେ । କେତେଜଣ ବସୁ ବସୁ ଆରମ୍ଭ କରିଦେଲେ ଖାଇବା । ଜୀବନ ଗତିଶୀଳ ଏଠାରେ । ବଞ୍ଚିବାପାଇଁ ଏଠାରେ ପ୍ରତିମୁହୂର୍ତ୍ତରେ ଲଢ଼େଇ ହୁଏନି ।

 

ରେଳପଥର ଉଭୟପାର୍ଶ୍ଵରେ ସମତଳଭୂମି । ଯମୁନା ନଦୀ ପଛରେ ପଡ଼ିଗଲାଣି । ଶସ୍ୟକ୍ଷେତ୍ରରେ ପ୍ରସାରିତ ରୂପ ଦେଖି ପୂରିଯାଉଥାଏ ଆଖି । ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିବାପରେ ଆରାମରେ ଲାଗିଆସେ ଆଖିପତା । କେତୋଟି ସିଟ୍ ଛାଡ଼ି ଯୁବତୀଟିଏ ଯୁବକ ଉପରେ ମଥାରଖି ସ୍ୱପ୍ନ ଦେଖୁଥାଏ ଭବିଷ୍ୟତର । ପ୍ରେମିକ-ପ୍ରେମିକା ବା ସ୍ଵାମୀ-ସ୍ତ୍ରୀ ହେବେ ବୋଧହୁଏ । କିଛି ସମ୍ପର୍କ ନଥାଇପାରେ ବି... ଖାଲି ଏଇମିତି... ତାରୁଣ୍ୟର ସାନିଧ୍ୟ ତ ଚୁମ୍ବକପରି ଆକର୍ଷଣ କରେ ପରସ୍ପରକୁ ।

 

ଗରମ ସିଙ୍ଗଡ଼ା ପରେ ପରେ ଦେଇଗଲା କଫି । ଯାତ୍ରୀମାନଙ୍କ ମଧ୍ୟରେ ଜମିଥାଏ ଆଳାପ ଆଲୋଚନା । ରାଜନୀତି ସବୁସ୍ତରକୁ ବ୍ୟାପିଗଲାଣି । ଉତ୍ତରପ୍ରଦେଶ ବାଦଶାହା ଓ ପ୍ରଧାନମନ୍ତ୍ରୀମାନଙ୍କର ପ୍ରଦେଶ । ମୁଲାୟମସିଂ ଯାଦବଙ୍କ ରାଜତ୍ଵ ସମ୍ବନ୍ଧରେ ହେଉଥିବା ଚର୍ଚ୍ଚା କାନରେ ପଡ଼ୁଥାଏ ଆମର । ସେ ମୁସଲମାନଙ୍କ ପ୍ରତି ଅଧିକ ସଦୟ ବୋଲି ହିନ୍ଦୁ ମୌଳବାଦୀମାନେ ତାଙ୍କ ନାମ ଦେଇଛନ୍ତି ମୌଲାନା ସିଂ ଯାଦବ । କାନରେ ପଡ଼ୁଥାଏ । ଆଲିଗଡ଼ର ଓଡ଼ିଆ ଜିଲ୍ଲାପାଳ ଏ.କେ. ମିଶ୍ରଙ୍କ ସୁନାମ । ଉତ୍ତରପ୍ରଦେଶର ତରୁଣ ଆଇ.ଏ.ଏସ୍. ଅଫିସରମାନଙ୍କ ମଧ୍ୟରେ ସେ ଅଧିକାର କରିଛନ୍ତି ଏକ ବିଶେଷ ସ୍ଥାନ । ନିରପେକ୍ଷ ସଚ୍ଚୋଟ ଅଫିସର୍ ଭାବରେ ସର୍ବତ୍ର ପରିଚିତ । ‘ସମାଜ’ର ସହଯୋଗୀ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଜ୍ୱାଇଁ । ଅକ୍ଟୋବର ନଭେମ୍ବର ମାସରେ ଅଯୋଧ୍ୟାରେ ରାମଜନ୍ମଭୂମି-ବାବରୀ ମସଜିଦ୍ ନେଇ ଯେଉଁ ହିଂସାକାଣ୍ଡ ଘଟିଗଲା ଲୋକମାନଙ୍କ ମନରୁ ଲିଭି ନଥାଏ ତା’ର ସ୍ମୃତି । ମୁଲାୟମଜୀ କହୁଥାନ୍ତି ଯେ ସାରା ଭାରତବର୍ଷ ପକ୍ଷରୁ ଲଢ଼ୁଛନ୍ତି ସେ ଧର୍ମନିରପେକ୍ଷତାର ଲଢ଼େଇ । ଏପରିକି ଟ୍ରେନ୍‌ରେ ଯିବାବେଳେ କାନରେ ପଡ଼ୁଥାଏ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବିବାଦ ସଂପର୍କରେ । କାହାଣୀ ଏଥିସହିତ ସାଧାରଣ ଲୋକର ସଂପର୍କ ନଥିଲେ ବି ଗଳ୍ପ ଗୁଜବ ଶୁଣି ଲାଗୁଥାଏ ଯେପରି ଏଇ ବିବାଦ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଅପେକ୍ଷା ବଡ଼ ହୋଇ ଉଠିଚି ।

 

ଲକ୍ଷ୍ନୌ ର ଚାରବାଗ ଷ୍ଟେସନରେ ଗାଡ଼ି ପହଞ୍ଚିଲା ପନ୍ଦର ମିନିଟ୍ ବିଳମ୍ବରେ । ଶୀତ ସରି ନଥାଏ । ଘୋଡ଼ାଘୋଡ଼ି ହୋଇ ବସିଲୁ ଯାଇ ଗାଡ଼ିରେ । ଷ୍ଟେସନକୁ ଆସିଥିଲା ଜୟା ସଙ୍ଖୋଳି ନବାପାଇଁ । ଗାଡ଼ି ଚଳାଇ ଆମ୍ଭମାନଙ୍କୁ ବିବେକାନନ୍ଦରୋଡସ୍ଥିତ ରେଳବାଇ କଲୋନୀକୁ ନବାବେଳେ ଡ୍ରାଇଭର ନିଜାମୁଦ୍ଦିନ କହିଲା, ସାହେବ ଲକ୍ଷ୍ନୌ ଆପକୋ ଆଚ୍ଛା ଲଗେଗା...ବାଦଶାହ ଔର ସରାଫତୋ କେ ସହର ହେ ଲକ୍ଷ୍ନୌ .. ବଡ଼ା ଇମାମବରା, ଛୋଟା ଇମାମବରା, ହଜରତଗଞ୍ଜ ବାଜାର ଜରୁର ଦେଖିଏଗା ହଜୁର ।

 

ଆମେ ଆସି ପହଞ୍ଚିଲୁ ରେଳବାଇ କଲୋନୀରେ । ଲକ୍ଷ୍ନୌର ପରିବେଶ ଶୀଘ୍ର ଶାନ୍ତିରେ ଶୁଆଇଦେଲା ଆମକୁ ।

 

ପ୍ରାଚୀନତା :

 

ସକାଳ ହେଲାକ୍ଷଣି ଶୁଣିଲୁ ଲକ୍ଷ୍ନୌର ପ୍ରାଚୀନତା ସଂପର୍କରେ । ଏହା ଅବଧ ରାଜ୍ୟର ଅଂଶ । ଅଯୋଧ୍ୟାର ଅପଭ୍ରଂସ ଶବ୍ଦ ଅବଧ । ଅଯୋଧ୍ୟା ପୁରାଣପ୍ରସିଦ୍ଧ ।

 

ଅଯୋଧ୍ୟା ମଥୁରା ମାୟା କାଶୀକାଞ୍ଚି ଅବନ୍ତିକା ।

ପୁରୀ ଦ୍ୱାରାବତୀ ଚୈବ ସତ୍ପୈତା ମୋକ୍ଷଦାୟିକା ।।

 

ଅଯୋଧ୍ୟା (ଅଜ୍+ଯୁଦ୍ଧ) ବ୍ରହ୍ମାଙ୍କ ଅଜେୟନଗର ବା ଅ+ଯୁଦ୍ଧ = ଅଜେୟ ଅପରାଜିତା ନଗରୀ ଭାବରେ ପୁରାଣ ପ୍ରସିଦ୍ଧ । ଅବଧ ନରେଶ ଭାବରେ ରାମଚନ୍ଦ୍ର ହିନ୍ଦୁଜଗତରେ ପରିଚିତ । ଅବଧି ରାଜ୍ୟର ଅଂଶ ଲକ୍ଷ୍ନୌ । ଦୁଇଭାଇ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପରି ।

 

ହୁଏନସାଂ ତାଙ୍କ ଭ୍ରମଣକାହାଣୀରେ ଉଲ୍ଲେଖ କରିଛନ୍ତି ଯେ ଏହାର ପ୍ରାଚୀନ ନାମ କୋଶଳ ବା କୌଶଳ । ରଘୁବଂଶ କାବ୍ୟର ପଞ୍ଚମ ଓ ଦଶମ ସର୍ଗରେ କାଳିଦାସ ଉତ୍ତର କୌଶଳର ନାମ ଉଲ୍ଲେଖ କରିଛନ୍ତି । ଏହି କୋଶଳ ରାଜ୍ୟରେ ଗୋମତୀ ନଦୀ ପ୍ରବାହିତ । ସନ ୧୮୪୭-୪୮ରେ ଲକ୍ଷ୍ନୌର ରେସିଡେଣ୍ଟ ଶାସକ ମେଜର ବାର୍ଡ ‘ଅବଧର ଲୁଣ୍ଠନ ପୁସ୍ତକରେ ଅବଧର ସମୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି ଅବଧର ସୀମା ହିମାଳୟ ତରାଇ ଇଲାକାଠାରୁ ଗଙ୍ଗାତଟ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଲକ୍ଷ୍ନୌ କ୍ଷେତ୍ରକୁ ପୁରାଣରେ ନୈମିଷ କୁହାଯାଉଥିଲା ଏବଂ ଅଯୋଧ୍ୟା ତୀର୍ଥକ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଥିଲା । ଏଠାରେ ଲଳିତା ଦେବୀ, ପଟ୍ଟଣ ଦେବୀଙ୍କ ଶାନ୍ତିପୀଠ ଅବସ୍ଥିତ । ଏଠାରେ ଶ୍ରାବସ୍ଥି, ଲଖନାବତୀ ପରି ପ୍ରାଚୀନ ସ୍ଥାନ ଥିଲା ଯାହା ଏବେ ଫୌଜବାଦ ଓ ଲକ୍ଷ୍ନୌ ନାମରେ ପରିଚିତ । ରାମାୟଣରେ ପ୍ରସିଦ୍ଧ ଭଗବାନ ଶ୍ରୀରାମଙ୍କ ସାନଭାଇ ଲକ୍ଷ୍ମଣଙ୍କ ନାମ ଅନୁସାରେ ଏହା ସ୍ଥାପିତ ହୋଇଥିବାରୁ କାଳକ୍ରମେ ଏହା ଲକ୍ଷ୍ମଣପୁରରୁ ଲକ୍ଷ୍ନୌ ହୋଇଥିବା ବିଶ୍ୱାସ କରାଯାଏ ।

 

ପ୍ରଥମ ଅଯୋଧ୍ୟା ନରେଶ ଭାବରେ ମନୁ ପ୍ରସିଦ୍ଧ । ତାପରେ ଇକ୍ଷାକୁ, କକୁତସ୍ଥ, ଭଗୀରଥ, ହରିଶ୍ଚନ୍ଦ୍ର, ରଘୁ, ଦଶରଥ ଓ ରାମଚନ୍ଦ୍ରଙ୍କ ପରି ପୁରାଣପ୍ରସିଦ୍ଧ ମହାନପୁରୁଷମାନଙ୍କ ସହିତ ଅବଧର ସମ୍ବଦ୍ଧ । ରାମଚନ୍ଦ୍ରଙ୍କ ରାମରାଜ୍ୟ ଏହି ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲା । ଇକ୍ଷ୍ୱାକୁବଂଶୀ ଏବଂ ଏହାର ପ୍ରଥମ ତୀର୍ଥଙ୍କର ଆଦିନାଥ ଋଷଭଦେବଙ୍କର ଜନ୍ମ ଏହି ପବିତ୍ର ଭୂମିରେ ହୋଇଥିଲା । ସନାତନ ଧର୍ମକୁ ଛାଡ଼ି ଜୈନଧର୍ମର ଚବିଶ ତୀର୍ଥଙ୍କରଙ୍କ ମଧ୍ୟରୁ ବାଇଶ ଜଣଙ୍କର ଜନ୍ମ ହୋଇଥିଲା ଏହି ଅଞ୍ଚଳରେ । ବୌଦ୍ଧଧର୍ମ ମଧ୍ୟ ଏହି ଅଞ୍ଚଳରେ ପୁଷ୍କଳଲାଭ କରିଥିଲା । କାରଣ ସେତେବେଳେ ବୁଦ୍ଧଙ୍କ ଜନ୍ମସ୍ଥାନ କପିଳାବାସ୍ତୁ ଓ କୁଶୀନଗର କୋଶଳ ରାଜ୍ୟର ଅଧୀନରେ ଥିଲା । ପରେ ସମ୍ରାଟ ଚନ୍ଦ୍ରଗୁପ୍ତ ଅଯୋଧ୍ୟାର ପୁନରୁଦ୍ଧାର କରିଥିଲେ ।

 

ଅଯୋଧ୍ୟାର ଖ୍ୟାତି ବହୁକାଳ ପର୍ଯ୍ୟନ୍ତ ରହିଥିଲା । ୧୩ଶ ଶତାବ୍ଦୀରେ ଅମୀର ଖୁସରୋ ଅଯୋଧ୍ୟାରେ ରହି ନିଜର ଫାରସୀ ହିନ୍ଦୀର ସୁପ୍ରସିଦ୍ଧ ଶବ୍ଦକୋଷ ରଚନା କରିଥିଲେ ।

 

ଅବଧରେ ସାହିତ୍ୟର ସରସଧାରା ପ୍ରଚଳିତ ଥିଲା । ଷୋହଳଶହ ଶତାବ୍ଦୀରେ ଶେରସାହସୁରୀଙ୍କ ରାଜତ୍ଵ କାଳରେ ମୋହମ୍ମଦ ଜାୟସୀ ‘ପଦମାବତ’ ନାମକ ପ୍ରସିଦ୍ଧ କାବ୍ୟ ରଚନା କରିଥିଲେ । ଅବଧ ଅଞ୍ଚଳର କଥିତ ଭାଷା ବା ବୋଲି ଅବଧୀ ନାମରେ ପରିଚିତ । ମୁସଲମାନ ସୁଫି କବିମାନେ ଅବଧୀ ଭାଷାରେ କାବ୍ୟରଚନା କରି ଏହାର ମହତ୍ତ୍ୱ ଆହୁରି ବଢ଼ାଇ ଦେଇଥିଲେ । କୁତବନ, ମଂଟ୍‍ନ, ଜାୟସୀ, ଉସ୍‍ମାନ, ଶେଖନବୀ, କାସିମ ମୋହମ୍ମଦ ଓ ନୁରନବୀ ଅବଧୀରେ ଆଧାୟିକ ଓ ପ୍ରେମ ଗାଥା ରଚନା କରିଥିଲେ । ଏସବୁରେ ହିନ୍ଦୁ ରାଜକୁମାର ଓ ରାଜକୁମାରୀମାନେ ଥିଲେ ନାୟକ ଓ ନାୟିକା । ଏସବୁ ରଚନାରେ ହିନ୍ଦୁ ଆଚାର ଓ ସଂସ୍କାରର ପ୍ରଚୁର ଉଲ୍ଲେଖ ରହିଛି । ତୁଳସୀ ଦାସଙ୍କ ଅନୁକରଣ କରି ମୋହମ୍ମଦ ଜାୟସୀ ନିଜ କବିତା ଲେଖୁଥିଲେ । ଗୋସ୍ୱାମୀ ତୁଳସୀ ଦାସଙ୍କର ବଂଶ ଅବଧର ପୂର୍ବାଞ୍ଚଳରେ ସରଜୁ ନଦୀ କୂଳରେ ଅବସ୍ଥାନ କରୁଥିଲେ । ତାଙ୍କ ଗୁରୁ ନରହରି ଦାସଙ୍କ ପବିତ୍ର ଆଶ୍ରମ ଅବଧି ଖଣ୍ଡର ଗୋଣ୍ଡାଠାରେ ଥିଲା । ତୁଳସୀ ଦାସ ରାମଚରିତ ମାନସର ଅଧିକାଂଶ ଭାଗ ଅଯୋଧ୍ୟାରେ ଥିବା ସମୟରେ ଲେଖିଥିଲେ । ତାଙ୍କରି ଭାଷାରେ ‘ଅବଧପୁରୀ ୟହ ଚରିତ ପ୍ରକାଶ ।’ ରାମଚଳିତ ମାନସ ଅବଧୀରେ ଲିଖିତ ଏପରି ଏକ ଗ୍ରନ୍ଥ ଯାହା ଉତ୍ତର ଭାରତରେ ପଞ୍ଚମବେଦ ଭାବରେ ବିଖ୍ୟାତ । ଅବଧୀରେ ପଟୁଥିଲେ ମଧ୍ୟ ତୁଳସୀଦାସ ବ୍ରଜ ଭାଷାରେ ମଧ୍ୟ କୃତିତ୍ତ୍ୱ ଅର୍ଜନ କରିଥିଲେ । ଅବଧୀ ଭାଷାରେ କବୀର ମଧ୍ୟ ଲେଖିଛନ୍ତି । ତାଙ୍କ ରଚିତ ନିର୍ଗୁଣ ଅବଧର ସରସ ସାହିତ୍ୟ ପ୍ରବାହର ଆଉ ଏକ ମାଇଲଖୁଣ୍ଟ । ଏବେ ବି ଲକ୍ଷ୍ନୌ, କାନପୁର, ଫତେହପୁର, ଏଲହାବାଦ, ମିର୍ଜାପୁର, ବସ୍ତି, ଅଜମଗଡ଼ ତଥା ଜଉନପୁର ଅଞ୍ଚଳରେ ଅବଧୀ ପ୍ରଚଳିତ । ଉତ୍ତରପ୍ରଦେଶର ପୂର୍ବପ୍ରାନ୍ତର ଜିଲ୍ଲାମାନଙ୍କରେ ଭୋଜପୁରୀ ଓ ଅବଧୀ ମିଳିମିଶି ବୁନ୍ଦେଲଖଣ୍ଡ ଇଲାକାରେ ବୁନ୍ଦେଲୀ ସହିତ ମିଶିଯାଇଛନ୍ତି । ଅବଧୀର ଲୋକସାହିତ୍ୟ ଭାରତର ସର୍ବଶ୍ରେଷ୍ଠ ଲୋକସାହିତ୍ୟ ଭାବରେ ସ୍ଵୀକୃତ । ଶାସ୍ତ୍ରୀୟ ସଙ୍ଗୀତର ରଚନାରେ ଏବଂ ଠୁମରି, ଦାଦରା ପ୍ରଭୃତି ଏବଂ ଇସଲାମି ଓ କୱାଲୀ, ନାତୋଁ, ହମଦୋଁ, ମରସିଆଁ ଓ ନାହୋଁରେ ଏହି ଭାଷା ବହୁଳ ଭାବରେ ପ୍ରୟୋଗ କରାଯାଇଛି ।

 

ମଧ୍ୟଯୁଗରେ ଅବଧ ସୁଫି ସନ୍ଥମାନଙ୍କର କେନ୍ଦ୍ରସ୍ଥଳରେ ପରିଣତ ହୋଇଥିଲା । ମହମ୍ମଦ ଗଜନବୀଙ୍କ ଭଣଜା ସୟଦ ସାଲାର ମସୁଦ ଗାଗୀଙ୍କ ବାରବର୍ଷ ରାଜତ୍ୱକାଳରେ ଅବଧ ଆକ୍ରମଣ କରି ଇସଲାମଧର୍ମ ପ୍ରଚାରର ଶୁଭାରମ୍ଭ ହୋଇଥିଲା । ସୁଫିସନ୍ଥମାନେ ଏହି ପ୍ରକ୍ରିୟାକୁ ପ୍ରସାରିତ କରିଥିଲେ । ମୋଗଲ ଶାସନ କାଳରେ ଲକ୍ଷ୍ନୌ, ଶୈରାବାଦ, ଦରିଆବାଦ, ବହରାଇଚ, ବିଲଗ୍ରାମ, ମୋହାନ ଓ ନବାବଗଞ୍ଜ ଏ ସମୟର ପ୍ରମୁଖ କେନ୍ଦ୍ର ଥିଲା ।

 

ଗୋମତୀ ନଦୀ କୂଳରେ ଅବସ୍ଥିତ ଲକ୍ଷ୍ନୌ ସହରର ଦକ୍ଷିଣରେ ଦୁଇଟି ପାହାଡ଼ । ଏହା କୁହାଯାଏ ଯେ ପ୍ରଥମେ ବ୍ରାହ୍ମଣମାନେ ଆସି ଗୋଟିଏ ପାହାଡ଼ର ପାଦଦେଶରେ ବସତି ସ୍ଥାପନ କଲେ ଏବଂ ପୂଜାର୍ଚ୍ଚନା ପାଇଁ ଏକ ମନ୍ଦିର ନିର୍ମାଣ କଲେ; କିନ୍ତୁ ମୋଗଲ ସମ୍ରାଟ ଆଉରଙ୍ଗଜେବ ସେଇ ମନ୍ଦିର ଧ୍ୱଂସ କରି ଏହା ସ୍ଥାନରେ ଏକ ମସଜିଦ୍ ନିର୍ମାଣ କରାଇଥିଲେ । ଏହି ମସଜିଦ୍‌ର ଦକ୍ଷିଣରେ ଚଉକ ବା ପ୍ରଧାନ ବଜାର । ଶାହା ମୀନା ନାମକ ଜଣେ ସନ୍ଥ ୧୪୫୦ରେ ଆସି ଲକ୍ଷ୍ନୌରେ ବସବାସ କଲେ । ସେ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନଙ୍କର ପ୍ରିୟ ଥିଲେ-। ତାଙ୍କର ମୃତ୍ୟୁପରେ ତାଙ୍କର କବରସ୍ଥାନ ଏକ ତୀର୍ଥକ୍ଷେତ୍ରରେ ପରିଣତ ହେଲା । ୧୫୪୦ରେ ହୁମାୟୁନ ମୋଗଲ ସାମ୍ରାଜ୍ୟ ଗଠନ କରି ଲକ୍ଷ୍ନୌ ଆସି ଚଉକଠାରେ ଅବସ୍ଥାନ କରୁଥିଲେ-। ଏହିଠାରେ ଆକବରଙ୍କ ସମୟରେ ଆକବରୀ ଗେଟ୍ ନିର୍ମାଣ କରାଯାଇଥିଲା ।

 

ଚଉକର ପଶ୍ଚିମରେ ହୁସେନ ଅଲୀଙ୍କ କବର ଅବସ୍ଥିତ । ସେ ଆକବରଙ୍କ ସେନାପତି ଥିଲେ ଏବଂ ୧୬୦୦ ମସିହାରେ ମୃତ୍ୟୁବରଣ କରିଥିଲେ ।

 

ଚଉକର ପୂର୍ବରେ ପରେ ଗଢ଼ି ଉଠିଥିଲା ଫିରିଙ୍ଗି ମହଲା । ଇଷ୍ଟଇଣ୍ଡିଆ କମ୍ପାନୀର କର୍ମଚାରୀମାନେ ଏହି ଅଞ୍ଚଳରେ ବସବାସ କରୁଥିଲେ । ଏହି ଅଞ୍ଚଳରେ ଏବେ ବି ଫିରିଙ୍ଗି ମହଲ ରହିଛି ।

 

୧୭୦୭ରେ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ମୃତ୍ୟୁ ଆସନ୍ନ ସମୟରେ ପାରସ୍ୟ (ଇରାନ)ର ନିଶାରପୁରର ଜଣେ ସମ୍ଭ୍ରାନ୍ତ ଆସି ପହଞ୍ଚିଲେ ଭାରତରେ । ତାଙ୍କ ନାମ ସାଦତ ଖାଁ । ସେ ବରହନୁଲ ମୁଲକ ନାମରେ ମଧ୍ୟ ପରିଚିତ । ସେ ଅବଧର ନବାବୀ ବଂଶର ପ୍ରତିଷ୍ଠାତା । ସେ ସିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତେଣୁ ସେ ଯେତେବେଳେ ଜାଣିଲେ ଯେ ଆଉରଙ୍ଗଜେବ ମଧ୍ୟ ସିଆ, ଦିଲ୍ଲୀ ଦରବାରକୁ ଗଲେ ଚାକିରି କରିବା ପାଇଁ, ସେଠାରେ ତାଙ୍କର ପରିଚୟ ଓ ପ୍ରତିଭା ଦେଖି ୧୭୧୯ରେ ତାଙ୍କୁ ଫୌଜଦାର ଭାବରେ ନିଯୁକ୍ତି ଦିଆଗଲା ଏବଂ ଆଗ୍ରା ତାଙ୍କ ଅଧୀନରେ ରହିଲା । ସେ ନିର୍ମମ ଭାବରେ ଶାସନ କରି ଲୋକମାନଙ୍କ ମଧ୍ୟରେ ଭୟର କାରଣ ହୋଇ ଉଠିଲେ । ତାଙ୍କର ଦକ୍ଷତାରେ ପ୍ରୀତ ହୋଇ ମୋଗଲ ଦରବାର ପକ୍ଷରୁ ତାଙ୍କୁ ତିନିବର୍ଷ ପରେ ଅବଧର ଶାସକ ଭାବେ ନିଯୁକ୍ତ କରାଗଲା । ସେତେବେଳେ ବହୁ ଅଧା ସ୍ଵାଧୀନ ସାମନ୍ତ ଓ ରାଜାମାନେ ଅବଧର ବିଭିନ୍ନ ଅଞ୍ଚଳ ଶାସନ କରୁଥିଲେ । ପ୍ରତ୍ୟେକଙ୍କର ସୈନ୍ୟସାମନ୍ତ ଓ ପ୍ରଶାସନ ଥିଲା । ତେଣୁ ଅବଧର ଶାସକ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିଲେ ହେଁ ସାଦତ ଖାଁ କଳକୌଶଳ ଓ ଦକ୍ଷତା ବଳରେ ସେମାନଙ୍କୁ ଶୀଘ୍ର ପଦାନତ କରି ଲକ୍ଷ୍ମୀ ଦଖଲ କରି ନିଜ ଶାସନର ମୂଳଦୁଆ ପକାଇଲେ । ପ୍ରଥମେ ସାମନ୍ତମାନଙ୍କଠାରୁ ରାଜସ୍ୱ ସଂଗ୍ରହ କରି ସେ ଦିଲ୍ଲୀ ଦରବାରକୁ ପଠାଇଥିଲେ; କିନ୍ତୁ ପରେ ଦିଲ୍ଲୀ ଦରବାର ଶକ୍ତିହୀନ ହୋଇପଡ଼ିବାରୁ ସେ ଆଉ ରାଜସ୍ୱ ନପଠାଇ ନିଜର ରାଜକୋଷ ବୃଦ୍ଧି କରିବାକୁ ଲାଗିଲେ । ସଫଦରଜଙ୍ଗ ତାଙ୍କ ପୁତୁରା ଏବଂ ତାଙ୍କୁ ସେ ଉପଶାସକ ନିଯୁକ୍ତ କଲେ । ସଫଦରଜଙ୍ଗ ସାଦତ ଖାଁଙ୍କ ଝିଅକୁ ବିବାହ କରିଥିଲେ । ୧୭୩୯ରେ ସାଦତ ଖାଁଙ୍କ ମୃତ୍ୟୁ ହୁଏ । ତା’ପରେ ସଫଦରଜଙ୍ଗ ଶ୍ୱଶୁରଙ୍କ ସ୍ଥାନରେ ନବାବ ହେଲେ ଏବଂ ୧୭୫୪ ପର୍ଯ୍ୟନ୍ତ ଅବଧର ଶାସନ ତାଙ୍କ ହାତରେ ଥିଲା । ୧୭୫୪ରେ ତାଙ୍କର ମୃତୁପରେ ତାଙ୍କ ପୁଅ ସୁଜା-ଉଦ୍‌-ଦୁଲ୍ଲା ଅବଧର ଶାସନଭାର ଗ୍ରହଣ କଲେ । ସୁଜାଙ୍କ ସହିତ ଇଷ୍ଟଇଣ୍ଡିଆ କମ୍ପାନୀର ଗୁପ୍ତଚର ଲୁସିଙ୍ଗଟନ ସାକ୍ଷାତ କରି ତାଙ୍କ ସହିତ ଇଂରେଜମାନେ ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ ଇଚ୍ଛା କରୁଥିବା ଜଣାଇଥିଲେ । ସେହି ସମୟରେ ଫରାସୀମାନେ ମଧ୍ୟ ଭାରତରେ ବାଣିଜ୍ୟ କରୁଥିଲେ ଏବଂ କ୍ରମଶଃ ଇଂରେଜମାନଙ୍କ ଆଧିପତ୍ୟ ବୃଦ୍ଧି ପାଉଥିବାରୁ ସେମାନଙ୍କ ବିରୋଧରେ ଭାରତୀୟ ରାଜା ଓ ସାମନ୍ତମାନଙ୍କୁ ସାହାଯ୍ୟ କରୁଥିଲେ । କିନ୍ତୁ ସିପାହୀ ବିଦ୍ରୋହ ପରେ ଇଂରେଜମାନଙ୍କର ପ୍ରଭୃତ୍ୱ ସମଗ୍ର ଭାରତରେ ବ୍ୟାପିଗଲା ଏବଂ ୧୭୬୪ରେ ବକ୍‍ସର ଯୁଦ୍ଧରେ ନବାବ ଓ ତାଙ୍କ ଫରାସୀ ବନ୍ଧୁମାନେ ପରାସ୍ତ ହେବାରୁ ଇଂରେଜମାନଙ୍କ ପ୍ରଭାବ ଆହୁରି ବୃଦ୍ଧି ପାଇଲା ।

 

ସୁଜା ପରାସ୍ତ ହେବାପରେ ତାଙ୍କୁ ବରଖାସ୍ତ କରିବା ପାଇଁ ଇଂରେଜମାନେ ମୋଗଲ ଦରବାର ଉପରେ ଚାପ ପ୍ରୟୋଗ କଲେ । ସୁଜାଙ୍କ ଶାସନର ଅବସାନ ଘଟିଲା ଏବଂ ତାଙ୍କ ପ୍ରାସାଦ ମେଜର କାରନକ୍ ଦଖଲ କରିନେଲେ । କିନ୍ତୁ ସୁଜା ଚତୁରତାର ସହିତ ମରାଠାମାନଙ୍କ ବିରୋଧରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ସହ ସନ୍ଧି କଲେ ଏବଂ ଇଂରେଜମାନେ ତାଙ୍କୁ ପୁଣିଥରେ ଅବଧର ନବାବ ଘୋଷଣା କଲେ । ସେହି ଚୁକ୍ତି ଅନୁସାରେ ସୁଜା ଇଂରେଜମାନଙ୍କୁ ପଚାଶ ହଜାର ଟଙ୍କା ଦେଲେ । ୧୭୭୩ରେ ତାଙ୍କ ସହିତ ଦ୍ୱିତୀୟ ଚୁକ୍ତି ହେଲା ଇଂରେଜମାନଙ୍କ ଏବଂ ସୁଜା ବାଧ୍ୟ ହୋଇ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଞ୍ଚଲକ୍ଷ ଟଙ୍କା ଦେଇଥିଲେ ।

 

ମୋଗଲମାନଙ୍କ ସମୟ ଓ ମହା ଅବରୋଧ :

 

ମହମ୍ମଦ ଗଜନୀଙ୍କ ଆକ୍ରମଣ ପରେ ଲକ୍ଷ୍ମଣପୁର ନାମ ବଦଳ କରି ଲକ୍ଷ୍ନୌ ଦିଆଗଲା । ମୋଗଲ ବାଦଶାହ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇଯାଇଥିଲା । ତେଣୁ ପାରସ୍ୟର ନାଦିରଶାହ ଦିଲ୍ଲୀ ଆକ୍ରମଣ କରି ମୟୂର ସିଂହାସନ ଅପହରଣ କରିନେଇ ଯାଇଥିଲେ । ଏହା ପରେ ପରେ ପ୍ରାୟ ୧୭୭୫ ମସିହାଠାରୁ ଲକ୍ଷ୍ନୌର ବିକାଶ ଦ୍ରୁତ ଗତିରେ ହୋଇଥିଲା । ନବାବ ଆସଫ୍‍ଉଦ୍ଦୌଲା ଫୈଜାବାଦରୁ ଲକ୍ଷ୍ନୌକୁ ଅବଧର ରାଜଧାନୀ ଉଠାଇ ଆଣିଥିଲେ । ଲର୍ଡ ହାଷ୍ଟିଂସ୍ ଅବଧର ତତ୍କାଳୀନ ନବାବ ଗାଜୀଉଦ୍ଦିନ ହାଇଦରଙ୍କୁ ନବାବ ପଦରୁ ଅବଧର ରାଜା ଭାବରେ ୧୮୧୯ ମସିହାରେ ପଦୋନ୍ନତି ଦେଇଥିଲେ । ସେହି ସମୟରୁ ଲକ୍ଷ୍ନୌ ନବାବମାନଙ୍କର ସହର ଭାବରେ ବିଶ୍ଵରେ ପରିଚିତ ହୋଇ ଆସୁଛି । ଅବଧ ରାଜ୍ୟ ୧୮୫୭ ମସିହାରୁ ଇଂରେଜ ଶାସନ ଅଧୀନକୁ ଆସିଲା । ତା’ ପୂର୍ବରୁ ଅବଧର ନବାବ ଥିଲେ ୱାଜୀଦ ଅଲ୍ଲୀ ଶାହା । ସିପାହୀ ବିଦ୍ରୋହ ପ୍ରତି ତାଙ୍କର ସମର୍ଥନ ଥିବା ମନେକରି ଲର୍ଡ ଡେଲହାଉସୀ ତାଙ୍କୁ ଗାଦିଚ୍ୟୁତ କରିଥିଲେ ।

 

ସିପାହୀ ବିଦ୍ରୋହର ସୂତ୍ରପାତ ମୂଳରେ ଏକାଧିକ କାରଣ ଥିଲା । ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନେ ସେମାନଙ୍କର ଧର୍ମଗତ ସ୍ୱାଧୀନତା ଇଂରେଜମାନଙ୍କ ଦ୍ଵାରା କ୍ଷୁଣ୍ଣ ହେଉଥିବା ସନ୍ଦେହ କରୁଥିଲେ । ପ୍ରଜାମାନେ ସାଧାରଣ ଭାବରେ ବିଦେଶୀ ଶାସନ ବିରୋଧରେ ଅସନ୍ତୁଷ୍ଟ ଥିଲେ । ସିପାହୀମାନଙ୍କ ମଧ୍ୟରେ ଧର୍ମଗତ ଓ ସାଧାରଣ ଅସନ୍ତୋଷ କାରଣରୁ ଇଂରେଜ ବିରୋଧୀ ମନୋଭାବ ଦୃଢ଼ ହେଉଥିଲା । ଯେତେବେଳେ ୧୮୫୬ ଫେବୃଆରୀ ମାସରେ ଅବଧର ପ୍ରଶାସନ ଇଂରେଜମାନଙ୍କ ହାତକୁ ଗଲା ସେତେବେଳେ ସେମାନଙ୍କର ଆଚରଣ ସର୍ବସାଧାରଣଙ୍କର ସନ୍ଦେହର କାରଣ ହେଲା ଏବଂ ସାଧାରଣ ଲୋକେ ମନେକଲେ ଯେ, ଏବେ ଇଂରେଜମାନେ ସେମାନଙ୍କ ଧର୍ମ ଉପରେ ଆକ୍ରମଣ କରିବେ । ଏହି ଅସନ୍ତୋଷ କ୍ରମଶଃ ଘନୀଭୂତ ହେଲା । ୧୮୫୭ ମାର୍ଚ୍ଚ ମାସ ୨୦ ତାରିଖ ଦିନ ଲକ୍ଷ୍ନୌରେ ଅବଧର କମିଶନର ଭାବରେ ସାର୍ ହେନରୀ ଲରେନସ ଅବସ୍ଥାପିତ ହେଲେ । ୧୮୫୭ ମସିହାର ମେ ମାସ ୧୨ ତାରିଖରେ ମିରଟଠାରେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ଏବଂ ତା’ପରେ ବିଦ୍ରୋହୀମାନେ ଆକ୍ରମଣ କରି ଦିଲ୍ଲୀ ଦଖଲ କରିନେଲେ । ଲକ୍ଷ୍ନୌର ଗୁରୁତ୍ୱ ଅନୁଭବ କରି ସାର୍ ହେନରୀ ଏହାର ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ନେଲେ । ଲକ୍ଷ୍ନୌ ଚାରିପାଖରେ ସୈନ୍ୟ ମୁତୟନ କରାଗଲା । କିନ୍ତୁ ସିପାହୀ ଓ ଉତ୍ତ୍ୟକ୍ତ ଜନସାଧାରଣ କମିଶନରଙ୍କ ସମେତ ସହରକୁ ୮୯ଦିନ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଅବରୁଦ୍ଧ କରି ରଖିଲେ । ସୌଭାଗ୍ୟକୁ ଇଂରେଜ ସେନା ଛାଉଣୀରେ ଦୀର୍ଘଦିନ ଚଳିବା ପାଇଁ ଖାଦ୍ୟସାମଗ୍ରୀ ମହଜୁଦ ଥିଲା । ବଡ଼ଲାଟ କମିଶନର ସାର୍ ହେନରୀ ଲରେନ୍‍ସଙ୍କୁ ସଂପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ ବିଦ୍ରୋହୀମାନଙ୍କ ସହିତ ସଶସ୍ତ୍ର ମୁକାବିଲା କରିବାପାଇଁ । ସେହିବର୍ଷ ମେ ମାସ ତିରିଶ ତାରିଖ ଦିନ ଗୋମତୀ ନଦୀ ସେପାଖରେ ଥିବା ମେରିଆଓ କ୍ୟାଣ୍ଟନମେଣ୍ଟର ୭୧ ନମ୍ବର ଛାଉଣୀର ସିପାହୀମାନେ ବିଦ୍ରୋହ ଘୋଷଣା କଲେ । ଜୁନ୍ ତିରିଶ ତାରିଖ ଦିନ ଅବରୋଧ ଆରମ୍ଭ ହେଲା । ଏହି ଯୁଦ୍ଧରେ ସାର୍ ହେନରୀ ଗୁରୁତର ଭାବରେ ଆହତ ହେଲେ । ତାଙ୍କ ପରେ ବ୍ରିଗେଡିଅର ଜେ.ଇ. ଇଂଗଲିସ୍‌ଙ୍କୁ ସେନାବାହିନୀର କ୍ଷମତା ହସ୍ତାନ୍ତର କରାଗଲା । ଅବରୁଦ୍ଧ ଲକ୍ଷ୍ନୌରେ ସେତେବେଳେ ୧୯୩୦ ଜଣ ଇଂରେଜ ଓ ଭାରତୀୟ ଅଫିସର, ସାତଶହ ଚାଳିଶ ଜଣ ଇଂରେଜ ଓ ୭୦୦ ଭାରତୀୟ ସିପାହୀ ଏବଂ ୧୫୦ ଅଣସୈନିକ ସ୍ଵେଚ୍ଛାସେବୀ । ଏହାଛଡ଼ା ୨୩୭ ଜଣ ମହିଳା, ୨୬୦ ଜଣ ଶିଶୁ ଏବଂ ଲାମାଟିନାର କଲେଜର ପଚାଶ ଜଣ ବାଳକ ଏବଂ ୨୭ ଜଣ ସାଧାରଣ ନାଗରିକଙ୍କୁ ମିଶାଇ ସର୍ବମୋଟ ୨୯୯୪ ଜଣ ଥିଲେ ।

 

ଜୁନ୍ ତିରିଶ ତାରିଖରୁ ସେପ୍ଟେମ୍ବର ପଚିଶ ତାରିଖ ପର୍ଯ୍ୟନ୍ତ ସତାଅଶୀ ଦିନ ଅବରୋଧ ଭିତରେ ପ୍ରାୟ ବନ୍ଦୀପରି ରହିଥିଲେ ଇଂରେଜ ଓ ସେମାନଙ୍କର ସୈନ୍ୟସାମନ୍ତ । ରାତିଦିନ ଗୋଳାବର୍ଷଣ ଚାଲୁଥାଏ । ସେପ୍ଟେମ୍ବର ୨୫ ତାରିଖରେ ଜେନେରାଲ ଆଉଟରାମ ଓ ହ୍ୟାଭଲକ୍ ବହୁ ସୈନ୍ୟସାମନ୍ତ ସହ ସୈନ୍ୟଛାଉଣୀକୁ ବିଦ୍ରୋହୀଙ୍କ କବଳରୁ ମୁକ୍ତ କରିବା ପାଇଁ ପ୍ରବଳ ଯୁଦ୍ଧ ଆରମ୍ଭ କଲେ; କିନ୍ତୁ ସେଥିରେ ସଫଳ ହୋଇ ନଥିଲେ । ଆହୁରି ୫୩ ଦିନ ପର୍ଯ୍ୟନ୍ତ ଅବରୋଧ ଚାଲିଥିଲା ଏବଂ ସେମାନଙ୍କଠାରୁ ସାର୍ କଲିନ୍ କ୍ୟାମ୍ପବେଲ ଦାୟିତ୍ଵ ଗ୍ରହଣ କରିଥିଲେ । ଶେଷରେ ୧୪୦ ଦିନ ଅବରୋଧ ପରେ ନଭେମ୍ବର ସତର ତାରିଖ ଦିନ ଲକ୍ଷ୍ମୀ ଅବରୋଧ ମୁକ୍ତ ହେଲା । ଏହି ଯୁଦ୍ଧରେ ୨୯୯୪ ଜଣଙ୍କ ମଧ୍ୟରୁ ସମସ୍ତଙ୍କୁ ମିଶାଇ କେବଳ ୯୬୯ ଜଣ ବଞ୍ଚିଯାଇଥିଲେ । ସିପାହୀ ବିଦ୍ରୋହକୁ ପଦଦଳିତ କରି ଇଷ୍ଟଇଣ୍ଡିଆ କମ୍ପାନୀ ସ୍ଥାନରେ ଭାରତରେ ରାଣୀ ଭିକ୍ଟୋରିଆ ଇଂରେଜ ଶାସନ ପ୍ରବର୍ତ୍ତନ କଲେ ଏବଂ ଇଂଲଣ୍ଡର ରାଣୀ ଭାରତବର୍ଷର ସର୍ବମୟକର୍ତ୍ତୀ ବୋଲି ଘୋଷିତ ହେଲେ । ତା’ପରେ ପରେ ଉତ୍ତର ଭାରତର ଶାସନକୁ ସୁଦୃଢ଼ କରିବା, ସୈନ୍ୟ ଚଳାଚଳର ସୁବିଧା କରିବା ଓ ଲକ୍ଷ୍ନୌର ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଲକ୍ଷ୍ନୌରେ ଶାସନ ସୁଦୃଢ଼ କଲେ ଇଂରେଜମାନେ ।

 

ଇଂରେଜ ଶାସନ ଅବ୍ୟାହତ ରହିଥିଲା ୧୯୪୭ ମସିହା ଅଗଷ୍ଟ ଚଉଦ ତାରିଖ ପର୍ଯ୍ୟନ୍ତ । ସିପାହୀ ବିଦ୍ରୋହର ତ୍ୟାଗ ଫଳରେ ସେହି ସମୟରୁ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମ ଶେଷରେ ସଫଳ ହେଲା ସ୍ୱାଧୀନତା ପ୍ରାପ୍ତି ଦିବସରେ । ଲକ୍ଷ୍ନୌର ଶାସନ ନବାବମାନଙ୍କଠାରୁ ଇଂରେଜ ଓ ସେମାନଙ୍କଠାରୁ ସ୍ୱଦେଶର ଲୋକ ପ୍ରତିନିଧିମାନଙ୍କ ହାତକୁ ଆସିଲା ।

 

ତେଣୁ ଲକ୍ଷ୍ନୌର ସଂସ୍କୃତିରେ ହିନ୍ଦୁ, ମୁସଲମାନ ଓ ଇଂରେଜ ଜୀବନଧାରାର ଛବି ବାରିହୋଇ ପଡ଼ୁଥିବାବେଳେ ଏଇ ସହରର ସ୍ୱତନ୍ତ୍ର ଜୀବନଧାରା, ସଂସ୍କୃତି ଓ ଦୃଷ୍ଟିକୋଣର । ମୋଗଲ ବାଦଶାହା ଓ ନବାବମାନଙ୍କର ବଡ଼ପଣିଆର ଗାରିମା ସହିତ ସମ୍ଭ୍ରାନ୍ତ ମାନଙ୍କର ଚଳଣୀର ଛାପ ସୁସ୍ପଷ୍ଟ । ସ୍ଥାପତ୍ୟ, ସାହିତ୍ୟ ଓ ସଙ୍ଗୀତରେ ଲକ୍ଷ୍ନୌର ସ୍ଵକୀୟ ସମ୍ଭ୍ରାନ୍ତ ପଣିଆ ଏହାର ସଂସ୍କୃତିକୁ କରିଛି ଜୀବନ୍ତ ଓ ଅମର । ଏହାକୁ ହିନ୍ଦୁ, ମୁସଲମାନ ଜୀବନଧାରାର ସମୟ ବୋଲି ମଧ୍ୟ କୁହାଯାଇପାରେ ।

 

ଲକ୍ଷ୍ନୌର ଏଇ ସାଂସ୍କୃତିକ ବିଶେଷତ୍ଵ, ଏଠାରେ ବସବାସ କରୁଥିବା ଲୋକମାନଙ୍କର ମାନବୀୟ ଉଦାରତା, ସେମାନଙ୍କର ଦୃଷ୍ଟିକୋଣର ବିସ୍ତୃତି ଏହାକୁ କରିଛି ମହାନ, ସୁନ୍ଦର ଓ ଆକର୍ଷଣୀୟ । ଏହା ହିଁ ଲକ୍ଷ୍ନୌର ସଙ୍ଗୀତ ଓ ନୃତ୍ୟ (ଲକ୍ଷ୍ନୌ ଘରାନେ) ଏଥିପାଇଁ ଭାରତ ତଥା ଜଗତ ପ୍ରସିଦ୍ଧ । ବଜାରରେ ବା ରାସ୍ତାରେ, ବୈଠକଖାନା ବା ସାଧାରଣ ଯେକୌଣସି ସ୍ଥାନରେ ଲକ୍ଷ୍ନୌବାସୀଙ୍କ ମୁହଁରୁ ସ୍ୱତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହୁଏ–‘ପହଲେ ଆପ’, ‘ଆଇୟେ ହଜୁର’ ‘ଫରମାଇୟେ ଜନାବ’, ‘ଆପକେ କ୍ୟା ହାଜର ହେ’, “ଏକ ନଜର ଡାଲିୟେ’ ଇତ୍ୟାଦି ।

 

ସେଇ ସନ୍ଧ୍ୟାରେ ହଜରତଗଞ୍ଜ ବଜାରରେ ଶ୍ରୁତି ଓ ରାଜୀବ ସହିତ ବୁଲିବାବେଳେ ଏଇ ସଂସ୍କୃତିର ବ୍ୟବହାରିକ ଦିଗ ଦୃଷ୍ଟିରେ ପଡ଼ିଲା ଆମର । ଆମପାଇଁ ଫଳରସ ଆଣିବା ପାଇଁ ରାଜୀବ ହାତ ବଢ଼ାଇଥିଲାବେଳେ ଜଣେ ପିଲା ତା’ ଆଗରେ ଛିଡ଼ା ହୋଇଯିବାରୁ ଦୋକାନୀ କହିଲା– ବଦତମୀଜ, ମେହେମାନୋକେ ସାମନେ ଆ ଯାତେ ହୋ... ।

 

ବ୍ରିଟିଶମାନେ ସେତେବେଳେ ଲକ୍ଷ୍ନୌର ସୌନ୍ଦର୍ଯ୍ୟ ଦେଖି ଅକ୍‍ସଫୋର୍ଡ, ଡ୍ରେସଡେନ ଓ ଲେନିନ୍‍ଗ୍ରାଡ୍ ମନେପକାଉଥିଲେ । ନବାନୀ ଗୌରବ ଓ ଗର୍ବର ଅଭ୍ୟୁଥାନ ଘଟିଥିଲା ଏଠାରେ । ଯେପରି ସାହିତ୍ୟ ଓ ସଙ୍ଗୀତରେ ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମୟ ଘଟିଥିଲା, ସେହିପରି ସ୍ଥାପତ୍ୟରେ ଇଣ୍ଡୋ-ୟୁରୋପୀୟ ସମନ୍ୱିତ ଶୈଳୀ ପ୍ରସାରଲାଭ କରିଥିଲା । ଲକ୍ଷ୍ନୌର ପ୍ରଶସ୍ତ ରାସ୍ତା, ସୁନ୍ଦର ବଜାର, କାରୁକାର୍ଯ୍ୟପୂର୍ଣ୍ଣ ହସ୍ତଶିଳ୍ପ, ମନୋହର ଉଦ୍ୟାନ ଏବଂ ବିଶେଷ ଭାବରେ ଜନସାଧାରଣଙ୍କ ଚଳଣିରେ ପରିସ୍ଫୁଟ ସମ୍ଭ୍ରାନ୍ତ ପଣିଆ ଦର୍ଶକମାନଙ୍କୁ ଆକର୍ଷଣ କରେ । ଥରେ ଲକ୍ଷ୍ନୌ ସହର ବୁଲି ଆସିଲେ ମନ ପୁଲକିତ ହୁଏ ଏହି କାରଣରୁ ।

 

(୨)

 

ଲକ୍ଷ୍ନୌର ଏକ ସ୍ଵକୀୟ ସାଂସ୍କୃତିକ ବୈଶିଷ୍ଟ୍ୟ ଅଛି । ୧୮୭୫ରେ ଲକ୍ଷ୍ନୌ ଆସିଥିଲେ ଉଇଲିଅମ ଏଚରସେଲ । ତାଙ୍କ ଶବ୍ଦରେ ‘‘ଏହା କ’ଣ କେବଳ ଅବଧର ଏକ ସହର ? ନିଜେ ବିଶ୍ୱାସ କରିବା ପାଇଁ ମୁଁ ଆଖି ରଗଡ଼ି ଦେଖେ । ନା... ଏହା ରୋମ ନୁହେଁ, ଏଥେନ୍‍ସ ମଧ୍ୟ ନୁହେଁ, କନ୍‌ଷ୍ଟାଣ୍ଟିନୋପଲ ମଧ୍ୟ ନୁହେଁ.... । ଆଉ କୌଣସି ସହର ଏହାପରି ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ନାହିଁ । ମୁଁ ଏହାକୁ ଯେତେ ଦେଖୁଚି ଏହାର ସୌନ୍ଦର୍ଯ୍ୟ ମୋତେ ଆହୁରି ବେଶୀ ସମ୍ମୋହିତ କରୁଛି । ‘’

 

ଲକ୍ଷ୍ନୌର ସୁନ୍ଦର ନୂଆ ଓ ପୁରୁଣା କୋଠାଗୁଡ଼ିକର ପାରମ୍ପାରିକ ଦରବାରୀ ଝଲକ ଏବେ ମଧ୍ୟ ବିଦ୍ୟମାନ । ଗୋମତୀ ନଦୀର ଉଭୟ ପାର୍ଶ୍ୱରେ ଅଯୋଧ୍ୟାର ସୂର୍ଯ୍ୟବଂଶୀ ଗଜବଂଶ ସମୟରେ ଗଢ଼ି ଉଠିଥିଲା ଏଇ ସହର । ଏଥିପାଇଁ ଏହାର ପ୍ରାଚୀନତା ତଥା ନବାବ ଓ ଇଂରେଜ ଅମଳର ଆଧୁନିକତାର ସମ୍ମିଶ୍ରଣ ଜନ୍ମ ଦେଇଛି ଅଭିଜାତ ପରମ୍ପରାକୁ ।

 

ଅବଧର ପ୍ରାଚୀନତା ପୁରାଣ-ପ୍ରସିଦ୍ଧ । ମନୁ ମହାରାଜ, ଇକ୍ଷ୍ୱାକୁ, କକୁସ୍ଥ, ଭଗୀରଥ, ହରିଶ୍ଚନ୍ଦ୍ର, ରଘ, ରାମଚନ୍ଦ୍ରଙ୍କ ପରି ମହାନ ରାଷ୍ଟ୍ରନାୟକମାନଙ୍କ ସହିତ ଅବଧ ବା ଅଯୋଧ୍ୟାର ସମ୍ବନ୍ଧ । ବାଲ୍ଲୀକି ରାମାୟଣ ଅନୁସାରେ ଅଯୋଧ୍ୟା ସର୍ବପ୍ରଥମ ମନୁ ସ୍ଥାପନ କରିଥିଲେ ।

 

ମନୁନା ମାନବେଦ୍ରେଣ ସା ପୁରୀ ନିର୍ମିତା ସ୍ଵୟମ ।

 

(ବାଲ୍ଲୀକି ରାମାୟଣ– ବାଳିକାଣ୍ଡ, ୫-୬)

 

ସ୍କନ୍ଦ ପୁରାଣ ଅନୁସାରେ ଏହା ସୁଦର୍ଶନ ଚକ୍ର ଉପରେ ଅବସ୍ଥିତ । ଅବଧ ଶବ୍ଦ ଗଠନର ବିଶ୍ଳେଷଣ କରି କୁହାଯାଇଛି ଯେ– “ଅ’ କାର ବ୍ରହ୍ମା, ‘ଯ’ ବିଷ୍ଣୁ ଏବଂ ‘ଧ’ କାର ରୁଦ୍ର ଅଟନ୍ତି । ତେଣୁ ଅଯୋଧ୍ୟା ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମନ୍ୱିତ ରୂପ । ତେଣୁ ପ୍ରାଚୀନ କାଳର ଧର୍ମ ଓ ସଂସ୍କୃତିର ମହାନ୍ ଧାରା ପ୍ରବାହିତ ଏହି ଅଞ୍ଚଳରେ । ରାମଚନ୍ଦ୍ରଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ନାମ ଅନୁସାରେ ସ୍ଥାପିତ ଏହି ସହର ସେଥିପାଇଁ ଭାରତ ଓ ଜଗତ ପ୍ରସିଦ୍ଧ ।

 

ନବାବମାନଙ୍କ ସମୟରେ ଲକ୍ଷ୍ନୌର ଜନଜୀବନରେ ଯେଉଁ ସମ୍ଭ୍ରାନ୍ତ ଛାପ ପଡ଼ିଲା ତାହା ଆଚରଣଗତ ହୋଇଗଲା ସମୟକ୍ରମେ । ତେଣୁ ଲକ୍ଷ୍ନୌକୁ ‘ପହଲେ ଆପ’ ବା ‘ଆପଣ ପ୍ରଥମେ’ ସହର କୁହାଯାଏ । ଆଗନ୍ତୁକ ଏଠାରେ ଅପରିଚିତ ନୁହେଁ, ତାକୁ ଅଗ୍ରାଧିକାର ଦେଇ ମାନ୍ୟତା ଦିଆଯାଏ । ପୂର୍ବରୁ ସୂଚନା ଦେଇଛୁ ଯେ ଲକ୍ଷ୍ନୌର ସଙ୍ଗୀତ ଓ ନୃତ୍ୟର ବୈଶିଷ୍ଟ୍ୟ ଅଛି । ଭାରତୀୟ ସଙ୍ଗୀତ ଓ ନୃତ୍ୟକୁ ଅବଧର ଅବଦାନ ସ୍ମରଣୀୟ । ଏଠାରେ ପୂର୍ବର ‘କସକ୍‍’ ଓ ପଶ୍ଚିମର ‘ତଡ଼ପ’ ଏକତ୍ରିତ ହୁଅନ୍ତି । ଏହାର ସୁସ୍ପଷ୍ଟ ସୂଚନା ମିଳେ ବେଗମ ଅଖତାରଙ୍କ ସ୍ଵର ଯୋଜନାରେ । ଠୁମରୀ, ଦାଦରା ଓ ଗଜଲ ଗାୟିକାଙ୍କ ଦୁଇଶହ ବର୍ଷ ପୂର୍ବେ ଏହାର ଉଦ୍‍ଭବ ହୋଇଥିଲା । ସେହିପରି କଥକ ଅଯୋଧ୍ୟାର ମନ୍ଦିରରୁ ସୃଷ୍ଟି ହୋଇ ନବାବମାନଙ୍କର ଦରବାରକୁ ଆସିଥିଲା । କାଳିକା, ବିନ୍ଦାଦୀନ, ଠାକୁର ପ୍ରସାଦ, ଅଚ୍ଛନ ମହାରାଜ, ଶମ୍ଭୁ ମହାରାଜ, ଲଛୁ ମହାରାଜ ଏବଂ ଆଜିର ବିଖ୍ୟାତ ବିରଜୁ ମହାରାଜ । କଥକ ନୃତ୍ୟର ପ୍ରସିଦ୍ଧ ଗୁରୁ ।

 

ଲକ୍ଷ୍ନୌ ନବାବ ମାନଙ୍କର ସହର ଭାବରେ ପ୍ରସିଦ୍ଧ । ନବାବ ଆସଫୁଦ୍ଦୌଲା ୧୭୩୫ରୁ ୧୭୯୭ ପର୍ଯ୍ୟନ୍ତ କ୍ଷମତାସୀନ ଥିଲେ । ସେ ୧୭୭୫ରେ ଫୈଜାବାଦ ଛାଡ଼ି ଲକ୍ଷ୍ନୌ ଆସିଲେ ଏବଂ ସେହିଦିନରୁ ଲକ୍ଷ୍ନୌ ଅବଧର ରାଜଧାନୀ ହେଲା । ଦିଲ୍ଲୀର ୱାଜୀରଙ୍କ କନ୍ୟା ଶମସୁନିସାଙ୍କୁ ସେ ୧୭୬୯ରେ ବିବାହ କରିଥିଲେ । ଆସଫୁଦ୍ଦୌଲାଙ୍କ ସମୟରେ ଅନେକ ବଡ଼ ବଡ଼ ଭବନ ଓ ଉଦ୍ୟାନ ନିର୍ମିତ ହୋଇଥିଲା । ଥରେ ଅକାଳ ପଡ଼ିବାରୁ ଦୁର୍ଭିକ୍ଷ ପ୍ରପୀଡ଼ିତ ପ୍ରଜାମାନଙ୍କୁ କାମଧନ୍ଦା ଯୋଗାଇ କିଛି ଉପାର୍ଜନ କରିବାର ବ୍ୟବସ୍ଥା କରିବା ଲାଗି ସେ ବଡ଼ା ଇମାମବାଡ଼ା ନିର୍ମାଣ କରିଥିଲେ । ଲକ୍ଷ୍ନୌର ରୂମୀ ଦରୱାଜେ ଭୁଲଭୁଲାୟା, ଶୀସ ମହଲର ଦୌଲତଖାନା, ଆସଫୀ କୋଠି, ବିବିୟାପୁର କୋଠି, ଏଶବାଗ, ଚାରବାଗ, ମୁସାବାଗ ଆଦି ମଧ୍ୟ ତାଙ୍କରି ସମୟରେ ନିର୍ମିତ ହୋଇଥିଲା । ସେ ଦାନୀ ଓ ଉଦାର ସ୍ଵଭାବର ଥିଲେ । ତେଣୁ ପ୍ରବାଦ ରହିଯାଇଛି–

 

‘‘ଯିସକେ ଦେ ନ ମୌଲା...

ଉସ୍‍କୋ ଦେ ଆସଫୁଦ୍ଦୌଲା ।’’

 

ତାଙ୍କରି ସମୟରେ ପ୍ରସିଦ୍ଧ ଫରାସୀ ଜେନେରାଲ କ୍ଲାଡ୍‍ ମାର୍ଟିନ ଆସି ଲକ୍ଷ୍ନୌରେ ଅବସ୍ଥାନ କଲେ ଏବଂ ‘ଲା କନ୍‍ସଷ୍ଟେସିଆ’ (ଏବର ଲାମାର୍ଟିନିଅର ଭବନ) ନିର୍ମାଣ କରାଇଥିଲେ-। ୧୨ ସେପ୍ଟେମ୍ବର ୧୭୯୭ରେ ନବାବଙ୍କର ମୃତ୍ୟୁ ହେଲା ଏବଂ ତା’ପରେ ତାଙ୍କ ପୁତ୍ର ୱାଜୀର ଅଲୀ ଆସିଫଜାହ ଗାଦୀରେ ବସିଲେ । ସେ ଇଂରେଜମାନଙ୍କର ଶତ୍ରୁ ଥିଲେ-। ତେଣୁ ଇଂରେଜମାନେ ଚକ୍ରାନ୍ତ କରି ତାଙ୍କୁ ଗାଦୀରୁ ଅପସାରିତ କଲେ ଏବଂ ତାଙ୍କୁ ବିବିୟାପୁର କୋଠିରେ ବନ୍ଦୀ କଲେ । ତା’ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ପେନସନ ଦେଇ ବନାରସ ପଠାଇଦେଲେ-। ଏପରି ସତ୍ତ୍ୱେ ୱାଜୀର ଅଲୀ ଶାନ୍ତ ହେଲେ ନାହିଁ ଏବଂ ବନାରସର ଇଂରେଜ ରେସିଡ଼େଣ୍ଟ ମିଷ୍ଟର ଚେରୀଙ୍କୁ ହତ୍ୟା କଲେ । ସେଠାରୁ ତାଙ୍କୁ ଇଂରେଜମାନେ ମହୀଶୂର ରାଜ୍ୟର ବେଲୁରକୁ ପଠାଇଦେଲେ । ଟିପୁ ସୁଲତାନ ସେତେବେଳେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହୋଇ ବନ୍ଦୀ ହୋଇଥିଲେ । ୧୮୧୭ରେ ୱାଜୀରଙ୍କ ମୃତ୍ୟୁ ହେଲା ।

 

ଏହାପରେ ସଆଦତ ଅଲୀ ଖାଁ ୧୭୯୮ରୁ ୧୮୧୪ ପର୍ଯ୍ୟନ୍ତ ନବାବ ହେଲେ । ସେ ଫେବୃଆରୀ ଏକୋଇଶ ତାରିଖ ୧୭୯୮ରେ ଗାଦୀନସୀନ ହୋଇଥିଲେ । ୱାଜୀର ଅଲୀଙ୍କ ସ୍ଥାନରେ ଇଂରେଜମାନେ ବିବିୟାପୁର କୋଠିରେ ତାଙ୍କୁ ଲକ୍ଷ୍ନୌର ନବାବ କରିଥିଲେ । କିନ୍ତୁ ସେ ଅତି ଦକ୍ଷତାର ସହିତ ୧୬ ବର୍ଷ କାଳ ଅବଧି ଶାସନ କରିଥିଲେ । ଇଂରେଜମାନେ ନବାବ ଶତ୍ରୁମାନଙ୍କ ସହିତ ଚକ୍ରାନ୍ତ କରି ୧୮୧୪ ଜୁଲାଇ ଏଗାର ତାରିଖରେ ତାଙ୍କୁ ବିଷପାନ କରାଇବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ।

 

ତାଙ୍କପରେ ବାଦଶାହ ଗାଜୀଉଦ୍ଦିନ ହୈଦର ୧୮୧୪ରୁ ୧୮୨୭ ପର୍ଯ୍ୟନ୍ତ ନବାବ ହେଲେ । ସେ ଅବଧର ପ୍ରଥମ ବାଦଶାହା ଭାବରେ ଦିଲ୍ଲୀ ବାଦଶାହଙ୍କଠାରୁ ନିଜର ସ୍ୱାତନ୍ତ୍ର୍ୟ ପୋଷଣ କରିଥିଲେ । ସେ ପ୍ରତିଭାବାନ ଓ ପ୍ରତିପତ୍ତିଶାଳୀ ପୁରୁଷ ଥିଲେ । ସେ ଗଙ୍ଗା ନଦୀର ପାଣି ଲକ୍ଷ୍ନୌ ପର୍ଯ୍ୟନ୍ତ ଆଣିବା ପାଇଁ କେନାଲ ଖୋଳାଇଥିଲେ କିନ୍ତୁ ଇଂରେଜମାନେ ତାହା କରିବାକୁ ଦେଲେନାହିଁ । ଏହି କେନାଲ ଗାଜୀଉଦ୍ଦିନ ହୈଦର କେନାଲ ଭାବରେ ପରିଚିତ । ଛତ୍ତର ମଞ୍ଜିଲ ମଧ୍ୟ ତାଙ୍କରିଦ୍ୱାରା ନିର୍ମାଣ କରାଯାଇଥିଲା । ଦିଲାରାମ କୋଠି ଓ ବିଲାୟତି ବାଗ ତାଙ୍କର ଅନ୍ୟତମ କୀର୍ତ୍ତି । ତାଙ୍କ ପିତାଙ୍କ ପ୍ରିୟା ଆବାସ ସ୍ଥାନ ମୋତି ମହଲ, ମୁବାରକ ମଂଜିଲ ଓ ଶାହା ମଂଜିଲ ନିର୍ମାଣ କରାଇଥିଲେ । ଦକ୍ଷିଣର ମନ୍ଦିରମାନଙ୍କରେ ପ୍ରଚଳିତ ଦେବଦାସୀ ପ୍ରଥା ପରି ତାଙ୍କ ବେଗମ ଇଦ୍‌ଗାହମାନଙ୍କରେ ସେହିପରି ପ୍ରଥାର ପ୍ରଚଳନ କରାଇଥିଲେ । ଗାଜୀଉଦ୍ଦିନ ହୈଦର ଯେଉଁ ପ୍ରସିଦ୍ଧ ଶାହମଜଫ ଇମାମବାଡ଼ା ମଧ୍ୟ ନିର୍ମାଣ କରାଇଥିଲେ । ସେଠାରେ ସନ ୧୮୨୭ ଅକ୍ଟୋବର ଅଠର ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେଇ ଶାହଜନଫରେ ତାଙ୍କର ତିନି ବେଗମଙ୍କ ନାମ ଅନୁସାରେ ରସଫରାଜ ମହଲ, ମୁବାରକ ମହଲ ଓ ମମତାଜ ମହଲ ନିର୍ମାଣ କରାଇଥିଲେ ।

 

ତାଙ୍କ ପରେ ନସୀରୁଦ୍ଦିନ ହୈଦର ୧୮୨୭ ରୁ ୧୮୩୭ ପର୍ଯ୍ୟନ୍ତ ଦଶବର୍ଷ ବାଦଶାହ ଥିଲେ । ସେ ବାଦଶାହ ବେଗମଙ୍କ ଦାସୀର ପୁତ୍ର ଥିଲେ । ସେ ଆଜନ୍ମରୁ ବିଳାସବ୍ୟସନରେ ପାଳିତ ହୋଇଥିବାରୁ ରଣକୌଶଳ ଜାଣି ନଥିଲେ ଓ ଇଂରେଜମାନଙ୍କ ଆଧିପତ୍ୟ ସବୁ ସ୍ତରରେ ମଥାପାତି ସହି ନେଉଥିଲେ । ତାଙ୍କ ଶାସନ କାଳରେ କଦମରସୁଲ, ଗୁଲିସ୍ତାନେ ଇରମ, ଛୋଟୀ ଛତ୍ତର ସଂଜିଲ, ଦର୍ଶନ ବିଳାସ କୋଠି, ତାରବାଲୀ କୋଠି, ବାଦଶାହବାଗ, ଲାଲବାଗ ଓ ନବୀନ ବରାଦରୀ ନିର୍ମାଣ କରାଇଥିଲେ । ତାଙ୍କ ଦ୍ୱାରା ଦରୁଲସଫା (ଔଷଧାଳୟ) ଶିୟା (ଅନାଥାଳୟ) ଏବଂ ନରୁଖାସର ବିଧବା ଆଶ୍ରମ ନିର୍ମିତ ହୋଇଥିଲା । ବିଷପାନ କରି ସେ ୧୮୩୭ରେ ମୃତବରଣ କରିଥିଲେ ।

 

ଏହାପରେ ବାଦଶାହ ହେଲେ ମହମ୍ମଦ ଅଲୀଶାହ (୧୮୩୭–୧୮୪୨) । ତାଙ୍କର ପାଞ୍ଚବର୍ଷ ରାଜତ୍ଵ କାଳରେ ସେ ଲକ୍ଷ୍ନୌର ହୁସେନାବାଦକୁ ହିନ୍ଦୁସ୍ଥାନର ବେବିଲୋନ କରି ଦେଇଥିଲେ । ତାଙ୍କର ଆଉ ଏକ ଅକ୍ଷୟ କୀର୍ତ୍ତି ଛୋଟା ଇମାମବାଡ଼ାର ନିର୍ମାଣ । ଶାହଜାଦୀକା ମକବରା, ସତଖଣ୍ଡା ପ୍ରାସାଦ, ଗେଁଦଖାନା, ହୁସେନାବାଦର ବାରାଦରୀ ଓ ତାଲାବ (ପୋଖରୀ) ମଧ୍ୟ ଦର୍ଶନଯୋଗ୍ୟ ସ୍ଥାନ ।

 

ସନ ୧୮୪୨ ମଇ ଉଣେଇଶ ତାରିଖ ଦିନ ତାଙ୍କର ମୃତ୍ୟୁ ହେଲା ।

 

ଏହାପରେ ଅମଜାଦ ଅଲୀଶାହ ଆଉ ପାଞ୍ଚବର୍ଷ (୧୮୪୨ ରୁ ୧୮୪୭) ଶାସନ ଗାଦୀରେ ବସିଥିଲେ । ସେ ଅତି ଧାର୍ମିକ ପ୍ରକୃତିର ଥିଲେ । ତାଙ୍କ ବେଗମ ତାଜ ଆରା ମଲକା ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ପାଖରେ ନିଜ କନ୍ୟାର ଅର୍ଜି ଦାଖଲ କରିବା ପାଇଁ ୟୁରୋପ ଯାଇଥିଲେ ଓ ପ୍ୟାରିସଠାରେ ମୃତୁବରଣ କରିଥିଲେ । ତାଙ୍କ ଶାସନକାଳରେ ଲକ୍ଷ୍ମୀ ନିକଟରେ ଗୋମତୀ ନଦୀ କୂଳରେ ଏକ ଲୁହାର ପୋଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ବିଧାନସଭା, ରାଜଭବନ ଥିବା ପ୍ରସିଦ୍ଧ ହଜରତଗଞ୍ଜ ଇଲାକା ତାଙ୍କରି ସମୟରେ ସ୍ଥାପିତ ହୋଇଥିଲା । ଲକ୍ଷ୍ନୌଠାରୁ କାନପୁର ପର୍ଯ୍ୟନ୍ତ ଏକ ପକ୍କା ସଡ଼କ ମଧ୍ୟ ସେ ନିର୍ମାଣ କରାଇଥିଲେ । ୧୯୪୭ ଫେବୃଆରୀ ତା ୧୩ରିଖରେ ତାଙ୍କର ମୃତ୍ୟୁ ହେଲା ।

 

ଶେଷ ବାଦଶାହ ଭାବରେ ୱାଜିଦ ଅଲୀ ଶାହ ୧୮୪୭ରୁ ୧୮୫୬ ପର୍ଯ୍ୟନ୍ତ ରାଜସିଂହାସନରେ ବସିଥିଲେ । ସେ କବି ଓ ରସିକ ଥିଲେ । ତାଙ୍କ ସମୟରେ ସଙ୍ଗୀତ ଓ କଳା ପାଇଁ ଲକ୍ଷ୍ନୌର ଖ୍ୟାତି ଶୀର୍ଷବିନ୍ଦୁକୁ ଉଠିଥିଲା । ସେ କୈସରବାଗରେ ଅଧିକାଂଶ ସମୟ ଅତିବାହିତ କରୁଥିଲେ । ତାଙ୍କ ପ୍ରଧାନ ବେଗମ ଆଲମ ଆରା ମଧ୍ୟ କଳାପ୍ରେମୀ ଥିଲେ । ଏହା ବି ଆମେ ଶୁଣିଲୁ ଯେ ତାଙ୍କର ତିନିଶହ ପଞ୍ଚଷଠି ବେଗମ ଥିଲେ ଓ ପ୍ରତିଦିନ ସେ ଜଣେ ବେଗମଙ୍କ ସହିତ ରହୁଥିଲେ । ସେ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ପ୍ରସିଦ୍ଧ କୈସରବାଗ ନିର୍ମାଣ କରାଇଥିଲେ । ଏହାଛଡ଼ା ତାଙ୍କ ସମୟରେ ସିକନ୍ଦରାବାଦ, ସଫେଦ ବାରାଦରୀ, ଚୌକ ରଗୋଲ ଦରୱାଜା ଓ ମଛଲୀବାଲୀ ବାରାଦରୀ ନିର୍ମିତ ହୋଇଥିଲା ।

 

ସେ କବିତା ରଚନା କରିବା ଓ ସାୟରା ଆୟୋଜନ କରିବାରେ ବ୍ୟସ୍ତ ରହିବାରୁ ଶାସନ ପ୍ରତି ବିଶେଷ ଦୃଷ୍ଟି ଦେଇପାରୁନଥିଲେ । ଏହାର ସୁଯୋଗ ନେଇ ତାଙ୍କୁ ଶାସନ ଚଳାଇବା ଲାଗି ଅସମର୍ଥ ବୋଲି ଇଂରେଜମାନେ ଘୋଷଣା କରିଥିଲେ ଏବଂ ୧୮୫୬ ମସିହା ଫେବୃୟାରୀ ତେର ତାରିଖ ଦିନ ତତ୍କାଳୀନ ଇଂରେଜ ଶାସକ ଜେମସ୍ ଆଉଟରାମ ତାଙ୍କୁ କୁଶାସନ ପାଇଁ ଦାୟୀକରି ୧୨ ଲକ୍ଷ ଟଙ୍କା ଦେଇ ନଜରବନ୍ଦୀ ଭାବରେ କଲିକତା ପଠାଇ ଦେଇଥିଲେ; ସେ ସ୍ୱଦେଶପ୍ରେମୀ ଓ କବି ଥିବାରୁ ବେଶ୍ ଲୋକପ୍ରିୟ ଥିଲେ । ତେଣୁ ତାଙ୍କୁ ଅପସାରଣ କରିବା ପରେ ଲକ୍ଷ୍ନୌରେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ୱାହିଦ ଅଲୀ ଶାହଙ୍କ ବେଗମ ହଜରତ ମହଲ ନାବାଳକ ପୁତ୍ର ମିର୍ଜା ରମଜାନଙ୍କୁ ଗାଦୀନସୀନ କରି ପରୋକ୍ଷରେ ଶାସନଭାର ନିଜ ହାତକୁ ନେଇଥିଲେ ଏବଂ ଇଂରେଜମାନଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିଯାଇଥିଲା । କିନ୍ତୁ କୂଟନୀତିରେ ପାରଙ୍ଗମ ଇଂରେଜମାନଙ୍କ କୌଶଳ ଯୋଗୁ ବିଦ୍ରୋହ ସଫଳ ହୋଇନଥିଲା ଏବଂ ବେଗମ ହଜରତ ମହଲ ଅବଧ ସୀମା ପାରହୋଇ ନେପାଳ ଚାଲିଯାଇଥିଲେ । ସେଠାରେ ୧୮୭୯ ସାଲରେ ତାଙ୍କର ମୃତ୍ୟୁ ହେଲା ।

 

ନବାବ ୱାହିଦ ଅଲୀ ଶାହଙ୍କୁ କଲିକତାସ୍ଥ ମାଟିଆବୁରୁଜ ଅଞ୍ଚଳରେ ଅବସ୍ଥିତ (ଏବେ ଦକ୍ଷିଣ ପୂର୍ବ ରେଳବାଇର ହେଡ଼ ଅଫିସ ଥିବା ଗାର୍ଡେନରିଚର) ଏକ କୋଠାଘରେ ନଜରବନ୍ଦୀ କରି ରଖାଯାଇଥିଲା ଓ ସନ୍ଧ୍ୟାବେଳେ ଘୋଡ଼ା ଗାଡ଼ିରେ ବସି ସହର ଭ୍ରମଣ କରିବାକୁ ଯିବାଲାଗି ତାଙ୍କୁ ଅନୁମତି ଦିଆଯାଇଥିଲା । କିନ୍ତୁ ହାୟ ! ସେ ବାଦଶାହ ବୋଲି ଇଂରେଜମାନେ ତାଙ୍କୁ କହୁଥିଲେ ବି ପ୍ରକୃତରେ ସେ ଥିଲେ କ୍ଷମତାରହିତ ନଜରବନ୍ଦୀ ।

 

କିନ୍ତୁ ୱାହିଦ ଅଲୀଙ୍କୁ ୧୮୫୬ ଫେବୃଆରୀ ମାସ ସାତ ତାରିଖ ଦିନ ଗାଦିଚ୍ୟୁତ କରିବା ପରେ ଯେଉଁ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା, ତାହା ସିପାହୀ ବିଦ୍ରୋହ ବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱିତ କରିଥିଲା କହିଲେ ଚଳେ । ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନେ ବାଦଶାହଙ୍କ ସପକ୍ଷରେ ଇଂରେଜମାନଙ୍କ ବିରୋଧରେ ଲଢ଼ିବାଲାଗି ତତ୍ପର ହୋଇ ଉଠିଥିଲେ ଏବଂ ଉତ୍ତର ଭାରତ ଓ ଅନ୍ୟାନ୍ୟ ଅଞ୍ଚଳରେ ୧୮୫୭ରେ ଇଂରେଜମାନଙ୍କ ବିରୋଧରେ ଯେଉଁ ବିଦ୍ରୋହ ଖେଳି ଯାଇଥିଲା, ଏହା ଥିଲା ତାହାର ଅନ୍ୟତମ କାରଣ ।

 

ଇତିହାସ ସେଥିପାଇଁ ଏଡ଼େ ରୋମାଞ୍ଚକର ଓ ଇତିବୃତି ଜାଣିବା ଏଡ଼େ ଆକର୍ଷଣୀୟ । ଲକ୍ଷ୍ନୌ ସହର ଓ ଅବଧ ଅଞ୍ଚଳ ସମ୍ପର୍କରେ ଜାଣିବା ଲାଗି ଏହି ଅଞ୍ଚଳର ପ୍ରାଚୀନତା ଐତିହାସିକ ମହର୍ ଓ ଆଧୁନିକ ପରିବେଶ ସମ୍ପର୍କରେ ସମ୍ୟକ୍ ଜ୍ଞାନ ରଖିବା ଆବଶ୍ୟକ । ସେଥିପାଇଁ ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ବର୍ଣ୍ଣନାତ୍ମକ ବିଷୟ ଉଲ୍ଲେଖ ନକରି ଆମେ ଅତୀତକୁ ପୁନରୁଜୀବିତ କରିବା ପାଇଁ ଇଚ୍ଛା କଲୁ ।

☆☆☆

 

ରାଜାମହାରାଜାଙ୍କ ସହର ଜୟପୁର

 

ରାଜଧାନୀ ଏକ୍ସପ୍ରେସ୍ ଦୌଡ଼ୁଥାଏ ଘଣ୍ଟାକୁ ଶହେ କୋଡ଼ିଏ କିଲୋମିଟର ବେଗରେ । ଭାରତର ସର୍ବାପେକ୍ଷା ଦ୍ରୁତଗାମୀ ରେଳଗାଡ଼ି । ସୁଖପ୍ରଦ ବି ।

 

ଠିକ୍ ପାଞ୍ଚଟାରେ ପରିବେଷଣ କରାଗଲା ପ୍ରେଷ୍ଟିଜ୍ ଓ ଚା । ସେଇ ଚା’ରୁ ଢୋକେ ପିଇ ମନେହେଲା ଯେ, ଦାର୍ଜିଲିଂ ଚା’ର ତୁଳନା ନାହିଁ ବିଶ୍ୱରେ ।

 

ତା’ପରେ ଆରମ୍ଭ ହେଲା ଗଳ୍ପ । ମିଷ୍ଟର ସାହାଲ ରାଜସ୍ଥାନର ଅଧିବାସୀ । ସେ ଖୁସିହେଲେ ଯେ ମୁଁ ତାଙ୍କରି ରାଜ୍ୟକୁ ଯାଉଛି । ପରିହାସ କରି କହିଲେ, ସାବଧାନ, କୌଣସି ରାଣୀ ପ୍ରେମରେ ପଡ଼ି ନଯାଆନ୍ତି ଯେପରି ।

 

ରାଜସ୍ଥାନୀମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ ଓ ବୀରତ୍ୱର ଅମର କାହାଣୀ ଜୀବନ୍ତ ହୋଇ ରହିଛି ଲୋକକଥା ଓ ଲୋକସଙ୍ଗୀତରେ । ରାଜସ୍ଥାନୀ ମହିଳାମାନଙ୍କର ସାହସ ଓ ସଂଗ୍ରାମର ଗାଥା ମିଶିଯାଇଛି ଜନଜୀବନର ଚଳଣିରେ ! ଆହୁରି ବି ସେ କହିଲେ ଯେ ଓଡ଼ିଶାର ପଟ୍ଟଚିତ୍ର ପରି ରାଜସ୍ଥାନୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଜଗତପ୍ରସିଦ୍ଧ । ସେହିପରି ପ୍ରସିଦ୍ଧ ରାଜସ୍ଥାନର ମରୁଭୂମିର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ । ଏହାର ମହୁଝର ଓ ମରିଚିକା ।

 

ରାଜସ୍ଥାନର ଶେଖାବତୀ ଫ୍ରେସକୋଡ୍ (The Frescoes of Shekhavati)ର ତୁଳନା ନାହିଁ । ଜୟପୁର, ବିକାନୀର ଏବଂ ଦିଲ୍ଲୀକୁ ଯେଉଁ ତ୍ରିଭୁଜ ସଂଯୁକ୍ତ କରୁଛି, ସେହି ଅଞ୍ଚଳ ଶେଖାବତୀ ନାମରେ ଖ୍ୟାତ ।

 

ନଭେମ୍ବର ମାସ । ଶୀତଋତୁର ଅୟମାରମ୍ଭ ହୋଇଥାଏ ଉତ୍ତର ଭାରତରେ । ଅତ୍ୟନ୍ତ ଅନୁକୂଳ ସମୟ ପର୍ଯ୍ୟଟକମାନଙ୍କ ପାଇଁ । ସାହାଲ ସାହେବ କହିଲେ, ରାଜସ୍ଥାନ ସିନା ମରୁଭୂମି ଓ ଅଟ୍ଟାଳିକାରେ ପୂର୍ଣ୍ଣ; କିନ୍ତୁ ଏହାର ପଲ୍ଲୀ ଅଞ୍ଚଳର ପ୍ରାକୃତିକ ଶୋଭାରେ ପୂର୍ବ ବା ଦକ୍ଷିଣ ଭାରତର ସୁବଜଶ୍ରୀ ଦୃଷ୍ଟିଗୋଚର ହୁଏ ନାହିଁ । କିନ୍ତୁ ଶୀତଋତୁରେ ରାଜସ୍ଥାନର ଆକାଶର ଶୋଭା ମନୋରମ-

 

କିନ୍ତୁ ଶେଖାବତୀ ଅଞ୍ଚଳ ପ୍ରସିଦ୍ଧ ଚିତ୍ରାଙ୍କନ ପାଇଁ । ସବୁ ଚିତ୍ରରେ ବୀରତ୍ଵର ଅମର କାହାଣୀ । ଏହି ଅଞ୍ଚଳର ମାରୁୱାଡ଼ିମାନେ ସାରା ବିଶ୍ୱରେ ବାଣିଜ୍ୟ ବ୍ୟବସାୟରେ ଅପୂର୍ବ କୌଶଳ ଓ ନିପୁଣତାର ପରିଚୟ ଦେଇଛନ୍ତି । କଳା, ସାହିତ୍ୟ ଓ ସ୍ଥାପତ୍ୟ ମଧ୍ୟ ସେମାନଙ୍କର ପୋଷକତା ପାଇଁ ବିକଶିତ ହୋଇଛି ।

 

ଶେଖାବତୀ ଅଞ୍ଚଳ ପୂର୍ବେ ଜୟପୁର ରାଜତ୍ଵର ଅଧୀନରେ ଥିଲା; କିନ୍ତୁ ରାଓ ଶେଖାଜୀ ଜୟପୁରର ଆଧିପତ୍ୟ ବିରୋଧରେ ଲଢ଼େଇ କରି ୧୪୭୧ ମସିହାରେ ନିଜର ସାର୍ବଭୌମ ଘୋଷଣା କରିଥିଲେ । ସେହି ବୀରଙ୍କ ନାମ ଅନୁସାରେ ସେହି ଅଞ୍ଚଳର ନାମ ହୋଇଗଲା ଶେଖବତୀ । ୧୪୭୧ ମସିହାରୁ ୧୭୩୮ ମସିହା ପର୍ଯ୍ୟନ୍ତ ଶେଖାବତୀ ସ୍ୱାଧୀନ ଥିଲା; କିନ୍ତୁ ଜୟପୁର ରାଜବଂଶ ମୋଗଲ ସମ୍ରାଟଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ପୁନରାୟ ଶେଖାବତୀ ଉପରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । ଏଠାରେ ସ୍ମରଣ କରାଇଦେବା ଆବଶ୍ୟକ ମନେକରେ ଯେ, ମୋଗଲ ସମ୍ରାଟ ଆକବର ଜୟପୁରର ମହାରାଜା ମାନସିଂଙ୍କର ଭଉଣୀଙ୍କୁ ବିବାହ କରିଥିଲେ । ମୋଗଲମାନେ ସମଗ୍ର ଭାରତବର୍ଷକୁ ପଦାନତ କରିବା ଲାଗି ଯେଉଁ ଲଢ଼େଇ କରିଥିଲେ ସେଥିରେ ଜୟପୁର ମହାରାଜା ଓ ତାଙ୍କର ସେନାପତିମାନଙ୍କୁ ପ୍ରଭୁତ ଭାବରେ ବ୍ୟବହାର କରିଥିଲେ । ଜୟପୁର ରାଜବଂଶ ମୋଗଲ ସମ୍ରାଟ ସହିତ ସାଲିସ କରିଥିବାରୁ ମୋଗଲ ସାମ୍ରାଜ୍ୟର ବିସ୍ତାର ସହଜ ହୋଇଥିଲା ସତ; କିନ୍ତୁ ସେଥିପାଇଁ ଆଜିଯାଏ ଜୟପୁର ରାଜବଂଶକୁ ରାଜସ୍ଥାନବାସୀ କ୍ଷମା କରି ନାହାନ୍ତି । ୧୭୩୭ ମସିହାରେ ପୁନରାୟ ଶେଖାବତୀ ଅଞ୍ଚଳ ଜୟପୁରର ପ୍ରଭୁତ୍ଵ ମାନିନେଲା ସତ; କିନ୍ତୁ ମୁକ୍ତିର ପଥ ଖୋଜୁଥିଲା ସଦାବେଳେ । ପୁଣି ସେଇ ସୁଯୋଗ ଆସିଲା ୧୮୩୧ ମସିହାରେ । ସେତେବେଳକୁ ଇଂରେଜ ଶାସନ ଆରମ୍ଭ ହୋଇ ସାରିଥାଏ । ତେଣୁ ଜୟପୁରର ପ୍ରଭୁତ୍ଵ କବଳରୁ ଶେଖାବତୀ ମୁକ୍ତିପାଇଲା ସିନା; ୧୮୩୪ ବେଳକୁ ଇଂରେଜ ଶାସନାଧୀନ ହୋଇ ନିଜର ଗୌରବ ପୁଣି ହରାଇ ବସିଲା ।

 

ଶେଖାବତୀ ଅଞ୍ଚଳଦେଇ ଯେଉଁ ରାସ୍ତା ଯାଇଛି ତାହା ପୂର୍ବେ ମଧ୍ୟପ୍ରାଚ୍ୟ, ଭାରତ ଓ ଚୀନ୍ ମଧ୍ୟରେ ବାଣିଜ୍ୟ ପଥ ଭାବରେ ବ୍ୟବହୃତ ହେଉଥିଲା । ଭାରତ, କାଶ୍ମୀର ଏବଂ ଚୀନ ଦେଶର ସାମଗ୍ରୀ ୟୁରୋପ, ଆଫ୍ରିକା, ପାରସ୍ୟ (ଇରାନ) ଓ ଆରବ ଜଗତର ସାମଗ୍ରୀ ସହିତ ବିନିମୟ କରି ବ୍ୟବସାୟ ଗଢ଼ି ଉଠିଥିଲା ଏହି ଅଞ୍ଚଳରେ । ସେହି ସମୟରୁ ବ୍ୟବସାୟିକ ବୁଦ୍ଧି କୌଶଳ ପାଇଁ ମାରୁୱାଡ଼ିମାନେ ପ୍ରସିଦ୍ଧ । ମାରୁୱାଡ଼ି ଜାତିର ଲୋକମାନେ ବହୁ ଐଶ୍ଵର୍ଯ୍ୟର ଅଧିକାରୀ ଥିଲେ । ଏହାର ପ୍ରମାଣ ଏବେ ବି ପ୍ରତି ଗ୍ରାମରେ ଥିବା ବଡ଼ ବଡ଼ କୋଠା ବା ହାଭେଲିରେ ବିଦ୍ୟମାନ । ପ୍ରତ୍ୟେକ ହାଭେଲି ଦୁଇ ଭାଗରେ ବିଭକ୍ତ । ଗୋଟିଏ ପୁରୁଷମାନଙ୍କ ପାଇଁ–ଯାହା ମଦାନା ନାମରେ ଓ ଅନ୍ୟଭାଗଟି ସ୍ତ୍ରୀମାନଙ୍କ ପାଇଁ ଯାହା ଜନାନା ନାମରେ ପ୍ରସିଦ୍ଧ । ପ୍ରତ୍ୟେକ ହାଭେଲିର ପ୍ରବେଶ ପଥ ଦୁର୍ଗର ଦ୍ଵାର ପରି ବିରାଟ ବିରାଟ କାଠ ତିଆରି ଦରଜାଦ୍ୱାରା ସୁରକ୍ଷିତ ।

 

ଶେଖାବତୀ ଚିତ୍ରାଙ୍କନ ଶୈଳୀ ପ୍ରାଥମିକ ବା ଅସାଧାରଣ ଧରଣର ନୁହେଁ, ଏହା ଇଟାଲୀୟ ଶୈଳୀ ଦ୍ୱାରା ପ୍ରଭାବିତ । ଏହି ଶୈଳୀ ପ୍ରାୟ ୧୪୦୦ ମସିହାରେ ପ୍ରସାର ଲାଭ କରିଥିଲା । ମୋଗଲମାନଙ୍କ ପୋଷକତା ପାଇ ଏଇ ଶୈଳୀ ପାରସ୍ୟ ଦେଶରୁ ଭାରତକୁ ଆସିଥିଲା ନା ମୋଗଲ ସମ୍ରାଟଙ୍କ ଦରବାରରେ କାର୍ଯ୍ୟ କରୁଥିବା ମିଶନାରୀମାନେ ଏହା ପ୍ରଥମେ ଭାରତକୁ ଆଣି ଫତେପୁର ସିକ୍ରିଠାରେ ଏହାର ଆଦ୍ୟାରମ୍ଭ କରିଥିଲେ ତାହା ନିଶ୍ଚିତ ଭାବରେ କୁହାଯାଇ ପାରିବ ନାହିଁ । କିନ୍ତୁ ଏବେ ଏହା ଗ୍ରାମ୍ୟ ଶିଳ୍ପୀର ହାତର ନିପୁଣତାର ପ୍ରତୀକ ହୋଇ ରହିଛି । ଏହି ଚିତ୍ରଗୁଡ଼ିକରେ ପୁରାଣର ବହୁ ଦୃଶ୍ୟ ଓ ରାଜସ୍ଥାନର ସୌର୍ଯ୍ୟବୀର୍ଯ୍ୟର କାହାଣୀ ଅଙ୍କିତ ହୋଇ ରହିଛି । ଏଥିରେ ରାମାୟଣ ଓ ମହାଭାରତର ବହୁ ଘଟଣା ଶିଳ୍ପୀର ନୈପୁଣ୍ୟ ଦ୍ୱାରା ପ୍ରାଣବନ୍ତ ।

 

ସାହାଲ ସାହେବ କହିଲେ ଯେ, ସମୟ କରି ଶେଖାବତୀ ହାଭେଲି ଓ ସେଥିରେ ଅଙ୍କିତ ଚିତ୍ର ଦେଖିବାକୁ ମୁଁ ଯେପରି ଭୁଲି ନଯାଏ । ଏଥି ସହିତ ରାଜସ୍ଥାନୀ ସଂସ୍କୃତି, ଲୋକକଥାର ପୂର୍ବ ସମ୍ପର୍କ ଥିବାରୁ ଏହା ଏବେ ବି ଲୋକମାନଙ୍କର ନିଜସ୍ୱ, ଅତି ଆପଣାର ।

 

ସାହାଲ ସାହେବ ଶେଖାବତୀ ଚିତ୍ରାଙ୍କନ ସମ୍ପର୍କରେ କହି ସାରିଲା ବେଳକୁ ବେହେରା ପ୍ରବେଶ କଲା ରାତ୍ରିଭୋଜନ ଧରି ।

 

ପ୍ରଥମେ ଦେଇଗଲା ଚିକେନ ସୁପ ଓ ତା ସହିତ ମଖନ ଓ ନାନ୍ ।

 

ସାହାଲ ନିରାମିଷାଶୀ । ସେ ଖାଇଲେ ମସରୁମ୍ । ସୁପ (ଛତୁରେ ତିଆରି) ।

 

ପାଞ୍ଚ କୋର୍ସର ଡିନର ଖାଇବା ପରେ ପେଟ ଏତେ ଭରିଗଲା ଯେ ବିଛଣା ପ୍ରସ୍ତୁତ କରିବାଲାଗି ଆସିଲା ଆଟେଣ୍ଡେଣ୍ଟ । ମୁଁ କହିଲି, ଏବେ ବୁଝିଲି କାହିଁକି ବଡ଼ ବଡ଼ ଲୋକ ରାଜଧାନୀ ଏକ୍ସପ୍ରେସ୍‌ରେ ଯିବାଆସିବା କରନ୍ତି । ଟିକଟର ଦାମ ସିନା ବେଶୀ, କିନ୍ତୁ ଆଉ ଅଧିକ ଟଙ୍କା ନଦେଇ ଯେଉଁ ଖାଦ୍ୟ ଓ ଆତିଥେୟତା ମିଳେ ତାହା କୌଣସି ପଞ୍ଚତାରକା ହୋଟେଲଠାରୁ ନ୍ୟୁନ ନୁହେଁ ।

 

ସକାଳ ହେଲା ଉତ୍ତର ଭାରତର ମଇଦାନରେ । ରାଜଧାନୀ ଏକ୍ସପ୍ରେସ୍‌ର ପରମ୍ପରା ରକ୍ଷାକରି ସକାଳ ଚା’ପରେ ଠିକ୍ ଆଠଟା ବେଳକୁ ପ୍ରାତଃଭୋଜନ ପରିବେଷଣ କରାଗଲା । ଆରମ୍ଭ ଅରେଞ୍ଜ ଜୁସ୍‌ରୁ । ଚାରି କୋର୍ସର ବ୍ରେକ୍‌ଫାଷ୍ଟ । ଶେଷରେ କାଶ୍ମିରୀ ଆପେଲ ଓ ତା’ପରେ କଫି ।

 

ନୂଆଦିଲ୍ଲୀ ଷ୍ଟେସନରେ ଠିକ୍ ସାଢ଼େ ଦଶଟାରେ ପହଞ୍ଚିଲା ରାଜଧାନୀ ଏକ୍ସପ୍ରେସ୍ ।

 

ଷ୍ଟେସନରେ ଓହ୍ଲାଇ ପଡ଼ିବାକ୍ଷଣି କେହି କହୁଥିବାର ଶୁଣିଲି–ଅବ୍ ଦିଲ୍ଲୀ ଦୂର ନହିଁ; କିନ୍ତୁ ଅନୁଭବ କଲି ଯେ, ଅତି ନିକଟରେ ବି ନାହିଁ ।

 

ଦିଲ୍ଲୀ ସମ୍ରାଟ, ବାଦଶାହ, ବେଗମ, ମହାରାଜା, ମହାରାଣୀ ବା ସାଧାରଣ ନାଗରିକ ସମସ୍ତଙ୍କୁ ସ୍ଥାନ ଦେଇଛି, କିନ୍ତୁ କାହାକୁ ଆପଣାର କରିନି । ଦିଲ୍ଲୀର ଧୂଳି ମାଟିରେ ମିଶିଯାଇଛି କେତେ ବୀର, ପରାକ୍ରମଶାଳୀ ଓ ଅତ୍ୟାଚାରୀର ଅସ୍ଥି; ପୁଣି ଏହାର ଆକାଶରେ ସମ୍ଭାବନାର ସ୍ଵପ୍ନ ବୁଣି ବୁଣି ନିଶ୍ଚିହ୍ନ ହୋଇଯାଇଛି କେତେ ସାଧାରଣ ପ୍ରହାର ଅସୁମାରି ଆଶା ଆକାଂକ୍ଷା ।

 

James Shirley ତାଙ୍କର The Contention of A Joy and Ulysses | ରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରିବାକୁ ଇଚ୍ଛା ହୁଏ ।

 

Sceptre and crown

must tumble down,

And in the dust be equal made

with the poor crooked scy the and spade

 

ସମ୍ରାଟ ଏବଂ ଭିକ୍ଷୁକ ସମସ୍ତେ ଶେଷରେ ଏକ ହୋଇ ମିଶିଯାଆନ୍ତି ମାଟିରେ । କବିବର ରାଧାନାଥଙ୍କ ଭାଷାରେ–“କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ । ସେଇ ମହାକାଳର ବକ୍ଷରେ ଧନୀ ଓ ଦରିଦ୍ର, ସମ୍ରାଟ ଓ ନାଗରିକ ସମସ୍ତେ ସମାନ । ଏଇ ଦିଲ୍ଲୀ ପ୍ରତ୍ୟକ୍ଷ କରିଛି ଇତିହାସର କେତେ ଉତ୍‍ଥାନ ପତନ, କେତେ ଜୟଯାତ୍ରା ଓ ପୁଣି କେତେ ବିପର୍ଯ୍ୟୟ ।

 

ଦିଲ୍ଲୀରେ ଦିନଟିଏ ରହି ବାହାରିଲୁ ଜୟପୁର ପିଙ୍କ୍ ଏକ୍ସପ୍ରେସରେ । ମିଟରଗେଜ (ମଧ୍ୟମଧରଣର ରେଳପଥ, ଆମ ଏଠାରେ ଯେଉଁ ରେଳପଥ ଅଛି ତାହା ବ୍ରଡଗେଜ ବା ପ୍ରଶସ୍ତ ପଥ ଓ ଗୁଣପୁର ନଉପୁଡ଼ା ଏବଂ ରୁପ୍‍ସା-ବାରିପଦା ବାଙ୍ଗିରିପୋଷି ମଧ୍ୟରେ ଅଛି ଅପ୍ରଶସ୍ତ ବା ନେରୋଗେଜ ରେଳପଥ) ରେଳପଥରେ ଯିବାକୁ ହୁଏ ଦିଲ୍ଲୀରୁ ଜୟପୁର ।

 

ମୋର ସାଥୀ ହେଲେ ଆହୁରି ତିନିଜଣ ବରିଷ୍ଠ ଅଫିସର ।

 

ସକାଳ ହେଲା ଜୟପୁରରେ । ଝରକା ଦେଇ ଚାହିଁଲି ମାର୍ଗଶିର ମାସର ଜୟପୁରକୁ । ପ୍ରଥମ ଦର୍ଶନରେ ପ୍ରେମ । ଜୟପୁର ଷ୍ଟେସନର ଚମତ୍କାର ପରିଷ୍କାର ପରିଚ୍ଛନ୍ନତା ଓ ରିଟାୟାରିଂ ରୁମ୍, ଡରମିଟାରୀ ଏବଂ ଉଏଟିଂ ରୁମର ଅବସ୍ଥା ଦେଖ୍ ଖୁସି ଲାଗିଲା । ବହୁଦିନ ପରେ ଭାରତୀୟ ରେଳବାଇର ଏଇ ସ୍ଵରୂପ ଦେଖି ମୁଗ୍‍ଧ ହେଲି । ମହାରାଣୀଙ୍କର ସେବାରେ ସଦା ନିୟୋଜିତ ପରିଚାରିକା ପରି ହସି ହସି ପର୍ଯ୍ୟଟକମାନଙ୍କୁ ଆକର୍ଷଣ ଓ ସ୍ଵାଗତ କରେ ଜୟପୁର ଷ୍ଟେସନ । ସହରକୁ ଯିବା ପୂର୍ବରୁ ଦେଖିଲି ‘Palace on Wheel’ ବା ରେଳ ଚକ ଉପରେ ରାଜପ୍ରାସାଦ-। ଭାରତର ରାଜା ଓ ମହାରାଜାମାନେ ରେଳଗାଡ଼ିରେ ଭ୍ରମଣ କଲାବେଳେ ଯେଉଁ ସେଲୁନ୍ ସବୁ ବ୍ୟବହାର କରୁଥିଲେ ସେଗୁଡ଼ିକରୁ ବଛା ବଛା ସେଲୁନଗୁଡ଼ିକ ସଂଯୁକ୍ତ କରି ଏ ଦେଶର ଧନାଢ଼୍ୟ ବା ପାଶ୍ଚାତ୍ୟରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ “ମହାରାଜା’ ସୁଖ ଓ ଆମୋଦ ପ୍ରମୋଦ ଦବାପାଇଁ ଯେଉଁ ସ୍ଵତନ୍ତ୍ର ଟ୍ରେନ୍ ଚାଲେ ଦିଲ୍ଲୀ ଓ ଜୟପୁର ମଧ୍ୟରେ ତାର ନାମ ‘ପାଲେସ ଅନ୍ ହ୍ୱିଲ୍‍ସ’-। ପ୍ରତି ସେଲୁନ ସାଜସଜ୍ଜାରେ ରାଜସ୍ଥାନର ରୁଚି ଓ ସଂସ୍କୃତି ପ୍ରତିଫଳିତ । ପ୍ରତି ସେଲୁନ୍‌ରେ ସ୍ଵତନ୍ତ୍ର ସହକାରୀ, ଚେନେଲଡ ମ୍ୟୁଜିକ୍ ଟ୍ରେନ୍‌ରେ ଥିବା ଡାଇନିଂକାର ବା ଭୋଜନାଳୟରୁ ଯୋଗାଇ ଦିଆଯାଏ ପସନ୍ଦ ଅନୁସାରେ ଖାଦ୍ୟ ଓ ପାନୀୟ ଗୋଟିଏ ସେଲୁନ୍‌ରେ ଗୋଟିଏ ପରିବାର ଚଳିବା ପାଇଁ ବ୍ୟବସ୍ଥା । ସେଲୁନଗୁଡ଼ିକ ଷ୍ଟେସନରେ ଲାଗିଲାକ୍ଷଣି ପର୍ଯ୍ୟଟକ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦବାପାଇଁ ବାଜେ ସାହାନାଇ, ସୁନାଜରୀ ଲଗା ହାଉଦା ପଡ଼ିଥିବା ସୁସଜ୍ଜିତ ହାତୀ ଶୁଣ୍ଢରେ ଫୁଲମାଳ ନେଇ ଆଗେଇ ଆସେ ଅତିଥିରୂପୀ ମହାରାଜାମାନଙ୍କୁ ସାଦର ଅଭ୍ୟର୍ଥନା ଜଣାଇବା ପାଇଁ । ଜୟପୁର ଷ୍ଟେସନ ପ୍ରଥମ ସ୍ୱାଗତ କରିଦିଏ ପାଶ୍ଚାତ୍ୟ ପର୍ଯ୍ୟଟକମାନଙ୍କୁ-। ସେଥିପାଇଁ ବିଖ୍ୟାତ ଇଂରେଜ ସ୍ଥପତି SIR Hugh Casson କହନ୍ତି ଯେ, ତାଙ୍କ ବିଚାରରେ ତିନୋଟି ସହରରେ ସୌନ୍ଦର୍ଯ୍ୟର ତୁଳନା ନାହିଁ । ସେଗୁଡ଼ିକ ହେଲେ ପ୍ୟାରିସ, ଜୟପୁର, ଭ୍ୟାନିସ-। ଜୟପୁରର ଏକ ସ୍ଵତନ୍ତ୍ର ଗରିମା ଅଛି, ଯାହାପାଇଁ ଅନେକ କହନ୍ତି ଯେ ଜୟପୁର ଏକ ସୁନ୍ଦରୀ ରମଣୀ ! ଦେଖିଲାକ୍ଷଣି ଆକର୍ଷଣ କରେ । କେତେ ବର୍ଷ ତଳେ ସାମ୍ବାଦିକ Max Learner କହିଥିଲେ “I have seen Jaipur, and now I can die’’ ଅର୍ଥାତ୍, ଜୟପୁର ଦେଖିସାରିବା ପରେ ମୋର ସକଳ ବାସନା ପୂର୍ଣ୍ଣ ହେଲା, ଏଥର ମୁଁ ମରିପାରେ । କିନ୍ତୁ Kipling ଭାଷାରେ ଜୟପୁର ହେଉଛି– “A city to puzzle over’’ ବିହ୍ୱଳ କରୁଥିବା ଏକ ସହର-

 

ଷ୍ଟେସନ ବାହାରକୁ ଆସି ଜୟପୁର ସହରର କେତେକ ସ୍ଥାନରୁ ଘେରାଏ ବୁଲିଆସି ମୁଁ ମଧ୍ୟ ଅଦେଖା ଭାରତବର୍ଷର ଐଶ୍ଵର୍ଯ୍ୟ ଓ ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇ ପଡ଼ିଲି ଏବଂ ବାରବାର ମୋର ମନେହେଲା ଏତେଦିନ ଯାଏ କିପରି ଏହି ଐଶ୍ଵର୍ଯ୍ୟ, ବିସ୍ମୟକର । ସୌନ୍ଦର୍ଯ୍ୟ ମୁଁ ଆବିଷ୍କାର କରି ନଥିଲି । ଜୟପୁରର ଅନେକ କୋଠାବାଡ଼ି ଇଷତ୍ ନାଲି ପଥର ଦ୍ଵାରା ତିଆରି ବୋଲି ଏହାର ଅନ୍ୟ ନାମ ପିଙ୍କ ସିଟି । ମହାରାଷ୍ଟ୍ର ବୀର ତଥା ଜ୍ୟୋତିଷଶାସ୍ତ୍ରବିତ୍ ମହାରାଜା ସାୱାଇ ଜୟ ଦ୍ୱିତୀୟ ଏହି ସହର ୧୭୨୭ ମସିହାରେ ନିର୍ମାଣ କରିଥିଲେ । ତାଙ୍କ ନାମକୁ ଅମର କରି ଏହାର ନାମ ହୋଇଛି ଜୟପୁର ।

 

ଜୟପୁରର ପ୍ରଧାନ ପଥଗୁଡ଼ିକ ପ୍ରଶସ୍ତ ୧୧୦ ଫୁଟ । ପଥଗୁଡ଼ିକ ପ୍ରଧାନ ପଥର ଦକ୍ଷିଣରେ । ଜୟପୁରର ତିନି ଦିଗରେ ପାହାଡ଼ । ଏହାର କ୍ଷେତ୍ରଫଳ ପ୍ରାୟ ୨୪ କିଲୋମିଟର । ସମୁଦ୍ର ପତ୍ତନଠାରୁ ୪୩୧ ମିଟର । ଜନସଂଖ୍ୟା ପ୍ରାୟ ଲକ୍ଷରୁ ଊର୍ଦ୍ଧ୍ୱ । ଅକ୍ଟୋବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଭ୍ରମଣପାଇଁ ବିଶେଷ ଅନୁକୂଳ ।

 

ଜୟପୁରର ଇତିବୃତ୍ତ ରୋମାଞ୍ଚକର । କେତେ ଉତ୍‍ଥାନ ପତନର ଚାରଣ ଭୂମି । କେତେ ଯୁଦ୍ଧର ରଣଭୂମି । ଦିନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଦଶହଜାର ରାଜସ୍ଥାନୀ । ବୀରଙ୍କର ତରବାରୀ ଝଟକୁଥିଲା, ମରୁଭୂମିରେ ସେମାନଙ୍କର ବୀରତ୍ଵର ମହିମା ଗାଇ । ଏବେ ବି ରାଜସ୍ଥାନର ଲୋକକଥା ଓ ଲୋକଗୀତ ସେମାନଙ୍କର ପ୍ରଶଂସାରେ ପଞ୍ଚମୁଖ । ବୀରାଙ୍ଗନାମାନଙ୍କର ପୁଣ୍ୟଭୂମି ଏଇ ରାଜସ୍ଥାନ ।

 

ରାଜସ୍ଥାନର ଜନ୍ମ; କିନ୍ତୁ ଆହୁରି ପ୍ରାଚୀନ । ହରପ୍‍ପାର ସିନ୍ଧୁନଦୀକୂଳରେ ଗଢ଼ିଉଠିଥିବା-। ସଭ୍ୟତାର ସମସାମୟିକ । ଖ୍ରୀଷ୍ଟପୂର୍ବ ୨୦୦୦ ରୁ ୩୦୦୦ ବର୍ଷ ପୂର୍ବେ ଏହାର ଜନ୍ମ । କିନ୍ତୁ ଖ୍ରୀଷ୍ଟପୂର୍ବ ପ୍ରାୟ ୪୦୦ ବର୍ଷ ତଳେ ଏହା ପାରସ୍ୟ ସାମ୍ରାଜ୍ୟର ସାର୍ବଭୌମତ୍ୱ ଅଧୀନକୁ ଚାଲିଯାଇଥିଲା । ଏହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ହରଣ କରି ନେଇଥିଲେ ବୀର ଆଲେକ୍‌ଜାଣ୍ଡାର । ସେତେବେଳେ ସମଗ୍ର ଉତ୍ତରଭାରତ ଆଲେକଜାଣ୍ଡାରଙ୍କର ପଦାନତ । କିନ୍ତୁ ଆଲେକଜାଣ୍ଡାରଙ୍କର ପ୍ରତିଷ୍ଠିତ ହେଲେନିକ୍ ସାମ୍ରାଜ୍ୟ ବହୁକାଳ ଧରି ଏହି ବୀରଭୂମିକୁ ପଦାନତ କରି ରଖିପାରି ଥିଲା । ଏହାର ପ୍ରତିଶୋଧ ନେଲେ ମହାପରାକ୍ରମୀ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ-। ହେଲେନିକ୍ ସାମ୍ରାଜ୍ୟର ପତନ ହେଲା ଏବଂ ମୌର୍ଯ୍ୟବଂଶ ସ୍ଥାପିତ ହେଲା । କିନ୍ତୁ ପୁଣି ମୌର୍ଯ୍ୟ ସାମାଜ୍ୟର ପତନ ଘଟିଲା କିଛିକାଳ ପରେ ଏବଂ ଉତ୍ତରଭାରତ ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଗଲା । ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଗୁପ୍ତ ସାମ୍ରାଜ୍ୟର ଆଧିପତ୍ୟ ରହିଥିଲା-। ଏହି ସମୟରେ ବିଶେଷ କରି ବିକ୍ରମାଦିତ୍ୟ, ସମୁଦ୍ରଗୁପ୍ତଙ୍କ ସମୟରେ କେବଳ ସେ ଦେଶର ସାର୍ବଭୌମତ୍ୱ ଅନେକ ପରିମାଣରେ ନିରାପଦ ଥିଲା ତାହା ନୁହେଁ, ସେହି ସମୟରେ କଳା ଓ ସାହିତ୍ୟର ଅଭୂତପୂର୍ବ ବିକାଶ ଘଟିଥିଲା । ବିକ୍ରମାଦିତ୍ୟଙ୍କ ରାଜଦରବାର ମହାକବି କାଳିଦାସଙ୍କ ସମେତ ନବରତ୍ନଙ୍କ ଦ୍ୱାରା ଭୂଷିତ ହୋଇଥିଲା । ଗୁପ୍ତ ସାମ୍ରାଜ୍ୟର ପତନ ପରେ ପୁଣି ଉତ୍ତରଭାରତର ଅସଂଖ୍ୟ ବୈଦେଶିକ ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇଥିଲା-

 

ଅଷ୍ଟମ ଶତାବ୍ଦୀ ବେଳକୁ ରାଜସ୍ଥାନର ସବୁ ଅଞ୍ଚଳ ବିଭିନ୍ନ ରାଜତ୍ଵ ଅଧୀନକୁ ଚାଲିଯାଇଥିଲା ଏବଂ ତା’ପରେ ପରେ ବହୁ ରାଜବଂଶର ଉଦ୍‍ଭବ ହୋଇଥିଲା । କିନ୍ତୁ ରାଜସ୍ଥାନର ଗୌରବ ଓ ଗର୍ବ ଶୀର୍ଷଦେଶକୁ ଉଠିଥିଲା, ତେରଶହ ଶତାବ୍ଦୀରୁ ଷୋହଳଶହ ଶତାବ୍ଦୀ ମଧ୍ୟରେ । ମୋଗଲ ସାମ୍ରାଜ୍ୟ ବିରୋଧରେ ବହୁବାର ଯୁଦ୍ଧ କରିଥିଲେ ରାଜପୁତମାନେ, କିନ୍ତୁ ଶେଷରେ ପରାସ୍ତ ହୋଇଥିଲେ । ଆକବର ରାଜପୁତମାନଙ୍କୁ ହାତରେ ରଖିବା ପାଇଁ ମାନସିଂଙ୍କୁ ପ୍ରଧାନ ସେନାପତି ନିଯୁକ୍ତ କରିଥିଲେ ଏବଂ ତାଙ୍କ ଭଉଣୀଙ୍କୁ ବିବାହ କରିଥିଲେ । ମୋଗଲ ସାମ୍ରାଜ୍ୟର ପତନ ପରେ ଆସିଲେ ଇଂରେଜମାନେ । ସେମାନେ ରାଜା ମହାରାଜାମାନଙ୍କର ଅଖଣ୍ଡ ସାର୍ବଭୌମତ୍ୱ ହ୍ରାସ କରି ଏକପ୍ରକାର ସ୍ୱାଧୀନତା ଦେଇଥିଲେ ଯାହା ପାରାମାଉଣ୍ଟସି ନାମରେ ଖ୍ୟାତ ।

 

ବହୁଶତାବ୍ଦୀ ଧରି ବୈଦେଶିକ ଶତ୍ରୁ ମାନଙ୍କ ଆକ୍ରମଣ ଦ୍ଵାରା କ୍ଷତବିକ୍ଷତ ହୋଇଥିଲା ରାଜସ୍ଥାନ । ଏହାର ଅଧିବାସୀମାନେ ମଥାନତ ନକରି ଯୁଦ୍ଧ କରିଥିଲେ ଆକ୍ରମଣକାରୀଙ୍କ ବିରୋଧରେ । ଯୁଗଯୁଗର ଏଇ ଯୁଦ୍ଧରତ ଜାତିର ଧମନୀରେ ବୀରତ୍ୱ ଓ ସୌର୍ଯ୍ୟ ସେଥିପାଇଁ ସଦା ପ୍ରବାହିତ । ଇଂରେଜ ସାମ୍ରାଜ୍ୟ ଓ ଦେଶୀୟ ରାଜାମାନଙ୍କର କୁଶାସନ ବିରୋଧରେ ମଧ୍ୟ କମ୍ ସଂଗ୍ରାମ କରିନାହାନ୍ତି ରାଜସ୍ଥାନୀମାନେ । ଦେଶର ସୈନ୍ୟବାହିନୀରେ ରାଜସ୍ଥାନ ରେଜିମେଣ୍ଟର ସ୍ଵତନ୍ତ୍ର ସ୍ଥାନ ରହିଛି । କେବଳ ମାତୃଭୂମିର ସେବାରେ ସେମାନେ ଉତ୍ସର୍ଗ କରିନାହାନ୍ତି ନିଜକୁ, ମାତୃଭୂମିର ମର୍ଯ୍ୟାଦା ରକ୍ଷାକରିବା ସକାଶେ ଯୁଗେ ଯୁଗେ ପ୍ରାଣବଳି ଦେଇଛନ୍ତି ।

 

ମୋତେ ବୁଲାଇବା ଦାୟିତ୍ୱରେ ଥିବା ଗାଇଡ୍ କହିଲେ, ଜୟପୁର ପ୍ରାସାଦପୂର୍ଣ୍ଣ ନଗରୀ-। ଏହାର ତିନିଦିଗ ପର୍ବତ ଦ୍ୱାରା ଯେପରି ସୁରକ୍ଷିତ, ସେହିପରି ସହରର ସାତଟି ପ୍ରବେଶପଥ ଦ୍ୱାରା ଯାତାୟାତ ନିୟନ୍ତ୍ରିତ । ସହରର ପ୍ରାୟ ଏକ ସପ୍ତମାଂଶ ଅଞ୍ଚଳ ରାଜପ୍ରାସାଦ ଦ୍ୱାରା ପୂର୍ଣ୍ଣ-। ପୁରୁଣା, ଐତିହାସିକ ପ୍ରାସାଦ ପାଖାପାଖି ଗଢ଼ି ଉଠିଛି ନୂତନ ଜୟପୁରର କୋଠାବାଡ଼ି, ଅଫିସ୍, ବ୍ୟାଙ୍କ ଓ ବଜାର ।

 

ଆମେ ପ୍ରଥମେ ପହଞ୍ଚିଲୁ ସିଟିପାଲେସରେ । ସହରଠାରୁ ୩.୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ପ୍ରାସାଦର ଆକୃତି ଓ ନିର୍ମାଣ କୌଶଳରେ ରାଜସ୍ଥାନୀ ଓ ମୋଗଲ ଶୈଳୀର ପ୍ରଭାବ ସୁସ୍ପଷ୍ଟ । ଏଥିରେ ଗୋଟିଏ ସୁନ୍ଦର ମ୍ୟୁଜିୟମ ଅଛି ଏବଂ ସେଠାରେ ରାଜସ୍ଥାନ ଓ ଭାରତୀୟ ବସ୍ତ୍ର ଶିଳ୍ପର ବହୁପ୍ରକାର ନମୁନା ଦେଖିବାକୁ ମିଳେ । ପୂର୍ବରେ ଥିବା ସିରେଦେ ରହି ଗେଟ୍ ନତୁବା ଦକ୍ଷିଣରେ ଥିବା ଅତିସ ଗେଟ୍ ଦେଇ ପ୍ରବେଶ କରିହୁଏ । ଏହି ପ୍ରାସାଦରେ ଦିୱାନଇଆମ ଦେଖିବାଭଳି । ମହାରାଜା ଏହି ସଭା ଗୃହରେ ବସି ଦର୍ଶନ ଦେଉଥିଲେ । ଏଠାରେ ମାର୍ବଲ ନିର୍ମିତ ଏକ ଗ୍ୟାଲେରୀ ଅଛି । ଭିତରେ ଅଛି ମୁବାରକ ମହଲ । ଉତ୍ତର ପଶ୍ଚିମରେ ସାତମହଲା ବିଶିଷ୍ଟ ଚନ୍ଦ୍ରମହଲ ଅବସ୍ଥିତ । ଏହାର କାନ୍ଥ ଓ ଛାତରେ ଥିବା ଚିତ୍ର, ପୁଷ୍ପସଜ୍ଜା ଏବଂ ଦର୍ପଣ ଖଚିତ କାନ୍ଥ ଅତୀବ ମନୋରମ ।

 

ଚନ୍ଦ୍ରମହଲର ପୂର୍ବରେ ଜନ୍ତରମନ୍ତର ନିରୀକ୍ଷଣ କେନ୍ଦ୍ର ବା ଅବଜରଭେଟରୀ । ଜୟପୁରର ସ୍ଥାପୟିତା ମହାରାଜା ସାୱାଇ ଜୟସିଂହଙ୍କ ଦ୍ୱାରା ଯେଉଁ ସାତଟି Observatories ନିର୍ମିତ ହୋଇଥିଲା ଏହା ସେଗୁଡ଼ିକ ମଧ୍ୟରୁ ଅନ୍ୟତମ ।

 

ମହାରାଜା ସାୱାଇ ମାନସିଂ ମ୍ୟୁଜିୟମ ଦେଖିବାଭଳି ଏକ ସଂଗ୍ରହାଳୟ । ବହୁ ଦୁର୍ଲଭ ଓ ଅତି ମୂଲ୍ୟବାନ ଚିତ୍ର, କାରପେଟ, ମୂର୍ତ୍ତି, ତାଳପତ୍ର ଓ ଭୁର୍ଜପତ୍ରରେ ଲିଖିତ ପାଣ୍ଡୁଲିପି, ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର, ରାଜସ୍ଥାନୀକଳା, ଜୟପୁର ରାଜପରିବାରର ମହାରାଜା, ମହାରାଣୀ, ରାଜକୁମାର ଓ କୁମାରୀମାନଙ୍କର ତୈଳଚିତ୍ର, ନୃତ୍ୟରତ ଶ୍ରୀକୃଷ୍ଣ ଓ ଶ୍ରୀରାଧା, ଭଗବଦ୍‍ଗୀତା, ଗୀତଗୋବିନ୍ଦ, ମହାଭାରତ ଓ ପୌରାଣିକ ଚରିତ୍ର ଓ ଚିତ୍ରାବଳୀ ଦେଖି ଅଭିଭୂତ ହେଲି । ଗୀତଗୋବିନ୍ଦ ଲେଖାଥିବା ଏକ ଦୁର୍ଲଭ ପାଣ୍ଡୁଲିପି ଦେଖିଲି ଯାହା ଚାରିପାଞ୍ଚ ଶହ ବର୍ଷ ପୂର୍ବର ବୋଲି ସୁପରିଟେଣ୍ଡେଣ୍ଟ କହିଲେ । ଏହାଛଡ଼ା ମୋଗଲ ଚିତ୍ରକଳା ପାରସ୍ୟ ଓ ଆରବଜଗତର ବହୁ କଳାକୃତୀ ମଧ୍ୟ ଏହି ସଂଗ୍ରହାଳୟରେ ଗଚ୍ଛିତ ରହିଛି ।

 

ପୃଥ୍ୱୀରାଜ ଯେଉଁ ସାଂଜୁ ବ୍ୟବହାର କରୁଥିଲେ ଓ ଯେଉଁ ଲୌହନିର୍ମିତ ବର୍ମ ବ୍ୟବହାର କରୁଥିଲେ ତାହା ଦେଖି ବିସ୍ମୟର ସୀମା ରହିଲା ନାହିଁ । ଏବେ ସେହି ବର୍ମ ତିନିଜଣ ଯୋଦ୍ଧା ବି ଫିଙ୍ଗିପାରିବେ କି ନାହିଁ ସନ୍ଦେହ । ସେହିପରି କେତେକ ମହାରାଜାଙ୍କ ଆଲଖାଲା ଏତେ ବଡ଼ ଯେ ତା’ଭିତରେ ଆମେ ଦୁଇତିନିଜଣ ପଶିଯିବା । ସଂଗ୍ରହାଳୟରେ ଗଚ୍ଛିତ ବହୁ ମୂଲ୍ୟବାନ ମଣିମାଣିକ୍ୟ ମଧ୍ୟ ରହିଛି ଏବଂ ତା’ସହିତ ବହୁ ଅଳଙ୍କାର ମଧ୍ୟ । ଏଥିରୁ ରାଜସ୍ଥାନର ଏବଂ ବିଶେଷକରି ଜୟପୁର ରାଜପରିବାରର ଐଶ୍ଵର୍ଯ୍ୟ କଳନା କରିହୁଏ ।

 

ହାୱାଇ ମହଲ ସହରର ମଧ୍ୟସ୍ଥଳରୁ ତିନି କିଲୋମିଟର ଦୂରରେ ଅବସ୍ଥିତ । ଏହି ପ୍ରସିଦ୍ଧ ପ୍ରାସାଦ ୧୭୯୯ ମସିହାରେ ମହାରାଜା ସାୱାଇ ପ୍ରତାପ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହାର ସ୍ଥାପତ୍ୟ କୌଶଳ ଚମତ୍କାର ଓ ରୁଚିପୂର୍ଣ୍ଣ । ଦେଖିବାକୁ ପିରାମିଡ଼ ଭଳି । ଚୁନବାଲିରେ ତିଆରି ଅସଂଖ୍ୟ ଛିଦ୍ର ଥିବା ସ୍ପିନ ପ୍ରାସାଦ ଭିତରର ଲୋକମାନଙ୍କୁ ଲୁଚାଇ ରଖେ; କିନ୍ତୁ ଭିତରୁ ବ୍ୟବହାରର ସବୁ କିଛି ଦେଖହୁଏ । ଏହି ପାଞ୍ଚମହଲା ବିଶିଷ୍ଟ ପ୍ରାସାଦର ପ୍ରତ୍ୟେକ ସ୍ଥାନରେ କାରିଗରର ନିର୍ମାଣ କୌଶଳ ଓ ନିପୁଣତା ବିଦ୍ୟମାନ ।

 

ଚନ୍ଦ୍ରମହଲ ପୂର୍ବରେ ଅବସ୍ଥିତ ଜନ୍ତରମନ୍ତର ନିରୀକ୍ଷଣ କେନ୍ଦ୍ର । ଜୟପୁରର ପ୍ରତିଷ୍ଠାତା ମହାରାଜା ଜୟସିଂ ଥିଲେ ଜ୍ୟୋତିର୍ବିଦ୍ୟା ଓ ଗ୍ରହନକ୍ଷତ୍ର ଗତିବିଧି ନିରୀକ୍ଷଣ କରିବାରେ ଅତ୍ୟନ୍ତ ପାରଙ୍ଗମ । ଯେ ଯେଉଁ ସାତଟି ନିରୀକ୍ଷଣ କେନ୍ଦ୍ର ବା Observatories ନିର୍ମାଣ କରିଥିଲେ ଏହା ସେ ମଧ୍ୟରୁ ସର୍ବୋତ୍ତମ । ଏହାଛଡ଼ା ଆଉ ଛଅଟି ମଧ୍ୟରୁ ଦିଲ୍ଲୀରେ ଥିବା ଜନ୍ତରମନ୍ତର ନିରୀକ୍ଷଣ କେନ୍ଦ୍ର ଅନ୍ୟତମ । ମଥୁରା, ଉଜ୍ଜୟିନୀ, ବାରାଣାସୀଠାରେ ମଧ୍ୟ ଗୋଟିଏ ଗୋଟିଏ ନିରୀକ୍ଷଣ କେନ୍ଦ୍ର ମହାରାଜା ଜୟସିଂ ନିର୍ମାଣ କରିଥିଲେ । ଏହା ୧୭୨୬ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ଅତ୍ୟାଧୁନିକ ନିର୍ମାଣ କୌଶଳ ଏହାର ଗରିମାର ପ୍ରତୀକ । ନିରୀକ୍ଷଣ କେନ୍ଦ୍ରରେ ନକ୍ଷତ୍ରମାନଙ୍କର ଗତିବିଧି ନିରୀକ୍ଷଣ କରିବା ପାଇଁ, ସ୍ଥାନୀୟ ସମୟ ଜାଣିବା ପାଇଁ ସୂର୍ଯ୍ୟଙ୍କର ଗତି ନିର୍ଣ୍ଣୟ କରିବା ପାଇଁ, ସମୁଦ୍ରପତ୍ତନଠାରୁ ଉଚ୍ଚତା ମାପିବା ପାଇଁ, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ବ୍ୟତୀତ ନକ୍ଷତ୍ରମଣ୍ଡଳର ରହସ୍ୟ ଉଦ୍‌ଘାଟନ ସକାଶେ ବାଲି ଓ ଚୂନ ସାହାଯ୍ୟରେ କୌଶଳତା ସହିତ ତାହା ନିର୍ମାଣ କରାଯାଇଛି, ନଦେଖିଲେ ବିଶ୍ୱାସ କରି ହେବନାହିଁ ।

 

ମଧ୍ୟାହ୍ନ ଭୋଜନ ପାଇଁ ଫେରିଆସିଲୁ ଜୟପୁର ପ୍ୟାଲେସ ହୋଟେଲକୁ । ଏହା ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ହୋଟେଲ । ତାଜଗ୍ରୁପ (ଟାଟା) ଏହାର ପରିଚାଳକ । ପୂର୍ବେ ମହାରାଜାଙ୍କର ଏହା ଅନ୍ୟ ଏକ ପ୍ରସିଦ୍ଧ ପ୍ରାସାଦ ଥିଲା ।

 

ଲାଉଞ୍ଜରେ ବସି ଫଳରସ ପାନ କରୁଥିଲାବେଳେ ନିକଟରୁ ନୂପୁର ଧୂନି ଭାସିଆସିଲା-। ନୂପୁର ପରିହିତା କୌଣସି ନାରୀ ଯେପରି ଅତି ନିକଟରେ । ଟିକେ ଉଙ୍କିମାରି ଦେଖିଲି-। କୌତୁହଳ ନିବାରଣ କରିବା ପାଇଁ । ରାଜସ୍ଥାନୀ ପୋଷାକ ପରିହିତା ଜଣେ ସୁନ୍ଦରୀ ତରୁଣୀଙ୍କର ହଂସଗତି ଦେଖି ଚାହିଁ ରହିଲି ନିର୍ନିମେଷ ନୟନରେ । ପରିଚାରକ କହିଲେ ଯେ ଅତିଥିମାନଙ୍କୁ ରାଜସ୍ଥାନର ସେକାଳର ଗୌରବ ଓ ଐଶ୍ଵର୍ଯ୍ୟ ମନେ ପକାଇଦେବା ସକାଶେ ଏପରି ବ୍ୟବସ୍ଥା-। ଏଠାରେ କହିରଖେ ଯେ ରାଜସ୍ଥାନର ମହିଳାମାନେ ଯେଉଁ ପୋଷାକ ପିନ୍ଧନ୍ତି ଓ ଦେହରେ ଚିତା କୁଟାନ୍ତି, ଅଳଙ୍କାର ଦ୍ଵାରା ନିଜକୁ ସଜାନ୍ତି ତା’ର ସ୍ଵାତନ୍ତ୍ର୍ୟ ନିରୀକ୍ଷଣ କଲାଭଳି ।

 

ମଧ୍ୟାହ୍ନ ଭୋଜନ ରାଜକୀୟ ଢଙ୍ଗରେ ସମାପ୍ତ କରି ବାହାରିପଡ଼ିଲୁ ଜୟପୁର ସହରଠାରୁ ଏଗାର କିଲୋମିଟର ଦୂରରେ ଅବସ୍ଥିତ ଅମ୍ବର ପ୍ରାସାଦ ଓ ଦୂର୍ଗ ଦେଖିବା ପାଇଁ । ଜୟପୁରରୁ ଦିଲ୍ଲୀ ଯିବା ରାସ୍ତାରେ ଏକ ପାହାଡ଼ କାଟି ଜୟପୁରର କାଚ୍ଛାୱାହା ରାଜାମାନେ ଏହି ପ୍ରାସାଦ ଓ ଦୁର୍ଗ ନିର୍ମାଣ କରିଥିଲେ ୧୧୫୦ ଖ୍ରୀଷ୍ଟାବ୍ଦରେ । କାଚ୍ଛାୱହାର ବୀର ଏହି ସହର ଜୟକରି ସେଠାରେ ରାଜଧାନୀ ସ୍ଥାପନ କରିଥିଲେ । ୧୫୯୨ ରୁ ୧୬୧୫ ମଧ୍ୟରେ ପ୍ରଧାନ ପ୍ରାସାଦ ନିର୍ମାଣ କରିଥିଲେ ରାଜ ମାନସିଂ । ସେ ଆକବରଙ୍କ ପ୍ରଧାନ ସେନାପତି ଭାବରେ ପ୍ରସିଦ୍ଧ । ତାଙ୍କ ପରେ ମହାରାଜା ଜୟସିଂ, ମିରଜା ରାଜା ଜୟସିଂ ଏବଂ ସାୱାଇ ଜୟସିଂହଙ୍କ ସମୟରେ କେତେକ ଅଂଶ ନିର୍ମିତ ହୋଇଥିଲା । ପ୍ରାସାଦ ମଧ୍ୟରେ ଅଛି–ଦିୱାନ-ଇ-ଆମ ବା ରାଜାଙ୍କୁ ଦର୍ଶନ କରିବାର ସମ୍ମିଳନୀ କକ୍ଷ, ସୁଖ ନିୱାସ, ଜଲମହଲ, ଜୟମନ୍ଦିର ଏବଂ କାଳୀ ମନ୍ଦିର । ଅମ୍ବର ପ୍ରାସାଦ ରାଜସ୍ଥାନୀ କୌଶଳର ଚରମ ନିଦର୍ଶନ । ଏହାର ଛବି ନିକଟସ୍ଥ ହ୍ରଦର ଜଳରେ ପ୍ରତିବିମ୍ବିତ ହୁଏ । ଯୁଦ୍ଧକୁ ଯିବା ପୂର୍ବରୁ ମା’କାଳୀଙ୍କୁ ପ୍ରଣାମ କରି ଦୈନିକ ଓ ସେନାପତି ଯାଉଥିବାର କାହାଣୀ ପ୍ରଚଳିତ ଅଛି ।

 

ଅମ୍ବର ଦୁର୍ଗ ଦେଖିଲେ ସେହି ସମୟରେ ଦେଶରକ୍ଷା ସକାଶେ ଶାସକବର୍ଗ କଅଣ କରୁଥିଲେ ତାର ଆଭାସ ମିଳେ । ଏହି ଦୁର୍ଗର ସଦର ଓ ଲୁକ୍କାୟିତ ପଥ ଭିତର ଦେଇ ସେତେବେଳେ ଯିବା ଆସିବା କରୁଥିଲାବେଳେ ମଶାଲ ବ୍ୟବହାର କରାଯାଉଥିଲା । ଜଣେ ଅପରିଚିତ ଲୋକ ଭିତରକୁ ହଠାତ୍‍ ଚାଲିଗଲେ ସେ ସହଜରେ ରାସ୍ତାଭୁଲି ଧରା ପଡ଼ିଯିବାର ସମ୍ଭାବନା ଅତି ବେଶୀ । ଗୁପ୍ତଚରମାନଙ୍କର କବଳରୁ ଦୁର୍ଗରକ୍ଷା କରିବା ପାଇଁ ଏହା ଥିଲା ଏକ କୌଶଳ । ଏହାଛଡ଼ା ଗାଇଡ଼ କହିଲେ ଯେ ସେତେବେଳେ ଶତ୍ରୁ ଆକ୍ରମଣର ସାମନା କରିବା ପାଇଁ ସଦା ଜାଗ୍ରତ ଥିଲେ ସୈନିକମାନେ । ଯୋଗାଯୋଗ ବ୍ୟବସ୍ଥା ବିକାଶଲାଭ କରି ନଥିଲା । ହଠାତ ଶତ୍ରୁ ଆସିଗଲେ ପ୍ରତିରୋଧ କରିବା କଷ୍ଟସାଧ୍ୟ ହେବ, ତେଣୁ ପାହାଡ଼ରୁ ପାହାଡ଼କୁ ସଂକେତ ପଠାଯାଉଥିଲା ମଶାଲ ଜାଳି । ଶତ୍ରୁ ମାଡ଼ି ଯାଉଥିବାର ସଂକେତ ପାଇବା କ୍ଷଣି ଦୂରର ପାହାଡ଼ ଉପରେ ଜଳି ଉଠୁଥିଲା ମଶାଲ, ତାହା ଦେଖି ପାହାଡ଼ରୁ ପାହାଡ଼ ବାର୍ତ୍ତା ଚାଲିଯାଉଥିଲା ସଙ୍କେତ ଦ୍ଵାରା ଏବଂ ଶତ୍ରୁ ପହଞ୍ଚିବା ଆଗରୁ ନିପାତ ହୋଇ ଯାଉଥିଲା ବାଟରେ ।

 

ଅମ୍ବର ଦୁର୍ଗରୁ ଫେରି ସନ୍ଧ୍ୟାରେ ଗଲୁ ଜୟପୁର ସହରରୁ ଟିକେ ଦୂରରେ ଏକ ଉଚ୍ଚ ସ୍ଥାନରେ ବିରଳା ଟ୍ରଷ୍ଟ ପକ୍ଷରୁ ନିର୍ମିତ ରାମ ମନ୍ଦିର ଦେଖିବା ପାଇଁ । ଏହି ବିଶାଳ ମନ୍ଦିର ଓ ସେଥିରେ ମାର୍ବଲର କାରୁକାର୍ଯ୍ୟ ଦେଖି ମୁଗ୍‍ଧ ହେଲି । ଦେବ-ଦର୍ଶନ-ସାରି ଫେରିଲୁ । ବାଟରେ ବଜାର । ଜୟପୁରର ହସ୍ତଶିଳ୍ପ, ଶାଢ଼ୀ, ରେଜାଇ ଭାରତପ୍ରସିଦ୍ଧ । କିଛି କିଣିବା ଦରକାର ।

 

ଗେଷ୍ଟହାଉସକୁ ଫେରିବା ବେଳକୁ ରାତି ନଅଟା । ତର ତର ହୋଇ ହାତ ମୁହଁ ଧୋଇ ପୋଷାକ ବଦଳ କରି ଚାଲିଲୁ ରାତି ଭୋଜନ ପାଇଁ ଆଉ ଏକ ନାମକରା ହୋଟେଲକୁ । ସ୍ଥାନୀୟ ଅଫିସରମାନଙ୍କର ସ୍ତ୍ରୀମାନେ ଆସି ରଙ୍ଗ ଲଗାଇଦେଲେ ଆତିଥେୟତାରେ । ନାରୀ ନଥିଲେ ସବୁ ଅସମ୍ପୂର୍ଣ୍ଣ । ସୌନ୍ଦର୍ଯ୍ୟ ଓ ଶୌର୍ଯ୍ୟ ସେଥିପାଇଁ ରାଜସ୍ଥାନର ଭୂଷଣ । ସେଇ ବର୍ଣ୍ଣାଢ଼୍ୟ ରାତ୍ରି ଭୋଜନ ସମାପ୍ତ କରି ସମସ୍ତଙ୍କଠାରୁ ବିଦାୟ ନେଲୁ କଲିକତା ଫେରିବା ପାଇଁ ।

 

ଜୟପୁର ରାଜସ୍ଥାନର ବୀରତ୍ୱ, ଗରିମା ଓ ମହନତାର ପ୍ରତୀକ । ସେଇ କଥା ଭାବି ଭାବି ଶୋଇଲାବେଳେ ହଠାତ୍ ମନେ ପଡ଼ିଗଲା ଜଣେ ବନ୍ଧୁଙ୍କର ମନ୍ତବ୍ୟ । ଜୟପୁର ରାଜବଂଶ ଧନ ଓ ମାନରେ ରାଜସ୍ଥାନର ମଉଡ଼ମଣି ସିନା; କିନ୍ତୁ ଯଶ, ଖ୍ୟାତି ଓ ଶ୍ରଦ୍ଧାରେ ବିକାନୀର, ଯୋଧପୁର, ଉଦୟପୁର ଓ ଅନ୍ୟମାନେ ଅଧିକ ପ୍ରିୟ ରାଜସ୍ଥାନର ଅଧିବାସୀମାନଙ୍କର । ମୋଗଲ ସମ୍ରାଟ ଆକବର ଦୁର୍ଦ୍ଦଶ ରାଜପୁତମାନଙ୍କର ଆନୁଗତ୍ୟ ଲାଭକରି ସାମ୍ରାଜ୍ୟ ବିସ୍ତାରରେ ସେମାନଙ୍କ ବ୍ୟବହାର କରିବା ପାଇଁ ମାନସିଂହଙ୍କ ପ୍ରଧାନ ସେନାପତି କରିଥିଲେ ଓ ତାଙ୍କ ଭଉଣୀଙ୍କୁ ବିବାହ କରିଥିଲେ । ମୋଗଲ ସମ୍ରାଟଙ୍କୁ କନ୍ୟାଦାନ କରି ଜୟପୁର ରାଜବଂଶ ଶାସନର ନିକଟବର୍ତ୍ତୀ ହୋଇଥିଲେ କିନ୍ତୁ ଜନସାଧାରଣଙ୍କ ଶ୍ରଦ୍ଧା ପାଇଲେ ନାହିଁ ଏବେ ସେମାନେ କହନ୍ତି ଯେ ଜୟପୁର ରାଜସ୍ଥାନର ଗରିମା କୀର୍ତ୍ତିର ପ୍ରତୀକ ନୁହେଁ, ବିକାନୀର ଯୋଧପୁର, ଉଦୟପୁର ତାଠାରୁ ଅଧିକ କୀର୍ତ୍ତି ଓ ଗରିମାର ପ୍ରତୀକ । ସେମାନେ ଭୁଲି ନାହାନ୍ତି ସେଦିନର କଥା ।

 

ରାତି ଏକସେପ୍ରେସ ଛାଡ଼ିଦେଇଥିଲା । ଏଇ ଭାରତବର୍ଷକୁ ପ୍ରଣାମ ଜଣାଇ ମୁଁ ବି ଶୋଇ ପଡ଼ିଲି ବାତାନୁକୂଳିତ ଏକ ସୁସଜ୍ଜିତ କୋଠରିରେ ।

Image